Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others Tragedy

2.5  

Sukanti Hotta

Others Tragedy

ଦୁହିତା ଜନ୍ମ ଭାଗ୍ୟ ହାତରେ

ଦୁହିତା ଜନ୍ମ ଭାଗ୍ୟ ହାତରେ

5 mins
4.6K


ବିବାହର କୋଡିଏ ବର୍ଷ ପରେ ମୋ ସ୍ୱାମୀ ଆଶିଷଙ୍କର ଟ୍ରାନ୍ସଫର ହୋଇଥିଲା ବ୍ରହ୍ମପୁରକୁ ମୁଁ ବହୁତ ଖୁସି ଥିଲି କାରଣ ମୋ ବାପଘର ଆଉ ମୋ ଜୀବନର ସବୁଠାରୁ ପ୍ରିୟ ସାଙ୍ଗର ଘର ବ୍ରହ୍ମପୁରରେ  ।ମୁଁ ବହୁତ ଭଲ ସ୍ୱାମୀଟେ ପାଇଛି ।ମୋ ସ୍ୱାମୀ, ଶାଶୁ ଓ ଶ୍ୱଶୁର ମୋତେ ବହୁତ ଭଲପାନ୍ତି ।ମୋ ଶାଶୁ ସବୁବେଳେ କହନ୍ତି ଦୁହିତା ଦୁଇକୂଳର ହିତା ବୋଲି । ମୋତେ ମୋ ଖୁସିରେ ବୁଲିଯିବାକୁ ଛାଡ଼ନ୍ତି ।

ଦିନେ ମୁଁ ଯାଇ ପହଂଚିଥିଲି ମୋର ଅତି ପ୍ରିୟ ଶାନ୍ତ, ସରଳ, ନିରୀହ, ଫୁଟନ୍ତା ପଦ୍ମ ପରି ସୁନ୍ଦରୀ ସାଙ୍ଗ 'ଆକାଂକ୍ଷା' ଘରେ । ତାର ଅସଜଡ଼ା ଚୁଟି ଓ ଶାଢୀରେ ସେ ବହୁତ ସୁନ୍ଦର ଦିଶୁଥିଲା ।କଲେଜ ସମୟରେ ତା ପଛରେ ପୁଅମାନଙ୍କର ଲମ୍ବା ଲାଇନ ଲାଗୁଥିଲା କିନ୍ତୁ ସେ ବହୁତ ଭଲ ସ୍ୱଭାବର ଥିଲା ତା ବାପାମାଆ ପସନ୍ଦରେ ବାହା ହୋଇଥିଲା । ତା ସହ ଯିଏ ଥରେ ସାଙ୍ଗ ହୋଇଛି ତାକୁ ଭୁଲି ପାରିନି.. କାରଣ ତା ପାଖରେ ନଥିଲା ରାଗ, ହିଂସା ଓ ଅଭିମାନ । ସେଥିଲା ମଧୁଭାଷିଣୀ..। ମୁଁ ଭାବୁଥିଲି ସେ ବହୁତ ଖୁସିରେ ଥିବ ବୋଲି କିନ୍ତୁ ମୋତେ ଦେଖି ସେ ଭେଁ ଭେଁ କାନ୍ଦି ପକାଇ ଜାବୁଡିଧରିଥିଲା ଆଉ କହିଥିଲା ମୁଁ ମରିଚି କି ବଞ୍ଚିଛି ଟିକେବି ପଚାରିଲୁନି ମୋ ପରି ଅଭାଗିନୀଟାକୁ ।

