Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanan Bala Nayak

Others

5.0  

Kanan Bala Nayak

Others

ସ୍କୁଲ ୟୁନିଫର୍ମ

ସ୍କୁଲ ୟୁନିଫର୍ମ

5 mins
619


ସବିତା ଦିଦି ସେଦିନ ଶ୍ରେଣୀ ଗୃହରେ ପଶୁ ପଶୁ ଦେଖିଲେ ଶ୍ରବଣଟା ଚୁପ୍ ଚାପ୍ ହୋଇ ବସିଛି,ଆଉ ତା ଆଖିରୁ ବହି ଯାଉଛି ଧାର ଧାର ଲୁହ.ଶ୍ରବଣ ଶ୍ରେଣୀରେ ସବୁବେଳେ ପ୍ରଥମ ହୁଏ. ଭାରୀ ଶାନ୍ତ, ସୁଧାର ଓ ଶୃଙ୍ଖଳିତ ପିଲାଟି.କିନ୍ତୁ ଭାରି ଗରିବ ଘରର ଏବଂ ଦେଖିବାକୁ କଳା ରଙ୍ଗର.

ସବିତା ଦିଦି ଶ୍ରବଣକୁ ପଚାରିଲେ ଆରେ କଣ ହୋଇଛି? କାନ୍ଦୁଛୁ କାହିଁକି?ଶ୍ରବଣ ତଳକୁ ମୁହଁ କରି ଛିଡ଼ା ହୋଇ ଥାଏ.କିଛି କହୁ ନ ଥାଏ. ଦିଦି ପୁଣି ଥରେ ପଚାରିଲେ ଆରେ କଣ ହୋଇଛି କିଛି କହୁନୁ କାହିଁକି?

ଶ୍ରବଣ କହିଲା ଦିଦି ମୋତେ ସମସ୍ତେ କଳା ଓ ଗରିବ କହି ଚିଡାଉଛନ୍ତି.ମୋ ସହ କେହି ବି ସାଙ୍ଗ ହେଉ ନାହାଁନ୍ତି. ଶ୍ରବଣର କଥା ଶୁଣି ସବିତା ଦିଦି ପିଲା ମାନଙ୍କୁ କହିଲେ ଆଜି ପାଠ ପଢା ସରିବା ପରେ ମୁଁ ତୁମ ମାନଙ୍କୁ ଗୋଟିଏ କାହାଣୀ କହିବି ଶୁଣିବ.କାହାଣୀ ଶୁଣିବେ ବୋଲି ପିଲାଙ୍କ ମନ ଭାରୀ ଖୁସି.ପାଠ ପଢା ସରିବା ପରେ କ୍ଲାସର ସବୁ ପିଲା ଏକ ସ୍ବରରେ କହିଲେ, ଦିଦି କାହାଣୀ କହିବେ ପରା.ଦିଦି ଆରମ୍ଭ କଲେ

ଆଜିକୁ ପଚିଶ ବର୍ଷ ତଳର କଥା-ଏଇ ଭଳି ଏକ ସରକାରୀ ସ୍କୁଲରେ ଦୁଇ ଜଣ ଝିଅ ପିଲା ପଢୁଥିଲେ.ଜଣଙ୍କର ନାମ ଥିଲା ଶୀଲା ଓ ଅନ୍ୟ ଜଣଙ୍କର ନାମ ଥିଲା ସସ୍ମିତା. ଶୀଲା ବହୁତ ଗରିବ ଘରର ଝିଅ. ଶୀଲାର ବାପାଙ୍କର ଗୋଟିଏ ଛୋଟିଆ ଦୋକାନ ଥାଏ.ଦୋକାନରୁ ଯାହା ଉପାର୍ଜନ ହୁଏ ସେଥିରେ ଆଠ ପ୍ରାଣୀ କୁଟୁମ୍ବକୁ ନେଇ ପରିବାର ଚଳାଇବା ପାଇଁ ତାଙ୍କୁ ଭାରୀ କଷ୍ଟ ହୁଏ.ସେଥିରେ ପୁଣି ଶୀଲାର ଜେଜେବାପା ଓ ଜେଜେମାଆ ଙ୍କର ଔଷଧ ଖର୍ଚ୍ଚ. ତେଣୁ ତାଙ୍କ ପରିବାରରେ ଅଭାବ ସବୁ ବେଳେ ଲାଗି ରହୁଥାଏ. ସେ ନିଜ ପିଲାମାନଙ୍କର ସବୁ ଅଭାବ କେତେ ବେଳେ ବି ପୂର୍ଣ୍ଣ କରି ପାରନ୍ତି ନାହିଁ.ସେଥିରେ ଶୀଲା ଘରର ବଡ଼ ଝିଅ. ତା ତଳକୁ ଆଉ ଦୁଇ ଭଉଣୀ ଓ ଜଣେ ଭାଇ.

