Shanti Mishra

Others Tragedy

2.1  

Shanti Mishra

Others Tragedy

ବିଗତ କାହାଣୀର ଶେଷ ଅଧ୍ୟାୟ

ବିଗତ କାହାଣୀର ଶେଷ ଅଧ୍ୟାୟ

9 mins
1.3K


ଶାନ୍ତିଲତା ମିଶ୍ର, ରଚେଷ୍ଟର. ମିନେସୋଟା

-------------------------------------------

ଘରେ ବହୁତ ବଡ ଭୋଜିର ଆୟୋଜନ ବାପା ଆଜି କରିଛନ୍ତି । ତାଙ୍କର ସବୁ ଚିନ୍ହା ଜଣା ସାଙ୍ଗ ସାଥୀ ମାନଙ୍କୁ ଡାକିଚନ୍ତି । ତାକୁ ବି ଆସି ଯୋଗ ଦେବାକୁ ଭୋଜିରେ ଗତ ଆଠ ଦିନ ହେବ ଇ ମେଲ୍ ପଠେଇ ଚାଲିଚନ୍ତି । ଘରକୁ ଯିବ କି ନ ଯିବ ଏ ପର୍ଯ୍ୟନ୍ତ ‘ମେଘନା’ ଠିକ୍ କରି ପାରୁ ନାହିଁ । ଘର ଠାରୁ ପାଞ୍ଚଘଣ୍ଟା ଡ୍ରାଇଭିଙ୍ଗ ଦୁରତାରେ ସେ ଅଛି । ଆଜି ରାତି ସରିଗଲେ ହୁଏତ ତା ଜୀବନରୁ ଏକ ବିରାଟ ଅଧ୍ୟାୟ ଶେଷ ହୋଇଯିବ ।

ସକାଳ ନଅଟା ହୋଇ ଗଲାଣି । ଗାଧୋଇ ପାଧୋଇ ରେଡି ହୋଇ ବାହାରିଲା ବେଳକୁ ଆହୁରି ଘଂଟେ ଲାଗିଯିବ । ଏମିତିରେ କାଲି ରାତି ସାରା ସେ ଭଲ କରି ଶୋଇନାହିଁ । କାଲି କଣ, ଗତ ପନ୍ଦର ଦିନ ହେବ ସେ ଭଲରେ ଶୋଇନାହିଁ ।

ରେଡି ହୋଇ ବାହାରିଲା ବେଳକୁ ଦିନ ଦଶଟା ହୋଇଗଲା । ଡ୍ରାଇଭିଙ୍ଗ କରି ଯାଇ ଘରେ ପହଁଚିଲା ବେଳକୁ ତିନି ବା ଚାରି ବାଜି ଯିବ ତ ନିଶ୍ଚୟ । ଡ୍ରାଇଭିଙ୍ଗ ମୁଡ଼ରେ ସେ ନଥିଲା ତେଣୁ ଚାରି ପାଞ୍ଚଥର ବିଭିନ୍ନ ରେଷ୍ଟ ଏରିଆରେ ରହି ରହି ସେ ଘରେ ପହଂଚିଲା ବେଳକୁ ଛଅ ଟା ପାଖାପାଖି ହୋଇ ଯାଇଥିଲା । ବାପା ଙ୍କର ଅଳ୍ପ କିଛି ସାଙ୍ଗ ସାଥୀ ଆସି ସାରିଥିଲେ ସେତେବେଳକୁ ଘରକୁ ।

ବାପା ସେମାନଙ୍କ ସହିତ କଥାବାର୍ତାରେ ବ୍ୟସ୍ତ ଥିଲେ । ଘରକୁ ଆସୁଛି ବୋଲି ମେଘନା ବାପାଙ୍କୁ ଜଣେଇ ନ ଥିଲା ଆଗରୁ । ବାପାଙ୍କସାଙ୍ଗ ମାନଙ୍କ ଆଖିରେ ଅନେକ ପ୍ରଶ୍ନବାଚୀ ତାର ଏତେ ଦିନ ଧରି ଘରକୁ ନ ଆସିବାର କାରଣକୁ ନେଇ କିନ୍ତୁ ବାପାଙ୍କଆଖିରେ ପ୍ରଶ୍ନବାଚୀ ସହିତ ଖୁସିର ଝଲକ ସ୍ପଷ୍ଟ ସେ ଦେଖି ପାରୁଥିଲା । କିନ୍ତୁ ମୁଖ ମଣ୍ଡଳ ବେଶ୍ ଉଦାସିନତାରେ ଭରି ରହିଥିଲା ।

