Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅଦ୍ଭୁତ ଘଟଣା
ଅଦ୍ଭୁତ ଘଟଣା
★★★★★

© Dr Subas Chandra Rout

Others

14 Minutes   7.0K    15


Content Ranking

ମୋର ହାଲୁକା ଚେତନା ଫେରିଲା ବେଳକୁ ପ୍ରଥମେ ମୋ ମୁଣ୍ଡ ପଛ ପାଖରେ ଅସହ୍ୟ ବେଦନା ଅନୁଭବ କଲି । ‘ଓଃ, ଓଃ’ କହି କଷ୍ଟ ହେଉଥିବା ଜାଗାରେ ହାତ ଲଗେଇ ଆଉଁସି ଦେଲି । ଅନୁଭବ କଲି, ସେ ଜାଗା ସାମାନ୍ୟ ଫୁଲିଯାଇଛି ଓ ବହୁତ ଦରଜ ହୋଇଛି । ହାତକୁ ଓଦା ଲାଗିଲା । ଆଖି ଆଗରେ ହାତ ଆଣି ଦେଖିଲି ଟିକିଏ ରକ୍ତ ଲାଗିଛି । ଚାରି ପାଖକୁ ଅନେଇଲି । ରକ୍ତ କୁଆଡୁ ଆସିଲା ! ମୁଁ କେଉଁଠି ଅଛି, କିଛି ବୁଝି ପାରିଲିନି । ଚାରିପାଖକୁ ଦୃଷ୍ଟିପାତ କଲି । ଯେଉଁ ଖଟ ଉପରେ ଶୋଇଥିଲି ଓ ଯେଉଁ ବଖରାରେ ଥିଲି ତାହା ମୋର ସଂପୂର୍ଣ୍ଣ ଅଚିହ୍ନା । ବିଛଣା ମୋର ନୁହେଁ, ଚାଦର ମୋର ନୁହେଁ, ତକିଆ ମୋର ନୁହେଁ, ଘର ଚଟାଣବି ମୋର ଅଚିହ୍ନା । ଭଲରୂପେ ଘରକୁ ତନ୍ନ ତନ୍ନ କରି ଅନେଇଲି । ମନେ ପକେଇବାକୁ ଚେଷ୍ଟା କଲି, ମୁଁ ଏଠିକୁ କେମିତି ଆସିଲି ଓ ଏହା ପୂର୍ବରୁ ମୁଁ କେଉଁଠି ଥିଲି । ଅଳ୍ପ କିଛି ସମୟ ପରେ ମନେ ପଡ଼ିଲା, ମୋ ସାଙ୍ଗର ବାହାଘର ବରଯାତ୍ରୀ ହୋଇ ଯାଉଥିଲି । ବୁଝିପାରିଲିନି, ବରଯାତ୍ରୀରୁ ଏଠିକି କେମିତି ଆସିଲି ।

           ଆଉ ଥରେ ଏମିତି ହୋଇଥିଲା; ମୁଁ ମୋ ସାଙ୍ଗର ସାଇକେଲ ପଛ କ୍ୟାରିଅର ଉପରେ ବସିଥିଲି ଓ ସାଙ୍ଗ ସାଇକେଲ ଚଳଉଥିଲା । ହଠାତ ଦେଖିଲି ମୁଁ ରାସ୍ତା ଉପରେ ବସିଛି ଓ ସାଇକେଲଟି ଆଗକୁ ଚାଲିଛି । କଥା କଅଣ କି, ଯେଉଁ ନଟ ବୋଲ୍ଟ ସାହାଯ୍ୟରେ କ୍ୟାରିଆରଟି ସାଇକେଲ ସହିତ ସଂଯୁକ୍ତ ହୋଇଥିଲା, ସେଇ ନଟଟି ଖୋଲିଯାଇଥିଲା; ଫଳରେ କ୍ୟାରିଆର ଓ ମୁଁ ଉଭୟ ତଳକୁ ଖସିପଡ଼ିଲୁ । କିନ୍ତୁ କେମିତି ମୁଁ ବରଯାତ୍ରୀରୁ ଏଠାକୁ ଆସିଲି, ବୁଝିପାରିଲିନି । ମୋର କଅଣ ଷ୍ଟ୍ରୋକ ବା ବାତ ବେମାରି ହେଲା ନା କଅଣ ! ବରଯାତ୍ରୀରେ ଯାଉଯାଉ ପଡ଼ିଗଲି ନା କଅଣ ! ଏମିତି ଭାବୁ ଭାବୁ କିଛି ସମୟ ଅନ୍ତରରେ ମୋର ସଂପୂର୍ଣ୍ଣ ଚେତା ଫେରିଲା ।

           ମନେ ପଡ଼ିଲା, ବରଯାତ୍ରୀରେ ଚାଲୁ ଚାଲୁ ଟିକିଏ ପଛକୁ ରହିଯାଇଥିଲି । ମୋ ପାଖରେ ଆଉ ଚାରି ଜଣ ପୃଥୁଳକାୟ ଲୋକ ଚାଲୁଥିଲେ । ହଠାତ ମୋ ପାଟି ଉପରେ କଅଣ ଗୋଟାଏ କେହି ଜଣେ ଚାପିଦେଲା ଓ ମୋ ଦୁଇ ହାତକୁ କେହି ଜୋରରେ ଚାପି ଧରି ପିଠିପଟେ ବାନ୍ଧିପକେଇଲେ । ମୋ ଉପରେ ଗୋଟାଏ କିଛି ଘୋଡ଼େଇ ହୋଇଗଲା । ଆଖି ଆଗରେ ଅନ୍ଧାର ଛାଇଗଲା । ବାହାରେ ‘ଡିଜେ’ର ଉତ୍କଟ ବାଦ୍ୟ ବାଜୁଥାଏ । ‘କିଏ, କିଏ, ରକ୍ଷାକର, ରକ୍ଷାକର’ କହି ପାଟିକଲି, କେହି ଶୁଣିଲେନି ଓ ମୋ ସ୍ଵର ସେଇ ‘ଡିଜେ’ ସ୍ଵରରେ ମିଳେଇଗଲା, ଏମିତିକି ମୋତେ ବି ମୋ ଚିତ୍କାର ଶୁଣାଗଲାନି । ହାତ ମାରି ଦେଖିଲି ଓ ଅନୁଭବ କଲି ମୁଁ ଗୋଟିଏ ଅଖା ଭିତରେ ଅଛି । ହାତ ଗୋଡ଼ ଜୋରରେ ହଲେଇଲି । ମୋତେ ଲାଗିଲା, ମୋତେ ଯେମିତି କେହି ଶୁନ୍ୟେ ଶୁନ୍ୟେ ଟେକିନେଇଯାଉଛନ୍ତି । ବହୁତ ହଲଚଲ ହେଲା ପରେ ଗୋଟେ ଶକ୍ତ ପ୍ରହାର ମୋ ମୁଣ୍ଡରେ ଲାଗିଲା । ବାସ, ସେତିକି ମନେ ପଡ଼ିଲା । 

 