ଅପର ପକ୍ଷେ ସସ୍ମିତା ସହରର ଜଣେ ତଥା କଥିତ ବଡ ବ୍ଯବସାୟୀଙ୍କ ଝିଅ . ଭାରୀ ଅଲିଅଳି ରେ ବଢି ଥାଏ.ଅଭାବ କଣ ତାକୁ ଜଣା ନ ଥାଏ.ତାର ସବୁ ଅଳି ଅର୍ଦ୍ଦଳି ନିମିଷକେ ପୁରଣ ହୋଇଯାଏ. ଗୋଟିଏ କହିଲେ ଦୁଇଟି ପୋଷାକ ଆସେ ତା ପାଇଁ.ଚାକର ପୂଜାରୀ ସବୁ ସଙ୍ଗେ ସଙ୍ଗେ ହାଜର ହୁଅନ୍ତି ତାର ଗୋଟିଏ ଡାକରେ. ସସ୍ମିତା କିନ୍ତୁ ଭାରୀ ଦୟାଳୁ.

ସସ୍ମିତା ଅନେକ ସମୟରେ ସ୍କୁଲ ପହଞ୍ଚି ଦେଖେ ତାର କିଛି ସହପାଠୀ ଶୀଲାକୁ ଘେରି ରହନ୍ତି ଏବଂ କଳା ଓ ଗରିବ ଘରର କହି ଚିଡାଉଛନ୍ତି.ତା ଭିତରୁ କିଏ କହୁଥାଏ ତୁ ସବୁ ବେଳେ ଗୋଟିଏ ଡ୍ରେସ୍ ପିନ୍ଧିକି ଆସୁଛୁ ତ କିଏ କହେ ପାଦରେ ମଧ୍ୟ ଛିଣ୍ଡା ଚପଲ ପିନ୍ଧିଛୁ. ତୋ ପାଖରେ ବ୍ଯାଗ ମଧ୍ୟ ନାହିଁ. ତୁ ଆମ ସହ ଆଗ ଧାଡ଼ିରେ ବସି ପାରିବୁ ନାହିଁ.ତୁ ଭାରି ଗନ୍ଧିଆ ଦିଶୁଛୁ. ତେଣୁ ତୁ ପଛ ଧାଡ଼ିରେ ବସିବୁ. ଆଉ ସେ ପିଲା ର କଥା ଶୁଣି ଅନ୍ୟ ପିଲାମାନେ ମାନେ ହସୁଛନ୍ତି.ସେ ପିଲା ମାନଙ୍କ ଭିତରେ ଜଣେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଝିଅ ଥାଏ.ତେଣୁ ଶୀଲା ଯେତେବେଳେ ଯାହା ଅଭିଯୋଗ କରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ କିଛି ଶୁଣନ୍ତି ନାହିଁ.

ଦିନେ ଦିନେ ଯଦି ଶୀଲା ସ୍କୁଲ୍ ଆସିବାରେ ବିଳମ୍ବ କରିଦିଏ ତାକୁ ପ୍ରଥମ ପିରିୟଡଟା ଆଣ୍ଠେଇ ଦିଆଯାଏ ଶ୍ରେଣୀ ଗୃହ ବାହାରେ. କିନ୍ତୁ ତାର ଅନ୍ୟ ସହପାଠୀ ମାନେ ତା ଠାରୁ ବଡ ଭୁଲ୍ କଲେ ମଧ୍ୟ ତାଙ୍କୁ କିଛି ଦଣ୍ଡ ମିଳେନା.ଏ ପ୍ରକାର ଭେଦ ଭାବ ସସ୍ମିତାର କୋମଳ ମନରେ ଗଭୀର ରେଖା ପାତ କରେ.

