Dr Subas Chandra Rout

Others Tragedy

3  

Dr Subas Chandra Rout

Others Tragedy

ଦୁର୍ଘଟଣା

ଦୁର୍ଘଟଣା

8 mins
562


ବଗୁଲିଆ ଚେମାର ସାଂସାରିକ ଚେତନା ଆସିଲା ବେଳକୁ ବହୁତ ବିଳମ୍ଭ ହୋଇଯାଇଥିଲା । ବାପା ଗୋଟିଏ ବେସରକାରୀ ସଂସ୍ଥାରେ ଛୋଟ ଚାକିରି କରୁଥିଲେ । ଯାହା ଦରମା ମିଳୁଥିଲା ସେଥିରେ ୫ ପ୍ରାଣୀ କୁଟୁମ୍ବ (ଚେମା, ବାପା, ମାଆ, ଜେଜେ ଓ ଜେଜେମା) କୌଣସି ମତେ ଚଳିଯାଉଥିଲେ । ଅଠର ବର୍ଷ ବୟସ ହୋଇଯାଇଥିଲା, କିନ୍ତୁ ଚେମା ସ୍କୁଲ ପାଠ ସାରିପାରିଲାନି । ପାଠ ପଢିଲେ ସିନା ହେବ ! ବହି ଆଗରେ ବସିଲା କ୍ଷଣି ତାକୁ ନିଦ ଲାଗେ । କେମିତି ନଲାଗିବ ଯେ, ସ୍କୁଲ ଯିବା ନାଁରେ ବାହାରକୁ ଯାଇ ଦିନ ସାରା ବଜାରୀ ଟୋକାଙ୍କ ମେଳରେ ଖେଳରେ ମାତିଲେ ଥକ୍କା ଲାଗିବ ହିଁ ଲାଗିବ । ଆଉ ସନ୍ଧ୍ୟା ବେଳେ ବହି ଧରି ବସିଲେତ ସେହି ଥକ୍କା ଯୋଗୁ ତ ନିଦ ନିଶ୍ଚୟ ଆସିବ । ସେ ଦିନେ ଦିନେ ଭାବେ, ଏ ପାଠଟା ଯିଏ ବାହାର କରିଛି ତାକୁ ସାମନାରେ ପାଇଲେ ପିଟି ପିଟି ଲମ୍ବା କରିଦିଅନ୍ତା । କେଡେ ସୁନ୍ଦର ଏ ପିଲା ବେଳ, ଆଉ କଅଣ ଏ ବୟସ ଆସିବ ! ଏହି ବୟସରେ ଖେଳ ବୁଲ ନକରି ବହି ଆଗରେ ବସିବାଟା କି ବିରକ୍ତିକର !

ଏମିତି ସମୟ ଗଡ଼ିଚାଲିଥିଲା । ଦିନେ ଏହିଭଳି ଖେଳରେ ମାତିଥିଲା ବେଳେ ହଠାତ ତା ପଡ଼ିଶା ଘରର ପିଲା ମାନୁ ଆସି ତାକୁ କହିଲା, “ଚେମା ଭାଇ, ତୁମ ମା ଡାକୁଛନ୍ତି, ଶୀଘ୍ର ଘରକୁ ଯାଅ ।” ଆଶ୍ଚର୍ଯ୍ୟ ଲାଗିଲା ଚେମାକୁ, ଏମିତି କେବେ କେହି ତାକୁ ଡାକନ୍ତିନି । ବଡ଼ ଅନିଚ୍ଛା ସତ୍ତ୍ୱେ ଜମିଆସୁଥିବା ଖେଳକୁ ଛାଡ଼ି ଚେମା ଅସନ୍ତୋଷିଆ ମୁହଁରେ ଘରକୁ ଗଲା ।