ବାହାରୁ ଖାଇବା କ୍ୟାଟେରିଙ୍ଗ କରା ହୋଇଥିଲା । ସମସ୍ତଙ୍କ ମୁହଁରେ ଖାଦ୍ୟ ଅୟୋଜନର ପ୍ରଶଂସା । ସମସ୍ତଂକ ମନ ପସନ୍ଦ ଓ ସହରର ସବୁଠୁ ଏକ ବଡ ହୋଟେଲରୁ ଖାଇବା ଅର୍ଡର କରା ଯାଇଥିଲା । କିନ୍ତୁ ମେଘନା ଜାଣି ପାରୁନଥିଲା ଏତେ ବଡ ଭୋଜି ଭାତର ଆୟୋଜନର କାରଣ । ଏ ଖୁସିର ଥିଲା ନା ଦୁଖର ।

ବାପାଙ୍କମୁହଁ ତ କହୁଥିଲା ଦୁଖର ବୋଲି କିନ୍ତୁ ତାଙ୍କ ଭିତରେ କଣ ଚାଲିଥିଲା ମେଘନା ପାଖରେ ଜାଣିବା ସହଜ ନଥିଲା । ତାଙ୍କ ସାଙ୍ଗ ମାନେ ତ ରାତିରେ ସବୁ ଫେରିଗଲେ । ସେ ବି ଯେମିତି ସେମିତି ହେଉ ରାତିଟା ବିତେଇ ଦେଇ ସକାଳୁ ସକାଳୁ ବାହାରି ଯିବ ।

ବୋଉ ଚାଲି ଯିବାର ଦଶ ଦିନ ହୋଇଗଲାଣି । ବୋଉ ବିନା ଘରଟା କେତେ ଶୁନଶାନ ଲାଗୁଛି । ରୋଷେଇ ଘର ଠାରୁ ଆରମ୍ଭ କରି ଶୋଇବା ଘର ପର୍ଯ୍ୟନ୍ତ ସବୁଠି ବୋଉର ଉପସ୍ଥିତି ଦିଶି ଯାଉଛି କିନ୍ତୁ କୋଉଠି ହେଲେ ସେ ନାହିଁ । ତାର ମିଠା ସ୍ବର, ସେଇ ସ୍ନେହ ଭରା ଡାକ ଶୁଭି ଯାଉଛି କିନ୍ତୁ କୋଉ ଦିଗରୁ ଆସୁଛି ସେ ଜାଣି ପାରୁ ନାହିଁ । ତା ଭିତରୁ ନା ବାହାରୁ ନା ଅନ୍ୟ କୋଉଠୁ ଗଲା ବର୍ଷ ଖରା ଛୁଟିରେ ସେ ଘରକୁ ଆସିଥିଲା । ବୋଉ ବହୁତ ଅସୁସ୍ଥ ଦିଶୁଥିଲା । ମୁହଁଟା ଫୁଲିଲା ଫୁଲିଲା ଏବଂ ଶ୍ବେତା ଦିଶୁଥିଲା । ମନ ଦେହରେ ବିଶେଷ ବଳ ନ ଥିଲା ପରି ଲାଗୁଥିଲା । ଝିଅ ଘରକୁ ଆସିଲେ ଯିଏ ଝିଅର ମନ ପସନ୍ଦ ଖାଇବା ତିଆରିରେ ଦିନ ସାରା ରୋଷେଇ ଘରେ ରହୁଥିଲା ସେ ଆଜି ଟିକେ କାମ କରି ଥକି ଯାଉଛି । ମଝିରେ ମଝିରେ ଯାଇ ଶୋଇ ପଡୁଛି ।

ସେତେବେଳେ ସେ ବୋଉକୁ ଡାକ୍ତର ପାଖକୁ ଯିବାକୁ ପରାମର୍ଶ ଦେଇଥିଲା । ସେ ବହୁତ ଅସୁସ୍ଥ ଦିଶୁଛି କହି । ବୋଉ ହସିଥିଲା କହିଥିଲା ତାକୁ ଟିକେ ଥଣ୍ଡା ଜର ହୋଇ ଯାଇଥିଲା ଦି ଚାରି ଦିନ ପୁର୍ବରୁ ତ ତେଣୁ ଟିକେ ହାଲିଆ ଲାଗୁଛି । ଆପେ ଆପେ ଠିକ୍ ହୋଇଯିବ ବ୍ୟସ୍ତ ହେବାର କିଛି କାରଣ ନାହିଁ ।

