Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

Others

3  

Lopamudra Mishra

Others

ମାର୍ଫତ

ମାର୍ଫତ

4 mins
598


          


  ନବେ ଦଶକରେ ସେ ଯେବେ ସ୍କୁଲ୍ ରେ ପତ୍ରଲିଖନ ଲେଖିବା କୌଶଳ ଶିଖିଲା,କେବଳ ଖାତାରେ ନୁହେଁ ସତସତିକା କାହାକୁ ନାଁ କାହାକୁ ନିୟମିତ ବ୍ୟବଧାନରେ ଚିଠିଟିଏ ଦେବା ତାର ଅଭ୍ୟାସରେ ପରିଣତ ହେଇଗଲା l ଆଜି ବି ସେ ସ୍ପଷ୍ଟ ମନେରଖିଛି ଅତି ପିଲାଳିଆ ଅକ୍ଷରରେ ନିର୍ଦ୍ଧିଷ୍ଟ ଫର୍ମାଟ୍ ରେ ସେ ପ୍ରଥମ କରି ତା' ଅଜା ଆଉ ଆଈଙ୍କ ପାଖକୁ ନୀଳ ଇନ୍ଲାଣ୍ଡ୍ ଲେଟର୍ ରେ ଲେଖିଥିବା ସେହି ଛୋଟିଆ କେଇଧାଡିର ଚିଠିଟିକୁ l ଚିଠି ପାଇ ଅଜା ଯେଉଁ ଚିଠିଟି ତା ପାଖକୁ ପ୍ରେରଣ କରିଥିଲେ, ଲିଲି ପାଇଁ ତ ତାହା ଥିଲା ଅମୂଲ୍ୟ ଏକ ସମ୍ପଦ l ଆଜିଯାଏଁ ବି ସେ ସେହି ଚିଠିକୁ ନିଜ ପାଖରେ ସାଇତି ରଖିଛି l କିଛି ବିଶେଷ ଚିଠିକୁ ଲିଲି ଲାମିନେସନ୍ ମଧ୍ୟ କରି ରଖିଛି l ବଡ଼ ଅଜବ ଏ ଝିଅ,ମୋବାଇଲ୍ ଯୁଗରେ ଚିଠି ପାଇଁ ପାଗଳୀ - ପ୍ରାୟ ସମସ୍ତ ତା ଚିହ୍ନାଜଣା ଲୋକ ତା ଉଦ୍ଦେଶ୍ୟରେ ଏମିତି ହିଁ କହନ୍ତି l


   ପିଲାଦିନେ ଲିଲି ନିଜ ନାଁରେ ଚିଠିଟିଏ ପାଇଲେ ଖୁସିରେ ଆତ୍ମହରା ହେଇଯାଏ l ପୋଷ୍ଟ୍ କାର୍ଡ୍ ରେ ଚିଠି ଲେଖିବସିଲେ ରିପ୍ଲାଇ କାର୍ଡ୍ ଟିଏ ସାଙ୍ଗରେ ଯୋଡ଼ିଦେଇଥାଏ l କେହି କେହି ଖାଲି ରିପ୍ଲାଇ କାର୍ଡ୍ ପଠେଇଦିଅନ୍ତି l ଲିଲି ରାଗିଯାଏ l ରାଗି କରି ମନକୁ ମନ କହେ, "ଧେତ୍, ବେକାରିଆ ଝିଅଟା ! ଦୁଇଧାଡ଼ି ଲେଖିଆସୁନି l " l ଲିଲି ନିଜ ସମବୟସୀ ମାଉସୀଝିଅ ରୋଜି, ପିଉସୀଝିଅ ଲୁସି ଏବଂ ମାମୁଁଙ୍କ ପୁଅ ଓ ଝିଅ ବୁଲୁନନା ଆଉ ଗୀତାନାନୀଙ୍କୁ ନିୟମିତ ଚିଠି ଲେଖେ l ଚିଠି ଦେଇସାରି ଉତ୍ତରକୁ ଅପେକ୍ଷା କରିଥାଏ l ଆଉ ଉତ୍ତର ନଆସିଲେ ଲ୍ୟାଣ୍ଡ୍ ଫୋନ୍ ରେ କଲ୍ କରି କହେ," ଜଲ୍ଦି ମୋ ପାଖକୁ ଚିଠିଟେ ଲେଖ l"