ଘରଠାରୁ ଟିକିଏ ଦୂରରେ ଥାଏ, ତାକୁ ଏକ ମିଳିତ କାନ୍ଦଣା ଶବ୍ଦ ଶୁଣାଗଲା । ଘର ଭିତରେ ଯେମିତି ଏକାଧିକ ଲୋକ କାନ୍ଦୁଛନ୍ତି । କିଏ କାନ୍ଦୁଛନ୍ତି, କାହିଁକି କାନ୍ଦୁଛନ୍ତି, କିଛି ଜାଣିପାରିଲାନି । ଘର ଆଗରେ ସାଇପଡ଼ିଶା ଲୋକମାନେ ଠିଆ ହୋଇଥାଆନ୍ତି । ଘର ଭିତରକୁ ପଶୁ ପଶୁ ତା ମାଆ ଦଉଡ଼ି ଆସି ତାକୁ କୁଣ୍ଢେଇ କାନ୍ଦିବାକୁ ଲାଗିଲେ । ଲୁହ ଝର ଝର ହୋଇ ଦୁଇ ଆଖିରୁ ବୋହିଯାଉଥାଏ । କାନ୍ଦି କାନ୍ଦି କୋହରେ ରାହା ଧରି ମା କହିଲେ, “ଚେମାରେ, ଆମ ସଂସାର ସରିଗଲା । ତୋ ବାପା ଆମକୁ ଛାଡ଼ି ଚାଲିଗଲେ ।”

“କୁଆଡେ ଯିବେ ମ, ଏଇଠି କେଉଁଠି ଥିବେ । ସନ୍ଧ୍ୟା ହେଲେ ଫେରିଆସିବେନି, କାନ୍ଦୁଛୁ କାହିଁକି ମା ।”

“ଆରେ ମୁଁ କୁଆଡେ ଯିବିରେ ଏଭଳି ପୋଡ଼ାମୁହାଁ ପୁଅକୁ ଧରି ଲୋ ! ମୋତେ କେହି ବାଟ ବତେଇ ଦିଅରେ । ଏଇଟା ତ କୋଉ କାମର ନୁହେଁ, କାଲି ସକାଳୁ ଆମେ ଖାଇବା କଅଣରେ,” କହି ଆହୁରି ଜୋରରେ ମା କାନ୍ଦିବାକୁ ଲାଗିଲେ । ଏତିକି ବେଳେ ପଡ଼ିଶା ଘର ଡ୍ରାଇଭର ରାମ ମଉସା ଆସି ତାକୁ କହିଲେ, “ଆରେ ତୋ ବାପା ମରିଗଲେ । ମା କାନ୍ଦୁଛନ୍ତି, ଏତିକି ବୁଝିପାରୁନୁ ।” ଏତେବେଳକୁ ପୁଅର ହୋସ ଆସିଲା । ସେ ବି ମା ସାଥିରେ ବସି ବଡ଼ ପାଟିରେ ରଡ଼ି ଛାଡ଼ି କାନ୍ଦିଲା ।

ଘରେ ଯାହା କିଛି ଟଙ୍କା ପଇସା ଥିଲା, ସବୁ ଶୁଦ୍ଧି କାମରେ ଖର୍ଚ୍ଚ ହୋଇଗଲା । ତେର ଦିନ ସକାଳୁ ଚେମା ମା ଚାଉଳ ଡବା କାଢ଼ି ଦେଖିଲା, ସବା ତଳେ ଦୁଇ ମୁଠା ଚାଉଳ ପଡ଼ିଛି । ମୁଣ୍ଡରେ ହାତ ଦେଇ ବସିଲା । ଗରିବ ଘର, ବଞ୍ଚିବା ପାଇଁ ଅତି କମରେ ଭାତ, ଲୁଣ, ତେନ୍ତୁଳି ବା ଆମ୍ବୁଲ ଓ ଲଙ୍କାଟିଏ ତ ଦରକାର । ଚେମା ମା ବଜାରକୁ ଗଲା । ଦୋକାନୀକୁ ଚାଉଳ ଓ ଲୁଣ ମାଗିଲା । ଦୋକାନୀ କହିଲା, “ପଇସା ଆଣିଛ ?” କାନ୍ଦି ପକେଇଲା ଚେମା ମା, “ଆରେ ଭାଇ ଚେମା ବାପ ଚାଲିଗଲେ । ପଇସା କୋଉଠୁ ଆଣିବି । ଦୟା କର ଭାଇ, ବାକିରେ ଦେ, ପରେ ପଇସା ଆଣି ଦେଇଦେବି ।”