ଯଦିଓ ସସ୍ମିତା ଧନୀ ଘରର ଝିଅ ଥିଲା କିନ୍ତୁ ତାଙ୍କ ପରିବାରରୁ ସେ ଶିଖି ଥିଲା ଜାତି, ବର୍ଣ୍ଣ, ଧର୍ମ ଓ ଧନୀ ଦରିଦ୍ର ମଧ୍ୟରେ କେବେବି କିଛି ଭେଦଭାବ କରିବା ଉଚିତ୍ ନୁହଁ.ସେ ଦିନେ ଦେଖିଲା କ୍ଲାସ ର ପଛ ଧାଡ଼ିରେ ଶୀଲା ମନଦୁଃଖ କରି ବସିଛି. ସେ ଶୀଲା ପାଖକୁ ଗଲା ଆଉ ପଚାରିଲା ମନ କାହିଁକି ଦୁଃଖ କରିଛୁ? ଶୀଲା କହିଲା ମୋ ସହ କେହି ସାଙ୍ଗ ହେଉ ନାହାଁନ୍ତି ତ. ସସ୍ମିତା କହିଲା ତୋ ରଙ୍ଗ ତ କଳା ଆଉ ମୋର ବି. କାହିଁ ମୋତେ ତ କେହି ଚିଡାଉ ନାହାଁନ୍ତି?ଶୀଲା କହିଲା ତୁ ବଡ଼ ଲୋକର ଝିଅ. ତତେ କିଏ କଣ କହିବ.ସସ୍ମିତା କହିଲା ହଉ ଆଜି ଠାରୁ ମୁଁ ତୋର ସାଙ୍ଗ ହେଲି.ଆଉ ମନ ଦୁଃଖ କରନା. ଟିକେ ହସି ଦେ. ସେଇ ଦିନ ଠାରୁ ଶୀଲା ଓ ସସ୍ମିତା ଅନ୍ତରଙ୍ଗ ବାନ୍ଧବୀ ପାଲଟି ଯାଇଥିଲେ.

ସସ୍ମିତା ଶୀଲାକୁ ଭାରୀ ଭଲ ପାଏ. ତା ପାଇଁ ଯାହା ଟିଫିନ୍ ଆଣେ ଶୀଲା ପାଇଁ ମଧ୍ୟ ଟିଫିନ୍ ଟିଏ ଆଣେ.ଜଣେ ଅନ୍ୟ ଜଣକୁ ଗୋଟିଏ ଦିନ ନ ଦେଖିଲେ ରହି ପାରନ୍ତି ନାହିଁ.ସସ୍ମିତା ଭଲ ପାଠ ପଢେ. ଆଉ ଭାରି ସାହସୀ ଓ ନିର୍ଭିକ ମଧ୍ୟ. ସେ ଶୀଲା କୁ ସବୁ ବେଳେ ମନଦେଇ ପାଠ ପଢିବା ପାଇଁ କହେ. ସସ୍ମିତା ସ୍କୁଲର ଅନ୍ଯ ପିଲା ମାନଙ୍କୁ ମଧ୍ୟ ବୁଝାଏ ଜାତି, ବର୍ଣ୍ଣ, ଧର୍ମ ଓ ଧନୀ ଦରିଦ୍ର ଙ୍କୁ ନେଇ କାହାକୁ ଚିଡାଇବା ଭଲ କଥା ନୁହଁ. ଈଶ୍ବର ପରା ଆମକୁ ସମାନ କରି ଗଢିଛନ୍ତି. ତେଣୁ ସସ୍ମିତାର ଭୟରେ ସ୍କୁଲର ଅନ୍ଯ ପିଲା ମଧ୍ୟ ଶୀଲାକୁ ଚିଡାଇବା ବନ୍ଦ କରିଦେଇଥିଲେ.

ଥରେ ବ୍ଲକ ସ୍ତରରେ ବିଜ୍ଞାନ ପ୍ରଦର୍ଶନୀ ହେବାର ଥାଏ. ସସ୍ମିତା ଶୀଲାକୁ କହିଲା ଚାଲ ଆମେ ପ୍ରଦର୍ଶନୀରେ ଭାଗ ନେବା . ଶୀଲା କହିଲା ମୋର ତ ଭଲ ୟୁନିଫର୍ମ ଟିଏ ନାହିଁ ମୁଁ କଣ ପିନ୍ଧି ଯିବି ବିଜ୍ଞାନ ପ୍ରଦର୍ଶନୀକୁ. ସସ୍ମିତା କହିଲା ଏଇ କଥା. ଆରେ ମୋର ପରା ଦୁଇଟି ୟୁନିଫର୍ମ ଅଛି. ଗୋଟେ ତୁ ପିନ୍ଧିବୁ ଆଉ ଗୋଟେ ମୁଁ. ଆଉ ତା ପର ଦିନ ଶୀଲା ସସ୍ମିତାକୁ ୟୁନିଫର୍ମ ଟି ଆଣି ଦେଇଥିଲା.