ମୁଁ ମୋ ହାତରେ ତା ପାଟିକୁ ଧରିଦେଇଥିଲି ଆଉ କହିଥିଲି ତୁ କାନ୍ଦିଲେ ମୁଁ ଏଠାରୁ ପଳେଇବି ।ମୋର ଏତିକି କଥାରେ ତା କାନ୍ଦ ବନ୍ଦ ହୋଇଯାଇଥିଲା ।କିନ୍ତୁ ତା ଦେହରେ ଥିଲା ଭୀଷଣ ତାତି, ମୁଁ ଚମକି ଯାଇଥିଲି !ତୋତେ ଜ୍ଵର ହେଇଚି କି ? - ପଚାରିଥିଲି ।ସେ ଅନର୍ଗଳରେ କହିଚାଲିଥିଲା ଆଜିକୁ ଛମାସ ହେଲାଣି ନିଆଁଲଗା କାଶଟି ବନ୍ଦ ହେଉନି, ସବୁବେଳେ ଥଣ୍ଡା ରହି ଅଂଟା ବଥା ହେଉଛି ଓ ଜରଜର ଲାଗୁଛି ।ଏତେ ଔଷଧ ଖାଇଲିଣି କିଛି କାମ ଦେଉନି । କାମଵାଲୀ ଉପରେ ଶାଶୁ ଏତେ ଗରଗର ହେଉଛନ୍ତି ଯେ କାମଵାଲୀ ଅଧାଦିନ ଆସୁନି ।

ମୋତେ ସବୁ କାମ କରିବାକୁ ପଡୁଛି ।ବହୁତ ଥକା ଲାଗୁଛି ।ଏତେ କାମ କଲା ପରେ ବି ଶାଶୁ, ଶ୍ୱଶୁରଙ୍କ ମୋ ପ୍ରତି ଦୟା ନାହିଁ ପାଣିଗ୍ଲାସଟିଏ ମଧ୍ୟ ଆଣନ୍ତିନି ।ଆକାଶ ମଦ ବହୁତ ପିଅନ୍ତି ମୁଁ କହେ ତମେ ପିଅନି ଦେହ ଖରାପ ହେବ, କିନ୍ତୁ ମୋ ଆକାଶ ମୋତେ ବହୁତ ଅଭଦ୍ର ଭାଷାରେ ଗାଳି ଦିଅନ୍ତି ଆଉ କୁହନ୍ତି ତୁ ଦି’ ପଇସା ରୋଜଗାର କରୁଛୁ କି? ମୋ ପଇସାରେ ମୁଁ ପିଉଛି, ତୁ ଦେଉଛୁ କି ବେ? ଘରେ ମାହାଳିଆ ଖାଇ ଶୋଉଛୁ ।ବେଶି ବକବକ କଲେ ବାପଘର ଛାଡ଼ିଦେବି, ଯାହା ଘରକୁ ଯିବୁ ଯା’ । ମୋ ଶାଶୁ କହନ୍ତି ତୁ ମୋ ପୁଅକୁ ଶାନ୍ତିରେ ରହିବାକୁ ଦଉନୁ ? ଆଜି ବ୍ଳଓଡ଼ ଟେଷ୍ଟ କରିଥିଲି ପୁଅ ସହ ଯାଇ ।

ମୁଁ ପୋଡ଼ାମୁହିଁ କାହିଁକି ରିପୋର୍ଟଟା ଆଣିବାକୁ ତାଙ୍କୁ ମେଡିକାଲ ପଠାଇଲି । ଆଜି ଅଫିସରେ ବହୁତ କାମ ଅଛି, ପାର୍ଟି ଅଛି କହୁଥିଲେ । କୋଡିଏ ବର୍ଷ ହେଲାଣି ତାଙ୍କରି ରାଗ ସହିସହି ମୋର ଦେହସୁହା ହୋଇଗଲାଣି, ଠିକ ଶାଶୁଙ୍କ ପରି ହୋଇଛନ୍ତି ।ହଉ.. "ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି " । 'ସମସ୍ତେ କହନ୍ତି ପରା ବାପ ଘରୁ ଡୋଲୀ ଆସେ ଶାଶୁଘରୁ ଡୋଲୀ ଯାଏ, ହାତରେ ଶଙ୍ଖା, ମଥାରେ ସିନ୍ଦୁର ଲାଗି ଯାର ଜୀବନ ଯାଏ ସେ ପରା ବହୁତ ଭାଗ୍ୟବାନ' ।