“ଆଜି ଦଉଛି, ଆଉ ମାଗିବନି । ମା, ମୋର ଛୋଟ ଦୋକାନ, ଏଇଥିରୁ ନେଇ ମୁଁ କୁଟୁମ୍ବ ଚଳାଏ । ମୁଁ ବାକିରେ ସଉଦା ଦେଲେ ମୋ ପରିବାର ଚଳେଇବି କେମିତି ମା ? ମୋ କଥା ଟିକିଏ ଭାବ ।”

ସଞ୍ଜ ବେଳକୁ ଚେମା ମା ଚେମାକୁ ଧରି ପଡ଼ିଶା ଘର ଡ୍ରାଇଭର ରାମ ଭାଇଙ୍କ ଘରକୁ ଗଲେ । ରାମ ଭାଇ ପୋଲିସ ଏସ.ପି.ଙ୍କ ଡ୍ରାଇଭର ଥିଲେ । ସେଠି ବସି କାନ୍ଦିଲେ ଢେର ସମୟ ପର୍ଯ୍ୟନ୍ତ । ମୁଁ କଅଣ କରିବି ଭାଇ, ମୋ ପୁଅକୁ ଗୋଟାଏ କାମରେ ଲଗେଇ ଦିଅ, ନହେଲେ ଆମେ ବାକି ଚାରି ପ୍ରାଣୀ କୁଟୁମ୍ବ ଉପାସ ରହି ରହି ମରିଯିବୁ ଭାଇ । ରାମ ମଉସା ଚେମାକୁ ଡାକି ପଚାରିଲେ, “ହଇରେ, ଡ୍ରାଇଭର କାମ କରିବୁ ?” ଚେମାମା ମାଡ଼ି ବସି କହିଲେ, “ସିଏ କଅଣ କହିବ, ଅଲବତ କାମ କରିବ । ନହେଲେ ଉପାସ ରହିବ ।” ଚେମାର କିଛି ଆଉ ଗତି ନଥିଲା । ବାଧ୍ୟରେ ହଁ ମାରିଲା, ଆଉ ହଁ କହିଲା ବେଳେ ଖେଳ ପଡ଼ିଆଟା ତା ଆଖି ଆଗରେ ନାଚିଗଲା । ସାଙ୍ଗମାନେ ମନେପଡ଼ିଲେ । ଏତେ ଶୀଘ୍ର ତାର ଖେଳ ଜୀବନର ଅନ୍ତ ହୋଇଯିବ, ସେକଥା କେବେ ଭାବିନଥିଲା । ଗୋଟିଏ ଦୀର୍ଘ ଶ୍ଵାସ ବାହାରି ଆସିଲା । ମନେ ମନେ ସାଙ୍ଗମାନଙ୍କୁ ଟା ଟା କରିଦେଲା ।

