Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Seetaram Dash

Others

4  

Seetaram Dash

Others

ଭକ୍ତି ଓ ଭଗବାନ

ଭକ୍ତି ଓ ଭଗବାନ

5 mins
690



    ମଞ୍ଜୁ ମାଉସୀ ଥିଲେ ଜଣେ ଅତ୍ୟନ୍ତ ଧାର୍ମିକ ପ୍ରକୃତିର ମହିଳା। ଖୁବ ଈଶ୍ୱର ବିଶ୍ୱାସୀ। ଅତ୍ୟନ୍ତ ପରିଷ୍କାର ପରିଚ୍ଛନ୍ନ। ଖୁବ ନିଷ୍ଠାରେ ପୂଜା ପାଠ କରନ୍ତି। ସକାଳର ଠାକୁର ପୂଜା ନ ସରିଲେ ପାଣି ଟିକେ ବି ପିଅନ୍ତିନି। ବୟସର ଅପରାହ୍ନରେ ବି ରାତି ଚାରିଟାରୁ ଉଠି ଫୁଲ ତୋଳିବାକୁ ଯାଆନ୍ତି। ଦୁର୍ବଳ ଶରୀରରେ ଗାଧୁଆ ପାଧୁଆ, ଠାକୁର ପୂଜା ସରିଲା ବେଳକୁ ଦିନ ଏଗାରଟା। ତେଣୁ ବର୍ଷର ବାର ମାସ ରୋଗ ବେମାର। ଆଜି ଝାଡା, କାଲି ଜ୍ଵର, ପର ଦିନ ବାନ୍ତି। ବନ୍ଧୁବାନ୍ଧବ ଠୁ ଆରମ୍ଭ କରି ଘର ଲୋକ ପର୍ଯ୍ୟନ୍ତ ସମସ୍ତେ ବୁଝାଇ ବୁଝାଇ ଥକି ଗଲେଣି।ପୁଅ ବୋହୂ କି ଘରର ଅନ୍ୟ ମାନେ ଠାକୁର ପୂଜା କଲେ ମନକୁ ପାଏ ନି ମାଉସୀର। ଏମିତି କି ଦିନେ ଅଧେ, ସୁବିଧା ଅସୁବିଧାରେ ଅନ୍ୟ କେହି ପୂଜା କଲେ ମାଉସୀ ରାତିରେ ସପ୍ନରେ ଦେଖନ୍ତି, ଠାକୁର ଶାନ୍ତି ନାହାନ୍ତି ଅନ୍ୟ ଲୋକଙ୍କ ପୂଜାର୍ଚ୍ଚନାରେ। ସ୍ୱୟଂ ଭଗବାନ ନିଜେ ଆସି ଜଣାଇ ଦିଅନ୍ତି ସ୍ୱପ୍ନରେ ମାଉସୀଙ୍କୁ।

   

   ମାଉସୀ ନିଜ ସନ୍ତାନ ମାନକୁ ବହୁତ ଭଲ ପାଆନ୍ତି। ମା ହିସାବରେ ବହୁତ ସ୍ନେହମୟୀ, ମମତମୟୀ ଏବଂ କଲ୍ୟାଣମୟୀ। ନିଜେ ନ ଖାଇ ପିଲାମାନଙ୍କୁ ଖୁଇବାରେ ତାଙ୍କର ଆନନ୍ଦ। ହେଲେ ବୋହୂ ମାନଙ୍କ ପ୍ରତି ସେତେ ସ୍ନେହ ଆଦର ନ ଥାଏ। ସାହି ଭାଇରେ କାହାକୁ ଭଲ କହିବା ଆମେ କେବେ ଶୁଣିନୁ। ନିଜ ବାରିରୁ ଠାକୁରପୂଜା ପାଇଁ ଫୁଲ ଦୁଇଟା କିଏ ନେଇ ଗଲେ ହୋଇଯାଏ ମହାଭାରତ। ମାଉସୀ ମଉସାଙ୍କୁ କେବେ ଭଲ କହିବା କେହି ଶୁଣି ନାହାନ୍ତି। ଜୀବନ ଯାତ୍ରାର ଶେଷ ପାହାଚରେ ପହଞ୍ଚିଲେ ବି ବୁଢା ବୁଢ଼ୀ ସବୁଦିନ କଳି ଝଗଡା କରନ୍ତି। ବୋହୁମାନେ ବାପ ଘରେ ନିଜର ଧନ ଦଉଲତ ଦେଉ ଦେଉଛନ୍ତି ବୋଲି ସବୁବେଳେ ଅଭିଯୋଗ। ମାଉସୀ ମାଛ ଶୁଖୁଆକୁ ଖୁବ ଘୃଣା କରନ୍ତି। ଯଦି କେବେ କେମିତି ଘରେ ଆମିଷ ହେଲା ଘରେ କଳି ହେବାଟା ନିଶ୍ଚିତ।