           ଏ କଥା ମନେ ପଡ଼ିଲା ମାତ୍ରେ ଚମକି ପଡ଼ିଲି, କିନ୍ତୁ ହାତ, ଗୋଡ଼ ବନ୍ଧନମୁକ୍ତ ଥିବା ଦେଖି ଆଶ୍ଵସ୍ତ ହେଲି । କିଏ ମୋତେ ଆଣିଲା, କଅଣ ତାର ଉଦ୍ଦେଶ୍ୟ ! ମୋର ମୋବାଇଲ କଥା ମନେ ପଡ଼ିଲା । ତାକୁ କାଢ଼ିବାକୁ ପକେଟ ଅଣ୍ଡାଳି ଖୋଜିଲି,ପାଇଲିନି । ବଡ଼ ଅଶ୍ଵସ୍ତି ଲାଗିଲା । ମୁଁ ମୋବାଇଲ ସହିତ ଏତେ ଅଭ୍ୟସ୍ତ ଯେ, ସେଇଟା ପାଖରେ ନଥିଲେ ଭାରି ଅଡ଼ୁଆ ଅଡ଼ୁଆ ଲାଗେ । ମୋବାଇଲ ଥିଲେ ଘରକୁ ମୋ ଅବସ୍ଥା ଜଣେଇ ଖବର ଦେଇଥାଆନ୍ତି । କଅଣ ପାଇଁ ମୋତେ କିଏ ଆଣିଛି, ଏହା ଭାବି ଭାବି ଭୟ ଓ ଆଶ୍ଚର୍ଯ୍ୟରେ ଅସ୍ଥିର ଲାଗିଲା ।

           ବିଛଣାରୁ ଧୀରେ ଧୀରେ ଉଠି ଦେଖିଲି ସେହି ବଖରାରେ ଦୁଇଟି କବାଟ ଓ ଗୋଟିଏ ଛୋଟ ଝରକା ଅଛି, ଗୋଟିଏ ଟେବୁଲ ଓ ଦୁଇଟି ଚୌକି ଅଛି । ଝରକାରେ ଗ୍ରୀଲ ଲାଗିଛି । ଟେବୁଲ ଉପରେ ମୋର ହାତ ଘଣ୍ଟା, ଗୋଟିଏ ପାଣି ଜାର ଓ ଗୋଟିଏ ଗିଲାସ ଥୁଆହୋଇଛି କିନ୍ତୁ ମୋବାଇଲ ନାହିଁ । ଗୋଟିଏ କବାଟ ଖୋଲି ଦେଖିଲି ତାହା ଏକ ଶୌଚ-ସ୍ନାନାଗାର । ଭିତରେ ଯାଇ ଦେଖିଲି ପାଇପ ଅଛି ଓ ସେଥିରୁ ପାଣି ଆସୁଛି । କାନ୍ଥରେ ଗୋଟିଏ ଦର୍ପଣ ଟଙ୍ଗାହୋଇଥିଲା ଓ ପାଖରେ ପାନିଆ, ସାବୁନ, ଦାନ୍ତ ଘଷା ବ୍ରସ ଓ ପେଷ୍ଟ ଥିଲା । ଦାଢ଼ି କାଟିବା ରେଜର ଥିଲା । କାନ୍ଥରେ ତଉଲିଆ ଓ ଗୋଟିଏ ଲୁଙ୍ଗି ଟଙ୍ଗା ହୋଇଥିଲା । ଭଲରୂପେ ଗାଧୁଆ ଘର କାମ ସାରି ତଉଲିଆରେ ପୋଛି ହୋଇ ବାହାରକୁ ବାହାରିଲି । ତା’ପରେ ଆସି ଅନ୍ୟ କବାଟରେ ହାତ ମାରି ଠେଲିଲି, ଖୋଲିଲାନି । ବାହାରୁ ବନ୍ଦ ଥିଲା । ଜୋରରେ କବାଟ ବାଡ଼େଇଲି, କେହି ଶୁଣିଲେନି । କଅଣ କରିବି ! ବର୍ତ୍ତମାନ ଅନୁଭବ କଲି, ମୁଁ ଏକ ଉନ୍ନତ ଧରଣର କଏଦୀ । ମୋବାଇଲ ତ ନାହିଁ, କଅଣ କରିବି !

           ମୋର ଏ ଅବସ୍ଥା କିଏ କଲା, ବୁଝିପାରିଲିନି । ମୋର ତ କେହି ଜଣାଶୁଣା ଶତ୍ରୁ ନାହାନ୍ତି । ମୁଁ ନିଜ ଜାଣତରେ କାହାର କେବେ ଅନିଷ୍ଟ କରିନି । ମୋର କେହି ସ୍ଥାୟୀ ପ୍ରେମିକା ନାହାନ୍ତି, ତେଣୁ ପ୍ରେମିକାଙ୍କ ଈର୍ଷାନ୍ଵିତ ବନ୍ଧୁ ବି ନାହାନ୍ତି ଯିଏ ଏହାର କାରଣ ହୋଇପାରନ୍ତେ । ପୁନଶ୍ଚ ଯଦି କିଛି ଶତ୍ରୁ ଅଛନ୍ତି, ତା’ହେଲେ ମୋ ସହରରେ କିଛି କ୍ଷତି କରିପାରିଥାଆନ୍ତେ, ଏଠି କାହିଁକି । ଅଜଣା ଅଶୁଣା

ଜାଗା । ଭାବି ଭାବି ମୁଣ୍ଡ ଓଜନିଆ ଲାଗିଲା ଓ ବିନ୍ଧିବାକୁ ଆରମ୍ଭ କଲା ।

  

           ହଠାତ ଗୋଟେ କଥା ମନେ ପଡ଼ିଲା । ଯେଉଁ ଦିନ ବିବାହ କରିବାକୁ ଯାଉଥିବା ମୋର ବନ୍ଧୁ ସୁଦେଶ ବର୍ମା ତାଙ୍କର ବିବାହ କାର୍ଡ଼ ଦେଲେ ସେହିଦିନ ମୋର ଆଉ ଜଣେ ବନ୍ଧୁ କୁନାଳଙ୍କ ସହିତ ଦେଖାହୋଇଥିଲା । ମୋ ହାତରେ ଥିବା କାର୍ଡ଼ ଦେଖି ସେ କହିଲେ, “ଭାରି ସୁନ୍ଦର କାର୍ଡ଼ ହେଇଛି, ଟିକିଏ ଦେଖେଇଲେ ।” ହାତରେ ନେଇ ଦେଖିଲେ, ଖୋଲିକରି ପଢ଼ିଲେ । ହଠାତ ତାଙ୍କ ମୁହଁ ଭୟାତୁର ଦେଖାଗଲା । ମୋତେ ଅନେଇ ପ୍ରଶ୍ନକଲେ, “ଆପଣ ଏଇ ବାହାଘରକୁ ବରଯାତ୍ରୀ ହୋଇ ଯିବାକୁ ସ୍ଥିର କରିଛନ୍ତି କି ?” ମୁଁ କହିଲି, “ଆଜ୍ଞା, ସେ ମୋର ଜଣେ ଘନିଷ୍ଠ ସାଙ୍ଗ। ଯିବାକୁ ହେବ, ନହେଲେ କଥା ଖରାପ ହେବ ।” ତା’ପରେ ତାଙ୍କୁ ପ୍ରଶ୍ନ କଲି, “ଆପଣଙ୍କ ମୁହଁ କାହିଁକି ଭୟାତୁର ହୋଇଗଲା ? କଅଣ ଅସୁବିଧା ଦେଖିଲେ କି । ଆପଣ ଜ୍ୟୋତିଷ ବିଦ୍ୟା ଜାଣିଛନ୍ତି କି ?” “ନାହିଁ, ମୁଁ ଜ୍ୟୋତିଷ ନୁହେଁ, କିନ୍ତୁ ଯଦି ସମ୍ଭବ, ଆପଣ ସେଠାକୁ ଯାଆନ୍ତୁନି । ସେ ଜାଗା ଭଲ ନୁହେଁ ବୋଲି ମୁଁ ଶୁଣିଛି ।” ଏତିକି କହି ସେ ବନ୍ଧୁ ଚାଲିଗଲେ । ଏହି କଥା ମନେ ପଡ଼ିବା ମାତ୍ରେ ମୋ ଦେହ ଥରିବାକୁ ଲାଗିଲା । ହାଏ, ମୁଁ କାହିଁକି ତାଙ୍କ କଥା ନଶୁଣି ଏଠିକି ଆସିଲି ! ନିଜକୁ ନିଜେ ଗାଳି ଦେଇ କହିଲି, “ବୋକା କୋଉଠିକାର, ମର ଏବେ । ଭଲ କଥା କହିଲେ ତୋତେ ଶୁଣାଯାଏନି ।” 