ତୋ ପଢାରେ ତୁ ମନ ଦେ ବାଜେ ଚିନ୍ତା ମୁଣ୍ଡରେ ଭର୍ତି କରିବା କିଛି ଦରକାର ନାହିଁ । ତୁ ତୋ ପଢା ନ ସରିଲା ପର୍ଯ୍ୟନ୍ତ ଆଉ ଘରକୁ ଆସିବୁନି ତ । ବୋଉ ଏକ ଦୃଢ ରାଗ ମିଶା ସ୍ବରରେ କହିଥିଲା । ମେଘନାକୁ ବୋଉର କଥାଟା ଟିକେ ବାଧିଥିଲା ସେଦିନ । ଯୋଉ ବୋଉ ମାସରେ ଦଶଥର ଇ ମେଲ୍ ପଠାଏ କେବେ ଆସୁଛୁ ବୋଲି ତା ମୁହଁରୁ ଏପରି ଟାଣୁଆ ଶଦ୍ଦ ସହଜରେ ହଜମ ହୋଇ ପାରିଲାନି ତାର ।

ତା ପରଦିନ କଲେଜ୍ ହଷ୍ଟେଲକୁ ଫେରିଥିଲା । ଆଉ ଗୋଟେ ବର୍ଷ ପାଠ ଅଛି । ଶେଷ କଲା ପରେ ସେ ଘରକୁ ଫେରିବ । ଏ ବର୍ଷ ଖରା ଦିନେ ସେ ତ ‘ସମର ଜବ’ କରିବ। ଏମିତିରେ ବି ତାକୁ ଘରକୁ ଆସିବାକୁ ସମୟ ହେବ ନାହିଁ । ତଥାପି ସେ ଭଲ କରି ଜାଣେ ମାସେ ନ ଯାଉଣୁ ସେଇ ବୋଉ ଖବର ପଠେଇବ କେବେ ଆସିବୁ ବୋଲି । ତଥାପି ସେ ପଢାରେ ମନ ଦେଲା ।

ତାକୁ ଆଶ୍ଚର୍ଯ୍ୟ କରିଦେଇ ବୋଉ ଆଉ କେବେ ଲେଖି ନ ଥିଲା ଘରକୁ କେବେ ଆସିବୁ ବୋଲି । ରାଗ ଅଭିମାନରେ ସେ ବି ବର୍ଷେ ହେବ ଘରକୁ ଆସି ନଥିଲା । ହଠାତ୍ ଦିନେ ରମେଶ୍ ଅଂକଲ୍ ଙ୍କ ଫୋନ୍ କଲରୁ ଖବର ପାଇଲା ବୋଉ ହସ୍ପିଟାଲ୍ ରେ ଶେଷ ଦେଖା କରିବାକୁ ଶୀଘ୍ର ଆସେ ବୋଲି । ହଠାତ୍ କଥାଟା ମୁଣ୍ଡରେ ପଶିଲାନି ତା ପରେ ଗୋଡ ହାତ ଥରିବା ଆରମ୍ଭ ହୋଇ ଯାଇଥିଲା ।

ହଠାତ୍ ଏପରି ପୁଣି କଣ ହେଲା ପୁରା ଶେଷ ଦେଖାରେ ମିଳନ ହେବ ବୋଉ ସହିତ । ଭାବିବାକୁ ସମୟ ନାହିଁ । ଗାଡି ଧରି ସେଇ ମୁହୂର୍ତ୍ତରେ ସେ ରମେଶ ଅଙ୍କଲ କହିଥିବା ହସ୍ପିଟାଲ୍ ରେ ଯାଇ ପହଂଚି ଥିଲା । ବୋଉ ବେହୋସ୍ ଅବସ୍ଥାରେ ଥିଲା । ପୁରା କୋମାକୁ ଚାଲି ଯାଇଥିଲା । ଚାରିଦିନ ଭେଣ୍ଟଲେସନ୍ ରେ ରହିବା ପରେ ସେ ଶେଷ ନିଶ୍ବାସ ଟ୍ୟାଗ କରିଥିଲା ।

ଚାରି ଦିନ ଚାରି ରାତି ଅନିଦ୍ରା ହୋଇ ସେ ବୋଉର ଗୋଡ ତଳେ ବସି ଲୁହ ଢାଳିଥିଲା କାଳେ ତାର କୋଉ ମୁହୂର୍ତ୍ତରେ ହୋସ୍ ଆସିଯିବ । ସେ ବୋଉ ବୋଲି ଡାକିଲେ କାଳେ ହଁ କରି କୋଳକୁ ଟାଣି ନେବ; ନା ସେପରି କିଛି ହେଲା ନାହିଁ । ବୋଉ ଫେରି ଗଲା ସେଇ ଅଜଣା ଦେଶକୁ ।

