ଲକ୍ଷ୍ମୀ କେବେ ଆସିବ
ଲକ୍ଷ୍ମୀ କେବେ ଆସିବ
"ମୋ ଗେଲ୍ଲୀଟା, ମୋ ଧନଟା...ତୁ ପରା ମୋ ଘରର ଲକ୍ଷ୍ମୀ।"ସାତ ବର୍ଷର ନାତୁଣୀ ଲିଜାର ମୁଣ୍ଡ ଆଉଁଷି ଶୁଏଇବାକୁ ଚେଷ୍ଟା କରୁଥିଲେ ଜେଜେମା। "ଜେଜି ଲକ୍ଷ୍ମୀମାନେ କଣ "ଶୋଇବା ବଦଳରେ ବଡ଼ ବଡ଼ ଆଖି ମେଲି ପଚାରିଲା ଲିଜା। " ତୁ ଜନ୍ମ ହେଲା ପରେ, ତୋ ଲକ୍ଷ୍ମୀ ପାଦ ପଡି ତୋ ବାପାର ପ୍ରମୋସନ ହେଲା, ଦରମା ବଢ଼ିଲା। ସେଇଥି ପାଇଁ ପରା ତୁ ଆମ ଲକ୍ଷ୍ମୀ। " "ମୁଁ କେମିତି ଜନ୍ମହେଲି ଜେଜି, ମା କହେ ମୋତେ କୁଆଡେ ମେଡିକାଲରୁ ନେଇ ଆସିଥିଲା ବୋଲି। "ସତରେ ନା କଣ" ଜେଜେମାଙ୍କ କଥା ସରୁ ସରୁ ପୁଣି ଏକ ପ୍ରଶ୍ନ କଲା ଲିଜା।"ଓଃ ମୋର ମାଆ, କେତେ ଚବ ଚବ ହେଉଛୁ। ଶୋଇ ପଡେ ଟିକେ ।ଆଖି ବନ୍ଦ କଲେ ବଢ଼ିଆ ଗପଟେ କହିବି।" ଆଖି ବନ୍ଦ କରି ଗପ ଶୁଣୁ ଶୁଣୁ କେତେବେଳେ ଯେ ଲିଜାର ରାତି ପାହି ସକାଳ ହେଇଯାଇଥିଲା।"ଆ ମୋ ସହ ଗୋଟେ ବଢ଼ିଆ କଥା କହିବି"ଗପ ଶୁଣିବାକୁ ମାଆ ପାଖରେ ଅଳି କରୁଥିବା ଲିଜାର ହାତ ଧରି ଜେଜେମା ଠାକୁର ଘରକୁ ନେଇଗଲେ।"ବସ, ମୋ ପାଖରେ, ହାତ ଯୋଡି ଆଖି ବନ୍ଦ କରି କହ, ହେ ଗୋପାଳ ମୋ ପାଇଁ ତୁମ ପରି ଭାଇଟିଏ ଆଣି ଦିଅ।"ଜେଜିର କଥା ଶୁଣି ଠାକୁର ଘରେ ଶାନ୍ତ ଶିଷ୍ଟ ପିଲାଟି ପରି ଚକା ପାରି ହାତ ଯୋଡି ବସିଥିବା ଲିଜା ଆଖି ବନ୍ଦ କରିବା ବଦଳରେ ବଡ଼ ବଡ଼ ଆଖି କରି ପଚାରିଲା"ଗୋପାଳ ଭାଇ ଦେବେ। ଏଇଟା କଣ ଜେଜି। " ଆରେ, ତୋ ମାଆ ପରା ତୋ ପରି ଗୁଲୁଗୁଲିଆ ଭାଇଟେ ହସ୍ପିଟାଲରୁ ଆଣିବାକୁ ଯିବ। ତୁ ଜାଣିନୁ କି"। "ସତରେ.."ସ୍ପ୍ରିଂଗ ଭଳି ବସିବା ଜାଗାରୁ ଉଠି ପଡ଼ିଲା ଲିଜା।"ବାଃ ବଢ଼ିଆ ତ। ମୁଁ ତ ତା ସହ ଖେଳିବି।