           ପ୍ରାୟ ଅଧ ଘଣ୍ଟା ପରେ କବାଟ ଖୋଲିବା ଶବ୍ଦ ଶୁଣାଗଲା । ଦୁଇ ଜଣ ମୋଟାସୋଟା ଲୋକ ଭିତରକୁ ପଶିଆସିଲେ। ତାଙ୍କ ଭିତରୁ ଜଣେ କହିଲା, “ନମସ୍କାର ଆଜ୍ଞା, ଖାଇବାକୁ ଆଣିଛୁ, ଆଗେ ଖାଇସାରି ସାଷ୍ଟାମ ହୁଅନ୍ତୁ ।” ଭଦ୍ର କଥାବାର୍ତ୍ତା ଶୁଣି ଟିକିଏ ସାହସ ଆସିଲା । ଯଥା ସମ୍ଭବ ନିଜକୁ ସଞ୍ଜତ କରି କହିଲି, “ଆପଣମାନେ କିଏ, ମୋତେ ଏଠିକି କିଏ ଆଣିଲା ଓ ତାଙ୍କର ଉଦ୍ଦେଶ୍ୟ କଅଣ ?” । ତାଙ୍କ ମଧ୍ୟରୁ ଜଣେ କହିଲା, “କହୁଛି ଆଜ୍ଞା, ଆଗେ ଆମ ପରିଚୟ ଦେଉଛୁ, ମୁଁ କାଲୁ ଓ ସେ ଭାଲୁ । ଏଇ ଗ୍ରାମର ମୁଖିଆ ଆପଣଙ୍କୁ ଆଣିଛନ୍ତି ଓ ଆପଣଙ୍କୁ ଅତିଥି ସମ୍ମାନ ଦେଇଛନ୍ତି । ଆପଣ ଖାଇସାରିବା ପରେ ସେ ଆସି କାହିଁକି ଆପଣଙ୍କୁ ଆଣିଛନ୍ତି, ସେ କଥା କହିବେ ।” ମୁଁ ପ୍ରଶ୍ନ କଲି, “ମୋର ମୋବାଇଲ କୁଆଡ଼େ ଗଲା ?” “ଆଜ୍ଞା, ଆମେ ରଖିଛୁ, ଏଠାରୁ ଗଲା ସମୟରେ ଦେଇଦେବୁ ।” ଏତିକି କହି କାଲୁ ଓ ଭାଲୁ କବାଟ ବନ୍ଦ କରି ଚାଲିଗଲେ । ମନେ ମନେ ଭାବିଲି, ଏମିତି ଜବରଦସ୍ତିଆ ଅତିଥି କରିବାର ଉଦ୍ଦେଶ୍ୟ ଭଲ ଥିଲା ଭଳି ଲାଗୁନି । ଉପାୟଶୂନ୍ୟ ହୋଇ ଟେବୁଲ ପାଖକୁ ଖାଇବାକୁ ଗଲି । ବିରିଆନୀ ଓ କଚମ୍ବର ଥୁଆ ହୋଇଥିଲା । ରାତିରୁ ଉପାସ ଥିଲି; ପେଟ ଭରି ଖାଇଲି । 

           ଖାଇସାରି ବିଛଣାରେ ଗଡ଼ିବାକୁ ଲାଗିଲି । ପ୍ରାୟ ଏକ ଘଣ୍ଟା ପରେ କବାଟ ଖୋଲିବାର ଶବ୍ଦ ଶୁଣାଗଲା । ପ୍ରଥମେ କାଲୁ ଭିତରକୁ ଆସିଲା ଓ ତା ପରେ ଜଣେ ହୃଷ୍ଟ ପୁଷ୍ଟ ଲୋକ ଆସି ଚଉକିରେ ବସିଲେ । କାଲୁ ଚିହ୍ନେଇ ଦେଲା, “ଇଏ ଆମ ଗ୍ରାମର ମୁଖିଆ ।” ଭୟରେ ହେଉ ବା ସଂଭ୍ରମତା ହେଉ, ମୁଁ ଠିଆ ହୋଇ ହାତଯୋଡ଼ି ନମସ୍କାର କଲି । ମୁଖିଆଙ୍କର କଳା ମଚମଚ ଦେହ, ପ୍ରାୟ ୧୦୦ କେଜି ଓଜନ ହେବ । ମୋଟା ନିଶ ହଳେ ନାକ ତଳେ ମୋଡ଼ା ହୋଇଥାଏ । ଧୋତି କାମିଜ ପିନ୍ଧିଥାଆନ୍ତି । ମୁଣ୍ଡରେ ଗୋଟିଏ ସୁନ୍ଦର ପଗଡ଼ି ଭିଡ଼ାହୋଇଥାଏ । ବେକରେ ଗୋଟିଏ ମୋଟା ସୁନା ଚେନ ଥାଏ ।

           ମୁଁ କିଛି କହିବାକୁ ଆରମ୍ଭ କରିବା ଆଗରୁ ସେ ଆଦେଶ ଦେବା ଭଙ୍ଗୀରେ କହିବାକୁ ଲାଗିଲେ, “ମୋ ଝିଅ ସାଥିରେ ତୁମର ବାହାଘର ହେବ ଦୁଇଦିନ ପରେ । ଦୁଇ ଦିନ ବିଶ୍ରାମ କର । ଏହା ଭିତରେ ମୁଁ ଆମ ନିଜ ଲୋକଙ୍କୁ ନିମନ୍ତ୍ରଣ କରି ଡାକିବି । ତୁମକୁ ମୁଁ ଯଥେଷ୍ଟ ଯୌତୁକ ଦେବି । ତୁମର କିଛି ଅସୁବିଧା ହେବନି । ମୋର ଅଜସ୍ର ସମ୍ପତ୍ତି ଅଛି, ମୋ ଅନ୍ତେ ସବୁ ତୁମେ ପାଇବ । ତୁମେ ଚାହିଁଲେ ଏଇ ଗ୍ରାମରେ ଘର ଜୋଇଁ ହୋଇ ରହିପାରିବ । ସେଇଟା ତୁମ ଇଚ୍ଛା ଉପରେ ନିର୍ଭର କରିବ । ଏହି ଦୁଇ ଦିନ ମଧ୍ୟରେ ଏଇ ଘରୁ ବାହାରିବାକୁ ଚେଷ୍ଟା କରିବନି, କଲେ ବହୁତ ଖରାପ ଅବସ୍ଥା ହେବ ।” କାଲୁ ଆଡ଼କୁ ଅନେଇ କହିଲେ, “ଦେଖ, ବାବୁଙ୍କର ଯେମିତି କିଛି ଅସୁବିଧା ନହୁଏ । କଅଣ ଦରକାର ଭଲକରି ବୁଝିନେ ।” ଏତିକି କହି ସେ ଚାଲିଗଲେ ।

           ସେ ଗଲାପରେ ମୁଁ କାଲୁକୁ କହିଲି, “ମୋର ମୁଣ୍ଡରୁ ରକ୍ତ ବାହାରିଛି, ଟିକିଏ ମଲମ ଆଣିଦିଅ ଓ କଷ୍ଟ ଲାଘବ ପାଇଁ ଗୋଟିଏ ବଟିକା ଆଣିଦିଅ । ଆଉ ଗୋଟିଏ କଥା, ମୁଁ ମୁଖିଆଙ୍କ ଝିଅକୁ ଟିକିଏ ଦେଖିପାରିବି କି ?”

