Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସେଦିନ ରାତିର କଥା
ସେଦିନ ରାତିର କଥା
★★★★★

© Kamala Satpathy

Others

5 Minutes   7.2K    23


Content Ranking

ବେଶ୍ କିଛି ଦିନ ବିତିଗଲାଣି ଘଟଣାଟି ଘଟିବାରେ । ହୁଏତ ଠିକ୍ ଠିକ୍ ମନେ ନ ପଡିପାରେ ବୋଲି ମୁଁ ଭାବିଥିଲି । କିନ୍ତୁ ଆଜି ମନେ ପକେଇବାକୁ ବସିଲାରୁ ଲାଗୁଛି, ଏଇ ଯେମିତି ଘଟଣାଟି କାଲି ପଅରଦିନ ହିଁ ଘଟିଛି । ଏବେ ବି ସବୁକିଛି ମନରେ ସୁସ୍ପଷ୍ଟ ହୋଇ ଅଙ୍କା ରହିଛି । ତା’ମାନେ ଏତେ ବର୍ଷା, ଏତେ ବସନ୍ତ ବିତିଗଲା ପରେ ବି ମୁଁ ସେଦିନର ସେହି ବର୍ଷା, ସେହି ରାତି ଆଉ ସେ ରାତିର ନାୟିକାକୁ ଭୁଲି ପାରିନାହିଁ ? କେମିତି ଭୁଲିଯିବି ! ଘଟଣାଟି ଥିଲା ବି ତ ସେମିତି ନିଆରା .. ସେମିତି ସ୍ୱତନ୍ତ୍ର !

କବାଟ ଖୋଲିଥିଲା ବାଇଶ ତେଇଶ ବର୍ଷର ଝିଅଟିଏ । ମତେ ଏପରି ଅସହାୟ ଅବସ୍ଥାରେ ଜାକିଜୁକି ହେଇ ଠିଆ ହୋଇଥିବାର ଦେଖି ପଚାରିଲା, “ବାବୁ, ସେଠି କାହିଁକି ଠିଆ ହେଇଛ ! ଯଦି ଠିକ୍ ଭାବିବ, ତେବେ ଘର ଭିତରେ ଆସି ବସ, ନହେଲେ ବର୍ଷାରେ ତିନ୍ତି ତିନ୍ତି ଘରକୁ ପଳାଅ । ଏ ବର୍ଷା ଆଜି ଆଉ ଛାଡିଲା ପରିକା ଲାଗୁନାହିଁ ।“

କହିସାରି କବାଟଟାକୁ ଖୋଲା ଛାଡିଦେଇ ଭିତରକୁ ଚାଲିଗଲା ସେ । ମୁଁ ସ୍ଥିର କରି ପାରିଲିନି ଭିତରକୁ ଯିବି ଅଥବା ଘରକୁ ଚାଲିଯିବି । ଅତି ବେଶିରେ କୋଡିଏ ପଚିଶ ମିନିଟ୍ ସମୟ ଲାଗିବ ଘରେ ପହଞ୍ଚିବାକୁ । କିନ୍ତୁ ଏତେ ବର୍ଷାରେ ସେଇ କୋଡିଏ ପଚିଶ ମିନିଟ୍ ତିନ୍ତିବା ବି ମୋ ଭଳି ବେମାରିଆ ଦେହ ପାଇଁ ଯଥେଷ୍ଟ କ୍ଷତିକାରକ ହେବ । ଭିତରକୁ ଯାଇ ବସିବାକୁ ବି ଶଙ୍କା ଲାଗୁଥିଲା । ହେଲେ ଉପାୟ ବିହୀନ ଥିଲି । ଦୋ ଦୋ ପାଞ୍ଚ ହେଇ ଭିତରକୁ ଗଲି । ଗୋଟିଏ ଦଉଡିଆ ଖଟ ପକେଇ ଦେଇ ଝିଅଟି ଚା’ କରିବାକୁ ଆରମ୍ଭ କରି ଦେଇଥିଲା ସେତେବେଳକୁ ।

ଘରକୁ ପଶି ପଶୁ ମୋର ପ୍ରଥମ ପ୍ରଶ୍ନ ଥିଲା, “ଆଉ କେହି ନାହାନ୍ତି କି ଘରେ ?”