ଡାକ୍ତରଙ୍କ ଠାରୁ ଜାଣିଲା ଯେ ବୋଉ କ୍ୟାନସରରେ ଦୀର୍ଘ ବର୍ଷେ ହେବ ଯନ୍ତ୍ରଣା ଭୋଗୁଥିଲା । କାହାକୁ କିଛି ବି କହି ନ ଥିଲା । ନା ତାକୁ ନା ବାପାଙ୍କୁ। ଉପଯୁକ୍ତ ସମୟରେ ଉପଯୁକ୍ତ ଚିକିସ୍ଛା କରା ଯାଇଥିଲେ ହୁଏତ ଆଉ କିଛି ବର୍ଷ ସେ ବଂଚି ପାରିଥାନ୍ତା । କିନ୍ତୁ ନିଜେ ବୋଉ ମନାକରି ଦେଇଥିଲା । ସେ ଅନ୍ୟ ଡାକ୍ତରଙ୍କ ପାଖେ ଚିକିସ୍ଛା କରିବାର ବ୍ୟବସ୍ଥା କରିବ ବୋଲି ତାଙ୍କୁ ମିଛ କହି ଦେଇ ଚାଲି ଆସିଥିଲା । ତେଣୁ ସେ ଡାକ୍ତର ଆଉ କିଛି କହି ନ ଥିଲେ ।

ସବୁ ରାଗ ଯାଇ ତାର ବାପାଙ୍କଉପରେ ପଡିଥିଲା । ନିଶ୍ଚୟ ତାଙ୍କରି ଅବହେଳା, ଅଯତ୍ନ ଓ କ୍ରୁର ବ୍ୟବହାରରେ ବୋଉ ବହୁତ ଅସନ୍ତୁଷ୍ଟ ଦୁଖୀ ହୋଇ ଏପରି ଏକ ଇଚ୍ଛା ମୃତ୍ୟୁକୁ ଆପଣାଇ ନେଲା । ମଝିରେ ମଝିରେ ବାପା ବୋଉଙ୍କର ଖିଟ୍ ଖିଟ୍ ଲାଗେ ବୋଲି ସେ ଜାଣିଥିଲା । କିନ୍ତୁ ଏତେ ବଡ ଗୁରୁତର ମୋଡ଼ ନେଇନେବ ସେ ଝଗଡା ସେ ଭାବି ନଥିଲା ।

ବୋଉର ଶେଷ କୃତ୍ୟ ପରେ ସେ ସିଧା କଲେଜକୁ ଫେରି ଯାଇଥିଲା । ବାପାଙ୍କର ଘରକୁ ଯିବା ପାଇଁ ଅନୁରୋଧକୁ ବେଖାତିର କରି । ବାପାଙ୍କୁ ସେଇ ମୁହୂର୍ତ୍ତରେ ତାର କେତେ ଯେ ଆବଶ୍ୟକତା ତାହା ଉପଲବଧି କରି ପାରି ନଥିଲା ସେ ।

ଗଲା ଦଶ ଦିନ ହେବ ସେ ଖାଲି ଭାବି ଚାଲିଛି ଜଣଙ୍କ ମନରେ କେତେ ଦୁଖ , କେତେ ଅଭିମାନ କେତେ ବିତୃଷ୍ଣା ଆସିଲେ ମଣିଷ ଏପରି ପଦକ୍ଷେପ ନିଏ । ବାପା ଯେ ପରିସ୍ଥିତି ପାଇଁ ସମ୍ପୁର୍ଣ ଦାୟୀ ତାହା ନିସଦେଂହ । କାରଣ ଗୋଟାଏ ଘର ଭିତରେ ଏତେ ପାଖା ପଖି ରହି ଜଣେ ଜଣକୁ ମନ କଥା ଛାଡ ଏତେ ବଡ ରୋଗ ବିଷୟରେ ଯେ କହିପାରିନି ତେବେ ସେମାନଙ୍କସମ୍ପର୍କ କିପରି ଥିଲା ତାହା ସହଜରେ ଅନୁମେୟ ।