“ହଁ ଆଜ୍ଞା, ଦେଖିବେ ନିଶ୍ଚୟ । ମୁଁ ତାଙ୍କୁ ଡାକି ଆଣି ଏହି କବାଟ ସାମନାରେ ନେଇଯିବି । ଆପଣ ତାଙ୍କୁ ଦେଖିବେ ଓ ସେ ଆପଣଙ୍କୁ ଦେଖିବେ । ଟିକିଏ ଅପେକ୍ଷା କରନ୍ତୁ ।” ପ୍ରାୟ ଅଧ ଘଣ୍ଟା ପରେ କବାଟ ଖୋଲିଲା ଓ ସାମନାରେ ସେ ଝିଅ ଆସି ଠିଆହେଲା । ସେ ମୋତେ ଥରେ ଦୃଷ୍ଟି ପକେଇ ଚାଲିଗଲା । ମୁଁ ବି ତାକୁ ଗୋଟିଏ ସେକେଣ୍ଡ ମଧ୍ୟରେ ଯେତିକି ଦେଖିହେବ, ସେତିକି ଦେଖିଲି । ମଲମ ଓ ବଟିକା ମଧ୍ୟ କାଲୁ ଦେଇଗଲା । 

           ଝିଅଟି ଦେଖିବାକୁ ବାପ ଭଳି କଳା, କୌଣସି ଦିଗରୁ ଆକର୍ଷଣୀୟ ନୁହେଁ । କପାଳରେ ହାତ ମାରି ଭାବିଲି, ହାଇରେ ବିଧାତା ! ଶେଷକୁ ମୋ କପାଳକୁ ଏଇ ସ୍ତ୍ରୀ ରଖିଥିଲେ । ମୁଁ ବୋଧେ ବାଇଆ ହେଇଯିବି । ଟିକିଏ ଭଲ ଦେଖାଯାଆନ୍ତା ହେଲେ । ମୁଁ କଲେଜ ହିରୋ ଥିଲି । ଗୋରା ଦେହ, ୫ ଫୁଟ ଏଗାର ଇଞ୍ଚ ଉଚ୍ଚତା । କଲେଜରେ ପୁଅମାନଙ୍କ ମଧ୍ୟରେ ମୁଁ ସବୁଠୁ ସୁନ୍ଦର ବୋଲି ସମସ୍ତେ କହନ୍ତି । ମୁଁ ଯୁଆଡେ ଯାଏ, ଝିଅମାନେ ମୋତେ ବୁଲି ବୁଲି ଅନାନ୍ତି । ଶେଷକୁ ଏଇଆ ମୋ ଭାଗ୍ୟରେ ଅଛି ! ବର୍ତ୍ତମାନ ମୁଁ ବୁଝିପାରିଲି, ମୋର କାହିଁକି ଏ ଅବସ୍ଥା । ଏଇ ଝିଅକୁ ବିବାହ କରିବାକୁ କେହି ପସନ୍ଦ କଲେନି ବୋଧେ, ତେଣୁ ଗୁଣ୍ଡା ବାପ ଜବରଦସ୍ତ ବାହା କରିବା ଉଦ୍ୟମ କରିଛି । ସନ୍ଧ୍ୟା ବେଳୁ ଆରମ୍ଭ କରି ରାତିଯାକ ବସି ଭାବିଲି, କେମିତି ଏଥିରୁ ଉଦ୍ଧାର ପାଇବି ।

           ଏବେ ବୁଝିପାରିଲି, କାହିଁକି କାର୍ଡ଼ ଦେଖିଥିବା ସାଙ୍ଗ କୁନାଳର ମୁହଁ ଭୟାତୁର ହୋଇଯାଇଥିଲା । ସେ ବୋଧେ ଜାଣିଥିଲା, ଏଠି ଏମିତି ଜବରଦସ୍ତ ବାହାଘର କରିବାର ପ୍ରଥା ଅଛି । ଧରିଆଣି ବାହା କର । ପରେ ଜାଣିଲି, ସେଠାରେ ଏହାକୁ ପକୁଡ଼ୁ ସାଦି କହନ୍ତି । ‘ପକଡ଼ୋ ଅଉର ସାଦି କରାଓ’ ଅପଭ୍ରଂଶ ହୋଇ ପକୁଡ଼ୁ ସାଦି ହୋଇଯାଇଛି । 

           ବହୁତ ଭାବିବା ପରେ ଏହାକୁ ମୁଁ ଗୋଟେ ଚାଲେଞ୍ଜ ଭାବରେ ଗ୍ରହଣ କଲି । ମୁଁ ଯଦି ଠିକ ବାପର ପୁଅ ହୋଇଥିବି, ତା’ହେଲେ ଯେ କୌଣସି ମତେ ଏଠାରୁ ଉଦ୍ଧାର ପାଇବି । ଝିଅ ସୁନ୍ଦର ଅସୁନ୍ଦର କଥା ଅଲଗା, ମୋର ଭାଗ୍ୟରେ ଅସୁନ୍ଦରୀ କନ୍ୟା ଥିଲେ ନିଶ୍ଚୟ ବାହାହେବି । କେହି ରୋକିପାରିବେନି । ଏମିତି ଜବରଦସ୍ତ ବାହାଘର ଅର୍ଥ ମୋର ସ୍ଵାଧିକାର ଭଙ୍ଗ ଓ ମୋର ଅବମାନନା । ଏହା ମୋର ଅପମାନ ଓ ମୋ ପିତାମାତାଙ୍କର ଅପମାନ । ଏ ଦେଶର ଆଇନ କାନୁନର ଅବମାନନା । ହାତ ମୁଠା ମୁଠା ହୋଇଆସିଲା । ଦେଖିବା, କେମିତି ଏ ବାହାଘର ହେବ ! ମୋ ପାଟିରୁ କ୍ରୋଧରେ ବାହାରୁଥିବା ନିଷ୍ଫଳା ଭଦ୍ର-ଅଭଦ୍ର ମିଶ୍ରିତ ଗାଳି ସେହି ବଖରାର କାନ୍ଥରେ ବାଜି ପ୍ରତିଧ୍ଵନିତ ହେଉଥିଲା, ଯାହା ଶୁଣିବାକୁ ଆଉ କେହି ନଥିଲେ ।

           ଏଇ ମୁଖିଆର ଦାଦାଗିରିର ଯଦି ମୁଁ ମୁକାବିଲା ନକରିପାରିଲି ତା’ହେଲେ ମୁଁ କି ପାଠ ପଢ଼ିଛି । ମୋ ବିଦ୍ୟା ବୁଦ୍ଧିର ମୂଲ୍ୟ କଅଣ ! ବଳଠାରୁ ବିଦ୍ୟା ଓ ବୁଦ୍ଧିର ମୂଲ୍ୟ ଅଧିକ, ଏହା ମୁଁ ଦେଖେଇଦେବି । ଫକୀରମୋହନ ଓ ଛତ୍ରପତି ଶିବାଜୀ ମହାରାଜ ମଧ୍ୟ ବନ୍ଦୀଶାଳାରେ ଥାଇ ନିଜ ବୁଦ୍ଧି ବଳରେ ମୁକ୍ତି ପାଇଥିଲେ, ମୁଁ କାହିଁକି ମୁକ୍ତ ନହେବି ! ଏହାକୁ ମୁଁ ଏକ ଚାଲେଞ୍ଜ ଭାବରେ ଗ୍ରହଣ କରି ସୁଯୋଗକୁ ଅପେକ୍ଷା କରି ରହିଲି । ଆଶା କଲି, ସମୟହିଁ ଏହାର ସମାଧାନ କରିବ ।  

