ପ୍ରେୟସୀ ପାଇଁ ପଦେ
ପ୍ରେୟସୀ ପାଇଁ ପଦେ
ମତୁଆଲା ମନ୍ଦ ମଳୟ
ତୁମ ସ୍ପର୍ଶ ଶିହରଣ
ଲୋମେ ଲୋମେ ତୁମେ ସଞ୍ଚରି ଯାଅ ଗୋ
ଭରି ପ୍ରେମ ଆହ୍ଲାଦନ ।
କୋମଳ ଚମ୍ପାର କଳିକା
ତୁମେ ଗୋ ଶ୍ୱେତ ବରଣା
ଅଙ୍ଗେ ଅଙ୍ଗେ ତୁମ ଫୁଟେ ଶତଦଳ
ଭରି ନବ ଉନ୍ମାଦନା ।
ସାଗରର ନୀଳ ତରଙ୍ଗ
ଖେଳିଯାଏ ବେନି ନେତ୍ରେ
ଅଜସ୍ର ଢେଉର ଅସ୍ଥିରତା ନେଇ
ଢ଼ଳ ଢ଼ଳ ମୋହ ସୂତ୍ରେ ।
ପୂର୍ଣ୍ଣମୀ ରାତିର କୌମୁଦୀ
ସତେ ତୁମ ମୁଖ ଶୋଭା
ଝିଲ୍ ମିଲ୍ ଝରା ଜୋଛନା ସତେ କି
ଛିଟିକି ପଡ଼ଇ ଆଭା ।
ସ୍ପନ୍ଦିତ ଅଧର ଯୁଗଳ
ଗୋଲାପ କଳିକା ସମ
ହୃଦୟ ପ୍ରାଣରେ ସ୍ପନ୍ଦନ ବଢ଼ାଏ
ସଙ୍ଗେ ହୁଏ ମତିଭ୍ରମ ।
ବୀଣାର ମଧୁର ଝଙ୍କାର
ତୁମ କଣ୍ଠର ନିର୍ଯ୍ୟାସ
କଳ କଲ୍ଲୋଳେ କି ଧାବଇ ତଟିନୀ
ଏତେ ମିଠା ତୁମ ହସ ।
ଲାଜକୁଳୀ ଲତା ସମ ଗୋ
ଛୁଇଁଲେ ଝାଉଁଳି ଯାଅ
ସରମେ ନରମ ଅଧଃ ଅଧରକୁ
ଦନ୍ତ ମଧ୍ୟେ ଚାପି ଦିଅ ।
ଲଜ୍ୟାସିକ୍ତ ଚାରୁ ଚାହାଣୀ
ହସ ହସ ଭରା ମୁହଁ
ଆରକ୍ତିମ ତୁମ କୋମଳ କପୋଳେ
ଭଉଁରୀ ଖେଳାଇ ଦିଅ ।
ଆଷାଢ଼ର ତୁମେ ସତେ କି
ଅମାନିଆ ବାରିଧାରା
ଝରିଯାଏ ଦେଖ ମୋ ମନ ହୃଦୟୁ
ପ୍ରେମର ଫଲ୍ଗୁ ଧାରା ।
ଭାବ ଉଦ୍ରେକ କାରିଣୀ
ତୁମେ ଗୋ ମନ ମାନସୀ
ତୁମ ବିନା ବୃଥା ସବୁ ସପନ ମୋ
ତୁମେ ମୋ ପ୍ରାଣ ପ୍ରେୟସୀ ।
ଆହା ତୁମ ରୂପ ଲାବଣ୍ୟ
ନାହିଁ ତାର ପଟାନ୍ତର
କବିର କଳ୍ପନା ଶେଷ ଯେଉଁଠାରେ
ଆରମ୍ଭେ (ତୁମ) ରୂପ ସମ୍ଭାର!