ଗଛ
ଗଛ
ତରୁ ଗଛ ବୃକ୍ଷ ଉଦ୍ଭିଦ ପାଦପ
ଅଛି ଶବ୍ଦ ନାମ ତାର ବହୁତ
ଜୈବ ବିବିଧତା ସୃଷ୍ଟିର ବୈଚିତ୍ର
ବନସ୍ପତି ପ୍ରାଣୀ ପରିପୂରକ ।
ଉଦ୍ଭିଦର ଅଛି ହରିତ କଣିକା
ପ୍ରାଥମିକ ସ୍ତରେ ସେ ସ୍ୱୟଂ ପୁଷ୍ଟ
ଏ ମନୁଷ୍ୟ କିନ୍ତୁ ଅଟେ ସର୍ବଗ୍ରାସୀ
ପରଭୋଜୀ ଜୀବ ବୃକ୍ଷ ଓଲଟ ।
ଶସ୍ୟ ଫଳ ମୂଳ ଛାୟା ସୁଶୀତଳ
ନାନାବିଧ ଜାତି ପନିପରିବା
ଯୋଗାଏ ଆହାର ବାସୋପକରଣ
ଅମ୍ଳଜାନେ ତା ଆମ ଶ୍ୱାସ କ୍ରିୟା ।
ତଇଳ ଔଷଧୀ ରଙ୍ଗ ଓ ସୁଗନ୍ଧି
ଉଦ୍ଭିଦରୁ ହୁଏ ଆମକୁ ପ୍ରାପ୍ତ
ସୂରୁଜ କିରଣେ ଆଲୋକ ଶ୍ଳେଷଣ
ରସାୟନେ ସୃଜେ ଫଳ ଅମୃତ ।
ଜୈବ ମଣ୍ଡଳରେ ମହୀରୁଦ ଅଟେ
ସୁଦୃଢ ସୁରକ୍ଷ ଅଟଳ ସ୍ତମ୍ଭ
ବନ ସବୁଜିମା ରହିଲେ ଅକ୍ଷତ
ନିୟମିତ ରୂପେ ବରଷେ ମେଘ ।
ବୃକ୍ଷ ହିଁ ଦେବତା ସର୍ବ ସୁଖ ଦାତା
ସୃଷ୍ଟି ସର୍ଜନା ମୂଳ ଭିତ୍ତି
ତା ଆଶ୍ରୟ ଯୋଗୁଁ ସମ୍ଭବେ ଜୀବନ
କୂଜନ୍ତି ମଧୁରେ ସକଳ ପକ୍ଷୀ ।
ସବୁଜ ବନାନୀ କରିବା ସୁରକ୍ଷା
ଗଛ ଲଗାଇବା ଆମ କର୍ତ୍ତବ୍ୟ
ଗ୍ରାମରୁ ସହର ପୁର ପଲ୍ଲୀ ଜନ
ଚେତନା ଜାଗିଲେ ପୃଥ୍ୱୀ ହସିବ ।