           ଉତ୍ତେଜନା ଦୂରକରି ମୁଁ ମନକୁ ଶାନ୍ତ କରିବାକୁ କିଛି ସମୟ ଯୋଗାସନରେ ବସିଲି । ନିବିଷ୍ଟ ମନରେ ଭଗବାନଙ୍କୁ ପ୍ରାର୍ଥନା କଲି ଓ ଭବିଷ୍ୟତ କର୍ମପନ୍ଥା ସ୍ଥିର କରିବାକୁ ଲାଗିଲି । ଗୋଟିଏ ଛୋଟ ଆଶାର କିରଣ ଦେଖାଗଲା । ଭାବିଲି, ଭଦ୍ର ବ୍ୟବହାର କରି ସେମାନଙ୍କୁ ଅସତର୍କ କରି ରଖିବି । ମୋ ଉପରେ ତାଙ୍କର ବିଶ୍ଵାସ ହେଲାଭଳି କାମ କରିବି । ଗୋଟିଏ ‘ମୋନାଲିସା’ ସ୍ମିତ ହସ ମୁହଁରେ ଫୁଟେଇଲି । ପୂର୍ବରୁ ନାଟକରେ ଭାଗ ନେଉଥିଲି ଯାହା ଏହି ସମୟରେ କାମରେ ଆସିଲା । ସେଇ ହସ ତାଙ୍କ ପ୍ରତି ଏଠାରେ ଥିବା ଯାଏ ପ୍ରୟୋଗ କରିବାକୁ ଭାବିରଖିଲି ।

 

           ତାପରଦିନ ମୁଖିଆ ଆଉଥରେ ଆସିଲେ । ମୁଁ ଆଉଥରେ ନମସ୍କାର କଲି । ତାଙ୍କୁ ଦେଖି ହସିଲି । ସେ ଆଶ୍ଚର୍ଯ୍ୟ ହୋଇ ମୋ ଆଡ଼େ ସନ୍ଦେହ ଦୃଷ୍ଟିରେ କିଛି ସମୟ ଅନେଇଲେ । ତାପରେ ଆଶ୍ଵସ୍ତ ହେଲାପରି ଲାଗିଲେ । କହିଲେ, “ତୁମେ ଏ ବାହାଘରରେ ରାଜି ତ ?” “ଆଜ୍ଞା, ଆପଣଙ୍କ ଭଳି ମୁଖିଆ ଶ୍ଵଶୁର ଭାଗ୍ୟରେ ଥିଲେ ମିଳେ । ମୁଁ ତ ମନେ ମନେ ଆପଣଙ୍କ ଭଳି ଶ୍ଵଶୁର ଖୋଜୁଥିଲି । ଆପଣ ଅଜସ୍ର ସମ୍ପତ୍ତି ଦେବେ କହୁଛନ୍ତି ଓ ଆପଣଙ୍କ ଝିଅ ମଧ୍ୟ ବେଶ ସୁନ୍ଦରୀ । ଏତେ ସୁନ୍ଦରୀ ଝିଅ ଦେଖିଲେ ଯେ କେହି ରାଜି ହେବ ।” କିନ୍ତୁ ‘ମୁଁ ରାଜି’, ଏ କଥା କହିଲିନି, କାରଣ ମୁଁ ମୋ ନିଜ ପାଇଁ ମିଛ କହିବାକୁ ଭଲପାଏନି । ତାଙ୍କ ମୁହଁ ପ୍ରସନ୍ନ ଦେଖାଗଲା । କେହି ବୋଧେ ତାଙ୍କ ଝିଅକୁ କେବେହେଲେ ସୁନ୍ଦରୀ କହିନଥିଲେ । ସୁନ୍ଦର ଓ ଅସୁନ୍ଦର ତ ଦେଖଣାହାରୀର ମନ ଉପରେ ନିର୍ଭର କରେ । ଯେତେ ଅସୁନ୍ଦର ହେଉ ପଛେ, ବାପା ଓ ମାଆଙ୍କୁ ନିଜ ସନ୍ତାନ ସନ୍ତତି କେବେହେଲେ ଅସୁନ୍ଦର ଦେଖାଯାଆନ୍ତିନାହିଁ । ତାଙ୍କ ପ୍ରସନ୍ନତା ଦେଖି ମୋର ତୀର ଠିକ ଲକ୍ଷ୍ୟ ଫଳକରେ ବାଜିଥିବ ବୋଲି ମୋର ହୃଦ୍‌ବୋଧ ହେଲା । 

           ତାପରେ ସେ କହିବାକୁ ଲାଗିଲେ, “କାଲି ଦିନ ବେଳା ଆମ ଗ୍ରାମର ପ୍ରଥା ଅନୁସାରେ ତିଳକ ଉତ୍ସବ ହେବ । ପଡୋଶୀ ଗ୍ରାମର ମୁଖିଆମାନେବି ଆସିବେ । ସାମନା ସାମାନି ହୋଇ ସମସ୍ତେ ଦୁଇ ଧାଡ଼ିରେ ବସିବେ । ଦୁଇ ଧାଡ଼ିର ଗୋଟିଏ ମୁଣ୍ଡରେ ତୁମେ ବସିବ । ଆର ମୁଣ୍ଡରେ ମୁଁ, ମୋ ସ୍ତ୍ରୀ ଓ ଝିଅ ବସିବୁ । ମଝିରେ ବ୍ରାହ୍ମଣ କିଛି ପୂଜା କରିବ । ପୂଜା ସରିଲେ ତୁମକୁ ଗୋଟିଏ ଫୁଲ ମାଳ ଓ ସିନ୍ଦୁର ଦିଆଯିବ । ତୁମେ ସିନ୍ଦୁର ଡିବା ଓ ଫୁଲ ମାଳ ଧରି ମୋ ଝିଅ ପାଖକୁ ଆସିବ । ଝିଅ ସିନ୍ଥିରେ ସିନ୍ଦୁର ଲଗେଇଦେବ ଓ ବେକରେ ମାଳଟି ପକେଇଦେବ । ବାସ ଏତିକି କାମ ତୁମର । ତାପରେ ଅନ୍ୟାନ୍ୟ ବିବାହ କର୍ମ ଓ ଭୋଜି ଆରମ୍ଭ ହେବ ।” ଏତିକି କହି ହସ ହସ ମୁହଁରେ ମୁଖିଆ ଗଡ଼ ଜିତିଲା ଭଳି ବଡ଼ ବଡ଼ ପାହୁଣ୍ଡ ପକେଇ ବାହାରିଗଲେ । ସନ୍ତୋଷ ଓ ତୃପ୍ତିରେ ତାଙ୍କ ମୁହଁ ଉଜ୍ଜ୍ଵଳ ଦେଖାଯାଉଥିଲା ।

           କ୍ଷଣକ ପାଇଁ ମୋ ବିବେକ ମୋତେ ଦଂଶନ କରି କହିଲା, “ତୁ ସେ ନିଷ୍ପାପ ଝିଅକୁ ଧୋକା ଦେବାକୁ ଯାଉଛୁ । ବିଚାରୀ ବାହା ଦେବ ବୋଲି କେଡ଼େ ଆଗ୍ରହରେ ଅନେଇ ବସିଥିବ । ବାପ ସିନା ଦୋଷ କଲା, ଝିଅର ଦୋଷ କଅଣ !” ନିଜକୁ ଦୋଷୀ ବୋଲି ଭାବିଲି । କିନ୍ତୁ କଅଣ କରାଯିବ !ଧୋକାରୁ ଯାହାର ଆରମ୍ଭ, ତାହାର ଶେଷ ତ ଧୋକାରେ ପରିଣତ ହେବା ଅବଶ୍ୟମ୍ଭାବୀ । ମନେ ମନେ ପ୍ରଭୁଙ୍କୁ ଡାକି କହିଲି, “ପ୍ରଭୁ ମୋତେ କ୍ଷମା କର । ତୁମେ ତ କହିଛ, ‘ଅନ୍ୟାୟ ସହିବା ବି