    ପିଲାଦିନୁ ଆଜିଯାଏଁ ଚିଠି ସମ୍ବନ୍ଧରେ ଗୋଟିଏ କଥା ଲିଲିକୁ ଟିକେ ଅଡୁଆ ଲାଗେ ଆଉ ସେଇଟି ହେଲା 'ମାର୍ଫତ୍' l ସେ ଘରେ ଥିଲାବେଳେ ଘର ଠିକଣାରେ ତା ନାଁରେ ଆସୁଥିବା ଚିଠିଗୁଡିକରେ ତା ନାଁ ତଳେ ମାର୍ଫତ୍ ରେ ତା' ବାପାଙ୍କ ନାଁ ଲେଖାହେଉଥିଲା l ଲିଲି ବଡ଼ ହେଲା l କଲେଜ୍ ଗଲା l ହଷ୍ଟେଲ୍ ରେ ରହିଲା l ମାର୍ଫତ୍ ହେଇଗଲେ ହଷ୍ଟେଲ୍ ସୁପରିନଟେଣ୍ଡେଣ୍ଟ୍ l ଲିଲି ଏବେ ବିବାହିତା l ଏବେ ଏବେ ତା ମାର୍ଫତ୍ ବଦଳିଯାଇଛି l କେବେ ଶ୍ୱଶୁର ତ କେବେ ସ୍ୱାମୀଙ୍କ ମାର୍ଫତ୍ ରେ ତା ପାଖକୁ ଚିଠିଟିଏ ବା ଅନ୍ଲାଇନ୍ ରେ ଅର୍ଡର୍ କରିଥିବା ପାର୍ସଲ୍ ଟିଏ ଆସେ l 


   ଛୋଟବେଳେ ସେ ଦେଖେ ବୋଉ ନାଁରେ ମାମୁଁ ଯେବେ ରଜ, ଦ୍ଵିତୀୟା ଓଷା ବା ସାବିତ୍ରୀ ପାଇଁ ଟଙ୍କା ପଠାନ୍ତି ବୋଉ ନାଁ ତଳେ ୱାଇଫ୍ / ଅଫ୍ ରଞ୍ଜନ ନାୟକ ଲେଖାହେଇଥାଏ l ଲିଲି ଥରେ ବାପାଙ୍କର ଗୋଟିଏ ଚିଠିକୁ ପୋଷ୍ଟ୍ ପିଅନ୍ ଠାରୁ ଆଣି ଉପରେ ଗ୍ରାହକ ଠିକଣାକୁ ଘରେ ସମସ୍ତଙ୍କ ଆଗରେ ବଡ଼ ପାଟିରେ ପଢି ବାପାଙ୍କୁ ପଚାରିଥିଲା, " ବାପା, ତୁମେ ବୋଉର ହଜବ୍ୟାଣ୍ଡ୍ ପରା ? ଏଠି ତ କାଇଁ ତୁମ ନାଁ ତଳେ ଲେଖାହେଇ ନାହିଁ ହଜବ୍ୟାଣ୍ଡ୍ ଅଫ୍ ସ୍ନିଗ୍ଧା ନାୟକ୍ ? " l ଲିଲିର ପିଲାଳିଆମୀ ରେ କକା ଖୁଡୀ ହସିଥିଲେ, ବୋଉ ରାଗରେ ଆଖି ଦେଖେଇଥିଲା ଆଉ ବାପା କିଛି ନକହି ଚିଠିଟା ଧରି ତାଙ୍କ ଟେବଲ୍ ପାଖକୁ ଉଠିଯାଇଥିଲେ l


   ଲିଲି ବଡ଼ ହେବାପରେ ମାର୍ଫତ୍ ର ପ୍ରକୃତ ଅର୍ଥ ବୁଝିଯାଇଥିଲା l ସେ କାହା ମାର୍ଫତ୍ ରେ ନରହିଲେ ବି ଚିଠିଟେ ପାଇଯିବ ତାହା ବି ବୁଝୁଥିଲା, ତଥାପି ତା ଘରଲୋକ ତା ପାଇଁ ସୁରକ୍ଷିତ ମାର୍ଫତ୍ ଟିଏ ଖୋଜୁଥିଲେ l ଦିନେ ପାଇଗଲେ l ଲିଲିକୁ ତାଙ୍କ ଜିମା ଦେଇଦେଲେ l ଲିଲିର ଠିକଣା ବଦଳିଗଲା ଆଉ ମାର୍ଫତ୍ ବି l 


