ତୁମେ ଆଉ ମୁଁ
ତୁମେ ଆଉ ମୁଁ
ତୁମେ
ପ୍ରାଣଖୋଲା ଆବେଗରେ
କୁଳ ଲଙ୍ଘି ବହିଯାଉଥିବା
ଉଜାଣି ଯମୁନା
ଆଉ ମୁଁ,
ନିଃସର୍ତ୍ତ ସମର୍ପଣର
ଦକ୍ଷିଣା ପବନ,
ଦଗ୍ଧ ହୃଦୟର ନିରବ ମୂର୍ଚ୍ଛନା ।
ତୁମେ
ଡଙ୍ଗରର ଫୁଙ୍ଗୁଳା ଛାତିରେ
ଆସୁ ଆସୁ ଫେରି ଯାଉଥିବା
ଜଳ ପ୍ରପାତ ର ପ୍ରତିଧ୍ବନି
ଆଉ ମୁଁ,
ତମ ଭଲପାଇବାର ଯନ୍ତାରୁ
ମୁକୁଳି ପାରୁ ନଥିବା
କୁଟିଳ ବନ୍ଧନୀ।
ତୁମେ
ଅହରହ ମୋ ଦେହରେ
ଫୋଡିହେଉଥିବା
ବାବୁଲ କଣ୍ଟାର ସ୍ମୃତି,
ଆଉ ମୁଁ
ତୁମ ସ୍ମୃତିର କଣ୍ଟାରେ ପ୍ରତିକ୍ଷଣ ଲହୁଲୁହାଣ ହେଉଥିବା
ଜ୍ୟୋତ୍ସ୍ନାଭିଜା ଜହ୍ନ ରାତି ।
ତୁମେ
ଦହଗଞ୍ଜ କରୁଥିବା
ବଇଶାଖୀ ଝାଞ୍ଜିର
ଅସହ୍ୟ ଜ୍ୱଳନ,
ଆଉ ମୁଁ
ଋତୁରାଜ ବସନ୍ତର ମଳୟରେ
ମତୁଆଲା କୋଇଲିର କୁହୁତାନ ।
ତୁମେ
ଏକ ମାୟାବିନୀ ମୃଗତୃଷ୍ଣା,
ପଥିକକୁ ଜାଳି ପୋଡି ମାରୁଥିବା
ସତେ ମରୁଭୂଇଁ
ଆଉ ମୁଁ
ଓଟ ସାଜି ଶ୍ରାନ୍ତକ୍ଲାନ୍ତ
ତୁମ ପ୍ରତାରଣା ମରୁଝର
ପଛେ ଧାଇଁଧାଇଁ।
କଣ୍ଡୁରି ଚରଣ ରାଉତ
ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍
ଧଣ୍ଡାମାଳ, ଦେଓଗାଁ, ବଲାଙ୍ଗିର

