ଅନ୍ୟାୟ
ଅନ୍ୟାୟ
ମୁଁ ହାଇସ୍କୁଲରେ ପଢିବା ବେଳେ ଗୋଟେ ଭଡା ଘରେ ରହୁଥିଲି l ସେଠି କିଛି ସହପାଠୀଙ୍କ ସହ କିଛି କଲେଜ୍ ପିଲା ବି ରହୁଥିଲେ l ରୋଷେଇ କରିବାର ବନ୍ଦୋବସ୍ତ ନ ଥିବାରୁ ଆମେ ସମସ୍ତେ ହୋଟେଲରେ ଖାଉଥିଲୁ l ଛୋଟିଆ ହୋଟେଲଟିଏ l ଆଉ ଶସ୍ତା ମଧ୍ୟ l ହୋଟେଲ୍ ମାଲିକ ନିଜେ ରୋଷେୟା ଓ ନିଜେ ପରଶିଆ l ସେ ସମୟରେ ସେ ମାସକୁ 45 ଟଙ୍କା ନେଉଥିଲା l ଆମିଷ ହେଲେ ଅଧିକ ଦେବାକୁ ପଡୁଥିଲା l ସକାଳୁ ଭିଡ ଥାଏ l କାରଣ ସମୟାନୁସାରେ ସ୍କୁଲ୍ ଓ କଲେଜ୍ ପିଲାଙ୍କ ଗହଳି ଲାଗି ରହିଥାଏ l
ସେ ଦିନ ମୋ ପାଇଁ ବସିବାକୁ ଜାଗା ନ ଥିଲା l ରୋଷେଇ ଘରପଟେ ଠିଆ ହୋଇଥାଏ ଅପେକ୍ଷାରେ l ଜାଗା ଖାଲି ହେବା ମାତ୍ରେ ବସିଯିବାର ଅଛି l ନ ହେଲେ ଆହୁରି ଅଧଘଣ୍ଟାଏ ଡେରି l ହଠାତ୍ ଜଣେ ଭଦ୍ରଲୋକ ଖୁବ୍ ଜୋରରେ ଚିତ୍କାର କଲେ l
: ମାଲିକେ ! ହୋ ମାଲିକେ............. ଏତେ ଜୋରରେ ଚିଲ୍ଲେଇଲେ ଯେ ହୋଟେଲ୍ ବାଲା ଦଉଡି ଆସି ତାଙ୍କ ପାଖରେ ଠିଆ ହୋଇଗଲା l ସମସ୍ତେ ଖାଇବା ଛାଡି ତାଙ୍କ ଆଡକୁ ଚାହିଁ ରହିଲେ l କଥା କ’ଣ ?
ହୋଟେଲ୍ ମାଲିକ ପଚାରିଲେ, ‘ଆଜ୍ଞା ! କ’ଣ ହେଲା ଆଜ୍ଞା ?’
: ଦେଖୁନ ............. ତୁମ ଆଖିକୁ କ’ଣ ଦେଖାଯାଉନି ?
: କହିଲେ ସିନା ଜାଣିବା ଆଜ୍ଞା !
: ଚୁଟି............ ଭାତରେ ଚୁଟି..............
ମୁଁ ବି ପାଖେଇ ଆସିଲି ଦେଖିବା ପାଇଁ l କ’ଣ ଗୋଟିଏ ଧଳା ଧଳା ସୂତା ଭଳିଆ ଦେଖା ଯାଉଥିଲା l ତୁରନ୍ତ ସେ ପ୍ଲେଟଟାକୁ ହୋଟେଲ୍ ମାଲିକ ଉଠେଇ ନେଲେ l ମୁଁ ତାଙ୍କ ପଛେ ପଛେ ଯାଉଥାଏ l ସୂତା ଭଳିଆ ଜିନିଷଟାକୁ କାଢି ନେଇ, ଭାତ ହାଣ୍ଡିକୁ ଦି ପାହାର ଡଙ୍କିରେ ପିଟିଲେ l ତା’ ପରେ ସେହି ଭାତ ଥାଳିକୁ ଆଣି ତାଙ୍କୁ ଦେଇ ଦେଲେ l ମୁଁ ଅବାକ୍ ହୋଇ ଦେଖୁଥାଏ l କିଛି ସମୟ ପରେ ଭଦ୍ରଲୋକ ଜଣଙ୍କ ପେମେଣ୍ଟ୍ କରି ବୀର ଦର୍ପରେ ଚାଲିଗଲେ l ସମସ୍ତେ କହନ୍ତି ଅନ୍ୟାୟ କରିବା ଅପେକ୍ଷା ପ୍ରଶ୍ରୟ ଦେବାଟା ଆହୁରି ଗୁରୁତର l କିନ୍ତୁ ମୋ ମୁହଁ ଖୋଲିଲାନି ସେ ଦିନ l ମୁଁ ଜାଣିପାରିନଥିଲି ଚୁପ୍ ରହିବାଟା ଠିକ୍ ହେଲା ନା ଭୁଲ ହେଲା l
ପ୍ରମୋଦ କୁମାର ଜେନା ©