ବିଜ୍ଞାନ ପ୍ରଦର୍ଶନୀ ଶେଷ ହେବାର ଛଅ ସାତ ଦିନ ପରେ ହଠାତ୍ କାହିଁକି ସସ୍ମିତା ସ୍କୁଲ ଆସିବା ବନ୍ଦ କରି ଦେଲା. ସେ ସମୟରେ ନା ଶୀଲା ଘରେ ଟେଲିଫୋନ ଥାଏ ନାଁ ଆଜି କାଲି ଭଳି ମୋବାଇଲ. ତେଣୁ ଶୀଲା ମନେ ମନେ ସସ୍ମିତାର କଣ ହୋଇଛି ବୋଲି ଭାବି ଛଟପଟ ହେଉଥାଏ.ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ କିଛି କହିପାରୁ ନ ଥାଆନ୍ତି. ହଠାତ୍ ପନ୍ଦର ଦିନ ପରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଆସି ଖବର ଦେଲେ ଯେ ସସ୍ମିତା ଆଜି ସକାଳୁ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଚାଲି ଯାଉଛି. ଆଉ ଦିନ ଚାରିଟା ବେଳେ ତାର ଅନ୍ତିମ ସଂସ୍କାର ହେବ.

ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯାଇଥିଲେ ତାର ଅନ୍ତିମ ସଂସ୍କାରରେ ଭାଗ ନେବା ପାଇଁ କିନ୍ତୁ ଅନେକ ଅନୁରୋଧ ସତ୍ତ୍ବେ ବି ଶୀଲାକୁ ସାଙ୍ଗରେ ନେଇ ନ ଥିଲେ ସସ୍ମିତାର ଶେଷ ଦର୍ଶନ ପାଇଁ .ଅନ୍ତିମ ସଂସ୍କାରରୁ ଫେରିବା ପରେ ସ୍କୁଲର ଜଣେ ଶିକ୍ଷୟତ୍ରୀ କହିଲେ ପନ୍ଦର ଦିନ ତଳେ ହଠାତ୍ ସସ୍ମିତାର ପେଟରେ ଯୋରରେ ଯନ୍ତ୍ରଣା ହେଲା. ତା ବାପା ତାକୁ ସହରର ସବୁଠାରୁ ଭଲ ନର୍ସିଂହୋମ ରେ ଆଡମିସନ କଲେ.ଅନେକ ପରୀକ୍ଷା ନିରୀକ୍ଷା କରା ଗଲା କିନ୍ତୁ ରୋଗ ଚିହ୍ନଟ ହୋଇପାରୁ ନଥାଏ.

ଏଣେ ସସ୍ମିତା ଦିନକୁ ଦିନ ଭାରି ଦୁର୍ବଳ ହୋଇ ପଡିଲା. ପରି ଶେଷରେ ଜଣା ପଡିଲା ସସ୍ମିତା ସେଦିନ ମାର୍କେଟରେ ଜଣେ ବୁଲା ବିକାଳି ଙ୍କ ପାଖରୁ ଦହି ବରା ଆଳୁଦମ ଖାଇଥିଲା. ଆଉ ସେ ଦହି ବରାରେ ଥିବା ଗୋଟିଏ ଭୟଙ୍କର ଓ୍ବାର୍ମ ସସ୍ମିତା ଶରୀରରେ ପ୍ରବେଶ କରି ଯାଇଥିଲା.ରୋଗ ଚିହ୍ନଟ ହେବାବେଳକୁ ଅନେକ ଡେରି ହୋଇଯାଇଥିଲା. ଡକ୍ଟର ଶତ ଚେଷ୍ଟା ସତ୍ତ୍ବେ ବି ସସ୍ମିତାକୁ ବଞ୍ଚାଇବାରେ ସକ୍ଷମ ହୋଇ ନ ଥିଲେ.

ଜାଣିଛ ପିଲାମାନେ ସେଦିନ ଚାରିଟା ବେଳେ ଯେ ଶ୍ମଶାନର ପବିତ୍ର ଅଗ୍ନିରେ କେବଳ ସସ୍ମିତାର ଶରୀର ଜଳି ଥିଲା ସେଇଆ ନୁହଁ. ତା ସହ ଜଳି ଯାଇଥିଲା ଶୀଲାର ଆତ୍ମା.

