ଝରଣାର ଦୁଃଖ
ଝରଣାର ଦୁଃଖ
ଗିରି କନ୍ଦରରୁ ଝରିଆସ ତୁମେ
ଚପଳ ବାଳିକା ପରି,
ପବନର ସାଥେ ଝୁମି ଝମି ଗାଅ
ତା ସହିତ ନୃତ୍ୟ କରି l
ନିମ୍ନଗା ଗୋ ତୁମେ ନିମ୍ନ କୁ ଆସିବା
ତୁମରି ଧର୍ମ ଅଟଇ,
ଧାରା ହୋଇ ତୁମେ ବହି ଯାଇଥାଅ
ଛୋଟ ଏକ ନଦୀ ହୋଇ l
ପାହାଡ଼ ତ ଏବେ ନିଶ୍ଚିହ୍ନ ହେଲାଣି
କେଉଁଠୁ ବହିବ ଝର,
ମାନବ ସମାଜ ନିଜ ସ୍ୱାର୍ଥ ପାଇଁ
ପାହାଡ଼ କରନ୍ତି ଜୁର l
ଡିନାମାଇଟ ଦେଇ ପାହାଡ଼ଭାଙ୍ଗନ୍ତି
ପଥର ନିଅନ୍ତି ବୋହି,
ବୃକ୍ଷଳତା ସବୁ କାଟି ଦେଇଥାନ୍ତି
ମାଟିସବୁ ଯାଏ ଧୋଇ l
ଦିନ ପରେ ଦିନ ପଥର ଖସଇ
ପାହାଡ଼ଟି ନଷ୍ଟ ହୁଏ,
ଝରଣା ଆଜି ବହି ପାରେ ନାହିଁ
ଜଳ ଧାରଶୁଖି ଯାଏ l
ଉତ୍ତାପ ବଢୁଛି ଜଗତର ଯେଣୁ
ଜଳ ସ୍ତର ନିମ୍ନଗାମୀ,
ଭୂମି ତଳ ଜଳ ପତ୍ତନ କମୁଛି
ଝରୁ ନାହିଁ ଝର ପାଣି l
ଝରଣାଟି ସିନା ମୁଖ୍ୟ ସ୍ରୋତ ଅଟେ
ନଦୀର ବହିବା ପାଇଁ,
ନଦୀର ଧାର ଶୁଖିଯାଏ ଏବେ
ଝରଣା ଯେହେତୁ ନାହିଁ l
ବଣ ଜଙ୍ଗଲର ପଶୁପକ୍ଷୀ ଏବେ
ପାଣିବି ପାଆନ୍ତି ନାହିଁ,
ଶୋଷ ବିକଳରେ ପାଣି ଟିକେ ପାଇଁ
ଗାଆଁ ମୁଖା ଥାନ୍ତି ହୋଇ l
ଶୁଖିଲା ପାହାଡ଼ ଭୂଇଁ,
ଝରଣାର ଆଜି ଦୁଃଖ ଅସୁମାରୀ
ଚିହ୍ନ ବର୍ଣ୍ଣ ତାର ନାହିଁ l।
