ଆଶୀର୍ବାଦ
ଆଶୀର୍ବାଦ
ଆଶୀର୍ବାଦ
ଧଳା ଡ୍ରେସ୍ ତାଙ୍କୁ କୁଆଡେ ଭଲ ଦେଖାଯାଏ l ଆଜି ପୁଣି ତାଙ୍କୁ ଅଫିସରେ ସମ୍ମାନିତ କରାଯିବ l ତେଣୁ ଟିକିଏ ଘରଣୀଙ୍କ ରାୟ ନେଲେ କ୍ଷତି କ’ଣ ? ତା ଛଡା ସ୍ତ୍ରୀ ଲୋକମାନଙ୍କର ପୋଷାକ ବିଷୟରେ ଜ୍ଞାନ ପରା ପୁରୁଷଙ୍କ ଠାରୁ ଉନ୍ନତ l ଯାହା ହେଉ ଧଳା ଡ୍ରେସରେ ଟିପ୍ ଟପ୍ ହୋଇ ରାୟ ବାବୁ ଟିକିଏ ବେଳା ବେଳି ଅଫିସ୍ ବାହାରି ଗଲେ l ମନେ ମନେ ଭାବୁ ଥାଆନ୍ତି କେମିତି ଭାଷଣ ଦେବେ ? ବରିଷ୍ଠ ଅଧିକାରୀମାନେ ଥିବେ, ମହିଳାମାନେ ଥିବେ, ଆଉ କନିଷ୍ଠ ମାନେ ବି l ଭାଷାରେ ଶୈଳୀର ନା ଉପସ୍ଥାପନାରେ ଜୋର୍ ଦେବେ ସେଇ କଥା ଚିନ୍ତା କରୁଥାଆନ୍ତି l ହଠାତ୍ ମଟର୍ ସାଇକେଲକୁ ଜଣେ ହାତ ଦେଖାଇଲେ l ଅନ୍ୟମନସ୍କ ଥାଇ ଗାଡିଟିକୁ ଅଟକାଇ ଦେଲେ l ବୁଢା ଲୋକଟିଏ l ବେଶ ଭୁଷା ଏକଦମ୍ ସାଧାରଣ l ମଇଳା ଲୁଗା, ହାତରେ ବ୍ୟାଗଟିଏ l କହିଲେ, ବାପା ! ଟିକିଏ ଆଗରେ ଛାଡି ଦେବ l ହଁ ନାହିଁର ଦ୍ୱନ୍ଦ ଭିତରେ ରାୟ ବାବୁ କହିଲେ, ବସନ୍ତୁ l ହଉଲୋ ବୋପା, କହି ଗାଡିରେ ବୁଢା ଲୋକ ଜଣଙ୍କ ବସିଲେ l ଏ ବୋପାଲୋ ! ମାହାପୁରୁ କୋଟି ପରମାୟୁ ଦେଇ ଥାଆନ୍ତୁ l ଅଦ୍ଭୁତ ସେ ଦୁଇ ପଦ l କେମିତି ଗୋଟାଏ ବିରାଟ ସମ୍ପତ୍ତି ମିଳିଗଲା l କିଛି ବାଟ ଗଲା ପରେ ବୁଢା ଲୋକଟି କହିଲା, ବାସ୍ ଏଇଠି ଓହ୍ଲାଇ ଦିଅ l ରାୟବାବୁ ଦେଖିଲେ, ଏଇଟା ତ ମଝି ବାଟ l ଅନ୍ୟ ଦିଗକୁ ଆଉ ଗୋଟିଏ ଛୋଟ ରାସ୍ତା ଯାଇଛି l ଅଫିସ୍, ସମ୍ମାନ ସବୁ କିଛି ଭୁଲି ପଚାରିଲେ, ଏଇଠି ନା ଆଗକୁ ଛାଡି ଦେବି ? ନାଇଁ ଲୋ ବାପା, ଏତିକି ଯଥେଷ୍ଟ l ମୋ ବୋପାଲୋ, କହି ପିଠିରେ ଟିକିଏ ସାଉଁଳି ଦେଲେ l ଆଃ କି ଶାନ୍ତି ! ଏକ ଅଦ୍ଭୁତ ସେ ଅନୁଭୂତି l ବାଟ ସାରା ସେ ସ୍ୱର ତାଙ୍କ କାନରେ ବାଜୁଥାଏ l କେତେବେଳେ ଅଫିସରେ ପହଞ୍ଚିଗଲେ ଜାଣି ପାରିଲେନି l ସମ୍ମାନିତ ହେଲେ l ଭାଷଣ ପର୍ବ ବି ସରିଲା l ହେଲେ ମନଟା ସେଇ ବୁଢା ଲୋକଟି ପାଖେ l ସହଯୋଗୀମାନେ ହାତ ମିଳାଇଲେ l ହଠାତ୍ ବୁଲିଲା ବେଳକୁ ତାଙ୍କର ସହଯୋଗୀ ତଥା ବନ୍ଧୁ କହିଲେ ଆରେ ଟିକିଏ ବୁଲିଲୁ l ରାୟ ବାବୁ ଟିକିଏ ଚମକି ପଚାରିଲେ, କ’ଣ ହେଲା ? ଆରେ କୋଉଠି ମାଡ ଖାଇଛୁ ନା କ’ଣ ? ପିଠିରେ ପାପୁଲି ଚିହ୍ନ ପଡିଛି l ଟିକିଏ ମନେ ପକାଇ କହିଲେ, ନା’ରେ l ସେଇଟା ମାଡ ଚିହ୍ନ ନୁହେଁ, ଆଶୀର୍ବାଦର l
ପ୍ରମୋଦ କୁମାର ଜେନା ©