ରାମ ମଉସାଙ୍କ ସାଥିରେ ଦିନେ ଦିନେ ବସି ଚେମା କିଛି କିଛି ଗାଡ଼ି ଚଳେଇବା ଶିଖିଥିଲା । ସୁତରାଂ ଅଳ୍ପ ଦିନରେ ଭଲ ରୂପେ ଶିଖିଗଲା । ଜଣେ ଟାକସି ମାଲିକକୁ କହି ରାମ ମଉସା ତାକୁ ଗୋଟିଏ ଡ୍ରାଇଭର ଚାକିରି କରେଇଦେଲେ । ଚେମା ଅବିଳମ୍ବେ ଗୋଟିଏ ଭଲ ଡ୍ରାଇଭର ଭାବରେ ନାଁ କରିଗଲା । ବଡ଼ ମଙ୍ଗୁଳିଆ ଡ୍ରାଇଭର ଥିଲା, ସେ ଷ୍ଟିଅରିଙ୍ଗ ଧରିଲା ବେଳେ କେବେ ଗାଡ଼ି ରହିଯାଏନି । ଏମିତି ସୁରୁଖୁରୁରେ ଗାଡ଼ି ଚାଲିବା ସାଥେ ସାଥେ ଚେମା ସଂସାର ମଧ୍ୟ ସୁରୁଖୁରୁରେ ଆଗକୁ

ଗଡ଼ିଲା ।

ଦିନକର କଥା, ତିରିଶ କିଲୋମିଟର ଦୂରରେ ଥିବା ହନୁମାନ ମନ୍ଦିରକୁ ତା ଟାକସି ଭଡ଼ାରେ ଚାଲିଥାଏ । ବାଟରେ ଗୋଟିଏ ଜଙ୍ଗଲିଆ ରାସ୍ତା ଆସିଲା । ରାସ୍ତା ଏତେ ଭଲ ନଥିଲା । ଧୀରେ ଧୀରେ ଗାଡ଼ି ଚାଲିଥାଏ । ଆଗରେ ଦେଖିଲା, ସାତ ଜଣ ଓସାର ବାଗରେ ଧାଡ଼ି ହୋଇ ରାସ୍ତା ବନ୍ଦ କରି ଚାଲିଛନ୍ତି । ହର୍ଣ୍ଣ ମାରିଲା, କେହି ଶୁଣିଲେନି । “ଶ… କଅଣ କାଲା ନା କଅଣ !” ଆଉ ଥରେ ହର୍ଣ୍ଣ । ଡାହାଣ ପାଖ ଦୁଇଟା ଲୋକ ପଛକୁ ଅନେଇ ଦେଖିଲେ, ଦେଖି ନଦେଖିଲା ଭଳି ଚାଲିଲେ । ବଡ଼ ରାଗ ଲାଗିଲା ଚେମାକୁ । ଇଏ କି ଅଭଦ୍ର ଲୋକଗୁଡ଼ା । ବୋପାର ରାସ୍ତା ନା କଅଣ ! ତାଙ୍କ ପାଖକୁ ଗାଡ଼ି ନେଇ ବଡ଼ ପାଟିରେ କହିଲା, “କଅଣ ଶୁଣାଯାଉନି କି ?”

ହଠାତ ଡାହାଣ ପାଖରେ ଥିବା ଦୁଇଜଣ ଲୋକ ଗାଡ଼ି ପାଖକୁ ମାଡ଼ିଆସିଲେ । ତାଙ୍କ ଭିତରୁ ଜଣେ ଡେଙ୍ଗା ଓ ଆର ଜଣକ ଗେଡ଼ା ଥିଲା । ବାକି ପାଞ୍ଚ ଜଣ ଗାଡ଼ି ଆଗରେ ଠିଆହୋଇରହିଲେ । ଗେଡ଼ା କହିଲା, “କଅଣ କହିଲ, ଶୁଣା ଯାଉନି, ଆଉ ଥରେ ବଡ଼ ପାଟିରେ କହ ।” ଟିକିଏ ନରମ ଗଳାରେ ଚେମା କହିଲା, “ଗାଡ଼ି ଯାଉଛି, ଟିକିଏ ଘୁଞ୍ଚିଯାଉନ, ରାସ୍ତାକୁ ବନ୍ଦ କରି ଚାଲିଛ ।”

ଗେଡ଼ା, “ଡେଙ୍ଗା ଭାଇ, ଇଏ କଅଣ କହୁଛି, ଘୁଞ୍ଚି ଯାଅ । ତାକୁ ଟିକିଏ ବୁଝାଅ, ଏଇଟା ଆମ ରାସ୍ତା । ଏଇ ବାଟରେ ଗଲେ ମାହାସୁଲ ଦେବାକୁ ପଡ଼େ ।”