ରାଗ, ଘୃଣା, ବିରକ୍ତି ସବୁ ବାପାଙ୍କପାଇଁ ମନରେ ତାର ଜମାଣ୍ଟ ବାନ୍ଧି ଯାଇଥିଲା । ଏଇଟା ମେଘନା ପାଇଁ ଶେଷ ଆସିବା ସେ ଘରକୁ । ବୋଉ ପାଇଁ ବାପା ଏ ଭୋଜି ଭାତର ଆୟୋଜନ କରିଥିଲେ ବୋଲି ସେ ବାଧ୍ୟ ହୋଇ ଆସିଗଲା । ଘରକୁ ଆସିଲା ବେଳଠୁ ସେ ବାପାଙ୍କୁ ପଦେ ବି କଥା କହିନି । କାଲି ସକାଳେ ବି ସେ ଫେରି ଯିବ ସେହିପରି ପଦେ କଥା ନ କହି । ବାପାଙ୍କମୁହଁକୁ ଚାହିଁଲା ମାତ୍ରେ ତା ଦେହରେ ନିଆଁ ଲାଗି ଯାଉଛି ଯାହାକି କୌଣସି ଥିରେ ପ୍ରଶମିତ ହେବା ଏତେ ସହଜ ନୁହେଁ । କାହାର ଆଦର ଅଭ୍ୟର୍ଥନାରେ ନା କାହାର ସାନ୍ତ୍ବନା ପୁର୍ଣ କଥାରେ ।

ସକାଳର ଅପେକ୍ଷାରେ ରାତି ଟି ବିତେଇବାକୁ ହବ ସେ ଘରେ । ଅତିଥି ମାନେ ଗଲା ପରେ ମେଘନା ନିଜ ରୁମ୍ କୁ ଆସି କବାଟ ବନ୍ଦ କରି ଦେଇଥିଲା ଭିତରପଟୁ । ବାପା ଦୁଇ ଚାରିଥର ଆସି କବାଟ ବାଡେଇ ପଚାରି ଦେଇ ଯାଇଥିଲେ କିଛି ଦରକାର ଅଛି କି ବୋଲି । ସେ କୌଣସି ଉତ୍ତର ଦେଇ ନଥିଲା କବାଟ ଖୋଲିବା ଦୁରେ ଥାଉ ।

ରାତି ଡ୍ରେସ୍ ବଦଳାଇବା ପାଇଁ ସେ କ୍ଲୋଜେଟ ଖୋଲିଲା ବେଳକୁ ଦୁଇ ହଳ ନୁଆ ଡ୍ରେଶ୍ ଦେଖି ଆଶ୍ଚର୍ୟ ହୋଇଗଲା । ବୋଉ ନିଶ୍ଚୟ କିଣିକି ରଖିଦେଇ ଯାଇଥିବ ତା ପାଇଁ । ଆଖିର ଲୁହ ପୁଣି ଗଡି ଆସିଲା ଅନିବାରିତ ଗତିରେ । ଆଣି କି ଖୋଲି ଦେଖିଲା । ଗୋଟିଏ ଚିଠି ତଳେ ଖସି ପଡିଲା । ବୋଉର ହାତ ଲେଖା ।

“ଏ ଚିଠିଟି ମୁଁ ଗଲାପରେ ପଢ଼ିବୁ । ଗଲା ଥର ତୁ ଆସିକି ଠିକ୍ ଧରି ନେଇଥିଲୁ ମୁଁ ଅସୁସ୍ଥ ବୋଲି । ସେତେବେଳେ ଡାକ୍ତର ମତେ କ୍ୟାନସର ହୋଇଛି ବୋଲି କହିଥିଲେ ଏବଂ ବର୍ଷେ ମାତ୍ର ସମୟ ଦେଇଥିଲେ ଯଦିଓ ମୁଁ ଜାଣିଥିଲି ବର୍ଷେ ବି ମୋ ପକ୍ଷେ ସମ୍ଭବ ନୁହେଁ । ସେଥିପାଇଁ ତୋ ଠାରୁ ଦୂରରେ ରହିବାକୁ ନିର୍ଣୟ ନେଲି । ତୋ ପଢାରେ ଯେପରି ତୁ ହେଳା ନ କରୁ ।

ମାନୁଛି ମୁଁ ସାରା ଜୀବନ ତୋ ବାପାଙ୍କଉପରେ ରାଗ ଅଭିମାନ ରଖି ବଂଚି ଆସିଛି । ସେଥିପାଇଁ ଏତେ ବଡ ରୋଗରେ ଆକ୍ରାନ୍ତ ହେଲେ ବି ତାଙ୍କୁ ଜଣେଇ ନଥିଲି । ଏବେ ଶେଷ ମୁହୂର୍ତ୍ତରେ ଭାବୁଛି ସବୁ ଦୋଷ ତାଙ୍କର ନଥିଲା । ମୋର ବି ବହୁତ ଦୋଷ ତୃଟି ରହିଯାଇ ଥିଲା । ନିଜେ ବଂଚିବା ଓ ପରିବାରକୁ ବନ୍ଚେଇବା ପାଇଁ ସେ ଜୀବନ ସାରା ବହୁ ପରିଶ୍ରମ ବହୁ ସଂଘର୍ଷ କରି ଆସିଛନ୍ତି ।

