କ୍ରୋଧକୁ ଜିଣିବା ମନ୍ତ୍ର
କ୍ରୋଧକୁ ଜିଣିବା ମନ୍ତ୍ର
ଯେତେବେଳେ ଧରା ଧାମେ ହୁଅଇ ଧର୍ମର କ୍ଷୟ
ସାଧୁ ସନ୍ଥ ଜନେ ମିଳେ ଅମାପ କଷ୍ଟ
ଅଧର୍ମର ଅଭ୍ୟୁଦୟ ଅନ୍ୟାୟ ଅନୀତିମୟ
ଧରାବକ୍ଷେ କରିଦିଏ ବଞ୍ଚିବା କଷ୍ଟ ।
ଅଧର୍ମୀ ବିନାଶ କରି ଧର୍ମ ସଂସ୍ଥାପନ ପାଇଁ
'ଅ'ଗ୍ରହଣ କରନ୍ତି ନୂଆବତାର
ନେଇଛନ୍ତି ସେଥିପାଇଁ ବ୍ରହ୍ମାଣ୍ଡ ପାଳକ ବିଷ୍ଣୁ
ଧରାଧାମେ ଶାନ୍ତି ପାଇଁ ଦଶାବତାର ।
ଦ୍ବାପର ଯୁଗରେ ହରି କୃଷ୍ଣ ରୂପେ ଅବତରି
ପାଣ୍ଡବଙ୍କ ବନ୍ଧୁ ରୂପେ ଉଭା ହୋଇଲେ
ମଧ୍ୟମ ପାଣ୍ଡବ ଭୀମ ସଙ୍ଗେ ଧରି ନରହରି
ଏକ ବିଶେଷ କାମରେ ବାହାରି ଗଲେ ।
ଏକ ସଙ୍ଗେ ଦୁଇଜଣ କରି କଥୋପକଥନ
ଯାଉଥା'ନ୍ତି ବୃକୋଦର କୃଷ୍ଣ ସହିତ
କଥୋପ କଥନ ବେଳେ ମଧ୍ୟମ ପାଣ୍ଡବ ଜାଣ
ଟିକିଏ କଥାରେ ହେଉଥା'ନ୍ତି କ୍ରୋଧିତ ।
ଏହା ଦେଖି କୃଷ୍ଣ ଚନ୍ଦ୍ର ବୁଝାଇ କହିଲେ ତାଙ୍କୁ
କ୍ଷଡରିପୁ ମଧ୍ୟେ କ୍ରୋଧ ଅନିଷ୍ଟ କାରୀ
ହୋଇଗଲେ ଉତ୍ତେଜିତ କରେ କ୍ରୋଧ ପରାହତ
ଭୟଙ୍କର କଷ୍ଟ ଦିଏ ଦୁର୍ବଳ କରି ।
ହିତାହିତ ଜ୍ଞାନ ଶୂନ୍ଯ କରିଦିଏ କ୍ରୋଧ ଜାଣ
ଅଜ୍ଞାନରେ କରିବସେ ନାନା କୁକର୍ମ
କିଛି ସହି ପାରେ ନାହିଁ ହିଂସା ମନେଉଦ୍ରେକଇ
ହିଂସାତ୍ମକ ଆଚରଣେ କରେ ଅଧର୍ମ ।
ବାହୁବଳ ଅହଂକାରେ ଏ କଥାକୁ ହେୟଜ୍ଞାନ
କରି ଭୀମ ଭାବିନେଲେ ଗୁରୁତ୍ବହୀନ
ମାର୍ଗରେ ଘୋର ଅରଣ୍ୟ ମଧ୍ୟେ ହେଲା ସାୟନ୍ତନ
ବେଳହେଲା ବିଶ୍ରାମର କରି ଶୟନ ।
ହିଂସ୍ର ଜନ୍ତୁ ପରିପୂର୍ଣ୍ଣ ଅଗନା ଅଗନି ବନ