ସମସ୍ତଙ୍କ ଖୁସି ପାଇଁ ମୋ ଖୁସିକୁ କେବେହେଲେ ଦେଖିନି କହି ମୁଚୁକୁନ୍ଦିଆ ହସଟି ହସି କହିଲା ମୋ ବୋଉ କହିଛି ପରା - 'ସ୍ୱାମୀ ଇହକାଳ ପରକାଳର ଦେବତା' । ଶାଶୁଘରେ ସମସ୍ତଙ୍କ ମନନେଇ ଚଳିବୁ । ନଣନ୍ଦ, ଦିଅର,ଶାଶୁଓ ଶ୍ୱଶୁରକୁ ସନମାନଦେବୁ। 'ସିଝିବା ମାଂସଟା ପରା ବଡ଼ ସୁଆଦିଆ.... ସମସ୍ତେ ତୋତେ ବହୁତ ଆଦର କରିବେ । ବୋଉର କଥାଟା ଖାଲି ଆଶାରେ ରହିଗଲା ।

ବୋଉ କହିଥିଲା ଦୁହିତା ଦୁଇକୁଳର ହିତା,ଘରର ସନମାନ ରଖିବୁ ଆମକୁ ପର କରିବୁନି, ଶାଶୁଘରକୁ ଆପଣାର କରିବୁ ବୋଲି କିନ୍ତୁ ମୁଁ ଅଭାଗିନୀ ଶାଶୁଘରେ ମୋ ହାତ ଧରିଥିବା 'ଆକାଶ'କୁ ତ ନିଜର କରିପାରିଲିନି ଆଉ କାହା କଥା କହିବି?

ସମସ୍ତଙ୍କ ମନନେଇ କରିବାପରେବି ସ୍ନେହରେ କିଏ ବି ଦିପଦ କହୁନାହାନ୍ତି ।ମୁଁ ସ୍ବପ୍ନ ଦେଖିଥିଲି ମୋତେ ସମସ୍ତେ ଆଦର କରିବେ ମୋ ଆକାଶ ମୋତେ ବହୁତ ଭଲ ପାଇବେ କିନ୍ତୁ ମୋ, 'ସ୍ବପ୍ନ'......ସ୍ବପ୍ନରେ ହିଁ ରହିଗଲା  । ସ୍ବପ୍ନଟା କେବେ ବାସ୍ତବରେ ପରିଣତ ହେବ ଭଗବାନଙ୍କୁ ଜଣା..  "ସ୍ୱାମୀ ପରା ଦେବତା ସ୍ୱାମୀ ପରା ସ୍ୱର୍ଗ , ସ୍ୱାମୀ ଶଙ୍ଖା ଆଉ ସ୍ୱାମୀ ସିନ୍ଦୁର........। " ଯେତେ ବାଡାନ୍ତୁ, ଯେତେ ରାଗନ୍ତୁ ସେ ପରା ମୋ ସ୍ୱାମୀ । ଲକ୍ଷ୍ମୀପୁରାଣରେ ପଢ଼ିଛି ପରା ସ୍ୱାମୀଙ୍କର ଆଜ୍ଞାକୁ ଅବଜ୍ଞା କରନ୍ତିନି । ସବୁନିୟମ ସ୍ତ୍ରୀ ମାନଙ୍କ ପାଇଁ କାହିଁକି କେଜାଣି?