ବେଳେ ବେଳେ ଏ ଜଂଜାଳମୟ ଜୀବନରୁ ଦୂରେଇବା ପାଇଁ ସେ ସାଙ୍ଗ ସାଥୀ ଓ ବେଳେ ବେଳେ ମଦ୍ୟପାନ ବି କରନ୍ତି । ମତେ ନ ନେଇ ମତେ ନ ଜଣେଇ ସାଙ୍ଗ ମାନଙ୍କ ସଂଗରେ ବୁଲିବାକୁ ଚାଲି ଯାନ୍ତି । ସେଥି ପାଇଁ ମନରେ ମୋର ଦୁଖ ହୁଏ । କାରଣ ଅକାରଣରେ ଝଗଡା ବି ଲାଗେ ।

ସେ ବି ଅନେକ ସମୟ ରେ ରାଗି କି କୁହନ୍ତି “ରହିବ ଯଦି ରୁହ ନଚେତ୍ ନିଜର ରାସ୍ତା ଦେଖ” । ମୋର ଅନ୍ୟ କିଛି ରାସ୍ତା ନଥିଲା ବଂଚିବା ପାଇଁ ତାଙ୍କ ବିନା ଜାଣି କି ବି ତାଙ୍କ ସହିତ କାରଣ ଅକାରଣରେ ବହୁତ ଥର ଝଗଡା କରିଚି । ସେଇ ଗୋଟିଏ ମାତ୍ର ରାସ୍ତା ଥିଲା ମୋର ସ୍ବାମିଙ୍କ ଉପରେ ନିର୍ଭର କରି ଚଳିବା । ଯୋଉଟାକି ମୋର ରାଗ ଅଭିମାନକୁ ବଢୋଉଥିଲା କେବଳ ।

ଆମେରିକାକୁ ଆସିବା ପରଠାରୁ ମୁଁ ପୁରା ପରାଙ୍ଗପୁଷ୍ଠ ହୋଇ ଯାଇଥିଲି । ତେଣୁ ତୋର ବାପାଙ୍କସାମାନ୍ୟ ଅବହେଳା ବି ମୋର ଅସହ୍ୟ ହଉଥିଲା । ଗୋଟିଏ ଛାତ ତଳେ ରହିବି ଆମେ ପରସ୍ପର ଠାରୁ ଦୂରେଇ ଯାଇଥିଲୁ । ସଂସାର ଆଗରେ ସ୍ବାମୀ ସ୍ତ୍ରୀର ନାଟକ କରି କରି ମୁଁ ଥକି ଯାଇଥିଲି । ମୁକ୍ତି ଚାହୁଁ ଥିଲି ଏ ଜୀବନରୁ କିନ୍ତୁ ତୋ କଥା ଭାବିବା କ୍ଷଣି ପୁଣି ବଂଚି ଉଠୁଥିଲି । ତତେ କାହା ପାଖେ ଛାଡିକି ଯିବି । ତୁ ତୋ ପଢା ସାରି ନିଜ ଗୋଡରେ ଠିଆ ହୋଇଗଲା ପରେ ମୁଁ ନିଶ୍ଚିନ୍ତରେ ଯାଇଥାନ୍ତି । କିନ୍ତୁ କାଳର ବିଚାର ଅନ୍ୟ ପ୍ରକାର ।

ମୋର ଅସହାୟାତା ଅପାରଗତା ହିଁ ମୋର ମୃତ୍ୟୁର କାରଣ । ଅନ୍ୟ କେହି ନୁହଁନ୍ତି । ମୁଁ ଯଦି ଭଲ ପାଠ ପଢି କାର୍ଯ୍ୟ କ୍ଷମ ହୋଇଥାନ୍ତି ତେବେ ତୋ ବାପା ଙ୍କର ଏ ଛୋଟ ଛୋଟ କଥା ମତେ ଏତେ ବଡ ବୋଲି ଲାଗି ନ ଥାନ୍ତ| । ତାଙ୍କୁ ସବୁବେଳେ ଅବିଶ୍ବାସ ଦୃଷ୍ଟିରେ ଦେଖି ଆସୁଥିଲି । ସନ୍ଦେହ ଅବିଶ୍ବାସ ଏକ ବହୁତ ବଡ ରୋଗ । ମୁଁ ସେଇ ରୋଗରେ ସଂକ୍ରମିତ ଆଜି ।