    ମଞ୍ଜୁ ମାଉସୀ ବାରିପଟେ ସଂଜୁ ମାଉସୀର ଘର। ସଂଜୁ ମାଉସୀର ଜାଗା କମ ଥିବାରୁ ମଞ୍ଜୁ ମାଉସୀର ଜାଗାରେ ଚଳ ପ୍ରଚଳ ହୁଅନ୍ତି। ଏଥିପାଇଁ ଅନେକ କଳି ଝଗଡା ହୁଏ। ଏପରିକି ଗାଧୁଆ ପାଣି ଟିକେ ନିଜ ଜାଗାକୁ ଆସିଲେ ମଞ୍ଜୁ ମାଉସୀ କରନ୍ତି ଭୀଷଣ ଯୁଦ୍ଧ। ନୀଚ ଜାତିର ଲୋକ ଦାଣ୍ଡ ପିଣ୍ଡାରେ ବସିଲେ କଥା ସରିଲା। ଅତି କମରେ ଦୁଇ ତିନି ଥର ଧୁଆ ନ ହେଲେ ନ ଚଳେ। ମାଉସୀ ଦୋକାନ ବଜାର ରୁ ଆସିଥିବା ଜଳଖିଆ ଖାଆନ୍ତି ନାହିଁ। କୁହନ୍ତି କିଏ ନାଇଁ କିଏ ରାନ୍ଧିଥିବ? ମୁଁ ଖାଇକି ମୋ କାୟା ମାରା କରିବି।


    

       ଏବେ କାର୍ତିକ ମାସ ଆରମ୍ଭ ହେଲା। ମଞ୍ଜୁ ମାଉସୀଙ୍କୁ ରାତିରେ ନିଦ ନାହିଁ। ରାତି ଚାରିଟାରୁ ଫୁଲ ତୋଳା, ବଡି ଭୋରୁ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ନେଇ ଖୁବ ବେସ୍ତ। ପୂଜାପାଠ ପାଇଁ ଧୂପ, ଦୀପ, ଝୁଣା, ଚୁଆ, ଚନ୍ଦନ ଏବଂ ବଳିତା ଠୁ ଆରମ୍ଭ କରି ସାଲୁ କନା ପର୍ଯ୍ୟନ୍ତ ସମସ୍ତ ଉପକରଣ କିଣା ସରିଲାଣି। ମାଉସୀର ନୀତି ନିୟମ ଆଗରେ ପୁରୀ ବଡ଼ ପଣ୍ଡା ବି ହାରିଯିବେ। ମାଉସୀକୁ ଭଗବାନ ସ୍ୱୟଂ କହିଛନ୍ତି ଟଗର ଫୁଲ କେଉଁ ଦେବତାଙ୍କ ପ୍ରିୟ, କନିଆରୀ କେଉଁ ଦେବତାଙ୍କ ପ୍ରିୟ, ସେବତୀ ଫୁଲ କେଉଁ ଦେବତାଙ୍କ ପ୍ରିୟ। କେଉଁ ରଙ୍ଗର ଫୁଲ କେଉଁ ଠାକୁରଙ୍କ ପାଖରେ ପୂଜା ପାଏ ତାର ବି ଲମ୍ବା ତାଲିକା ମାଉସୀ ପାଖରେ ଉପଲବ୍ଧ। ମାଉସୀଙ୍କର ଘରେ ଗ୍ରାମଦେବତୀଙ୍କ ପାଖରୁ ଆରମ୍ଭ କରି ଦେବ ଦେବ ମହାଦେବଙ୍କ ଫଟ ଦେଖିବାକୁ ମିଳେ।


    ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ପୁଅବୋହୁ ମାନେ ବୁଝାଇ ବୁଝାଇ ଥକି ଗଲେଣି, ଭଗବାନ କଣ ଧୂପ ଦୀପ ରାସି ଲଡୁରେ ଖୁସି ହୁଅନ୍ତି। ସେ ପରା ଭାବର ଠାକୁର।ସେ ଭାବରେ ବନ୍ଧା। ସେ ପରା ଦୀନବନ୍ଧୁ, ଆର୍ତ୍ତତ୍ରାଣ, ନିରାକାର, ଅନ୍ତ୍ରର୍ଯ୍ୟାମୀ। ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଯେ ମତେ ଭକ୍ତିରେ ଫଳ,ପୁଷ୍ପ କିମ୍ବା ପତ୍ର ଅର୍ପଣ କରିବ ମୁଁ ତାକୁ ଆଦରରେ ଗ୍ରହଣ କରିବି। ପ୍ରଭୁ ଶ୍ରୀରାମ ସଵାରୀ ହାତରୁ ଅଇଁଠା ଫଳ ଖାଇଥିଲେ। ଜଗତର ନାଥ ଜଗନ୍ନାଥ ଦାସିଆ ବାଉରି ହାତରୁ ନଡ଼ିଆ ନେଇଥିଲେ। ମା ଲକ୍ଷ୍ମୀ ଠାକୁରାଣୀ ଚଣ୍ଡାଳୁଣୀ ଘରକୁ ଯାଇଥିଲେ। ଏମିତି ଅନେକ ଉଦାହରଣ ଆମ ସଂସ୍କୃତି, ଆମ ପରମ୍ପରାରେ ରହିଛି। ସମସ୍ତେ ଭଗବାନଙ୍କ ସନ୍ତାନ। ଉଚ୍ଚ ନୀଚ ଆସିଲା କେଉଁଠୁ। ଜଣକୁ ଭଲ ପାଇବା ଜଣକୁ ଘୃଣା କରିବା। ଭଗବାନଙ୍କୁ ପାଇବାର ପ୍ରକୃତ ମାର୍ଗକୁ ଭୁଲିଯାଇ ଆମେ ଭୁଲ ବାଟରେ ଯାଉଛେ। ଭକ୍ତି କେବଳ ଲୋକ ଦେଖାଣିଆ ନ ହେଉ। ଭଗବାନଙ୍କୁ ପ୍ରେମ କର, ଭକ୍ତି କର, ଭଗବାନଙ୍କ ନାମ ଜପ କର।


    କିନ୍ତୁ ମାଉସୀ ବୁଝିବାକୁ ନାରାଜ। ତାଙ୍କର ମତ ମୁଁ କଣ ସଵରୀ ନା ଦାସିଆ ବାଉରୀ। ତମ ମାନଙ୍କର ପେଟ ପାଟି ଅଛି, ସେମିତି ତାଙ୍କର ବି ପେଟ ପାଟି ଅଛି। ନ ହେଲେ ଏତେ ଭୋଗ ରାଗ କଣ ପାଇଁ ମନ୍ଦିରରେ ହେଉଛି। ଜାଗା ପାଖରେ ଛପନ ଭୋଗ କଣ ପାଇଁ ଲାଗୁଛି। ଗୋଟେ କଦଳୀରେ ତ କାମ ସରନ୍ତା। ମାଉସୀ ସତେ ଯେମିତି ଜାଗାର ମାଉସୀ ମା। ଏତିକିରେ ସମସ୍ତେ ଚୁପ। ମଣିଷର ସ୍ଵଭାଵ ବଦଳିବା ଏତେ ସହଜ ନୁହେଁ। ତେଣୁ ସମସ୍ତେ ଚୁପ ରୁହନ୍ତି।


    ଏବେ ଲୋକମାନେ ମଞ୍ଜୁ ମାଉସୀ ବଦଳରେ ମଞ୍ଜୁ ମାତା ବୋଲି ଡାକୁଛନ୍ତି। ମାଉସୀ ଘରର ଟାଙ୍କି ପାଣିରେ ଠାକୁର ପୂଜା କରନ୍ତିନି।ପୂଜା ପାଇଁ ଦାଣ୍ଡ କଳରୁ ପାଣି ନିଜେ ଆଣିବେ। ଏମିତିକି ଛୋଟ ପିଲା ପାଣିକୁ ଛୁଇଁ ଦେଲେ, ସେ ପାଣି ଚଳିବନି। ପୁଣି ପାଣି ଆସିବ ଦାଣ୍ଡ କଳରୁ। ପରିବାରର ସମସ୍ତଙ୍କୁ ବଡ଼ ଦୁଃଖ ଲାଗେ। ଏ ବୟସରେ ଭୋକ ଉପାସ ରହି ଏତେ ନୀତି ନିୟମରେ ପୂଜା ଅର୍ଚ୍ଚନା କରିବା କଣ ଠିକ?


        ଦିନେ ସକାଳୁ ସକାଳୁ ଫୁଲ ତୋଳିଲା ସମୟରେ ମାଉସୀକୁ ସର୍ପ ଦଂଶନ କଲା। ସର୍ପଟି ଥିଲା ଅତ୍ୟନ୍ତ ବିଷଧର। ମାଉସୀଙ୍କ ଅବସ୍ଥା ହୋଇଗଲା ସଙ୍କଟାପନ୍ନ। ଅନେକ ଦିନ ଚିକିତ୍ସା ପରେ ଟିକେ ଭଲ ହୋଇ ମେଡ଼ିକାଲରୁ ଘରକୁ ଫେରିଲେ। ମାଉସୀଙ୍କର ମନ ବହୁତ ଦୁଃଖ। ମନରେ ଗୋଟିଏ ପ୍ରଶ୍ନ ଏତେ ପୂଜାର୍ଚ୍ଚନା, ଧର୍ମ କର୍ମ କଲା ପରେ ବିଧାତା ଏ ଦଣ୍ଡ କଣ ପାଇଁ ଦେଲା। ଲୋକମାନେ ବି ଅନେକ ଟାହି ଟାପରା କଲେ। ଗାଁର କିଛି ଲୋକ କହିଲେ ମହା ପାପୀଙ୍କୁ ସର୍ପ ଦଂଶନ ହୁଏ। ବୁଢ଼ୀ ତାର କର୍ମ ଫଳ ପାଇଛି। ଦେଖୁନ ପିଣ୍ଡାରେ ବସି ପଡିଲେ ତିନି ଥର ଧୋଇବ। ଏ ସବୁ କଥା ବହୁତ କଷ୍ଟ ଦେଲା ମାଉସୀଙ୍କୁ। ଲୋକମାନଙ୍କ କଥା ଶୁଣି ଅତ୍ୟନ୍ତ ମର୍ମାହତ ହେଲେ ମଞ୍ଜୁ ମାଉସୀ। ଅନ୍ତରାତ୍ମା କାନ୍ଦି ଉଠିଲା।


    କିଛି ଦିନ ପରେ ଜଣେ ସାଧୁ ଗାଁକୁ ଆସିଥିଲେ। ସାଧୁ ଥିଲେ ତେଜସ୍ୱି ଏବଂ ଗଭୀର ଜ୍ଞାନୀ। ମାଉସୀ ସାଧୁଙ୍କୁ ପଚାରିଲେ "ପ୍ରଭୁ ଏତେ କରି ବି କଣ ପାଇଁ ମତେ ଏ ଦଣ୍ଡ ମିଳିଲା। ଦିନ ରାତି ମୁଁ ତାରି ସେବା ପୂଜାରେ ଦିନ କାଟୁଛି। ନିଜ ପେଟକୁ ମାରି ଧୂପ, ଦୀପ, ସଞ୍ଜ ସଳିତା ଦେଉଥିଲି କଣ ଏଇଥି ପାଇଁ। ଭଗବାନଙ୍କ ର ଏ କି ନ୍ୟାୟ"??