ସତରେ ଝିଅ ଜୀବନ କେତେ ଯନ୍ତ୍ରଣା ଦାୟକ !! ବାପ ଘର ପାଇଁ କିଛି କରିପାରିଲିନି ଲୋ ! ଖାଲି ତାଙ୍କର ବୋଝ ହୋଇ ରହିଲି । ବାପା ଓ ମାଆର ଅସୁବିଧା ସମୟରେ କେବେ ଯାଇପାରିଲିନି, ଭାଇ ଓ ଭଉଣୀ ପାଇଁ କିଛି କରି ପାରିଲିନି । କୋଡିଏ ବର୍ଷ ହେଲାଣି ଦେହ ଖରାପ, ଅସୁବିଧା ବେଳେ ମୋ ବୋଝକୁ ମୋ ପିଲାର ବୋଝକୁ ସମ୍ଭାଳୁଛନ୍ତି । ମାଆର ଦେହ ଖରାପ ବେଳେ ମୁଁ ଯାଇପାରିଲିନି କିଛି ସାହାଯ୍ୟ ବି କରି ପାରୁନି, ଭଗବାନ ମୋତେ ତାଙ୍କ ପାଖକୁ ନେଇଯାଆନ୍ତେ କି? ମୋ ପାଇଁ ଝିଅ ଜନ୍ମ ଖାଲି ଅଭିଶାପ ।କଥାରେ ଅଛି ଦୁହିତା ଦୁଇ କୁଳର ହିତା କିନ୍ତୁ ମୁଁ........।

ମୋତେ ଭୀଷଣ ରାଗ ଲାଗିଥିଲା ମୁଁ କହିଥିଲି ତୋର ପୁରାଣ ପାଠ, ଶାନ୍ତ ସ୍ଵଭାଵ ଛାଡିଲେ ତୁ ଭଲରେ ରହିପାରିବୁ ।ତୋର ଦେହକୁ ତୁ ଜାଗ୍ରତ ନେ, ତୁ ଲଢ଼ିବା ଶିଖେ ତୁ ସବୁ ସହିଲେ ତୋ ଉପରେ ସମସ୍ତେ ହାକିମ ଦେଖାଇବେ ।

ସେ ହସିଦେଇ କହିଥିଲା ଭଗବାନଙ୍କ ଆଶୀର୍ବାଦରୁ ଭଲ ପୁଅଟି ପାଇଛି । ପୁଅ ଅମିତ ବହୁତ ଶାନ୍ତ, ଓ ଧୀର ସ୍ୱଭାବର  ।ପାଠ ବହୁତ ଭଲ ପଢୁଛି ।ଏବେ ତାର 12th,ମୁଁ ତାକୁ ଡାକ୍ତର କରିବି ।ସେ ପରା ମୋ ଗଣ୍ଠିର ଧନ, ଗଳାମାଳି ।ମୋ ପୁଅକୁ ଦେଖିଦେଲେ ପରା ମୁଁ ସବୁଦୁଃଖ ଭୁଲିଯାଏ ଲୋ...।

ମୋ ପୁଅ କହୁଛି ମା ମୁଁ ଚାକିରୀ କଲା ପରେ ତୋ ଦୁଃଖ ଦୂର ହୋଇଯିବ । ମୁଁ ମନେମନେ ଖୁସିହୋଇ ଯାଏ ଲୋ ।ମୁଁ ଭାବେ ସତରେ ମୋ ଭଲଦିନ ଜଲଦି ଆସିବ । ମୁଁ ପୁଅର ବାହାଘର କରିବି, ବୋହୂ ଆଣିବି ନାତିନାତୁଣୀ ସହ ବହୁତ ଭଲରେ ରହିବି । ମୋ ବୋହୁକୁ ଝିଅପରି ରଖିବି ।

ମୁଁ ଅବାକ ହୋଇ ସବୁ ଶୁଣୁଥିଲି ମନେମନେ ଭାବୁଥିଲି ଭଗବାନ ସତରେ ବହୁତ ନିଷ୍ଠୁର... କେଉଁଠି ଝିଅ ଦୁହିତାର ମର୍ଯ୍ୟଦା ପାଉଛି ତ କେଉଁଠି ସମସ୍ତଙ୍କର ରାଗ ସହିସହି ପଥର ଵନିଯାଉଛି ।

