ଭିଜା ଫଗୁଣ
ଭିଜା ଫଗୁଣ
ଏକାନ୍ତ ଆପଣା ଲାଗେ ଏ ଭିଜା ଫଗୁଣ
ଶାଶ୍ବତରେ ସିକ୍ତ ସଦା ତନ ମନ ପ୍ରାଣ ।।
ଦିବ୍ୟ ସାନିଧ୍ୟରେ କଟେ ପ୍ରତିଟି ମୁହୂର୍ତ୍ତ
ଆତ୍ମା ସହ ଭେଟ ହୁଏ ଆତ୍ମାର ଅସ୍ତିତ୍ୱ।।
ଅମୃତର ଝର ବହେ ମୋହନ ବଂଶୀରୁ
ଗୁଞ୍ଜରିତ ହେଉଥାଏ ଶୂନ୍ୟ ଇଲାକାରୁ।।
ଭବ୍ୟ ଭାବ ଭାବନାର ଲାଳିତ୍ୟ ମଧୁର
ପ୍ରେମ ସଦା ମଧୁମୟ ନିଃସର୍ତ୍ତ ଆତ୍ମାର।।
ଆସକ୍ତି ରହିତ ପ୍ରେମ ତ୍ୟାଗ ସମର୍ପଣେ
ନୈସର୍ଗିକ ଅନୁଭବ ଅନୁଭୂତ କ୍ଷଣେ ।।
ରାଧା ଗୋବିନ୍ଦଙ୍କ ପ୍ରେମ ଅପ୍ରାକୃତ ସେ'ତ
ପବିତ୍ର ସେ ଅନୁପମ ବାସନା ରହିତ।।
ଜୀବନ ଯମୁନା ତୀରେ କଦମ୍ବ ମୂଳରେ
କସ୍ତୁରି ମହକ ଭରା ପ୍ରୀତି ମାଧୁରୀରେ।।
କୈବଲ୍ୟ କଣିକା ସୁଖ ଭାବ ପ୍ରୀତି ସିନା
କେଶବ ପ୍ରେମରେ ବନ୍ଧା ମନ ଆନମନା।।
ମାନମୟୀ ପ୍ରେମମୟୀ ମାନିନୀ ରାଧିକା
ଅଭିସାର ରଚିଥିଲା ମନେ ମନେ ଏକା।।
ଅନନ୍ୟ ମାଧୁର୍ଯ୍ୟଭରା ମଧୁର ମୂର୍ଚ୍ଛନା
ଭାସିଆସେ ସଙ୍ଗୀତରେ ସେ ଭୁଲି ହୁଏନା।
ଏ ଭିଜା ଫଗୁଣ ସଦା ଗାଏ ପ୍ରେମ ଗୀତି
ପ୍ରୀତି ସମ୍ଭାରରେ ଭରା ନୂଆ ଲାଗେ ନିତି।।