ଡେଙ୍ଗା, “ଦିଅ ବାବୁ ମାହାସୁଲ ଦିଅ, ଗେଡ଼ା କହିଲାଣି ମାନେ ନଦେଇ ଯାଇପାରିବନି । ଦିଅ ଦୁଇ ହଜାର ଦିଅ ।”

ଚେମା, “ଇଏ କଅଣ ଗୁଣ୍ଡାମି ।” ତା ପାଟିରୁ କଥା ସରିନି, ଆଗ ପଟୁ ଦୁଇଟା ଢେଲା ଗାଡ଼ି କାଚରେ ବାଜି କାଚ ଭାଙ୍ଗିଗଲା । କାଚଗୁଡ଼ା ବିଞ୍ଚି ହୋଇ ଗାଡ଼ିଯାକ ପଡ଼ିଲା । ହଠାତ ଚେମା ମୁଣ୍ଡରେ କିଛି ପଶିଲାନି । ଗାଡି କବାଟ ଖୋଲି ଡେଙ୍ଗା ତାକୁ ତଳକୁ ଘୋଷାଡ଼ି ନେଇ ପିଟିବାକୁ ଲାଗିଲା ଓ ପକେଟରେ ଯାହା କିଛି ଥିଲା ଛଡ଼େଇ ନେଲା । ପଛରେ ବସିଥିବା ଯାତ୍ରୀ ଜଣକ ଡରିଯାଇ ଦୁଇ ହଜାର ଟଙ୍କା ବଢ଼େଇଦେଲେ ମଧ୍ୟ ତାଙ୍କ ଲୁଟତରାଜରୁ ବର୍ତ୍ତିପାରିଲେନି । ତା ପରେ ଗାଡ଼ି ଆଗରୁ ଅନ୍ୟମାନେ ଘୁଞ୍ଚିଗଲେ ଓ ଗାଡ଼ି ଆଗକୁ ଚାଲିଲା ।

ମନକୁ ମନ ଚେମା କହିଲା, “ହଉ ହଉ ଡେଙ୍ଗା ଗେଡ଼ା ବାବୁମାନେ, ମନେ ରଖିଲି । କଡ଼ା ଗଣ୍ଡା କରି ଆଦାୟ ଯଦି ନକରିଛି ମୋ ନାଁ ଚେମା ନୁହେଁ । ସମୟ ବହୁତ ବଳବାନ । ମୋ ସମୟବି କେବେ ନା କେବେ ଆସିବ, ସେତେବେଳେ ଦେଖିବୁ ଚେମା କି ଜିନିଷ ।

ତା ପରଦିନ ସକାଳୁ ଚେମା ରାମ ଭାଇଙ୍କ ଘରେ ଯାଇ ପହଞ୍ଚିଲା । ସବୁ କଥା କହିଲା । ରାମ ଭାଇ ସବୁକଥା ଶୁଣିସାରି ତାକୁ କହିଲେ, କଲେକ୍ଟରଙ୍କର ଗୋଟିଏ ଡ୍ରାଇଭର ଦରକାର । ତୁ ଦରଖାସ୍ତ ଦେ, ବାକି ମୁଁ ବୁଝିବି । ତାପରେ ଚେମାକୁ ନେଇ ଏସ.ପି. ଅଫିସରେ ପହଞ୍ଚି ସବୁକଥା ସବିଶେଷ ଭାବରେ ବର୍ଣ୍ଣନା କଲା । ଏସ.ପି. ସବୁକଥା ଶୁଣି କହିଲେ, “ହଁ, ଆମେ ଶୁଣିଛୁ ସେଇ ଜଙ୍ଗଲ ଜାଗାରେ ଡକାୟତି ହେଉଛି । ସେମାନେ ମାଓବାଦୀ ବି ହୋଇପାରନ୍ତି । ମୁଁ ଏହାର ଏନକୁଆରି କରିସାରିଛି । ଅଳ୍ପ ଦିନ ମଧ୍ୟରେ ଆକସନ ନେବି ।”

