ବେଟିଙ୍ଗ
ବେଟିଙ୍ଗ
ଆଇ.ପି.ଏଲ ସରିଲା। ଏବେ କୁଆଡେ ବିଶ୍ୱକପ କ୍ରିକେଟ ଆରମ୍ଭ ହୋଇଛି। ଆଇ.ପି.ଏଲ ହେଉ, ବିଶ୍ୱକପ ହେଉ ଅବା ଗଳି କ୍ରିକେଟ ହେଉ ,କ୍ରିକେଟ ନାଁ ପଡିଲେ ଲଡୁବୋଉର ଛାତି ରେ ଛନକା ପଶେ।ତାକୁ ଲାଗେ କ୍ରିକେଟ ରାକ୍ଷାସ ତା'ର ବଡ଼ ବଡ଼ ଦାନ୍ତ ଓ ନଖ ରେ ତାକୁ ଓ ତା ପୁଅକୁ ରାମ୍ପି ବିଦାରି ଖାଇବ। ତେବେ ତା'ର ଏ ଡର ଅହେତୁକ ନୁହେଁ। ବିଗତ ଦୁଇ ବର୍ଷ ହେଲା କ୍ରିକେଟ ର ନାଁ ପଡିଲେ ଲଡୁ ଯେଉଁ କାଣ୍ଡ କାରଖାନା କରୁଛି ସେଥିପାଇଁ ଲଡୁବୋଉର ଏ ଭୟ।ଯେତେ ବୁଝେଇଲେ ସେହି ମୁହୂର୍ତ୍ତ ପରେ ଯୋଉ କଥାକୁ ସେହି କଥା।
ଲଡୁକିଶୋର ସାହୁ, ଗାଁ ର ଯୁବ ବ୍ୟବସାୟୀ। ଗାଁରେ ସବୁଠାରୁ ବଡ଼ କିରାଣା ଦୋକାନ ତା'ର ଥିଲା। ସବୁବେଳେ ଏ ପରିସ୍ଥିତି ନ ଥିଲା।ଲଡୁ ବାପା ଯିବା ପରେ ଲଡୁବୋଉ ଗାଁରେ ଗୋଟିଏ ଛୋଟ ଦୋକାନ କରି ବଡ଼ ଦୁଃଖ କଷ୍ଟରେ ପାଞ୍ଚ ବର୍ଷର ଲଡୁକୁ କୋଳେଇ କାଖେଇ ବଡ଼ କରିଥିଲା। ତାସାଙ୍ଗକୁ ନିଜ ଛୋଟ ବ୍ୟବସାୟକୁ ମଧ୍ୟ ବଢ଼େଢ଼ଇଥିଲା।ତା'ର ଛୋଟ ଦୋକାନ ବଡ଼ ଦୋକାନରେ ପରିଣତ ହୋଇଥିଲା ଓ କୁନିପୁଅ ଲଡୁ ଯୁବକରେ। ପୁଅ ବଡ଼ ହେବା ପରେ ତା' ହାତରେ ଦୋକାନ ଦେଇ ଘରକୁ ସୁନାନାକି ବୋହୁଟିଏ ଆଣିବା ପାଇଁ ଚିନ୍ତା କଲା ଲଡୁବୋଉ। ପ୍ରଥମେ ପ୍ରଥମେ ଲଡୁ ଭଲ ଭାବେ ଦୋକାନ ସମ୍ଭାଳି ଥିଲା। ଲଡୁବୋଉ ପଚାରିଲେ ଦୋକାନରେ ପ୍ରବଳ ଲାଭ ହେଉଛି କହୁଥିଲା। କିନ୍ତୁ ଲଡୁ ଯେଭଳି କଥା କହୁଥିଲା ଲଡୁବୋଉର ସେଥିରେ ବିଶ୍ବାସ ହେଉନଥିଲା।ତଥାପି ସେ ଲଡୁକୁ କିଛି କହୁ ନଥିଲା ।