STORYMIRROR

Shanti Mishra

Others Tragedy

3  

Shanti Mishra

Others Tragedy

ମନେ ଲାଗିଗଲେ ନିଆଁ

ମନେ ଲାଗିଗଲେ ନିଆଁ

2 mins
15.1K


ବୈଶାଖର ଧୁ ଧୁ ଖରାରେ ଗାଁ ଗାଁ ଘର ଘର ବୁଲି ଲୋକମାନଙ୍କ ସୁବିଧା ଅସୁବିଧା ବୁଝି, ସବୁ ସମସ୍ୟାକୁ ଗୋଟି ଗୋଟି ଭଲ କରି ବୁଝେଇ ଲେଖି ଟାଇପ୍ କରି ଖବର କାଗଜରେ ବାହର କରିବା କେତେ ସମୟ ସାପେକ୍ଷ ଓ କେତେ କଷ୍ଟ ସେ କଥା କରିବା ଲୋକ ହିଁ ଜାଣେ l ବିକାଶ ବିନା ଦ୍ବିଧାରେ, ବିନା ପ୍ରତିବାଦରେ କିଛି ବର୍ଷ ହେବ ଏ କାମ କରି ଆସୁଛି l ଲୋକ ମାନଙ୍କ ସୁଖ ଦୁଃଖ ନିଜେ ମର୍ମେ ମର୍ମେ ବୁଝିବା ସହିତ ଅନ୍ୟ ମାନଙ୍କ ଦୃଷ୍ଟି ଗୋଚରକୁ ଆଣୁଛି l

ଆଜି ଦେଖିଲା ବେଳକୁ ଅବିନାଶକୁ ପ୍ରଥମ ପୁରଷ୍କାର ମିଳିଛି ଗାଁ ଗହଳିର ଲୋକ ମାନଙ୍କର ସୁଖ ଦୁଖର ତାଜା ଖବର ନିତି ଯୋଗେଇ ପାରିଥିବରୁ l ଯିଏ କି ତା ଛ’ ମହଲା କୋଠାର ଏୟାର୍ କଣ୍ଡିସନ ପ୍ରକୋଷ୍ଟରୁ କେବେ ବି ଥରେ ଧୂଳି ଧୂସରିତ ରାସ୍ତାକୁ ଓହ୍ଲାଏନି l ଗାଡିରେ ଯାଏ ଗାଡିରେ ଆସେ l ତାକୁ ପ୍ରଥମ ପୁରଷ୍କାର l ମନରେ ନିଆଁ ଲାଗିଗଲା ସେଦିନ l

ଆଜି ଏକାଉଣ୍ଟ ଅଫିସ୍ ରେ ଚାକିରୀ ପାଇଁ ଇଣ୍ଟରଭ୍ୟୁ ଦବାକୁ ଯାଇଥିଲା l ତିନି ଜଣ ଉଚ୍ଚ କର୍ମ କର୍ତ୍ତା ତାର ଇଣ୍ଟରଭ୍ୟୁ ନଉଥିଲେ l ତାଙ୍କ ଭିତରେ ଶଶାଙ୍କ ଥିଲା l ଯିଏକି ତା କ୍ଲାସମେଟ୍ ଥିଲା l କ୍ଲାସ୍ ରେ ବିକାଶ ସବୁବେଳେ ଟପ୍ ଟେନରେ ରହୁଥିଲା ଆଉ ଶଶାଙ୍କ ଟପ ପଚାସ ତଳେ ବୋଧେ ରହୁଥିଲା l ଆଜି ସେ ପୁଣି ନେବ ବିକାଶର ଇଣ୍ଟରଭ୍ୟୁ !

ଭାବୁଥିଲା ଇଣ୍ଟରଭ୍ୟୁ ଦେବେ ନା ଉଠିଯିବl ଚାକିରୀଟା କିନ୍ତୁ ତା ନିଜର ନିହାତି ଦରକାର ଅଛି , ସେମାନଙ୍କର ନୁହେଁ l ଶଶାଙ୍କର ଦୋ ଦୋ ଚିହ୍ନା ହେବର ଭାବ ଭଙ୍ଗୀ ଆଉ ବେପରୁଆ ହାବ ଭାବ ଦେଖି ମନରେ ନିଆଁ ଲାଗି ଯାଇଥିଲା ସେଦିନ l