ଦୋଷାବହ’ ।”

           ତା’ପର ଦିନ ପ୍ରାୟ ଦିନ ଦଶଟା ବେଳେ ଭାଲୁ ଆସି ଗୋଟିଏ ଧୋତି ଓ ପଞ୍ଜାବୀ ଦେଲା ଓ ତାକୁ ପିନ୍ଧି ଉତ୍ସବକୁ ଯିବାକୁ କହିଲା ଓ କବାଟ ବନ୍ଦ କରି ଚାଲିଗଲା । ମୁଁ ଦର୍ପଣ ଆଗରେ ଠିଆ ହୋଇ ଦାଢ଼ି କାଟିଲି, ଦେହ ଓ ମୁହଁକୁ ସାବୁନରେ ଭଲ ରୂପେ ଘଷି ସଫା କରିଦେଲି । ମୁଣ୍ଡ ବାଳକୁ ପାନିଆରେ କୁଣ୍ଡେଇ ଦେଲି । ପୋଷାକ ପିନ୍ଧି ଯେତେଦୂର ସମ୍ଭବ ନିଜକୁ ସଜେଇ ନେଲି । ମୋର ପ୍ୟାଣ୍ଟ ସାର୍ଟରେ ଯାହା ଥିଲା, ସେ ସବୁ କାଢ଼ି ମୁଁ ପଞ୍ଜାବୀ ପକେଟରେ ରଖିଲି, ହାତ ଘଣ୍ଟା ପିନ୍ଧିଲି ଓ ଅପେକ୍ଷା କରି

ରହିଲି ।

           ଅଧ ଘଣ୍ଟା ପରେ କାଲୁ ଓ ଭାଲୁ ଆସି ମୋର ଦୁଇ ପାଖରେ ରହି ଦୁଇ ହାତକୁ ଧରି ଚାଲିଲେ । ମୋତେ ନିଜକୁ ‘ବଳି ବୋଦା’ ଭଳି ଲାଗୁଥାଏ । ମୁଁ ପ୍ରାୟ ଟାଣିହୋଇ ଚାଲୁଥାଏ । ଗାଁ ମଝିରେ ଗଲାବେଳେ ଲୋକମାନେ ମୋତେ ଅନଉଥାଆନ୍ତି । ଶେଷରେ ଗାଁ ମୁଣ୍ଡରେ ଥିବା ପଡ଼ିଆରେ ପହଞ୍ଚିଲୁ । ସେଠାରେ ଆଗରୁ ଲୋକମାନେ ଦୁଇ ଧାଡ଼ି ହୋଇ ଦରି ଉପରେ ବସିଥାଆନ୍ତି । ମଝିରେ ମଝିରେ ଜଣେ ଜଣେ ଭଲ ସଫା ବେଶ ପୋଷାକ ପିନ୍ଧି ପଗଡ଼ି ଲଗେଇ ଚଉକି ଉପରେ ବସିଥାଆନ୍ତି । ମୁଁ ଅନୁମାନ କଲି, ସେମାନେ ପଡୋଶୀ ଗାଁର ମୁଖିଆ ହୋଇଥିବେ । ଏହିଭଳି ଚାରି ଜଣ ପଗଡ଼ି ପିନ୍ଧା ଲୋକ ଥାଆନ୍ତି । ମୋର ନଜର ଜଣେ ନିର୍ଦ୍ଦିଷ୍ଟ ପଗଡ଼ି ପିନ୍ଧା ଲୋକ ଉପରେ ପଡ଼ିଲା । ତା’ ପାଖରେ ଗୋଟିଏ ସୁନ୍ଦରୀ ଝିଅ ଠିଆହୋଇଥିଲା । ଏତେ ଲୋକ ମଧ୍ୟରେ ସେ ଝିଅଟି ବାରି ହୋଇଯାଉଥିଲା । ତାଙ୍କ ଦୁଇ ପାଖରେ ଚାରି ଜଣ ସ୍ୱାସ୍ଥ୍ୟବାନ ଲୋକ ଠେଙ୍ଗା ଧରି ଠିଆହୋଇଥିଲେ । ବୋଧହୁଏ ତାଙ୍କ ବଡିଗାର୍ଡ଼ ହୋଇଥିବେ । ସେଇ ଝିଅକୁ ଦେଖିବା ପରେ ମୋତେ ଏଠାରୁ ଖସିବାର ଗୋଟେ ଉପାୟ ଦେଖାଗଲା । ଭଗବାନଙ୍କୁ ସ୍ମରଣ କରି ମୋର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିରକରିନେଲି ଓ ଫଳାଫଳ ଭଗବାନଙ୍କ ଉପରେ ଛାଡ଼ିଦେଲି । ଗୀତାରେ ଅଛି, ‘କର୍ମଣ୍ୟେ ବାଧିକାରସ୍ତେ, ମା ଫଳେଷୁ କଦାଚନ ....’ । 

           ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ପୂଜା ଆରମ୍ଭ ହେଲା । ମୁଁ ସେଇ ଝିଅକୁ ଏକ ଲୟରେ ଅନେଇ ରହିଥାଏ । କିଛି ସମୟ ପରେ ସେ ଝିଅ ମୋତେ ଅନେଇଲା ଓ ମୁଁ ତାକୁ ଅନେଇଛି ଦେଖି ସେ ମଧ୍ୟ ମୋତେ ଅନେଇ ରହିଗଲା । ଚାରି ଆଡକୁ ଆଖି କୋଣରେ ଦୃଷ୍ଟିପାତ କଲି । ଦେଖିଲି ଆମ ଆଡ଼େ କେହି ଦେଖୁନାହାନ୍ତି । ତା’ପରେ ମୁଁ ଠାରରେ ମୋର ବିଶି ଆଙ୍ଗୁଠି ନିଜ ଆଡକୁ ଦେଖେଇଲା ପରେ ତା ଆଡକୁ ଦେଖେଇଲି ଓ ଦୁଇ ପାପୁଲିକୁ ଯୋଡ଼ି ପାନ ଭଳି ଆକାର କରିଦେଲି, ମାନେ ଇଙ୍ଗିତରେ ତାକୁ ଭଲ ପାଏ ବୋଲି ଜଣେଇଦେଲି । ସେ ହୁଏତ ମୁଁ ଖରାପ ବ୍ୟବହାର କରୁଛି କହି ତା ବାପାକୁ ଜଣେଇପାରିବା ସମ୍ଭାବନା ଥିଲା, ମୁଁ ମାଡ଼ ଖାଇବା ସମ୍ଭାବନା ଥିଲା, କିନ୍ତୁ ମୋର ଏଠାରୁ ଖସିବା ରିସ୍କ ନେବା ଅତି ଆବଶ୍ୟକ ଥିଲା । ଏ ପାଖ ନ ହେଲେ ସେ ପାଖ । ପ୍ରାଣ ଯିବ ବା ପଳାୟନ କରିବି ।