ଚେମାର ଗୋଡ଼ ତଳେ ଲାଗିଲାନି, ଯେଉଁଦିନ ତାର କଲେକଟରଙ୍କ ଅଫିସରେ ଚାକିରି ହୋଇଗଲା । ଖୁସିରେ ଘରକୁ ଆସି ଖବର ଦେଲା । କଲେକଟରଙ୍କ ସାଥିରେ ବୁଲିବି, କେଡ଼େ ଭାଗ୍ୟ ମୋର । ପ୍ରାୟ ଏକ ବର୍ଷ ବିତିଗଲା । ସେ ଦିନ ରବିବାର ହୋଇଥାଏ । କଲେକଟରଙ୍କର ଜଣେ ସାଙ୍ଗ ବିକାଶ ସାର ତା ପୂର୍ବଦିନ ରାତିରେ ଆସି ପହଞ୍ଚିଥାଆନ୍ତି । ସକାଳୁ କଲେକଟରଙ୍କ ଆଦେଶ ଆସିଲା, ତାଙ୍କ ସାଙ୍ଗକୁ ନେଇ ଜଙ୍ଗଲ ମଝିରେ ଥିବା ଝରଣା ଓ ଜଙ୍ଗଲ ସେପାଖରେ ଥିବା ହନୁମାନ ମନ୍ଦିର ଦେଖେଇ ଆଣିବାକୁ । ପ୍ରାୟ ଦିନ ଦଶଟା ବେଳକୁ ଚେମା ବିକାଶ ସାରଙ୍କୁ ଧରି ଜଙ୍ଗଲ ଦିଗକୁ ବାହାରିଗଲା ।

ଜଙ୍ଗଲ ରାସ୍ତାରେ ଗାଡ଼ି ଚାଲିଥାଏ । ହଠାତ ଦୂରରୁ ଚେମା ଲକ୍ଷ କଲା କିଛି ଲୋକ ରାସ୍ତା ମଝିରେ ଚାଲିଛନ୍ତି । ପୂର୍ବ ଘଟଣା ମନେ ପଡ଼ିଗଲା । ଗାଡ଼ି ସେହି ଲୋକଙ୍କ ପାଖରେ ଯାଇ ପହଞ୍ଚିଲା । ଏଥର କିନ୍ତୁ ଚେମା ହର୍ଣ୍ଣ ମାରିଲାନି । ଏକଦମ ପାଖରେ ପହଞ୍ଚି ଦେଖିଲା, ସେଇ ଡେଙ୍ଗା ଓ ଗେଡ଼ା ଡାହାଣ ପାଖରେ ଚାଲିଛନ୍ତି ରାସ୍ତାକୁ ବନ୍ଦକରି ବେଧଡ଼କ ଭାବରେ । ପଛକୁ ବୁଲି ଚେମା କହିଲା, ଆଜ୍ଞା, ଏମାନେ ଡକାୟତ । ମୁଁ ଏମାନଙ୍କ ହାବୁଡ଼ରେ ଆଗରୁ ଥରେ ପଡ଼ିଥିଲି । ଆପଣ କାର କବାଟ ବନ୍ଦ ରଖିଥିବେ, ପାପୁଲି ଓ ଅଳ୍ପ ହାତ ଗଳିଲା ଭଳି କାଚ ଖୋଲା ରଖିବେ, ଅଧିକ ଖୋଲିବେନି । ମୁଁ ଆଙ୍ଗୁଠି ଟେକିଦେଲେ ଆପଣ କିଛି ଟଙ୍କା କାଢି ତାଙ୍କୁ ଦେଖେଇବେ କିନ୍ତୁ ତାଙ୍କ ହାତଠାରୁ ଦୂରରେ ଦେଖେଇବେ । ତାଙ୍କ ହାତ ଗାଡ଼ି ଭିତରକୁ ପଶିଲା ମାତ୍ରେ ମୁଁ କାଚ ବନ୍ଦ କରି ଦେବି ଓ ଆପଣ ଶୀଘ୍ର ସିଟ ଉପରେ ଶୋଇପଡ଼ିବେ । ଗୁଳି ଚାଲିପାରେ ।

