ଏ କାଳେ ମାରିବେ କଂସ
ଏ କାଳେ ମାରିବେ କଂସ
ବ୍ରଜ ଦାଣ୍ଡେ ଦେଖ ଗଉଡ଼ ପୁଅଟେ
ଚାଣ୍ଡେ ଯାଉଅଛି ଚାଲି
ସଙ୍ଗେ ହଳଧାରୀ ହଳିଆ ପୁଅଟେ
ହସୁଛନ୍ତି ଖିଲି ଖିଲି l
ଅଡ଼ାଇ ନିଅନ୍ତି ବାଛୁରୀ ଧବଳୀ,
ଶ୍ୟାମଳୀ ପାଞ୍ଚଣ ଧରି
ଅନ୍ତୁଡ଼ି ଶାଳରେ ଜନମ କାଳରେ
ମାରିଲେ ପୁତନା ନାରୀ l
ଗୋପ ଗୋପାଳୁଣୀ ଆଖି ଠରା ଠରି
ଏ କାଳେ ମାରିବେ କଂସ
ଅଷ୍ଟ ମଲ୍ଲ ମାରି ଧରା ଉଶ୍ବାସିବେ
ମନେ ନହୁଏ ବିଶ୍ୱାସ l
ଲାବଣ୍ୟ ପ୍ରତିମା ଗୋପବାଳ ମେଳେ
ଦାଣ୍ଡେ ଖେଳୁଥାନ୍ତି ଧୂଳି
ବାଛୁରୀ ଚରାନ୍ତି ବୃନ୍ଦାବନ ଯାନ୍ତି
ଫେରନ୍ତି ହେଲେ ଗୋଧୂଳି l
କାନ୍ଧରେ ପଡ଼ିଛି ପାକଲା ଗାମୁଛା
ପୀତାମ୍ବର, ନୀଳ କଛା
ଡଉଲ ଡାଉଲ ଚେହେରା ତାଙ୍କର
ଦର୍ଶନେ କଳୁଷ ମୁଞ୍ଚା l
ପୟରେ ନୁପୁର ଠୂମୁକି କଠାଉ
ଚାଲୁଥାନ୍ତି ଢଳି ଢଳି
କାଳିଆ ପୁଅର ଶିରେ ଶିଖି ପୁଛ
ଗୌର ଶିରେ ଜାମୁଡାଳି l
କଣେଇ କଣେଇ ଚାହିଁ ଦେଉଛନ୍ତି
ଅପୂର୍ବ ତାଙ୍କର ଠାଣି
ବାଙ୍କ ଚାହାଁଣୀରେ ପୁରି ଅଛି କିବା
ବ୍ରହ୍ମାଣ୍ଡ ଗୋଟା କାହାଣୀ l
ନୟନ ପିତୁଳା ପରାୟେ ତାହାଙ୍କୁ
ନନ୍ଦନାରୀ ଅଛି ପାଳି
ଦହି ଦୁଧ ଖିଆ ଗୁଣ୍ଠୁଣି ହାତୀଙ୍କୁ
ରାମ ସଙ୍ଗେ ବନମାଳି l
ଗୋପଦାଣ୍ଡେ ଦଣ୍ଡେ ଦେଖ ଦୁରୁଦଣ୍ଡେ
ଉଦୟ ପୂର୍ଣ୍ଣିମା ଚାନ୍ଦ
ରାମ ବନମାଳୀ ଚରଣେ ଶରଣ
ମୁହିଁ ଅପରାଧୀ ମନ୍ଦ l