“ନା ।” ଛୋଟିଆ ଉତ୍ତର ଥିଲା ତା’ର । ଦେହ ଶୀତେଇ ଉଠିଲା ମୋର । ଏ ଦରଭଙ୍ଗା ଘର, ପାଣି ପବନର ସନ୍ଧ୍ୟା ... ତା’ ସାଙ୍ଗକୁ ଏକୁଟିଆ ଝିଅଟିଏ! ବସି ରହି ବର୍ଷା ଥମିବାକୁ ଅପେକ୍ଷା କରିବାଟା ଉଚିତ୍ ହେବ କି ? ଯଦି କିଛି ଅଘଟଣ ଘଟିଯାଏ ତେବେ ?

ଆଉ ଆଗକୁ ଭାବି ପାରିଲିନି । ଉଠିବାକୁ ପ୍ରସ୍ତୁତ ହେଇଗଲି । ମୋ ହାତକୁ ଗରମ ଚା’ କପ୍ ଟିଏ ବଢେଇ ଦେଇ ଝିଅଟି କହିଲା, “ଡରୁଛନ୍ତି କାହିଁକି ? ବସିଯାଆନ୍ତୁ, ବର୍ଷା ଛାଡିଗଲେ ଚାଲିଯିବେ ।“

“ଯଦି ନ ଛାଡେ?” ପ୍ରଶ୍ନଟା କଲା ବେଳକୁ ମୋ ତଣ୍ଟି ଶୁଖି ଅଠା ଅଠା ହେଇଗଲା । ବାହାରକୁ ଚାହିଁଲି । ବର୍ଷାର ବେଗ ବଢି ବଢି ଚାଲିଛି । ବିଜୁଳି ଘଡଘଡି ସହ ପାଣି ଆଉ ପବନ, ଏକା ସାଙ୍ଗରେ ଆଜି ସମସ୍ତେ ମାତି ଉଠିଛନ୍ତି । ଆଖପାଖରେ ଆଉ ଘର ବି ନଥିଲା ଯେ ସେଠୁ ବାହାରିକି ଆଉ କୋଉଠି ଯାଇ ଆଶ୍ରା ନେଇଯିବି । ବାହାରେ ଗଛଗୁଡାକ ଜୋରରେ ଆସି ଚାଳରେ ପିଟି ହେଇଯାଉଥିଲା । ଭୟଙ୍କର ଶବ୍ଦରେ ଘର ଭିତରଟା ପ୍ରକମ୍ପିତ ହେଇ ଉଠୁଥିଲା । ଏଇଲେ କି ଆଉ ଟିକକ ପରେ ଏ ଘରର ଚାଳ ଭୁଷୁଡି ପଡିବ ଯେମିତି, ସେମିତି ଲାଗୁଥିଲା !

ଉଠି କବାଟ ପାଖକୁ ଗଲି । କିନ୍ତୁ ବାହାରେ ପ୍ରକୃତିର ସେ ପ୍ରଳୟ ରୂପ ମତେ ପୁଣି ଥରେ ଦଉଡିଆ ଖଟ ପାଖକୁ ଫେରି ଆସିବାକୁ ବାଧ୍ୟ କରିଦେଲା ।

ନିଜର ସନ୍ଦେହ ଦୂର କରିବାକୁ ତାକୁ ପ୍ରଶ୍ନ କଲି, “ଏଠି ଏମିତି ଏକୁଟିଆ ରହୁଛ, ତମକୁ ଡର ମାଡୁନି?” ମୋ ଆଡକୁ ଥରେ ନିରବରେ ଚାହିଁଦେଇ, ନିଜ କାମରେ ସେ ପୁଣି ଲାଗିପଡିଲା । ଦୁଇ ତିନି ମିନିଟ୍ ଅପେକ୍ଷା କଲି ମୁଁ ତା’ର ଉତ୍ତର ଶୁଣିବା ପାଇଁ । କିନ୍ତୁ ସେ ପାଟି ଖୋଲିଲା ନାହିଁ ।