      ସାଧୁ ମାଉସୀଙ୍କ ସବୁ କଥା ଶୁଣିସାରି କହିଲେ.... ଆମେ ମନ୍ଦିର ଯାଉଛେ, ସାଙ୍ଗରେ ପୂଜାର୍ଚ୍ଚନା ପାଇଁ ବହୁତ ଭୋଗରାଗ, ଧୂପଦୀପ ଏବଂ ଫୁଲଚନ୍ଦନ ନେଇ ଗର୍ବ ଅନୁଭବ କରୁଛେ। ଦାନ ପେଡିରେ ବିପୁଳ ଅର୍ଥ ଦାନ କରି ନିଜକୁ ଭକ୍ତ ବୋଲି ପ୍ରତିପାଦନ କରୁଛେ କିନ୍ତୁ କେବେ ନିଜକୁ ପ୍ରଶ୍ନ କରିଛେ ସତରେ କଣ ଭଗବାନ ଏଇ ଜିନିଷ ଆମଠାରୁ ଆଶା କରନ୍ତି। ଫୁଲଫଳ,ଧୂପଦୀପ ଏବଂ ସଂସାରର ସମସ୍ତ ସ୍ଥାବର ଅସ୍ତାବର ସମ୍ପତ୍ତି ତାଙ୍କର ଦୟା। ସବୁକିଛି ତାଙ୍କ ଇଚ୍ଛା ଅନୁସାରେ ପାଇଛୁ। ସେ କେବଳ ଆମ ଠାରୁ ଭକ୍ତି ଏବଂ ଶ୍ରଦ୍ଧା ଚାହାଁନ୍ତି। ଫୁଲଫଳ,ଧୂପଦୀପ, ଚନ୍ଦନ ଆଉ ଚୁଆ ଆମେ ଯାହା ନେଉଛେ ଆମେ ଭାବିବା ଦରକାର ଏବଂ କହିବା ଦରକାର ହେ ପ୍ରଭୁ ଏ ସବୁ ତ ଆପଣଙ୍କର, ମୁଁ ଆପଣଙ୍କ ଜିନିଷ ଆପଣଂକୁ ଦେଲି। ମୋ ପାଖରେ ଯାହା ଅଛି ସେ ହେଉଛି ମୋର ମନ। ମନ ଛଡା ମୋ ପାଖରେ ମୋର ହୋଇ କିଛିବି ନାହିଁ। ଦେଖିବାକୁ ଗଲେ ମନଟା ବି ଆପଣଙ୍କର ଦାନ।


    ଭଗବାନଙ୍କୁ ଯାହା ଅର୍ପଣ କରୁଛେ ସେ ସବୁତ ଅଇଁଠା। କ୍ଷୀର ବାଛୁରିର ଅଇଁଠା, ଫୁଲ ଭ୍ରମରର ଅଇଁଠା, ପାଣି ମାଛମାନଙ୍କର ଅଇଁଠା। କିନ୍ତୁ ଏ ମନ ସବୁବେଳେ ପବିତ୍ର। ମନ ହେଉଛି ସ୍ୱଚ୍ଛ ଦର୍ପଣ। ଯଦି ପାରୁଛ ନିଜର ପବିତ୍ର ମନକୁ ଈଶ୍ୱରଙ୍କୁ ସମର୍ପଣ କର। ମନକୁ ସର୍ବଦା ଶାନ୍ତ ରଖ। ଈଶ୍ୱରଙ୍କ ପାଦପଦ୍ମ ମନ ନିବେଶ କର। ଈଶ୍ୱରଙ୍କର କୃପା ଲାଭ କରିବା ପାଇଁ ଶ୍ରଦ୍ଧା ଓ ଭକ୍ତି ନିତ୍ୟାନ୍ତ ଆବଶ୍ୟକ। ଏହା ଦ୍ଵାରା ତୁମେ ଈଶ୍ୱରଙ୍କ ନିକଟତର ହୋଇ ପାରିବ।


    ସାଧୁଙ୍କର ସୁନ୍ଦର କଥା ମାଉସୀଙ୍କ ମନ ଉପରେ ଗଭୀର ରେଖାପାତ କଲା। ସେ ନିଜର ଭୁଲ ବୁଝି ପାରିଲେ ଏବଂ ଅନୁତାପ କଲେ। ଧୀରେ ଧୀରେ ମାଉସୀଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ଆସିଲା। ଏବେ ଆମ ଗାଁରେ ମଞ୍ଜୁ ମାଉସୀର ବହୁ ସ୍ନେହ ଆଦର।




Rate this content
Log in