ଲବଣି ଚୋର
ଲବଣି ଚୋର
ଆରେ ଅଝଟିଆ, ଭାବ ବିନୋଦିଆ
ଯଶୋଦା ଆଖିର ତାରା
କ୍ଷଣଟିଏ ତୋତେ ନଦେଖିଲେ ମା
ଆଖିରୁ ବୋହି ଚାଲେ ଲୁହଧାରା
କେତେ ଆଦରରେ ତୋପାଇଁ ସାଇତି
ସର, ଲବଣୀ, ରଖିଅଛି
ତୋ କୁନି ପାଦରେ ରୂପାର ଘୁଙ୍ଗୁର
ରୁଣୁ ଝୁଣୁ ବାଜୁଅଛି
ମଥାରେ ତୋହର ଶୋଭାପାଉଥାଏ
ମୟୂର ଚନ୍ଦ୍ରିକା ପୁଣି
ବଂଶୀର ସ୍ୱରରେ ଢଳିଢଳି ଯେବେ
ନାଚୁଥାଏ ମୋ ନୀଳମଣି
ଗୋପଗୋପାଳୁଣୀ କହୁଥାନ୍ତି ମୋତେ
କି ଭାଗ୍ୟ ଯଶୋଦା ତୋର
କୋଟିଏ ସୂର୍ଯ୍ୟ ଙ୍କ ତେଜଠାରୁ ବେଶୀ
ମନଲୋଭା ଲାଗେ ତୋ ପୁତ୍ର ର
ଅଝଟିଆ କୃଷ୍ଣ ଢଳିଢଳି ନାଚି
ଆମ ମନ ମୋହିନିଏ
ଆମ ଘରେ ପଶି ଦହି, ସର, ଖାଇ
ହାଣ୍ଡି ମାନ ଭାଙ୍ଗୁ ଥାଏ
ଧରା ପଡି ଗଲେ କହିବାକୁ ଲାଗେ
କିଛି ମୋର ଦୋଷ ନାହିଁ
ଗୋପ ବାଳକ ଙ୍କ କଥାରେ ପଡି
ଆସିଥିଲି ତୁମ ଘରକୁ ଧାଇଁ
ମୋ ମା ସାଇତି ରଖିଛି ମୋପାଇଁ
କେତେ ଦହି, ଛେନା, ସର
ହେଲେବି କାହିଁକି ତୁମେସବୁ ମୋତେ
କହିଥାଅ ଦହି ଚୋର
ଏତେ ଛୋଟ ହୋଇ ଏତେ ଉପରକୁ
ହାତ ମୋର ପାଉନାହିଁ
ମୋ ମା ଆଗରେ କହୁଛ କେମିତି
ସବୁ ହାଣ୍ଡି ଭାଙ୍ଗିଦେଲି ମୁହିଁ
ଛୋଟ ପିଲା ବୋଲି କାହିଁକି ଏମିତି
ବାଛ ବିଚାର କରୁଥାଅ
ମୋ ମା ପାଖରେ ତୁମ ମନ ଗଢ଼ା
କେତେ ସତ ମିଛ କହିଦିଅ
ଦୁଃଖରେ କାହିଁକି କଳା କାହ୍ନୁ ମୁହଁ
ଆପେ ଆପେ ଶୁଖିଯାଏ
ସତରେ ଯଶୋଦା କାହ୍ନୁ ମୁହଁ ଦେଖି
ଛାତି ଆମ ଫାଟି ଯାଏ
ଲାଗୁଥାଏ ଅବା ଗୋପପୁର ସତେ
ଶୋକ କରି ଚାଲିଥାଏ
କେତେ ମିଠା କଥା କହି ଆମେ ସବୁ
ଦହି, ସର, ଖୋଇ ଥାଉ
ବଂଶୀ ହାତେ ଧରି ତ୍ରିଭଙ୍ଗୀ ଠାଣିରେ
ନାଚ ତାର ଦେଖି ଆନନ୍ଦ ହେଉ
ଆମ କାହ୍ନୁ ପରି କିଏ ହେଵକହି
କାଖ କରି ତାକୁ ଗୋପ ଦାଣ୍ଡେ ବୁଲୁଥାଉ
କହିବୁ ଯଶୋଦା ତୋଭଳି ଭାଗ୍ୟ
କାହାରି ବା ହୋଇପାରିବ
ସକାଳରୁ ସଞ୍ଜ ପାଗଳିନୀ ହୋଇ
ଗୋପପୁରେ ତାକୁ ଖୋଜିବ
ଘରେ ଦହି, ସର, କ୍ଷୀର, ଲବଣି କୁ
କେତେ ଆଦରରେ ତା ପାଇଁ ସାଇତିବ
ମାନ ଅଭିମାନେ ରୁଷି ରାଗିଯାଇ
ତା ଅଝଟ କଥା ଭାବୁଥାଉ
କିଛି କ୍ଷ୍ୟଣ ପରେ କାହିଁଗଲୁ କହି
ନିଜ ଲୁହେ ଭିଜି ଯାଉ
ଦହି, ଖିଆ ବୋଲି ଜାଣିଛି ଜଗତ
ଜାଣେ ତାକୁ ଏ ସଂସାର
ଦେଖ ଦେଖ ତାକୁ କାହିଁଗଲା
ଆମ ଲବଣି ଚୋର ।