ହଜିଲା ମୋ ପିଲାଦିନ
ହଜିଲା ମୋ ପିଲାଦିନ
କେଉଁଠି କେଜାଣି ହଜିଗଲା ମୋର
ଅଭୁଲା ସେ ପିଲାଦିନ
ଯେତେବେଳେ ମନେ ପଡ଼ିଯାଏ
ଆଖିର କୋଣରୁ ବୋହିଥାଏ
ଅମାନିଆ ଲୁହଧାରା ନମାନି
କିଛି ବାଧା ବନ୍ଧନ
ଆଜିନାହିଁ କାହିଁ ବୋଉର ଆକଟ
ନାହିଁ ବାପାଙ୍କ ଶାସନ ସ୍ନେହ ମିଶା
ଭାଇ ଭଉଣୀଙ୍କ କଳି ଶୁଭୁନାହିଁ
ଶୂନ୍ୟ ହେଲା ବୋଉ ଗାଳି
ଜେଜେମା ପାଖରେ ଗପ ଶୁଣା କଥା
କେବେଠୁ ମନେ ପଡୁନି
ଜେଜେଙ୍କ ସହିତ ଏକାଠି ଖାଇବା
ସେ ସୌଭାଗ୍ୟ ହଜିଲାଣି
କାକା, ଖୁଡି, ବିନା ଘର ଖାଲିଲାଗେ
ଗହଳି ଚହଳି ନାହିଁ
ସଭିଏଁ ମିଶି ମେଳା ବୁଲିଯିବା
ଡାକହାକ ଶୂନ୍ୟ ହେଲା
ଏକାଠି ଖେଳିବା ରଜ ଦୋଳି ଗୀତ
ତୋଟା ମାଳେ ଶୁଭୁନାହିଁ
ଗୁହାଳରେ ନାହିଁ ବାଛୁରୀ ପିଲାଟି
ନାହିଁ ସେ ବୋଉଳା ଗାଈ
ଭାଗବତ ଘର ଏକା ପଡେ ଆଜି
ପଦିଏ ଭାଗବତ କିଏ ଗାଏ ନାହିଁ
ଗ୍ରାମର ଉନତି ହୋଇବ କେମିତି
କାହାରି ମନକୁ ଆସେ ନାହିଁ
ଚଷାପୁଅ ନିଜ ଭିଟାମାଟି ଛାଡି
ଯାଉଛି ବିଦେଶ ଦାଦନ ଖଟିବା ପାଇଁ
ନାହିଁଆଜି ଆମ ଏକତା କେଉଁଠି
ନାହିଁ ସେ ଆପଣା ପଣ
ଗାଁ ପୁଅ ପାଇଁ ସଭିଙ୍କ ମନରେ
ନାହିଁ ସେ ଆଦର ଟାଣ
ଗୁମୁରି କାନ୍ଦୁଛି ଗାଁ ମାଟି ମୋର
ଛାତି ଫାଟି ଯାଏ ତାର
କାହିଁକି ଏମିତି ହତାଦାର ତାକୁ
କରୁଛନ୍ତି ଅତି ଆପଣାର ଲୋକେ
ମୋପିଲାଦିନର ସେ ମାଟି କାଦୁଅ
ଖାଲଢିପ ଅଣଓସାରିଆ ବାଟ ଯାଇଛି ବଦଳି
କଳା ମିଚିମିଚି ପିଚୁ ପକା ରାସ୍ତା
କେଉଁଠି ଆରମ୍ଭ କେଉଁଠି ସେ ଶେଷ
ସେ କଥା ମୁଁ ଜାଣେ ନାହିଁ
ଆମ ଗାଁ ଦାଣ୍ଡୁ କାହିଁ କେତେ ବାଟ
ସହର ମୁହାଁ ଯାଇଛି ହୋଇ
ସେହି ଗାଁ ଦାଣ୍ଡେ ଛିଡା ହୋଇ ମୁଁ
ଖୋଜୁଛି ମୋପିଲା ବେଳ
କିଏ ଆଣିଦେବ କିଏ ଆଣିଦେବ
ଅଛଟିଆ ମୋର ଅଲିଅଳି ହଜିଲା ସେ ପିଲାଦିନ
ପାଖରେ ନାହିଁ ମୋର ହେଲେ
ମନରେ ଆଜିବି ରହିଛି ସେହି ଅଭୁଲାଦିନ
ତା ସ୍ନେହ ପରସ ମନ ଖୋଜୁଥିବ ସାରା ଜୀବନ ।।