ଆଉ ଏ ଶେଷ ମୁହୂର୍ତ୍ତରେ ଭାବିବାର ବା କରିବାର କିଛି ନାହିଁ । ମୁଁ ତୋ ବାପାଙ୍କୁ କ୍ଷମା କରି ଦେଇ ଯାଉଛି ତୁ ବି କ୍ଷମା ଦେଇ ତୋର ପଢା ସମାପ୍ତ କରି ନିଜ ଗୋଡରେ ଠିଆ ହୋଇ ବନ୍ଚିବର ରାସ୍ତା ଖୋଜିବୁ । ମୋ ପରି ଭିରୁତା ଦର୍ଶେଇବୁନି । ଜୀବନ ମିଳିଛି ବଂଚିବା ପାଇଁ ହାରିବା ପାଇଁ ନୁହେଁ ।’’

ଯେମିତି ସେମିତି ହେଉ ସକାଳ ପାହିଥିଲା । ସକାଳୁ ଉଠି ସେ ବାପାଙ୍କୁ ଖୋଜି ଥିଲା । ତାକୁ ସାତ ବର୍ଷ ହୋଇଥିଲା ଯେତେବେଳେ ସେ ଆମେରିକା ଆସିଥିଲା ବାପା ବୋଉଙ୍କ ସହିତ । ସବୁ ତାର ମନେ ଅଛି । ଯେତେବେଳେ ସେ ସାଙ୍ଗ ସାଥିଙ୍କଠୁ ଶୁଣି ଡାଡି ମମୀ ଡାକିବା ଆରମ୍ଭ କଲା ସେତେବେଳେ ବାପା ବୋଉକୁ କହିଥିଲେ ତାକୁ ମନା କର ସେ ବାପା ବୋଉହିଁ ଡାକୁ । ଆମେ ଦି ଚାରି ବର୍ଷ ରହି ଆମ ଦେଶକୁ ଫେରିଯିବା । ସେମାନଙ୍କର ଚାଲି ଚଳଣ ଭାବ ଭଗିଂଶିଖିବାର କିଛି ଆବଶ୍ୟକତା ନାହିଁ ।

କିନ୍ତୁ ପରିବେଶ ପରିସ୍ଥିତି କ୍ରମେ ସେମାନେ ରହୁ ରହୁ ରହିଗଲେ । ବାପା ହିଁ ପ୍ରଥମେ ବଦଳି ଗଲେ ଏମାନଙ୍କ ଝିଲମିଲ୍ ସଂସ୍କୃତି ପାଖରେ । ଯେଉଁଠି ସମ୍ପର୍କକୁ ଭିନ୍ନ ମୋଡ ନେବାକୁ ବେଶୀ ସମୟ ଲାଗେନା । ହୁଏତ ଯୋଉଟା ଆମ ଆଖିରେ ଭିନ୍ନ ସେମାନଙ୍କ ଆଖିରେ ତାହା ସମ୍ପୁର୍ଣ ସ୍ବଭାବିକ । ସମସ୍ତଙ୍କୁ ନିଜ ସସ୍କୃତି ହିଁ ତାଙ୍କ ନିଜକୁ ଭଲ ଲାଗେ ।

ବାପା ସକାଳୁ ଉଠି ବାଡି ପଟ ବଗିଚାରେ ଗଛରେ ସବୁ ପାଣି ଦଉଥିଲେ । ସେ କାମ ବୋଉର ବାପା ସେ କାମ କେବେ କରନ୍ତିନି । ବୋଉର ଫୁଲ ଗଚ୍ଛ ପରିବା ପତ୍ର ଲଗେଇବାରେ ବହୁତ ସଉକ୍ ଥିଲା । ମେଘନା ର ଯୋଜନା ଥିଲା ସେ ସକାଳୁ ଖୁବ୍ ଶୀଘ୍ର ଉଠି ବାପାଙ୍କୁ ଦେଖା ନକରି ଯେପରି ଆସିଥିଲା ସେପରି ଫେରିଯିବ । କିନ୍ତୁ ବୋଉ ଲେଖିଛି “ବାପାଙ୍କଜୀବନରେ ତୁହି ଏକା ଏବେ ତାଙ୍କ ବନ୍ଚିବାର ପ୍ରେରଣା । ଆଉ ମନେ ରଖିବୁ ଗୋଟିଏ କଥା ତୁ ଆଜି ଯାହା କରୁଛୁ ତାଙ୍କରି ଯୋଗୁ । ପଢାରେ ଯୋଉ ଗୋଲଡ଼ ମେଡାଲ୍ ସବୁ ପାଉଛୁ ସବୁ ତାଙ୍କରି ଅକ୍ଲାନ୍ତ ପରିଶ୍ରମର ଫଳ । ସବୁ ସୁବିଧା ସୁଯୋଗ ଯୋଗେଇ ଦେଇ ଏତେ ଉପରକୁ ଉଠେଇବା ପଛରେ ତାଙ୍କରି ହାତ ରହିଛି । ଖାଲି ସ୍ନେହ ଶ୍ରଦ୍ଧ|ରେ ମଣିଷର ପେଟ ଭରେନା । ଏଇ ସାମାନ୍ୟ କିନ୍ତୁ ବିରାଟ ସତ୍ୟକୁ ବୁଝିବାକୁ ମତେ ଏତେ ବର୍ଷ ଲାଗିଗଲା ପୁଣି ଏତେ ଡ଼େରିରେ । ମୁଁ ତାଙ୍କ ମନରେ ବହୁତ ଦୁଖ ଦେଇଛି ତୁ ଯେପରି ଆଉ ନଦେଉ । ତାଙ୍କ ଦେଖା ରଖାର ଦାୟୁତ୍ବ ତତେ ଦେଇକି ଯାଉଛି ।’’

