ପ୍ରଜାପତିର ପୁଷ୍ପ ପ୍ରୀତି
ପ୍ରଜାପତିର ପୁଷ୍ପ ପ୍ରୀତି
ଗହନ କାନନେ ପ୍ରୀତି ପୁଷ୍ପ ବନେ
ପ୍ରଜାପତି ଉଡି ବୁଲେ ,
ପ୍ରେମର ପ୍ରତୀକ ପ୍ରଜାପତି ମିତ
ଚୁମା ଆଙ୍କେ ଫୁଲେ ଫୁଲେ ॥
କୋମଳ ଫୁଲର ପାଖୁଡା ନରମ
ପ୍ରଜାପତି ସ୍ପର୍ଶ ସୂକ୍ଷ୍ମ ,
ଭଲ ପାଏ ବୋଲି ଆଘାତ ଦିଏନି
କେବେ ସାଜେ ନାହିଁ ରୁକ୍ଷ ॥
କାହିଁକି କେଜାଣି ଭଲ ପାଏ ଅତି
ରଙ୍ଗ ବେରଙ୍ଗକୁ ଜାଣି ,
ଗୁଣଵାନ ପ୍ରେମୀ ନିଜେବି ରଙ୍ଗିନ
ମଧୁ ସ୍ପର୍ଶେ ସାଜେ ଋଣୀ ॥
ସୁରମ୍ୟ ସୃଷ୍ଟିର ରମ୍ୟ ଉପହାର
ପାଖୁଡା ପରାଗ ମଧୁ ,
ସୁକୋମଳ ଫୁଲେ ପ୍ରଜାପତି ବସେ
ସାଜି ପ୍ରିୟତମ ବନ୍ଧୁ ॥
ପ୍ରଜାପତି ପ୍ରୀତି ଉଚ୍ଛୁଳି ପଡଇ
ଚୁମ୍ବନର ମଧୁ ସ୍ପର୍ଶେ ,
ବିଧି ବିଧାତାର ଅପୁର୍ବ ସଂଯୋଗ
ପ୍ରକୃତି ରାଣୀଟା ହସେ ॥
ପ୍ରଜାପତି ପ୍ରେମ ସବୁଠାରୁ ଭିନ୍ନ
ସାଶ୍ଵତର ନିଦର୍ଶନ ,
ସତ୍ୟ ଚିରନ୍ତନ ପବିତ୍ର ବନ୍ଧନ
ସୃଷ୍ଟିରେ ବିଚିତ୍ର ଧନ ॥
ଟିକି ପ୍ରଜାପତି ଢାଳଇ ପିରତି
ପାଖୁଡାରେ ସ୍ଵପ୍ନ ଅଶ୍ରୁ ,
ଆବିଳତା ହୀନ ତା' ପ୍ରେମ ବିଭବ
ହସଇ ପରାଗ ରେଣୁ ॥
ସାମାଜିକ ବାର୍ତ୍ତା ସନ୍ଦେଶ ସଦିଚ୍ଛା
ପ୍ରଜାପତି ପ୍ରୀତି ମତି ,
ଟିକି ଡେଣା ମେଲି କହେ ଉଡି ଉଡି
ପ୍ରେମ ମୋ'ଅଲିଭା କୀର୍ତ୍ତି ॥
କାମନା ବାସନା ନୁହେଁ ସମ୍ଭାବନା
ହେଜହେ ସଭ୍ୟ ମଣିଷ ,
ସ୍ଵାର୍ଥପର ସାଜି କର ନାହିଁ ପ୍ରୀତି
ପ୍ରେମ ହୋଇ ଯିବ ଧ୍ୱଂସ ॥
ପରାଗ ସଙ୍ଗମ ପବିତ୍ରତା ଚିତ୍ର
ପୁଷ୍ପ ରେଣୁ ଚିତ୍ର ରାଜି ,
ମଧୁ ପୁଷ୍ପ ହସେ ଅତି ନିରଳସେ
ପ୍ରଜାପତି ନାମ ଭଜି ॥
