ଅନ୍ଧାରି ଇଲାକା
ଅନ୍ଧାରି ଇଲାକା
ହେ ଜୀବନ ତମ ବିନା ଶାନ୍ତି କାହିଁ
ତୁମ ବିନା ମୁକ୍ତି କାହିଁ
ଏଠି ସବୁ ଖାଲି ମିଛ ପ୍ରହସନ
ଶବ୍ଦ ସବୁ ଏପାଖ ସେପାଖ
ହେଲେ ଫେରିବାର ସଵୁ ରାସ୍ତା ବନ୍ଦ
ନୂଆ ସକାଳର ଅପେକ୍ଷାରେ
ଦିନ ସରେ ରାତି କଟେ ବର୍ଷ ବି ସରେ
ଏଠି ମୁହଁ ରେ ରଙ୍ଗ ମାଖି ଅନ୍ଧାର ଭିତରେ
ତୋଷିବାକୁ ହୁଏ ପୁରୁଷମାନଙ୍କର
ଇପ୍ସିତ ଇଛା ସବୁକୁ
ନିଜର ଇଛା ଅନିଚ୍ଛା ସବୁ ମିଳେଇ ଯାଏ
ପାଣି ଫୋଟକା ସଦୃଶ
କେଇଟା ଟଙ୍କା ପାଇଁ ଅନେକ ପୁରୁଷର
ଶଯ୍ୟା ସଙ୍ଗିନୀ ହେବାକୁ
ପଡ଼େ ପ୍ରତିଦିନ ପ୍ରତିଥର
ଛାଇ ଆଲୁଅର ଖେଳରେ ହାରିବାକୁ ହୂଏ
ହରେଇଵାକୁ ପଡେ ସର୍ବସ୍ବ
ଏଥିରେ ଦୋଷ କାହାର ଗରିବ ଅସହାୟତାର
ନା ଅପରୂପ ରୂପ ଲାବଣ୍ୟର
ଏବେବି ମନେ ପଡେ ମା ର ଛଳଛଳ ଆଖି
ସେଥିରେ ସଜେଇଥିବା ସ୍ଵପ୍ନ ସବୁ
ସେ କ'ଣ ଵୁଝିଵ ମୋ ଅସହାୟତା
କେବେ କଣ ଜାଣିପାରିବ ଚାକିରି ନାରେ
ଝିଅ ତାର ବିକ୍ରି ହେଇଯାଇଛି
ସ୍ବାର୍ଥଲୋଭୀଙ୍କ ହାତରେ
ଥରେ ନୁହେଁ ବରଂ ବହୁବାର ଭାବିଛି ମୁକୁଳି ବି
ହେଲେ ଶତଚେଷ୍ଟା କରି
ମୁକୁଳି ହୁଏ ନି ଅନ୍ଧାରି ସମାଜ ଭୟରେ
କାହିଁ ଏଠି ଜଣେ ବି ପୁରୁଷ ଯେ
ହାତ ଧରି ମୁକୁଳେଇ ନବ ଏ ଅନ୍ଧାରି ଇଲାକାରୁ
ଭଦ୍ରମୁଖା ପିନ୍ଧା ମଣିଷ ମାନଙ୍କ ଭିତରେ
ଉକୁଟୁଥିବା ନାରୀ ମାଂସ ଖିଆ
ରାକ୍ଷସ ପ୍ରବୃତ୍ତି ଟା ସ୍ପଷ୍ଟ ଆଉ ଜଳଜଳ
ଦିଶେ ରାତିର ଅନ୍ଧାର ଭିତରେ
ଏଠି ସବୁ ମିଛ ପ୍ରହେଳିକା
ଅନ୍ଧାରି କଳଙ୍କିତ ଜୀବନ
ନା ଅଛି ଶାନ୍ତି ନା ମୁକ୍ତି ନା କିଛି ଅଭିଳାଷ
ଯନ୍ତ୍ରଣା ଜର୍ଜରିତ ଆଉ ପୁଳାଏ ଅବଶୋଷ।।
ସୁନିତା ବାରିକ
