ବିଷାକ୍ତ ସହର
ବିଷାକ୍ତ ସହର
ମୋ ସହର ସବୁଠାରୁ ନିରାପଦ
ସବୁବେଳେ ସହଜ
ସବୁ ସମୟରେ ମୋର ନିଜର
ସବୁ ପରିସ୍ଥିତିରେ
ମୁଁ ତାକୁ ଏତେ ଭଲପାଏ
ମୁଁ ବି ଭାବେ ସେ ମୋତେ
ସେତିକି ହୃଦୟର ସହିତ
ଆପଣାଇଛି।
ମୋ ଦୁଃଖ ସୁଖରେ
ତାର ସହାୟତାର ହାତ
ମୁଁ ଅନୁଭବ କରିଛି।
ହେଲେ ଆଜି ଏ ସବୁ ଏ କଣ
ଶୁଣିବାକୁ ପାଉଛି!
ମୋ ସହର ବିଷାକ୍ତ ହୋଇ
ବିଷାକ୍ତ ସହରର ରୂପ ନେଇଛି।
ସମସ୍ତେ କହୁଛନ୍ତି....
ବିନା କାରଣରେ ସହରକୁ
ଦେଖ ନାହିଁ
ବିନା କାରଣରେ ସହରରେ
ବୁଲନାହିଁ।
କାରଣ କରୋନା ତାର କାୟା
ବିସ୍ତାର କରି ଘୁରି ବୁଲୁଛି
କେତେବେଳେ ସେ କାହାକୁ
ତାର ବାହୁ ଭିତରକୁ ଆଲିଙ୍ଗନ
କରିବା ପାଇଁ ଟାଣି ନେବ
କେହି ବି ଜାଣି ପାରିବେ ନାହିଁ।
ଆଲିଙ୍ଗନ ସହରରେ ବହୁତ ମହଙ୍ଗା
କିନ୍ତୁ ଏ ତ କରୋନା ନୁହେଁ କୋକୁଆ!!
ଏ ଆଲିଙ୍ଗନ କରିବାକୁ
ବିକଳ ପ୍ରୟାସ
ତା ଭିତରେ
ଖୋଜି ବୁଲୁଛି ସାଙ୍ଗ।
ପ୍ରେମ ତାହାର ଏକବାର
ଏକୁଟିଆ ପଡ଼ିଯାଇଛି।
ସେ ଏକ ନିଃସ୍ୱ ପାଗଳ ପ୍ରେମିକ।
ହେଲେ ଆମେ ବି ଏକବାରେ
ମୂର୍ଖ ଏକବାରେ ଅଜ୍ଞ
ଅଜ୍ଞ ତ ନୋହୁଁ ସବୁ ଜାଣି ଅଜଣା
ଗହଳି ଜାଗାରେ ସେ ଲୁଚି ଛପି ପଶେ
ଓ ତାର ବାହୁ ଭିତରକୁ ଟାଣିନିଏ
ଆମେ ତ କରିବୁ ଗହଳି
ପଶିବୁ ଗହଳି ଭିତରେ
ନିଃଶ୍ୱାସକୁ ନିଃଶ୍ୱାସ
ନ ବାଜିଲେ ଆମେ କି ସହରିଆ
ଆମ ଭାଇଚାରାରେ ଅଛି
କରିଚାଲିବୁ ଆମେ ଛୋପରିଆ
ଆମ ଢଙ୍ଗରେ
ଦୋଷ ଦେବୁ ସହର ଉପରେ
ହେ ମୋର ନିର୍ବୋଧ
ପ୍ରେମିକା ପ୍ରେମିକ ପ୍ରବର
ପ୍ରେମ କର !ହେଲେ କୋକୁଆକୁ ନୁହେଁ
ଦୂରତାକୁ ମୁହଁ ଢାଙ୍କିବାକୁ
ହାତ ସଫା ରଖିବାକୁ
ସୁଷମ ଖାଦ୍ୟକୁ ଆଉ ଆମ ସୃଷ୍ଟିରେ
ଭଗବାନଙ୍କର ଅଯାଚିତ ଦାନ
ଆୟୁର୍ବେଦୀୟ ପଦାର୍ଥକୁ।
ଦୋଷ ଦିଅ ନାହିଁ ମୋ ସହରକୁ
ମୋ ସହର ବିଷାକ୍ତ ନୁହେଁ
ଏ ତ ଆମ ସମସ୍ତଙ୍କର
ବଞ୍ଚିବାର ଧରୋହର।
ମୋ ସହର କେବେ ବିଷାକ୍ତ
ହୋଇ ନ ପାରେ ସେ ତ
ଆମର ସର୍ବଶ୍ରେଷ୍ଠ ପ୍ରେମିକ।