ଡ୍ରାଇଭର ସିଟ ପାଖ କାଚ ଅଳ୍ପ ଟିକିଏ ଖୋଲି ଚେମା ଅନେଇଥାଏ । ଡେଙ୍ଗା ଗେଡ଼ା ଆସି ପାଖରେ ପହଞ୍ଚିଲେ । ସେଇ କବାଟ ଫାଙ୍କରେ ଅନେଇ କହିଲେ, “ବାହାର କର, ଯାହା ପାଖରେ ଅଛି ” । ଚେମା କହିଲା, “ପଛରେ କଲେକଟର ବସିଛନ୍ତି । ବାଟ ଛାଡ଼ ।”

“ଆବେ କୋଉ କଲେକଟର ବେ, ଶଳା ଦଉଛୁ ନା ଦେଖିବୁ ଏଇନେ ନାଛିଦେବୁ ।” ଏହା କହି ଗାଡ଼ି ଭିତରକୁ ହାତ ବଢେଇଲେ । କାଚ ଅଳ୍ପ ଖୋଲା ଥିଲା । ଚେମା ଓ କଲେକଟରଙ୍କ ସାଙ୍ଗ ଦୁହେଁଯାକ ପକେଟରେ ଯାହା ଥିଲା କାଢି ଦେଖେଇଲେ । କାଚ ବାଟେ ସେମାନେ ହାତ ବଢେଇଲେ । ଏତିକିବେଳେ ଚେମା ଆଙ୍ଗୁଠି ଟେକିଦେଇ କାଚ ବନ୍ଦ କରିବା ସୁଇଚ ଚିପି ଦେଲା । ଡେଙ୍ଗା ଗେଡ଼ାଙ୍କ ହାତ କାର ଭିତରେ ରହିଗଲା ଓ ଏହି ମୁହୂର୍ତ୍ତରେ ଚେମା ଆକସିଲରେଟର ଉପରେ ଜୋରରେ ଚାପ ଦେଲା ଓ ଗାଡି ହଠାତ ୬୦ କିମି ସ୍ପିଡରେ ଦ୍ରୁତ ବେଗରେ ଆଗକୁ ବଢ଼ିଗଲା । ଡେଙ୍ଗା ଗେଡ଼ାଙ୍କର ହାତ ଚାପିହୋଇଥିବାରୁ ଖଣ୍ଡେ ବାଟ ଘୋଷାଡ଼ି ହୋଇଯିବା ପରେ ପଡ଼ିଗଲେ ଓ ସାମନାରେ ଥିବା ଲୋକ ଧକ୍କା ଖାଇ ଛିଟକିପଡ଼ିଲେ । ପଛରୁ ଗୁଳିର ଶବ୍ଦ ଶୁଣାଗଲା ଓ ଗାଡ଼ିର ପଛ କାଚ ଅଳ୍ପ ଭାଙ୍ଗିଗଲା ।