ହଠାତ ଚମକିଗଲି ତାର ସ୍ୱାମୀଙ୍କର ଗର୍ଜନରେ । ତାର ସ୍ୱାମୀ ଚିଲଉଛନ୍ତି ତୋତେ ଭୁବନେଶ୍ୱର ନେବା ପାଇଁ ଡାକ୍ତର କହୁଛନ୍ତି, ମୋ ପାଖରେ ସମୟ ନାହିଁ ତୋ ବାପା, ଭାଇକୁ.... ଡାକେ । ତା ଶାଶୁ କହୁଛନ୍ତି ଦିନରାତି ଖାଲି ବାହାନା କରୁଛି ଦେହ ଖରାପ ବୋଲି । ଖାଇବାକୁ ବାଢ଼ିବୁ ଆସେ । ସାଙ୍ଗସହ ଦୁଃଖସୁଖ ହେବାକୁ ମନ ହେଲେ ବାପ ଘରକୁ ପଳା, ଏଠି ପାଲା ଚାଲିଛି...।

ମୁଁ କାଠ ପ୍ରତିମାଟି ପାଲଟି ଯାଇଥିଲି । ହେ ଭଗବାନ ମୋ ପ୍ରିୟ ସାଙ୍ଗ 'ଆକାଂକ୍ଷା'କୁ ଏମିତି ପରିବାର ଦେଇଛ? ମୋ ଆଖିର ଲୁହ ଅନବରତ ବହି ଯାଉଥିଲା ।ହେ ଭଗବାନ ତମର କି ବିଚିତ୍ର ସୃଷ୍ଟି? ମୁଁ କାହିଁକି ଭେଟିବାକୁ ଆସିଥିଲି? ଆଜିକା ଯୁଗର ଏତେ ଶାନ୍ତ, ଭଦ୍ରପୁଅ ଅମିତକୁ ଗେଲଟିଏ କରି, ତୋ ମାଆ ପାଇଁ ତୁହିଁ ଲଢ଼ିବୁ କହି ମୁଁ ମୋ ଘରକୁ ଆସିଗଲି ।

ମୋ ସ୍ୱାମୀ ଆଶିଷଙ୍କ ଛାତିରେ ମୁଣ୍ଡରଖି ସେଦିନ ବହୁତ କାନ୍ଦିଥିଲି ଓ କହିଥିଲି ଝିଅ ମାନଙ୍କୁ କାହିଁକି ଦୁହିତା କହୁଛନ୍ତି ? ଝିଅମାନେ ଶାଶୁ ଓ ସ୍ୱାମୀଙ୍କର ଅତ୍ୟାଚାର କାହିଁକି ସହୁଛନ୍ତି ? ମୋ 'ଆକାଂକ୍ଷା' ପରି ଆହୁରି ଅନେକ ଅଭାଗିନୀ ଝିଅ କାହିଁକି କଷ୍ଟ ସହୁଛନ୍ତି ? ସ୍ୱାମୀମାନେ ନିଜ ଇଛାରେ ବୁଲିବେ ସମସ୍ତଙ୍କ ସହ କଥା ହେବେ ସ୍ତ୍ରୀ ମାନଙ୍କ ପାଇଁ ଖାଲି ସତୀତ୍ୱର ପରୀକ୍ଷା କାହିଁକି ? ସେଦିନ ରାତିରେ ଆଶିଷ ମୋତେ ବହୁତ ସାନ୍ତ୍ୱନା ଦେଇଥିଲେ କହିଥିଲେ ଦୁଇଦିନ ପରେ ମୁଁ ତମସହ ତମ ସାଙ୍ଗ ଘରକୁ ଯିବି ଆକାଶକୁ ବୁଝେଇବି ସବୁ ଠିକ ହୋଇଯିବ ।