କିନ୍ତୁ ଲଡୁର ରଙ୍ଗ ଢଙ୍ଗ ବଦଳିଯାଇଥିବା ସେ ଲକ୍ଷ୍ୟ କରିପାରୁଥିଲ। । ଲଡୁ ଡେରିରେ ଘରକୁ ଫେରୁଥିଲା। ଫୋନ କଲେ ଫୋନ ଉଠଉନଥିଲ।।ଘରକୁ ଆସିଲା ପରେ ବୋଉ ପଚାରିଲେ କାମର ବାହାନା କରୁଥିଲା । କିନ୍ତୁ ଲଡୁବୋଉ ଠିକ ଜାଣିପାରୁଥିଲା, କାରଣ ସେ ବି ଦୋକାନରେ ବ୍ୟବସାୟ କରି କରି ଲଡୁକୁ ବଡ଼ କରିଥିଲା।
ଦିନେ ରାତିରେ ଲଡୁ ଘରକୁ ଫେରିଲା ନାହିଁ। ଲଡୁବୋଉ ଯେତେ ଫୋନ କଲେ ମଧ୍ୟ ଉଠେଇଲା ନାହିଁ। ଲଡୁବୋଉର ବ୍ୟସ୍ତତା ବଢିଚାଲିଲା । ରାତିରେ ଶୋଇ ପାରିଲା ନାହିଁ। ମୁହଁ ଅନ୍ଧାରୁ ଉଠି ଲଡୁକୁ ଖୋଜି ବାହାରିଛି ,ଗୋଟିଏ ଚାରିଚକିଆ ଗାଡ଼ିରୁ ଦଳେ ଯୁବକ ଲଡୁକୁ ତାଙ୍କ ଗେଟ ପାଖରେ ଫୋପାଡ଼ି ଦେଇଗଲେ। ଲଡୁବୋଉ ଦୌଡି ଯାଇ ଦେଖିଲା ବେଳକୁ ଲଡୁ ଖଣ୍ଡିଆ ଖାବରା ହୋଇ ପଡ଼ିଥିଲା।ସେ ଲଡୁକୁ ଘର ଭିତରକୁ ନେଲା। ତା'ର ସେବା କରି ତାକୁ ସାଷ୍ଟାମ କରାଇଲା। ତା'ର ଏ ଅବସ୍ଥା କେମିତି ହେଲା ବୋଲି ପଚାରିଲା। ଲଡୁ କାନ୍ଦ କାନ୍ଦ ହୋଇ କହିଲା ସେ କ୍ରିକେଟ ରେ ବେଟିଙ୍ଗ କରି ଅନେକ ଟଙ୍କା ହାରିଛି। ବେଟିଙ୍ଗ କଣ ଲଡୁବୋଉ ଜାଣି ନଥିଲା।ତେଣୁ ସେ ଲଡୁକୁ ପଚାରିଲା। ଲଡୁ ଯେତେବେଳେ ବେଟିଙ୍ଗ ଏକ ପ୍ରକାର ଜୁଆ ବୋଲି କହିଲା ଲଡୁ ବୋଉର ପାଦ ତଳୁ ମାଟି ଖସିଗଲା । କାରଣ ଜୁଆ ଖେଳରେ ଟଙ୍କା ହାରି ଲଡୁବାପା ନିଶା ଅଭ୍ୟାସ କରିଥିଲା। ଶେଷରେ ସେହି ନିଶା ପାଣି ହିଁ ତା'ଜୀବନ ନେଇଗଲା। ଲଡୁବୋଉ ,ଲଡୁର ତା ବାପା ଭଳି ଅବସ୍ଥା ଚାହୁଁନଥିଲା । ଲଡୁକୁ ବୁଝାସୁଝା କରି ଲଡୁବୋଉ ନିଜର ସବୁ ଗହଣା ବିକି ଲଡୁକୁ ଟଙ୍କା ଦେବ ବୋଲି କହିଲା। ତେବେ ଲଡୁ ଜୀବନରେ ଆଉ କେବେ ମଧ୍ୟ ଏଭଳି ଭୁଲ କରିବନି ବୋଲି ମାଆର ମୁଣ୍ଡ ଛୁଇଁ ନିୟମ କରିବ। ଲଡୁ ବୋଉ କଥା ମାନି ଆଉ କେବେ ମଧ୍ୟ ବେଟିଙ୍ଗ କରିବନି ବୋଲି ନିୟମ କଲା। କିନ୍ତୁ କ୍ରିକେଟ ଖେଳ ହେଲା ମାତ୍ରେ ଲଡୁ ବେଟିଙ୍ଗ କରି ଟଙ୍କା ହାରି ଘରକୁ ଆସୁଥିଲା। ଏଭଳି ଘରର ସବୁ ମୂଲ୍ୟବାନ ଜିନିଷ ଗୋଟିଏ ପରେ ଗୋଟିଏ ବିକ୍ରି ହୋଇଗଲା। ଟଙ୍କା ପଇସା ସବୁ ସରିଗଲା। କେବଳ ଘର ଓ ଦୋକାନ ଛାଡି ସେମାନଙ୍କ ପାଖରେ କିଛି ରହିଲା ନାହିଁ।ଯେତେ ବୁଝେଇଲେ ମଧ୍ୟ ଲଡୁ କିଛି ବୁଝୁ ନଥିଲା।କ୍ରିକେଟ ବେଟିଙ୍ଗ ଛାଡି ପାରିଲା ନାହିଁ।
ଆଇ.ପି.ଏଲ ରେ ଟଙ୍କା ହାରିଯିବାରୁ ଦୋକାନ ଟି ମଧ୍ୟ ସେମାନଙ୍କ ହାତରୁ ଚାଲିଗଲା।ସେଦିନ ଲଡୁ ବହୁତ କାନ୍ଦିଥିଲା।କେବେ ମଧ୍ୟ ବେଟିଙ୍ଗ କରିବ ନାହିଁ ବୋଲି ବୋଉର ପାଦ ଛୁଇଁ ଶପଥ କରିଥିଲା। କିନ୍ତୁ ଲଡୁର ଏସବୁ କଥାକୁ ଲଡୁବୋଉ ବିଶ୍ବାସ କରିପାରୁନଥିଲା କାରଣ ଲଡୁର ଏଭଳି ଅନୁତାପ ସେ ଆଗରୁ ଅନେକ ଥର ଦେଖି ସାରିଥିଲା।ସେ ଲଡୁର ସୁଖୀ ଭବିଷ୍ୟତ ଚାହୁଁଥିଲା।ତେଣୁ ବ୍ୟସ୍ତ ହେଉଥିଲା। ତେବେ ଲଡୁ ଯଦି ତାହା ନ ବୁଝିବ ସେ ବା କ'ଣ କରିପାରିବ।
କ୍ରିକେଟ ଯୋଗୁଁ ଏତେ ସବୁ ଖରାପ ଦିନ ଦେଖିଥିବା ଲଡୁବୋଉ ବିଶ୍ୱକପ କ୍ରିକେଟ କଥା ଶୁଣି ସେଥି ପାଇଁ ଡରିଯାଇଥିଲା।ଲଡୁବୋଉ କ୍ରିକେଟ ବିରୋଧୀ ନଥିଲା।ସବୁ ଲୋକଙ୍କ ପରି ଲଡୁବୋଉ ମଧ୍ୟ ଚାହୁଁଥିଲା ଯେ କ୍ରିକେଟ ଖେଳ ହେଉ। ଆମ ଦେଶର ଦଳ ଜିତୁ।କିନ୍ତୁ କ୍ରିକେଟ ଖେଳରେ ବେଟିଙ୍ଗ ନ ହେଉ। ଖେଳରେ ବେଟିଙ୍ଗ କରି ତା'ପରିବାର ଭଳି ଅନ୍ୟ କାହାର ପରିବାର ବର୍ବାଦ ନ ହେଉ।