ରକ୍ଷାକର ମହାବାହୁ
ରକ୍ଷାକର ମହାବାହୁ
ସଭିଙ୍କ ମୁହଁରେ ଉତ୍କଣ୍ଠାର ଛାପ
ରଥାରୁଢ଼ ହେବେ ଜଗତ ଦେବ
ବରଷକେ ଥରେ ଏ ମର୍ତ୍ୟମଣ୍ଡଳେ
ଅନନ୍ତ ଖୁସିର ବର୍ଷା ବର୍ଷିବ।
ଚାତକ ପରାଏ ଚାହିଁଛି ଭକତ
ତା' ପାପ ନେତ୍ର କୁ ମେଲି
ମହାବାହୁ ଙ୍କୁ ସେ ରଥରେ ଦେଖିବ
ପାପ ଯେତେ ଯିବ ଚାଲି ।
ଟାହିଆ ହଲେଇ ରଙ୍ଗ ଅଧରରେ
ହସୁଥିବେ ଚଉବାହୁ
ଭାବରେ ତଲ୍ଲୀନ ଭକତ ହୃଦୟ
ପ୍ରଭୁଙ୍କ ବ୍ୟତୀତ କିଛି ନଦିଶିବ ଆଉ ।
ବହି ଯାଉଥିବ ଅମାନିଆ ଅଶ୍ରୁ
ପ୍ରଭୁଙ୍କ ଶ୍ରୀଅଙ୍ଗ ଦେଖି
ଆନନ୍ଦ ମନରେ ନାଚୁଥବ ସିଏ
ଉପରକୁ ହାତ ଟେକି ।
ବାଜୁଥିବ ଘଣ୍ଟ ବାଜିବ ମୂର୍ଦଙ୍ଗ
ପଡୁଥିବ ହୁଳହୁଳି
ଛେରା କରିବାକୁ ରାଜା ଆସୁଥିବେ
ପଣ୍ଡା ନେଉଥିବେ ନିଉଛାଳି ।
ଆକାଶ ମାର୍ଗରୁ ଦେବା ଦେବୀ ସବୁ
କରୁଥିବେ ପୁଷ୍ପ ବୃଷ୍ଟି
ଏପରି ଶୋଭାକୁ ଦୁଇବର୍ଷ ହେଲା
ଭକତ ପାରୁନି ଦେଖି ।
କେତେ ଦିନ ଆଉ ଏହିଭଳି ପ୍ରଭୁ
ମଉନରେ ଥିବ ରହି
ଦେଖି କି ପାରୁନ ଏ ଦାରୁଣ ଚିତ୍ର
ଭକ୍ତ ଡାକେ ତ୍ରାହି ତ୍ରାହି।
ତୁମେତ ଆରମ୍ଭ ତୁମେ ତ ବିଲୟ
ତୁମେ ତ ସଂସାର ସାର
ଦିଅ କୃପାଦୃଷ୍ଟି ଏସୃଷ୍ଟିକୁ ତୁମ
ମହାବାହୁ ରକ୍ଷା କର ।