   ଶାଶୂଘରଲୋକ ତାର ଦାୟିତ୍ୱ ନେଇଯାଇଥିଲେ ସତ, ଲିଲି ଉପରେ ସେମାନେ ନିଜର ଅଧିକାର ସାବ୍ୟସ୍ତ କରିସାରିଥିଲେ ସତ କିନ୍ତୁ ଲିଲି ନିଷ୍ପତ୍ତି ନେଇପାରୁନଥିଲା ତାର ପ୍ରକୃତ ଠିକଣା କୋଉଟା ଆଉ ପ୍ରକୃତ ମାର୍ଫତ୍ କିଏ l ବାପା ନାଁ ଶ୍ୱଶୁର ନାଁ ସ୍ୱାମୀ ?? କାରଣ ପ୍ରାୟ ସମୟରେ ଶାଶୂ ତାକୁ କହୁଥିଲେ, " ସେଇଟା ତୁମଘରେ ଚଳୁଥିବ, ଆମ ଘରେ ନୁହେଁ l ତୁ ତୋ ବାପଘରେ ସେମିତି ପିନ୍ଧୁଥିଲୁ, ଆମଘରେ ସେଭଳି ପିନ୍ଧିବା ଉଚିତ ନୁହେଁ l ତୁମଘରେ ସେମିତି ଖାଉଥିବେ, ଆମଘରେ କିନ୍ତୁ ଏଇମିତି ଖାଆନ୍ତି " l ଏଇ 'ତୁମଘର' 'ତୁମଘର' ଶୁଣି ଶୁଣି ଲିଲି ବିରକ୍ତ ହେଇଯାଇଥିଲା l ଲିଲି ଭାବିନେଲା, "ଶାଶୂଘର ମାନେ ଏଇଟା ନିଶ୍ଚୟ ଶାଶୂଙ୍କର ଘର l ମୋର ଏବେ ପାଇଁ ନିଜର ଘରଟେ ନାହିଁ ବୋଧେ l ମୋତେ ତାହେଲେ ଶାଶୂହେବା ଯାଏଁ ଅପେକ୍ଷା କରିବାକୁ ହେବ l ସେ ପର୍ଯ୍ୟନ୍ତ ଏମାନଙ୍କ ମାର୍ଫତ୍ ରେ ରହିବାକୁ ହିଁ ପଡିବ l ତା ପରେ ଯାଇ ମୁଁ ହେବି ମୋ ନିଜ ମାର୍ଫତ୍ l "


   ଦିନେ ଖରାବେଳେ ଡାକଵାଲାଟିଏ ଆସି ବେଲ୍ ଦେଲା l ଶାଶୂ କବାଟ ଖୋଲିଲେ l ଶାଶୂଙ୍କ ନାଁରେ ରେଜିଷ୍ଟ୍ରି ଚିଠି ଆଉ ପାର୍ସଲ୍ ଟିଏ ଆସିଥିଲା l ଦିଲ୍ଲୀରେ ଥିବା ଲିଲିର ଏକମାତ୍ର ନଣନ୍ଦ ନିଜ ମାଆ ପାଖକୁ ମଦରର୍ସ୍ ଡେ ପାଇଁ କାର୍ଡ୍ ଓ ଉପହାର ପଠେଇଥିଲେ l ଶାଶୂ ଦସ୍ତଖତଟେ ଦେଇ ଡାକପିଅନ୍ କୁ ବିଦାୟ ଦେଇ ଜଲ୍ଦି ଜଲ୍ଦି ଖୋଳଗୁଡିକ ଖୋଲି କରି ଲିଲିକୁ ଦେଖେଇଲେ l ଶାଶୂ ଖୁସି ଖୁସି କାର୍ଡ୍ ଓ ଉପହାର ଜିନିଷଟି ନେଇ ଭିତରକୁ ଚାଲିଯାଇଥିଲେ l ଲିଲି ଡ୍ରଇଂରୁମ୍ ରେ ବସିରହିଥିଲା, ହଠାତ୍ ତାର ନଜର ପଡିଲା ସଦ୍ୟ ଚିରାଯାଇଥିବା ସେହି ଫାଙ୍କା ଲଫାପା ଦୁଇଟି ଉପରେ l ଟିପୟ ଉପରୁ ଲଫାପା ଉଠେଇ ଲିଲି ଗ୍ରାହକର ଠିକଣା ପଢିଲା l ଲେଖାଥିଲା - ସ୍ୱପ୍ନାମୟୀ ସାମଲ, ମାର୍ଫତ୍ - ଧୀରେନ୍ଦ୍ର ସାମଲ l ଲିଲିର ଆଖି କାହିଁକି କେଜାଣି ତା'ନିଜକୁ ଟିକେ ଓଦା ଓଦା ଲାଗିଲା l ସେ ମନେ ମନେ ଗୁଣୁଗୁଣେଇଲା , " ଆହାଃ, ବିଚାରୀ ଆଜିଯାଏଁ ବି ବୁଝିନାହାଁନ୍ତି ଏଇଟା ମୋର କିମ୍ବା ତାଙ୍କର ଘର ନୁହେଁ l ଆମର ତ ଖାଲି ଏଠି ମାର୍ଫତ୍ ମାନେ ହିଁ ଅଛନ୍ତି" l 


  ଲିଲି ଖୁବ୍ ଦୁଃଖୀ ହେଲା l ସେ ଦୁଃଖୀ ହେଲା କେବଳ ତା ନିଜ ପାଇଁ ନୁହେଁ କିମ୍ବା ତା' ଶାଶୁଙ୍କ ପାଇଁ ନୁହେଁ l ତା ଦୁଃଖର କାରଣ ଥିଲା ଜନ୍ମ ରୁ ଜୁଇଯାଏଁ ଝିଅଟିର ନାଁ ତଳୁ ହଟୁନଥିବା ସେହି ଗୋଟିଏ ଶବ୍ଦ 'ମାର୍ଫତ୍' ପାଇଁ l 

   

         


Rate this content
Log in