କାହିଁକି ଗୁମାନ
କାହିଁକି ଗୁମାନ
ଏହି ବିଧାତାଙ୍କ ଖେଳ ଲୀଳା ଘର
ପ୍ରଭୁ ଏଠି ସୂତ୍ରଧର
ମାୟାର ଲହରି ନିରନ୍ତର ଭାଙ୍ଗେ
କିପରି ହୋଇବ ପାର ।
ଏକ ମାତ୍ର ପଥ ଦୃଶ୍ୟ ଯଦି ହୁଏ
ଜୀବନରେ ପ୍ରଭୁ ପାଦ
ସେ ଚରଣେ ଯେବେ ଲୟ ରଖି ଥିବ
ଲିଭି ଯିବ ପରମାଦ ।
ଗୁମାନ ନକରି ସ୍ନେହ ପ୍ରେମ ଧରି
ନିତି ଚାଲୁ ଥିବା ସୁଖେ
କେହି ତ କାହାରି ନୁହେଁ ତ ଭଗାରି
କାହିଁକି ରହିବା ଦୁଃଖେ ।
କର୍ମ ଅନୁସାରେ ଫଳ ଫଳି ଥାଏ
ଏ କଥା ନିରାଟ ସତ
ସେହି ଭାବନାକୁ ହୃଜୟେ ରଖିଲେ
ଲଭିବ ତରିବା କାତ ।
ଯାହା ପାଇଁ ଆମ୍ଭେ ରୋଦନ ଭାସିବା
ଯିବେ ନାହିଁ କେବେ ସାଥେ
ମିଛ ସବୁ ଏଠି ଲୁହର କାହାଣୀ
କେହି ଆସେ ନାହିଁ ପଥେ ।
ଜନ୍ମରୁ ଶ୍ମଶାନ ଅଭିନୟ କରି
ଯେବେ ଆସେ ଯବନିକା
ସେ ବେଳେ ଦେଖିବୁ କେହି ନୁହେଁ ତୋର
ସଂସାରେ ତୁହି ତ ଏକା ।
ତୁଣ୍ଡ ଝାଳ ଧରି ମୁଣ୍ଡ ଓଦା କରି
ଅର୍ଜନ କରିଲୁ ଯାହା
ଲୁଟି ନେଲେ ତୋର ଯେତେ ଆପଣାର
କହିଲେନି ପଦେ ଆହା !
ସ୍ଵାର୍ଥପର ଏଇ ଦି ଦିନ ଦୁନିଆଁ
ଜାବୁଡ଼ି ଧରନି ମହୀ
ରକ୍ତ ମାଂସ ଗଢା ଗରବ ମନକୁ
କେହି ନକରିବେ ତ୍ରାହି ।
ଏକା ତୋର ସାଥୀ ସେହି ଚକା ଆଖି
ସେ ଯଦି ଖୋଲିବେ ଦ୍ଵାର
ଭବ ରଙ୍ଗ ଭୂମି ସୁଖରେ ଛାଡ଼ିବୁ
ହରି କରୁ ଥିବେ ପାର ।