STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଲୋହିତ ଗୋଧୂଳି

ଲୋହିତ ଗୋଧୂଳି

1 min
144

ଡାଆଁଣିଆ ଖରା ପଡିଛି ଛାଇ ଲେଉଟା ବେଳ

ଗାଈଗୋଠ ଫେରି ଆସଇ ଶୁଭେ ବଇଁଶୀ ସ୍ଵର ।।


ଗୋସ୍ପଦର ଧୂଳି ଉଡଇ ଅସ୍ତ ଗାମି ସୂରୂଯ

ଲୋହିତ ରଶ୍ମି ତା ଉପରେ ଅବା ରଙ୍ଗ ମୁରୁଜ ।।


ଦିଗାଙ୍ଗୀ ଆଙ୍କଇ ଅପୂର୍ବ ଚିତ୍ର ଦେଖ ଶୂନ୍ୟରେ

ମନ୍ଦ୍ରଗତି ଶୀତ ଅନିଳ ବହିଆସେ ସଧୀରେ ।।


ବସା ଲେଉଟାଣି ବିହଙ୍ଗ ରୋଳ ପଡେ ଉଛୁଳି

ଧୀରେଧୀରେ ମାଆ କୋଳରେ ରବି ଯାଆନ୍ତି ବୁଡି ।।


କେଦାରୁ ଫେରଇ କୃଷକ ହଳ ଲଙ୍ଗଳ ଧରି

ଗାଆଁ ମୁଣ୍ଡ ବର ଗଛରୁ ଉଡିଲେଣି ବାଦୁଡି ।।


ସଞ୍ଜବତୀ ବୃନ୍ଦା ମୂଳରେ ଦେଇ ଶୁଭ ମନାସେ

କୂଳବଧୂ ମଥା ଓଢଣୀ ତଳେ ସୁନ୍ଦର ଦିଶେ ।।


ଜାଇ ଯୁଇ ହେନା ରଙ୍ଗଣୀ ଫୁଲ ଶୋଭା ପସରା

ମଲ୍ଲୀ ହସି ବାଣ୍ଟେ ସୌରଭ ଦିଗୁ ଦିଗନ୍ତ ସାରା ।।


ଲୋହିତ ବରଣ କାନ୍ତି ରେ ଧାତ୍ରୀ କି ମନୋହର

“କ୍ଷଣିକେ ଉଭେଇ” ଆସିବ ମାଡି ଘନ ଅନ୍ଧାର ।।


କି ମନ୍ତ୍ର କରିଲା ପ୍ରକୃତି ରୂପ ଯାଏ ବଦଳି

କଳା ଶାଢୀ ପନ୍ଧି ଆସଇ କିଏ କାହା କୁମାରୀ ।।


ଏ ଲଗ୍ନ ଅମୃତ ମଧୁର ମନେ କେତେ “ଭାବନା

ନେଇ” ଦେବାଳୟେ କରନ୍ତି ସର୍ବେ ସନ୍ଧ୍ୟା ବନ୍ଦନା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