ଆଉ କବିତା ଯୋଉ ଦିନ ତା ମାଉସୀ ପୁଅ ଭାଇର ସାଙ୍ଗ ପ୍ରଭାତ ଯିଏକି ଲଣ୍ଡନରୁ ଆସିଥିଲେ ତାଙ୍କ ବିବାହ ପ୍ରସ୍ତାବରେ ସଙ୍ଗେ ସଙ୍ଗେ ରାଜି ହୋଇ ବିବାହ କରି ଲଣ୍ଡନ ଚାଲି ଯାଇଥିଲା, ସେଦିନ ମନରେ ବନ ଅରନ୍ୟ ପରି ମନ ସାରା ନିଆଁ ମାଡି ଯାଇଥିଲା l

ଅବଶ୍ୟ ସେମାନେ କେବେ ପରସ୍ପରକୁ ଭଲ ପାଆନ୍ତି ବୋଲି ଚୁକ୍ତି ବା ସ୍ବୀକାରୋକ୍ତି କରି ନଥିଲେ ଯଦିଓ, ତଥାପି କଲେଜରେ ଦେଖା ହେଲେ ନିଜର ଭଲ ମନ୍ଦ ବିଷୟରେ କଥା ବାର୍ତ୍ତା ହୁଅନ୍ତି l ଅନେକ ଥର କାଫେଟେରିଆରେ ଯାଇ ସାଙ୍ଗ ହୋଇ ଚା ପିଇଚନ୍ତି, ଥରେ ଦି ଥର ସାଙ୍ଗ ହୋଇ ସିନେମା ବି ଯାଇଚନ୍ତି l ସେତିକି ମିଳାମିଶା ବୋଧେ ଯଥେଷ୍ଟ ବୋଲି ସେ ଭାବୁଥିଲା ଜଣଙ୍କ ମନ ଜିତି ତାକୁ ଜୀବନ ସଙ୍ଗିନୀ ରୁପେ ପାଇବା ପାଇଁ l

ସେଦିନ ମନରେ ଖାଲି ନିଆଁ ଲାଗି ନଥିଲା ବଞ୍ଚିବାର ଆଗ୍ରହ ବି କାମି ଯାଇଥିଲା l କିଛି ଦିନ ଲାଗିଗଲା ନିଜକୁ ଗୋଟେଇ ପୋଟେଇ ଏକାଠି କରି ପୁଣି ଥରେ ବଞ୍ଚିବାର ଆଗ୍ରହ ସୃଷ୍ଟି କରିବା ପାଇଁl ତା ନିଜ ଅଜଣତରେ ଜୀବନରେ ଏପରି ଅନେକ ଥର ଝୁଂଟି ଝୁଂଟି ସେ କେବେଠୁ ଶକ୍ତ ହୋଇ ଯାଇଥିଲା, ସେ ନିଜେ ବି ଜାଣିନଥିଲା l

ଯୋଉଠି ସମସ୍ତ ପ୍ରତିକୂଳ ପରିବେଶ ସତ୍ତ୍ୱେ ଓ ବଞ୍ଚିବାର କାମନା ଦୁର୍ବାର ସେଠି ମନର ନିଆଁର ଧାସ ବେଶୀ ବାଧେନା l ନିଆଁକୁ ପାଦରେ ଦଳି ସେ ଆଗକୁ ମାଡିଯାଏ l ଧୀରେ ଧୀରେ ସବୁ କିଛି ଅଭ୍ୟାସରେ ପଡିଯାଏ l

କବିତାକୁ ଭୁଲି ସେ ଅନିମାକୁ ବିବାହ କରିନେଲା l ଶଶାଙ୍କକୁ ୟଏସ୍ ବସ୍ ୟେଏସ୍ ବସ୍ କହି କହି ସବୁ ଦିନ ନିଜର କାମ ସୁଚାରୁ ରୂପେ କରିଗଲା l ଆଉ ଅବିନାଶର ସମ୍ବାଦ ପଢି ତାଳି ମାରି ମାରି ତାକୁ ତା ସଫଳତାରେ ଅଭିନନ୍ଦନ ଜଣେଇବା ଶିଖି ଗଲା ପରେ ମନର ନିଆଁ ଆପେ ଆପେ ଲିଭିଗଲା l ବଂଚିବା ଜିତିଗଲା l

ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା


Rate this content
Log in