ପ୍ରଶ୍ନଟାକୁ ବୁଲେଇ କି ଆଉ ଥରେ ପଚାରିଲି, “ଏକୁଟିଆ ରହୁଛ ଯଦି କେହି ଅଜଣା ଅଶୁଣା ବ୍ୟକ୍ତିଙ୍କୁ ଆଣି କ’ଣ ଘରେ ବସେଇବା କଥା ? ମତେ କାହିଁକି ଭିତରକୁ ଡାକିଲ ?”

ଏଥର ବି ସେ କିଛି ଉତ୍ତର ଦେଲାନି । ମୁଁ ବ୍ୟସ୍ତ ହୋଇଉଠିଲି ।

ଗରମ ଗରମ ରୁଟି ଡାଲମା ଆଣି ମୋ ସାମନାରେ ସେ ଥୋଇଦେଲା । ପ୍ରବଳ ଭୋକ ଲାଗି ଆସିଥିଲା । ତେଣୁ ବିଶେଷ କିଛି ନ ଭାବି, ନ ଚିନ୍ତି ମୁଁ ଖାଇବା ଆରମ୍ଭ କରିଦେଲି । ଚୂଲି ପାଖରେ ବସି ସେ ବି ନିଜ ଖାଇବା ଖାଉଥିଲା । ମଝିରେ ଥରେ ଉଠିକି ଆସି ଆଉ କ’ଣ ଦରକାର କି ନାହିଁ ବୋଲି ମତେ ପଚାରିକି ଗଲା । ମୁଁ ଖାଉଥିଲି କମ୍‌, ତାକୁ ଚାହୁଁଥିଲି ବେଶି । ମନରେ ଭୟ ଆଉ ସନ୍ଦେହ ଟେଳା ମାରୁଥିଲେ, ଯାହାକୁ ଚାହିଁକି ବି ଦୂରେଇ ପାରୁନଥିଲି ।

ଖାଇବା ସରିଗଲା ପରେ ପୁଣି ଚିନ୍ତିତ ହେଇଗଲି । ହାତ ଘଣ୍ଟାକୁ ଚାହିଁଲି – ରାତି ନଅଟା ବାଜିବାକୁ ଯାଉଛି । ଘରେ ସମସ୍ତେ ଚିନ୍ତା କରୁଥିବେ । ଏଠି ବି ଆଉ କେତେ ସମୟ ରହିପାରିବି ? ମନଟା ଛଟପଟ ହେଉଥିଲା, କିନ୍ତୁ ବର୍ଷା ନ କମିଲେ ଏଠୁ ବାହାରିକି ଯିବି କେମିତି ?

ଝିଅଟି ଏଥର ଶୋଇବା ପାଇଁ ଶେଯ ବିଛାଉଥିଲା । ମନଟା ଆହୁରି ଅଧିକ ବ୍ୟାକୁଳ ହୋଇଗଲା । ଭୟରେ ଛାତି ଖାଲି ପଡିଲା ଉଠିଲା । ଯେତେ ଶୀଘ୍ର ଏ ଜାଗା ଛାଡି ଚାଲିଯାଇ ପାରିବି, ସେତେ ଭଲ ହେବ ଭାବି ପୁଣି ଥରେ ଉଠି କବାଟ ପାଖକୁ ଆସିଲି । ବର୍ଷା କମିବାର ନାଁ ଗନ୍ଧ ନାହିଁ । ରାସ୍ତାରେ ପାଣି ଜମି ସ୍କୁଟରର ଚକା ବୁଡି ସାରିଲାଣି । କେଜାଣି କ’ଣ ହେବ ୟା’ ପରେ !

