ଗୁଲିଦଣ୍ଡା
ଗୁଲିଦଣ୍ଡା
ଡାକିଲି ବାବୁରେ ଶୁଣିଲୁ ମକୁନ୍ଦା
ଦିଶୁଛୁ ଶକତ ଭେଣ୍ଡା
ଓସ୍ତାଦ କାଳେ ତୁ ଅଟଉ ଖେଳରେ
ପ୍ରିୟ ତୋର ଗୁଲିଦଣ୍ଡା ।
କହିଲୁ ଶୁଣିବା ଖେଳନ୍ତି କେମିତି
ଭଲ କି ଖତରନାକ
ଆଖିରେ ମୁହଁରେ ବାଜିଲେ ଅଥାନେ
କ୍ଷତ ହେବା ସ୍ବାଭାବିକ ।
କହିଲା ମକୁନ୍ଦା ଶୁଣ ବଡଭାଇ
ଭାରି ମଜାଦାର ଖେଳ
ଗୁଲିଦଣ୍ଡା ଠାରୁ ଜନମ କ୍ରିକେଟ
ପାଇବନି ଆଦିମୂଳ ।
ଯୋଗାଡିବ ଏକ ହାତେ ଲମ୍ବ ଦଣ୍ଡା
ଚାଖଣ୍ଡେ ମାପର ଗୁଲି
କରିବ ଗୋଜିଆ ଗୁଲି ଦୁଇ ପଟ
ଗୁଳ ଦେବ ଗୋଟେ ଖୋଳି ।
ଥୋଇବ ଗୁଳରେ ଗୁଲିକୁ ବାଗରେ
ଦଣ୍ଡାରେ କ୍ଷେପିବ ଦୂରେ
ଧରିଲେ ଶୂନ୍ଯରୁ କୌଣସି ଖେଳାଳି
ବିଚରା ପିଲାଟି ହାରେ ।
ଧରି ନ ପାରିଲେ ପାଇଥିବା ପିଲା
ଲକ୍ଷ୍ଯ କରି ଗୁଳ ପାଶେ
ଥୁଆ ହୋଇଥିବା ଦଣ୍ଡାକୁ ନିରେଖି
ଗୁଲିଟି ତୁରନ୍ତ ପେଶେ ।
ଦଣ୍ଡାରେ ବାଜିଲେ ଖେଳାଳି ଜଣଙ୍କ
ପାଏନାହିଁ କିଛି ଅଙ୍କ
ନ ବାଜିଲେ ମଜା ଗୁଲି ଗୋଜା ମୁଣ୍ଡ
ଠୁକୁରାଇ ଦଣ୍ଡା ପିଟ ।
ଯେତେ ଦୂରେ ଯାଇ ପଡିବ ଗୁଲିଟି
ଠିକଠାକ ଅନୁମାନ
ମାପଚୂପ କଲେ ହୋଇବ ଅଧିକ
ନ ହେବ ଯେପରି କମ ।
ଖେଳୁଆଡ ପିଲା ଯିଏ ସେ କରିବ
ଅଧିକ ଦଣ୍ଡାର ଖେଳ
ଖଟେଇବ ସିଏ ଗଧ ବାପୁଡାକୁ
ଦେହୁ ନିଗାଡିବ ଝାଳ ।
ଗାଆଁ ଗହଳିର ପିଲା ଆମେମାନେ
ପାଖରେ ତ ନାହିଁ ନୋଟ
କିଣି ପାରିବୁନି ଦାମିକା ବଅଲ
ଆଉ କିରିକେଟ ବ୍ଯାଟ ।
କହିଲା ମକୁନ୍ଦା ଚାଲି ନ ଜାଣିଲେ
ବାଟ ହୁଏ ନାହିଁ ଦୋଷୀ
ରହିଛି ବିପଦ ଖେଳରେ ସବୁଠି
ଥାଅ ବଡଭାଇ ଖୁସି ।।