           ମୁଁ ତା ମୁହଁକୁ ଅପଲକ ଦୃଷ୍ଟିରେ ଅନେଇଥାଏ । ସେ ଝିଅ ଟିକିଏ ଆଶ୍ଚର୍ଯ୍ୟ ହୋଇ କିଛି ସମୟ ପର୍ଯ୍ୟନ୍ତ ମୋ ମୁହଁକୁ ଅନେଇଲା । ଲାଜରେ ମୁହଁ ଅଳ୍ପ ସମୟ ପାଇଁ ତଳକୁ କରିବା ପରେ ଚାରି ଆଡ଼କୁ ଅନେଇ, କେହି ଆମକୁ ଦେଖୁଛନ୍ତି କି ନାହିଁ ପରୀକ୍ଷା କରିନେଲା । ତା’ପରେ ସେ ନିଜେ ମୁଁ କରିଥିବା ଭଳି ଇଙ୍ଗିତ ମୋତେ ଦେଇ ହସିଦେଲା । ନିଜର ଖୁସିକୁ ବହୁତ କଷ୍ଟରେ ଚାପି ଧରିଲି ଓ ଅପେକ୍ଷା କରିବାକୁ ଇଙ୍ଗିତ ଦେଇ ମୁଁ ଅନ୍ୟ ଦିଗକୁ ଅନେଇଲି । ଡର ଥାଏ, କାଳେ କିଏ ଆମ ଇଙ୍ଗିତ ଦେଖୁଥିବ । ଭାଗ୍ୟ ଭଲ, ସେତେବେଳକୁ ସମସ୍ତେ ଟିକିଏ ଟିକିଏ ସୁରାପାନରେ ବ୍ୟସ୍ତ ଥାଇ ପୂଜା ଦେଖୁଥିଲେ ।

           କିଛି ସମୟ ପରେ ପୁରୋହିତ ବରକୁ ଆଣିବାକୁ କହିଲେ । କାଲୁ ଆସି ମୋ ହାତରେ ଗୋଟିଏ ଫୁଲ ମାଳ ଓ ଗୋଟିଏ ଟିକି ସିନ୍ଦୁର ଡବା ଧରେଇଦେଇ ମୁଖିଆଙ୍କ ଝିଅ ଆଡ଼କୁ ଯିବାକୁ ଯିବାକୁ କହିଲା । ସମସ୍ତଙ୍କ ଆଖି ମୋ ଉପରେ ଥାଏ । ମୁଁ ଧୀରେ ଧୀରେ ଆଗକୁ ବଢ଼ିଲି । ଛାତି ଧଡ଼ ଧଡ଼ କରୁଥାଏ । ସାମାନ୍ୟ ଝାଳ ବୋହୁଥାଏ । ଧୀରେ ଧୀରେ ଯାଇ ଯେତେବେଳେ ସେ ସୁନ୍ଦରୀ ଝିଅ ସିଧାରେ ପହଞ୍ଚିଲି, ସେତେବେଳେ ହଠାତ ଦିଗ ପରିବର୍ତ୍ତନ କରି ସେଇ ଝିଅ ପାଖକୁ ଦୌଡ଼ିଯାଇ ତା ଗଳାରେ ମାଳ ପକେଇଦେଲି ଓ ହାତକୁ ଜୋରରେ ଥରେଇ ଥରେଇ ସିନ୍ଦୁର ଡିବା ଏମିତି ଖୋଲି ତଳକୁ ପକେଇଦେଲି, ଯେମିତି ଜଣାଯିବ ଭୁଲରେ ସିନ୍ଦୁର ଡିବା ଖୋଲୁ ଖୋଲୁ ହାତରୁ ଖସିପଡ଼ିଲା । ତା’ପରେ ତଡ଼ିତ୍ ବେଗରେ ତା ବାପାଙ୍କ ଗୋଡ଼ ଧରି ‘ଶରଣ’ ‘ଶରଣ’ କହି ଭୂମିରେ ବସିପଡ଼ିଲି ।

           ଏତେ ଶୀଘ୍ର ଏ ଘଟଣା ଘଟିଗଲା ଯେ ହଠାତ କେହି କିଛି ବୁଝିପାରିଲେନି । ଯେତେବେଳେ ବୁଝିଲେ, ସେତେବେଳେ କାଲୁ ଓ ଭାଲୁ ଠେଙ୍ଗା ଧରି “ମାର ଶଳାକୁ” କହି ମୋ ଦିଗକୁ ଦଉଡ଼ି ଆସିଲେ । ଝିଅର ବାପା ଓ ନିଜେ ଝିଅ ମୋତେ ଆଢ଼ୁଆଳ କରି ଠିଆହୋଇଗଲେ ଓ ତାଙ୍କ ଅନୁଚରମାନଙ୍କୁ ଇଙ୍ଗିତରେ ସେମାନଙ୍କ ମୁକାବିଲା କରିବାକୁ କହିଲେ । ବଡ଼ ପାଟିରେ କହିଲେ, “ଏ ପୁଅ ମୋ ଶରଣ ପଶିଛି । ଶରଣାଗତକୁ ରକ୍ଷା କରିବା ମଣିଷର କର୍ତ୍ତବ୍ୟ । କେହି ତା ଦେହରେ ଟିପ ଲଗେଇଲେ ମୁଣ୍ଡ କାଟିଦେବି ।” 

           ଝିଅକୁ ଅନେଇ ପ୍ରଶ୍ନ କଲେ, “ତୁ ଏ ପୁଅକୁ ଦେଖ ଓ ତାକୁ ବାହା ହେବାକୁ ରାଜି କି ନାହିଁ, କହ ?” ଝିଅର ମୁହଁ ଲଜ୍ଜା ବଶତଃ ଆରକ୍ତ ହୋଇଗଲା ଓ କହିଲା, “ବାପା, ସେ ବିପଦରେ ପଡ଼ି ଆମ ଆଶ୍ରା ନେଇଛନ୍ତି । ଖାଲି ଫୁଲ ମାଳ ପକେଇଲେ କଅଣ ବିବାହ ହୁଏ ? ଆମେ ପରେ ସେ ବିଷୟ ବିଚାର କରିବା । ଏବେ ଚାଲ ଶୀଘ୍ର ଏଠାରୁ ପଳେଇବା । ମୋତେ ଯଦି ପାଇବାକୁ ତାଙ୍କର ଇଚ୍ଛା ଥିବ ତେବେ ସେ ତାଙ୍କ ପିତା ମାତାଙ୍କ ସମ୍ମତି ନେଇ ଆସି ମୋ ହାତ ମାଗିବେ । ଏବେ ସେ କଥା

ଥାଉ ।” ତାଙ୍କ ବାପା ତା ଆଡ଼କୁ ଅବିଶ୍ଵସନୀୟ ସ୍ନେହରେ ଅନେଇ କହିଲେ, “ଆରେ ମୋ ସୁନା ଝିଅ, ତୋର ଏତେ ସୁନ୍ଦର ବୁଦ୍ଧି ହୋଇଗଲାଣି, ମୁଁ ଜାଣିନଥିଲି ।”