କିଛି ବାଟ ଗଲାପରେ ବିକାଶ ସାର କଲେକଟରଙ୍କୁ ଫୋନ କରି ଘରଣାଟି ଜଣେଇଦେଲେ । ଗାଡ଼ି ବନ୍ଦ କରି ଚେମା ଦୀର୍ଘଶ୍ଵାସ ନେଲା । ବହୁତ ଦିନର ପୁରୁଣା ଅପମାନ ଓ ମାନସିକ ଜଖମ ତାର ଆଜି ପୁରିଗଲା । ପଚାରିଲା, “ସାର, ଆପଣଙ୍କର କିଛି ହୋଇନି ତ ? ନିଜ ଦେହକୁ ଭଲ ରୂପେ ଦେଖନ୍ତୁ, କେଉଁଠି ଖଣ୍ଡିଆ ଖାବରା ହୋଇଥିଲେ ଫାଷ୍ଟ ଏଡ ବାକ୍ସରୁ କାଢି ମଲମ ଲଗେଇଦେବି । ବେଶି କିଛି ହୋଇଥିଲେ ଡାକ୍ତରଖାନା ଯିବା । ଏବେ ଖବର ଦେବା, ଅନ୍ୟ ପୋଲିସ ଏଠାକୁ ଆସିଲେ ଫେରିବା । ବିକାଶ ସାର କହିଲେ, ନାହିଁ, ମୋର କିଛି ହେଇନି । ତୋର କିଛି ଦେଇନିତ ? ଚେମା କହିଲା, “ଆଜ୍ଞା, ଆମେ ଡ୍ରାଇଭର ଲୋକ । ଏହି ଖଣ୍ଡିଆ ଖାବରା ଆମର ନିତିଦିନିଆ ସାଙ୍ଗ । କେତେବେଳେ ଆମ ଜୀବନ ଯିବ, ତା’ର ବି ସ୍ଥିରତା ନାହିଁ । ଆଜ୍ଞା, ଗାଡ଼ି ଚଳେଇବା ବେଳେ ମୁଁ ସିନା ଦେଖିଚାହିଁ ଚଳେଇବି, କିନ୍ତୁ ଆଉ ଜଣେ ଗାଡ଼ି ଆଣି ପିଟିଦେଲେ ମୁଁ କଅଣ କରିପାରିବି ?”

ବିକାଶ ସାରଙ୍କୁ ଝରଣା ଦେଖାଇ ସାରି ହନୁମାନ ମନ୍ଦିର ପାଖକୁ ଗଲାବେଳେ ପୋଲିସ ଗାଡ଼ି ଆସି ପହଞ୍ଚିଲା । ତାପରେ ପୋଲିସ ସୁରକ୍ଷାରେ ଚେମା ଗାଡ଼ି ଚଲେଇ ଫେରିଆସିଲା ।

ତା ପରଦିନ ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ବାହାରିଲା, ‘କଲେକ୍ଟରଙ୍କ ଗାଡ଼ି ଉପରେ ଡକାୟତଙ୍କ ପ୍ରଚଣ୍ଡ ଆକ୍ରମଣ । ଗାଡ଼ିର କେତେକ ଅଂଶ ଭାଙ୍ଗିଯାଇଛି । ଡ୍ରାଇଭର ଚେମାଙ୍କ ସାହସିକ ପଦକ୍ଷେପ ଯୋଗୁ କଲେକ୍ଟରଙ୍କ ଜୀବନ ରକ୍ଷା ହୋଇଗଲା । ଗଣ୍ଡଗୋଳ ଓ ଗୁଳି ଚାଳନାରେ ଚାରି ଜଣ ଡକାୟତଙ୍କୁ ଆଘାତ ଲାଗିଛି ଓ ସେମାନଙ୍କୁ ଡାକ୍ତରଖାନାରେ ଆଡମିଶନ କରାଯାଇଛି । ଅନେକ ଦିନ ହେଲା ଏହି ଡକାୟତମାନେ ସେହି ରାସ୍ତାରେ ଲୁଟ ତରାଜ କରୁଥିଲେ । କଲେକ୍ଟରଙ୍କଠାରୁ ଖବର ପାଇ ଏସ.ପି. ନିଜେ ଏହି ଅପରେସନ ପାଇଁ ଫୋର୍ସ ସହିତ ସେହି ସ୍ଥାନକୁ ଯାଇଥିଲେ ।’

ଡା ସୁବାସ ଚନ୍ଦ୍ର ରାଉତ

Phone - 7978059851


Rate this content
Log in