ସସ୍ମିତା ଦେଇଥିବା ୟୁନିଫର୍ମ ଟିକୁ ଫେରାଇବାର ସୁଯୋଗ ମଧ୍ୟ ଶୀଲାକୁ ମିଳି ନଥିଲା.ସସ୍ମିତା ଗଲା ପରେ ଶୀଲା ପୁଣି ଥରେ ଏକୁଟିଆ ପଡି ଯାଇଥିଲା. କିନ୍ତୁ ସେ ନିଜ ଭିତରେ ଗୋଟିଏ ଅଦ୍ଭୁତ ପରିବର୍ତ୍ତନ ଲକ୍ଷ୍ଯ କରିଥିଲା. ତାକୁ ଲାଗୁଥିଲା ସସ୍ମିତା ଯେମିତି ସବୁବେଳେ ଛାଇ ଭଳି ତା ପାଖରେ ଅଛି, ଆଉ ତାକୁ କହୁଛି ମୁଁ ପରା ଅଛି ତୁ ଡରୁଛୁ କାହିଁକି? କ୍ରମେ ଶୀଲା ମଧ୍ୟ ନିର୍ଭିକ ହୋଇ ଯାଇଥିଲା. ଆଉ ଭଲ ପାଠ ମଧ୍ୟ ପଢିବାକୁ ଲାଗିଲା. ସପ୍ତମ ଶ୍ରେଣୀରେ ବୃତ୍ତି ମଧ୍ୟ ପାଇଲା. ଆଉ ସ୍କୁଲର ପିଲା ମାନେବି ତାକୁ ଚିଡାଇବା ବନ୍ଦ କରିଦେଇଥିଲେ. ଆଉ ତା ସହ ସାଙ୍ଗ ମଧ୍ୟ ହୋଇ ଥିଲେ.ଯେଉଁ ଦିନ ଶୀଲା ବୃତ୍ତି ପାଇଁ ପ୍ରାଇଜ ଆଣିବା ପାଇଁ ବ୍ଲକକୁ ଗଲା. ସେ ଦିନ ସସ୍ମିତାର ସେଇ ୟୁନିଫର୍ମ ଟିକୁ ପିନ୍ଧି ଯାଇଥିଲା. ଆଉ ମନେ ମନେ କହିଲା ସସ୍ମିତା ସବୁ ତୋରି ପାଇଁ.

ଆଜି ଶୀଲା ବଡ ହୋଇ ଯାଇଛି ଆଉ ଗୋଟେ ସରକାରୀ ସ୍କୁଲରେ ଶିକ୍ଷୟତ୍ରୀ ମଧ୍ୟ ହୋଇଛି. କିନ୍ତୁ ସସ୍ମିତା ଦେଇଥିବା ସେ ୟୁନିଫର୍ମ ଟିକୁ ଆଜିବି ସାଇତି ରଖିଛି. ଆଉ ଯେତେବେଳେ ବି ନିଜକୁ ଏକୁଟିଆ ଅନୁଭବ କରେ ସେତେ ବେଳେ ସେ ୟୁନିଫର୍ମଟିକୁ କାଢେ ଆଉ ସସ୍ମିତା କୁ ତା ନିକଟରେ ଅନୁଭବ କରେ.ଜାଣିଛ ପିଲାମାନେ ସେ ଦିନର ସେ ଶୀଲା ଆଉ କେହି ନୁହଁ ତୁମର ଏଇ ସବିତା ଦିଦି.

କାହାଣୀଟି ଶେଷ ହେଲା ବେଳକୁ କ୍ଲାସ ର ସବୁ ପିଲାଙ୍କ ଆଖିରେ ଲୁହ ଆସିଯାଇଥାଏ ଆଉ ସମସ୍ତେ ଶ୍ରବଣକୁ କୁଣ୍ଢାଇ ଧରି କାନ୍ଦି କାନ୍ଦି କହୁଥାନ୍ତି ଆମର ଭୁଲ ହୋଇ ଯାଇଛି ଆମକୁ କ୍ଷମା କରି ଦେ.

ଆଉ ଏ ଦୃଶ୍ୟ ଦେଖି ସବିତା ଦିଦି ଆନନ୍ଦରେ ଆଖିରୁ ଅଶ୍ରୁ ପୋଛୁ ଥାଆନ୍ତି.


Rate this content
Log in