ଧିର ଗମ୍ଭୀର ସ୍ଵରରେ ଝିଅଟି କହିଲା, “କାହିଁକି ଡରୁଛ ବାବୁ ! ରହିଯାଅ ରାତିଟା । ବର୍ଷା ଆଜି ଜମାରୁ କମିବନି । ମୁଁ ଝିଅଟେ ହେଇ ଡରୁନି, ତା’ହେଲେ ତୁମେ କାହିଁକି ଏତେ ଡରୁଛ ?” ଚାହିଁଲି ତା’ ଆଡକୁ .. କୌଣସି ଚତୁର ଶିକାରି ପରି ଆଖି ତା’ର ଚିକ୍ ଚିକ୍ କରୁଥିଲା ବୋଧେ।

କ’ଣ ଅଛି ତା’ ମନରେ କିଏ ଜାଣେ ? ମୋ ଭାଗ୍ୟ ମତେ କ’ଣ ଦେଖେଇବାକୁ ଚାହୁଁଛି କିଏ କହିପାରିବ ! ମୋ ମାନ ସମ୍ମାନ ସ୍ୱାହା କରିଦେବାର ଯୋଜନା ପୂରା କରିସାରିଛି ସେ ନିଶ୍ଚୟ ! ହେଲେ ମୁଁ ତାହା ହେବାକୁ ଦେବିନାହିଁ । ତା’ ମୁହଁକୁ ସିଧା ଚାହିଁ ପଚାରିଲି, “ତୋର କ’ଣ ଆଗରୁ ଏମିତି ଅଭ୍ୟାସ ଅଛି ?”

ଚମକି ଉଠିଲାନି ସେ ମୋ ପ୍ରଶ୍ନରେ, କି କ୍ରୋଧରେ ଫାଟି ପଡିଲାନି । ବରଂ ଘୃଣାରେ ଛୋଟ ହୋଇଆସିଲା ତା’ର ଆଖି । ଅଜବ ସ୍ଵରରେ କହିଲା, “ରାତି ସାରା ବାହାରେ ସେଇ ଥଣ୍ଡାରେ ଠିଆ ହେବା ଲୋକ ତୁମେ ! ତମକୁ ଭିତରକୁ ଡାକି ଆଶ୍ରୟ ଦେବାଟା ଭୁଲ୍ ହୋଇଗଲା ବୋଧେ ! କି ଅଭ୍ୟାସ ଅଛି ବୋଲି ପଚାରୁଛ ? ସମସ୍ତଙ୍କୁ ଆଣି ଘରେ ପୂରେଇବା .. ଏଇଆ ନା ? ଅଭ୍ୟାସ ତ ନାହିଁ, କିନ୍ତୁ ଥରେ ବାପା ସେଇ ଭୁଲ୍ କରି ଦେଇଥିଲା । ତୁମ ଭଳି ଜଣେ ଭଦ୍ରଲୋକଙ୍କ ଦୁଃଖକୁ ଦେଖି ସହି ନପାରି ଘରକୁ ଡାକି ଆଣିଥିଲା ଏମିତି ଏକ ବର୍ଷଣ ମୁଖର ରାତିରେ ସେ । ଆଶ୍ରୟ ଦେଇଥିଲା ନିଜ କୁଡିଆରେ । ନିଜ ଭାଗରୁ ଅଧା ବାହାର କରି ପେଟ ପୂରେଇଥିଲା ତାଙ୍କର । ସେଇ ଉପକାରକୁ ଶୁଝିବାକୁ ଯାଇ ଭଦ୍ରଲୋକଟି ଆଉ କିଛି ତ କରିପାରି ନଥିଲେ, କିନ୍ତୁ ଅକାତରେ ମତେ ଦେଇ ଯାଇଥିଲେ ନିଜ ପାଖରେ ଥିବା ସେହି ଅମୂଲ୍ୟ ଉପହାରଟିକୁ .. ଯାହାକୁ ଆଧୁନିକ ଯୁଗରେ ସମସ୍ତେ ନାଁ ଦେଇଛନ୍ତି ‘ଏଡ୍ସ’ !”