           ପଡ଼ିଆରେ ହୋ ହଲ୍ଲା ଚାଲିଥିଲା । କେହି ‘ମାର, ମାର’ କହୁଥିବା ଶୁଣାଗଲା ଓ ଆଉ କେହି ‘ମାରିଲେ ରକ୍ତପାତ ହେବ’, ଏ କଥା କହୁଥିଲା । ସେହି ଗ୍ରାମରେ ଏଭଳି ଘଟଣା ପ୍ରଥମ ଥର ନିମନ୍ତେ ଘଟିଥିଲା । କହିବା ବାହୁଲ୍ୟ, ମୋ ହାତ ଧରି କନ୍ୟା ପିତା ମୋ ସହ ଠିଆହେଲେ । ଏହା ପରେ ବିଜୟ ଗର୍ବରେ ମୁଁ ସେଇ ଝିଅଙ୍କ ପରିବାର ସାଥିରେ ତାଙ୍କ ଗ୍ରାମକୁ ଚାଲିଲି ଓ ଗଲା ପୂର୍ବରୁ ମୋର ଅପହରଣକାରୀଙ୍କୁ ତାତ୍ସଲ୍ୟ ଦୃଷ୍ଟିରେ ଅନେଇ ଅନେଇ ଯାଉଥିଲି । ସେତେବେଳେ ତାଙ୍କ ମୁହଁ ଦେଖିବାର ଯୋଗ୍ୟ ଥିଲା । ପାଟି ଭିତରେ ଥିବା ସ୍ଵାଦିଷ୍ଟ ଖାଦ୍ୟକୁ ଆଙ୍ଗୁଠି ପୁରେଇ କାଢ଼ିନେଲେ କ୍ଷୁଧାର୍ତ୍ତ ଲୋକର ଯେଉଁ ଅବସ୍ଥା ହୁଏ, ସେହି ଅବସ୍ଥା ସେମାନଙ୍କର ହୋଇଥିଲା ।

           ଏତିକିବେଳେ ଏକ ପୋଲିସ ଦଳ ଆସି ସେଇ ଗାଁରେ ପହଞ୍ଚି ମୋତେ ଉଦ୍ଧାର କରି ଥାନାକୁ ନେଇଗଲେ । ଯେଉଁ ସାଙ୍ଗ ସୁଦେଶର ବାହାଘର ବରଯାତ୍ରୀ ହୋଇ ଆସିଥିଲି, ସେହି ସାଙ୍ଗ ମୋତେ ଦେଖିବାକୁ ନପାଇ ବହୁତ ଖୋଜାଖୋଜି କଲା ଓ ପାଇଲାନି । ତା’ ପରେ ମୋ ଘରକୁ ଯୋଗାଯୋଗ କରି ମୋତେ ନପାଇବାରୁ ପୋଲିସକୁ ଖବର ଦେଇଥିଲା । ମୁଁ ବାହାଘରରୁ ଠିକଣା ସମୟରେ ଘରକୁ ନ ଫେରିବାରୁ ଓ ଦୁରଭାଷ (ମୋବାଇଲ) ସଂଯୁକ୍ତ ନହେବାରୁ ବାପା ମଧ୍ୟ ପୋଲିସରେ ଏଫଆଇଆର ଦେଇଥିଲେ । ଏ ଘଟଣା ପରେ ମୁଁ ମଧ୍ୟ ମୋ ପ୍ରତି କରାଯାଇଥିବା ଅବିଚାର ବିଷୟ ଲେଖି ଏଫଆଇଆର ଦେଲି ।

           ପରେ ଶୁଣିଲି ମୋ ମୋବାଇଲ ଛଡ଼େଇ ରଖିବା ଅପରାଧରେ ଭାରତୀୟ ପିଙ୍ଗଳ କୋଡ଼ର ୩୮୪ ଦଫାରେ କାଲୁକୁ  ଓ ଜଣେ ଅଫିସରକୁ ଜବରଦସ୍ତ ଅଟକ ରଖିବା ଅପରାଧରେ ୩୪୧ ଦଫା ଓ ଅପହରଣ କରିବା ଅପରାଧରେ ୩୬୩ ଦଫାରେ ମୁଖିଆକୁ ବି ଆରେଷ୍ଟ କରାଯାଇଥିଲା ।  

            ମୋ ପାଖରେ ଏହି ଘଟଣା ପରେ ଦୁଇଟି ବିକଳ୍ପ ଥିଲା, ଉକ୍ତ ଝିଅକୁ ବାହା ହେବି ନା ହେବିନି । ମୋତେ ରକ୍ଷା କରିଥିବାରୁ ବିବାହ କରିବା ଉଚିତ । କିନ୍ତୁ ଗୋଟେ ଖିଆଲ ଉପରେ ବିବାହ ହୁଏନି । ଏହା ଏକ ସାମାଜିକ ଅନୁଷ୍ଠାନ । ସେ ଝିଅ କଅଣ ପଢ଼ିଛି, ତା’ର ଗୁଣ ଓ ଚାଲିଚଳନ କେମିତି ? ଆମ ଘର ସାଥିରେ ମିଶି ପାରିବ କି ନାହିଁ ? ତା’ର ବାପାର ସାମାଜିକ ସ୍ଥିତି କଅଣ ? ସେ ବି ଗୋଟିଏ ଗୁଣ୍ଡା ହୋଇଥାଇପାରେ । ଏ ସବୁ ପ୍ରଶ୍ନ ମନରେ ଉଙ୍କି ମାରୁଛି । ସମାଜ, ବାପା, ମାଆ ସମସ୍ତଙ୍କ ସ୍ଵୀକୃତି ନେଇ ବିବାହ କରାଯାଏ । ସେ ଝିଅ ବେକରେ ମୁଁ ଫୁଲ ମାଳ ଦେଇଥିଲି, କିନ୍ତୁ ଜାଣିଶୁଣି ସିନ୍ଥିରେ ସିନ୍ଦୁର ଦେଇନଥିଲି । ତେଣୁ ତାଙ୍କ ଚଳନ୍ତି ପ୍ରଥା ଅନୁସାରେ ମୁଁ ତାକୁ ବିବାହ କରିନି । ଏହା ବ୍ୟତୀତ ପରିସ୍ଥିତିର ଦାସ ହୋଇ ନିଜର ସ୍ଥିତିରକ୍ଷା ନିମନ୍ତେ କିଛି କାମ କଲେ ତାହା ଦୋଷାବହ ନୁହେଁ । ଏ ସବୁ ଦ୍ଵନ୍ଦ୍ଵରେ ମୁଁ ପଡ଼ିଛି । ସମସ୍ତଙ୍କୁ ବର୍ତ୍ତମାନ ପ୍ରଶ୍ନ କରୁଛି, ଏଭଳି ଅଭାବନୀୟ ପରିସ୍ଥିତିରେ ପଡ଼ିଲେ ନିଜେ କଅଣ କରିବେ ଓ ମୁଁ ସେ ଝିଅକୁ ବିବାହ କରିବା ଉଚିତ କି ନାହିଁ ? କିନ୍ତୁ ଯାହାହେଉ, ମୋତେ ଅବାଞ୍ଛନୀୟ ପରିସ୍ଥିତିରୁ ରକ୍ଷା କରିବାରେ ସାହାଯ୍ୟ କରିଥିବାରୁ ସେ ଝିଅ ଓ ତାଙ୍କ ବାପାଙ୍କ ପାଖରେ ମୁଁ ଚିରଋଣୀ ହୋଇ ରହିଗଲି ଓ କୌଣସି ଆକାରରେ ବା ମତରେ ଯଦି ତାଙ୍କର ଉପକାର କରାଯାଇପାରେ ତେବେ ମୁଁ ସେଥିପାଇଁ ପ୍ରସ୍ତୁତ । ବିକ୍ରମ ଓ ବତ୍ରିଶ ସିଂହାସନ ଗଳ୍ପରେ ଥିବା ବିକ୍ରମାଦିତ୍ୟଙ୍କୁ ପିତୁଳାର ପ୍ରଶ୍ନ ଭଳି ଏହାର ମୁଁ ସମାଧାନ ଖୋଜୁଛି । 

ବରଯାତ୍ରୀ ବୁଦ୍ଧି ମୁକ୍ତି ପ୍ରଶ୍ନ

Rate the content


Originality
Flow
Language
Cover design

Comments

Post

Some text some message..