ଦୁଇଦିନ ପରେ ଆମେ 'ଆକାଂକ୍ଷା' ଘରକୁ ଯାଇଥିଲୁ, ତା ଶାଶୁ କହିଲେ ସେ ଭୁବନେଶ୍ୱର ହସ୍ପିଟାଲରେ ଅଛି ତାକୁ ବ୍ଳଓଡ଼ କ୍ୟାନ୍ସର ହୋଇଛି ।ମୋ ଉପରେ ବଜ୍ର ପଡିଲା ପରି ଲାଗିଲା । ଆମେ ସଙ୍ଗେସଙ୍ଗେ ଭୁବନେଶ୍ୱର ବାହାରିଲୁ ମୁଁ ରାସ୍ତା ସାରା ଠାକୁରଙ୍କୁ ଡାକୁଥିଲି ମୋ ସାଙ୍ଗ ଭଲ ହୋଇଯିବ ବୋଲି, ପହଁଚିଲା ପରେ ଡାକ୍ତର କହିଲେ କ୍ୟାନ୍ସରର ଶେଷଷ୍ଟେଜ । ମୋ ସ୍ୱାମୀଙ୍କର ସାଙ୍ଗହିଁ ଡ଼କ୍ଟର ଥିଲେ  ।ମୁଁ କାନ୍ଦିକାନ୍ଦି କହିଲି ମୋ ସାଙ୍ଗକୁ ଯେମିତିହେଲେ  ବଂଚାଇଦିଅ, ମୋତେ ଟିକେ ଭେଟିବାକୁ ଦିଅ । ମୋ ସ୍ୱାମୀଙ୍କର ଅନୁରୋଧ ଯୋଗୁଁ ମୁଁ ଭେଟିବାକୁ ଯାଇଥିଲି ମୋ ସାଙ୍ଗକୁ ।

ଭେଣ୍ଟିଲେଟରରେ ବି ତାର ହସହସ ସେହି ନିରୀହ ମୁହଁ କିନ୍ତୁ ମୋ ଆଖିରେ ଲୁହର ଝରଣା..। ମୋତେ ଲାଗୁଥିଲା ସେ ହାତ ହଲାଇ କିଛି କହୁଛି ।ମୁଁ କିଛି ବୁଝିପାରୁ ନଥିଲି । ବିଧିର ବିଧାନ କି ବିଚିତ୍ର...।

ଦଶମିନଟ ପରେ ଡ଼କ୍ଟର କହିଲେ she is no more...।

ପାଖରେ ଥିବା ତାଙ୍କ ବନ୍ଧୁବାନ୍ଧବ ମଧ୍ୟରୁ କେତେଜଣ କହୁଥିଲେ କେତେ ଭାଗ୍ୟବାନ 'ଝିଅ'ଟା ହାତରେ ଶଙ୍ଖା, ମୁଣ୍ଡରେ ସିନ୍ଦୁର ଲଗାଇ ଜୀବନ ଗଲା, ଆଉ କିଏ କହୁଥିଲା ପୁଅଟା ମା’ ଛେଉଣ୍ଡ ହୋଇଗଲା, ଆଉ କିଏ କହୁଥିଲା ବାପାଟା କେମିତି ରହିବ, ଭଲ ଝିଅଟି ଦେଖି ବାହା କରାଇଦେବା.....।

ମୁଁ ଖାଲି କାନ୍ଦୁଥିଲି ଓ କହୁଥିଲି କେତେ ଅଭାଗିନୀ ଝିଅଟି ଜୀବନରେ ସୁଖ କଣ ଜାଣିଲାନି ।ମୁଁ ମୋ ସାଙ୍ଗ ପାଇଁ କିଛି କରିପାରିଲିନି ! ଦୁହିତା ଜନ୍ମ ଭାଗ୍ୟ ହାତରେ...  । ଧନ୍ୟରେ ଦଇବ ଧନ୍ୟ ତୋର ଲୀଳା..... ସତରେ କି ବିଚିତ୍ର ଏହି ସଂସାର ।।

ସୁକାନ୍ତି ହୋତା

ତାଳଚେର

7008819476


Rate this content
Log in