ତାର ମଧ୍ୟେ ଅନ୍ଧକାର ଭୀତି ସଞ୍ଚରେ
ଦୁଇଜଣ ଏକସଙ୍ଗେ ଶୋଇଗଲେ ହିଂସ୍ରଜନ୍ତୁ
ଆକ୍ରମଣ ଡର ଆସେ ମନ ଭିତରେ ।
ତେଣୁ ଦୁହେଁ କଲେ ସ୍ଥିର ନିଦ୍ରାଯିବେ ପାଳିକରି
ଜଣେ ଶୋଇଲେ ଆରେକ ଜଗିବ ତାଙ୍କୁ
ଏହାପରେ ଚକ୍ରଧାରୀ ନିଦ୍ରାଗଲେଜାଣଭଲେ
ଗଦାଧରି ବୃକୋଦର ଜଗିଲେ ତାଙ୍କୁ ।
କ୍ରୋଧ ହୋଇଲା ପ୍ରକଟ ନା ନା କଥାମାନ କହି
ଭୀମଙ୍କୁ କ୍ରୋଧିତ କଲା ନାନା ପ୍ରକାରେ
ତାଙ୍କ ରାଗ ଯେତେ ବଢେ କ୍ରୋଧର ସ୍ବରୂପ ଜାଣ
ଲାଗିଥାଏ ସେତେ ବେଶି ବଡ ହେବାରେ ।
ଭୀମାକୃତିଠାରୁ ବଡ ହୋଇଗଲା କ୍ରମେ କ୍ରୋଧ
ସମ୍ମୁଖ ଯୁଦ୍ଧ ନିମନ୍ତେ ଦେଲା ଆହ୍ବାନ
ଦୁହିଙ୍କର ମଲ୍ଲ ଯୁଦ୍ଧେ ଭୀମ ହେଲେ ବ୍ୟତିବ୍ୟସ୍ତ
ଭୟଙ୍କର ଥିଲା କ୍ରୋଧର ଆକ୍ରମଣ ।
ପରାଜୟ ଦ୍ବାର ଦେଶେ ପହଞ୍ଚିଲେ ଭୀମସେନ
ସୌଭାଗ୍ୟକୁ କୃଷ୍ଣଙ୍କର ନିଦ ଭାଙ୍ଗିଲା
କୃଷ୍ଣଙ୍କୁ ଉଠିବା ଦେଖି ନିମିଷକେ କେଉଁଆଡେ
ସ୍ଥାନଛାଡି କ୍ରୋଧ କେହ୍ନେ ପଳାଇ ଗଲା ।
ଭୀମ ଶୋଇଗଲାପରେ କ୍ରୋଧ ଆସି ପୁଣିଥରେ
କୃଷ୍ଣଙ୍କୁ ରାଗିବା ଭଳି କଥା କହିଲା
ସେ କଥାକୁ ଲକ୍ଷ୍ମୀପତି କଲେ ନାହିଁ କର୍ଣ୍ଣପାତ
ଉତ୍ତେଜକ କଥା କ୍ରୋଧ କହି ଚାଲିଲା ।
ଶାନ୍ତ ସ୍ବଭାବରେ କୃଷ୍ଣ ଦେଇ ଚାଲିଲେ ଉତ୍ତର
ଶାନ୍ତ ଭାବେ ଉତ୍ତେଜକ କଥା ସବୁର
ଶତଚେଷ୍ଟା କଲା କ୍ରୋଧ ରାଗିଲେନି ଚକ୍ରଧାରୀ
ସବୁ ପ୍ରୟାସ ବିଫଳ ହେଲା ତାହାର ।
ଅତ୍ୟଧିକ ଚେଷ୍ଟାସତ୍ତ୍ବେ କ୍ରୋଧିତ କରି ନପାରି
କ୍ରୋଧ ହେଲା ଦୁର୍ବଳରୁ ଦୁର୍ବଳତର
ବଳହୀନ ହୋଇ କ୍ରମେ କ୍ଷୁଦ୍ରରୁ କ୍ଷୁଦ୍ର ହୋଇଲା