ଧିର ପଦକ୍ଷେପରେ ସେ ବଗିଚାକୁ ଯାଇ ବାପାଙ୍କୁ ଜାବୁଡି ଧରିଥିଲା ପଛଆଡୁ । ବାପା ପ୍ରସ୍ତୁତ ନ ଥିଲେ କି ମେଘନା ପାଖରୁ ଏପରି ଆଶା ରଖି ବି ନ ଥିଲେ । କାଲି ଠାରୁ ତା ରାଗ ଥମ୍ ଥମ୍ ମୁହଁରୁ ସେ ସବୁ ପଢି ସାରିଥିଲେ । ତେଣୁ ହଠାତ୍ ତାଙ୍କ ମୁହଁରୁ ବାହାରି ଆସିଥିଲା ‘ଶକୁ’ । ବୁଲି ପଡି ଚାହିଁ ଓ ମେଘନା । ଯିବାକୁ ବାହରିଲୁଣି ବୋଧେ । କାଲିର କିଛି ମିଠା ବଳି ଯାଇଛି ନେଇଯା ସାଥିରେ ।

ନା ସେ ଆଜି ଯିବନି । କିଛି ଦିନ ତାଙ୍କ ପାଖେ ରହିବ । ବାପାଙ୍କହାତରୁ ପାଣି ହୋସ୍ ଟା ଖସି ପଡିଥିଲା । ଉତ୍ତର ପାଉନଥିଲେ କଛି କହିବା ପାଇଁ । ଆଉ ମେଘନା ଆଖିରୁ ପାଣି ସବୁ ଝରି ଚାଲିଥିଲେ ଯେମିତି ପାଣି ହୋସ୍ ରୁ ପାଣି ସବୁ ଝରି ଯାଉଥିଲା ବାପାଙ୍କହାତରୁ ତଳେ ଖସି ପଡି । ବାପା କିଛି କହିବେ କହିବେ ହୋଇ କହି ପାରି ନ ଥିଲେ ।

ତାଙ୍କ ଆଖିରୁ ବି ଲୁହ ଝରି ଯାଉଥିଲା ବର୍ଷ| ଜଳ ପରି କିନ୍ତୁ ତଥାପି ଆଖିରେ ଥିଲା ଖୁସିର ଝଲକ । ହୁଏତ ଝିଅ ମେଘନାର ଭୂଲ ବୁଝାମଣା ଦୁରେଇ ଯାଇଛି ବୋଲି ଧରି ନେଲେ ସେ । କାଲି ସେ ଘରକୁ ଆସିଲା ବେଳେ ଯେମିତି ତାଙ୍କ ଉଦାଶ ମୁଖ ମଣ୍ଡଳରେ ମେଘନାକୁ ଦେଖିଲା ପରେ ତାଙ୍କ ଆଖିରେ ଏକ ଖୁସିର ଝଲକ ଦେଖି ପାରିଥିଲା ମେଘନା । ବର୍ତ୍ତମାନ ସେହିପରି ଏକ ଖୁସିର ଝଲକ ସେ ଦେଖି ପାରୁଛି ବାପାଙ୍କଆଖିରେ ।

ଚା ତୁମ ପାଇଁ କରିକି ଆଣୁଛି କହି ମେଘନା ଚାଲିଗଲା ରୋଷେଇ ଘରକୁ । ବୋଉର କଥା ରଖି ସେ ବାପାଙ୍କୁ ଯେ ଖୁସି କରି ପାରିଛି ସେତିକି ଯଥେଷ୍ଟ ତା ପାଇଁ ବର୍ତ୍ତମାନ ।l


Rate this content
Log in