ଚମକି ଉଠିଲି ମୁଁ । ସାରା ଶରୀର ଭୟରେ କମ୍ପି ଉଠିଲା । ଛାତି ଧକ୍ ଧକ୍ କରିଉଠିଲା । ତଣ୍ଟି ଶୁଖି ଅଠା ଅଠା ହେଇଗଲା ବେଳକୁ ପୁଣି ଶୁଭିଲା ତା’ ସ୍ବର, “ସେଇ ଦୁଃଖରେ ବାପା ତ ଚାଲିଗଲା, କିନ୍ତୁ ମୁଁ ଯାଇ ପାରିଲିନି । ରହିଗଲି ନିଜ ଯୁଦ୍ଧ ନିଜେ ଲଢିବାକୁ । ସେ ଦିନଠୁ ମୁଁ ଅପେକ୍ଷା କରି ରହିଛି ଜଣେ ଏମିତି ଲୋକକୁ, ଯିଏ ସେମିତି ଏକ ଭୁଲ୍ କରିବାକୁ ନିଜ ପଟରୁ ଆଗେଇ ଆସିବ । ସେତେବେଳେ ତା’ ଭୁଲକୁ ମୁଁ ଜମା ରୋକିବି ନାହିଁ । ବରଂ ଆନନ୍ଦରେ ସ୍ବାଗତ କରିନେଇ ନିଜ ଅପମାନର ପ୍ରତିଶୋଧ ନେବି .. ।“

ସ୍ତବ୍ଧ ରହିଗଲି ତା’ର ବିଚାରଧାରାକୁ ଶୁଣି । ମୋ ଦେହର ସବୁ ରକ୍ତ ଶୁଖିଗଲା ଯେମିତି ! ଝିମ୍ ମାରିଗଲା ସାରା ଅବୟବ !

ତତକ୍ଷଣାତ୍ ବାହାରି ଆସିଲି ସେ ଘରୁ । ବାହାରେ ବର୍ଷା ଟିକିଏ ଛାଡି ଛାଡି ଆସୁଥିଲେ ବି ପୂରା ବନ୍ଦ ହେଇନଥିଲା । ମୁଁ କିନ୍ତୁ ରହିଲି ନାହିଁ । ବରଂ ସର୍ଦ୍ଦିକାଶ ଚଳିବ, କିନ୍ତୁ …!

ତା’ ପରେ ବି କେତେ ଥର ସେ ରାସ୍ତାରେ ମତେ ଯିବାକୁ ପଡିଛି । ଦୂରରୁ ସେ ଘରକୁ ଦେଖି କମ୍ପି ଉଠିଛି ମୋ ଛାତି । ମନରେ କୌତୁହଳ ବି ସୃଷ୍ଟି ହେଇଛି – ସତରେ କ’ଣ ସେ ଝିଅର ପ୍ରତିଶୋଧ ପୂରା ହେଇଥିବ ? ଯଦି ବା ହେଇଥିବ, ତେବେ କିଏ ହେଇଥିବ ସେଇ ହତଭାଗ୍ୟ ? ଆଉ ଯଦି ନହେଇଥିବ, ତେବେ ଆଜି ପର୍ଯ୍ୟନ୍ତ ସେ କ’ଣ ସେମିତି ପ୍ରତୀକ୍ଷା କରି ରହିଥିବ .. ସେମିତି ଲୋକଙ୍କୁ ଡାକି ଆଶ୍ରୟ ଦେଉଥିବ ? କିଏ ଜାଣେ .. କ’ଣ ହେଇଥିବା ସେଦିନ ରାତି ପରର କାହାଣୀ ସତରେ !!

-0-

ଘଟଣା ଅସହାୟ ବାବୁ

Rate the content


Originality
Flow
Language
Cover design

Comments

Post

Some text some message..