ସବୁଚେଷ୍ଟାତକ ହେଲା ବିଫଳ ତା'ର ।
ଶାନ୍ତିବଳେ ବାସୁଦେବ ପରାହତ କଲେ କ୍ରୋଧେ
ଅଙ୍ଗୁଳିର ପରି କ୍ଷୁଦ୍ର ହୋଇଲା କ୍ରୋଧ
ନିଜ ଗାମୁଛାରେ ବାନ୍ଧି ରଖିଦେଲେ ତାକୁ କୃଷ୍ଣ
ଶାନ୍ତି ବଳେ ହୋଇଲା କ୍ରୋଧ କଣ୍ଠରୋଧ।
କ୍ରମେ ନିଶି ପାହିଗଲା ପୂରୁବେ ରବି ଉଇଁଲା
ରବିକରେ ଚତୁର୍ଦ୍ଦିଗ ହସି ଉଠିଲା
ବାସୁଦେବ ବୃକୋଦରେ ପିଠିରେ ହାତ ଥାପୁଡି
କହିଲେ ଉଠହେ ଭୀମ ରାତି ପାହିଲା।
ନିଦରୁ ଉଠି କୁନ୍ତୀ ସୁତ ଭଣିଲେ ସବୁ ବୃତ୍ତାନ୍ତ
ସବୁ ଶୁଣି ବାସୁଦେବ କହିଲେ ହସି
କହିଥିଲି ବୃକୋଦର ମନେ ଥିବ ତ ତୁମର
ଶାନ୍ତିଦ୍ବାରା କ୍ରୋଧକୁ ଯେ ହୁଅଇ ନାଶି।
ଅହିଂସା ବଳରେ ହିଂସା ଶାନ୍ତି ବଳେ ତ କ୍ରୋଧର
ମୁକାବିଲା କରିହୁଏ ଅତି ସହଜେ
ରାତିସାରା ଯେଉଁ କ୍ରୋଧ କରିଥିଲା ବ୍ୟତିବ୍ୟସ୍ତ
ଗାମୁଛାରେ ବନ୍ଧା ଦେଖ ଖୋଲିଣ ନିଜେ।
ଭୀମ ହେଲେ ଆଚମ୍ବିତ କାଲି ଯେ ଏତେ ପ୍ରକାଣ୍ଡ
ଅଙ୍ଗୁଳିର ସମ କ୍ଷୁଦ୍ର ହେଲା କିପରି
କୃଷ୍ଣ କହିଲେ ବୁଝାଇ ଶାନ୍ତି ସମ୍ମୁଖେ କ୍ରୋଧର
ହୋଇଥାଏ ପରାଜୟ ଜାଣ ଏପରି।
କ୍ରୋଧେ କରି ହୁଏ ନାହିଁ ମୁକାବିଲା ତ କ୍ରୋଧର
ଶାନ୍ତି ବଳେ କରିହୁଏ କ୍ରୋଧକୁ ଜିଣି
କ୍ରୋଧ ଚଳୁ କରିଦିଏ ବ୍ୟକ୍ତିର ଶକ୍ତି ସମସ୍ତ
ଦୁର୍ବଳୁ ଦୁର୍ବଳତର କରଇ ପୁଣି।
ତେଣୁ ସର୍ବେ ଜାଣିରଖ ମହାଭାରତର ଏହି
ଶ୍ରୀକୃଷ୍ଣ ମୁଖ ନିଃସୃତ ମହତ ବାଣୀ
ଅଶାନ୍ତି ବିରୁଦ୍ଧେ ଶାନ୍ତି ହିଂସା ବିରୁଦ୍ଧେ ଅହିଂସା
କ୍ରୋଧ ବିରୁଦ୍ଧରେ ଶାନ୍ତି ପାରଇ ଜିଣି।।