ହେଲେ ମାମା ଭାଇ କାହିଁକି ଆଣିବ ଜେଜି। ମୋ ଭଳି ଲକ୍ଷ୍ମୀଟିଏ ହେଇ ଭଉଣୀଟେ ଆଣିଲେ ଭଲ ହେବନା।ପାପାଙ୍କର ପ୍ରମୋସନ ହେବ ଆହୁରି ଦରମା ବଢିବ, ନୁହେଁ କି ଜେଜି।"ତାଳି ମାରି ମାରି ନାଚିଲା ଲିଜା।ଜେଜେମାଙ୍କ ମୁହଁର ବିରକ୍ତ ଭାବକୁ ଲକ୍ଷ୍ୟ ନକରି ହାତ ଯୋଡି ଆଖି ବନ୍ଦ କରି କହିଲା'ହେ ଗୋପାଳ ମୋତେ ତୁମ ପରି ଭଉଣୀଟେ ଦିଅ।ସେ ଆସିଲେ ଘରେ ଲକ୍ଷ୍ମୀ ଆସିବେ। ପାପାଙ୍କ ଦରମା ବଢିବ।"ଏତିକି କହି ମାମା ମାମା ଡାକି ଠାକୁର ଘରୁ ଡେଇଁ ଡେଇଁ ଚାଲିଗଲା ଲିଜା।ଲିଜାର ପାଦ ଛନ୍ଦକୁ ନିର୍ବାକ ହୋଇ ଚାହିଁ ରହିଥିଲେ ଜେଜେମା।"ପୁଣି ଥରେ ଝିଅ। ଏ ବଂଶ ରକ୍ଷା ହେବ କି ନାହିଁ।ବାହାଘର ପୂର୍ବରୁ ଭଲରେ ଜ୍ୟୋତିଷ ଦେଖାଇଥିଲି। ଜାତକରେ ପୁତ୍ର ଯୋଗ ଅଛି ବୋଲି ଜାଣିଲା ପରେ ତ ବୋହୂ କରି ଆଣିଲି।ହେଲେ ଫଟା କପାଳ ।ପ୍ରଥମ ଥରରେ ଝିଅ।ହଉ ପ୍ରଥମ ପୋଖତି ବୋଲି ମାନିନେଲି।ଏଥର ପୁଣି ସେ ପୋଡ଼ା ଝିଅ।ନାଇଁ ଆଉ ନୁହେଁ। ତୁ ତ ସବୁ ଜାଣୁ ଅରୁଣ।ବାପ, ଆଜି କାଲି ଝିଅ ପିଛା କେତେ କେତେ ଖର୍ଚ୍ଚ।ତା ଛଡା ଆଜି କାଲି ଯୁଗ ବାଗର ଠିକଣା ନାହିଁ।ଏଇ ଗୋଟେକୁ ସମ୍ଭାଳି ପାରିଲେ ହେଲା।ମୁଁ ଫେଏରେ ଜ୍ୟୋତିଷ ପାଖକୁ ଯିବି। ତୃତୀୟ ଗର୍ଭକୁ ପୁତ୍ର ଯୋଗ ନିଶ୍ଚୟ ଥିବ।ତୁ ଏଇଟିକୁ ଜମା ଆଶା କରନି। ବେଳ ବିଲ୍କୁଲ ଗଡି ଯାଇନି।ଏବେ ଠୁ କାମ ବଢ଼େଇ ଦେଲେ ଅଡୁଆ ତୁଟିଲା ।ଯା ଆଉ ଡେରି କରନି। ବୋହୂକୁ ବୁଝେଇଦବୁ।"ଲିଜାର ଜେଜେମାଙ୍କ କଥା ମୁହଁ ପୋତି ଶୁଣୁଥାନ୍ତି ଲିଜାର ବାପା ଅରୁଣ।କବାଟ ଆଢୁଆଳରେ ଦେଖା ଯାଉଥିଲା ଲିଜାର ମାଆ ସବିତାଙ୍କର ଲୁହ ଛଳ ଛଳ ଆଖି ଦୁଇଟି।ମୁହଁ ଟେକି ସବିତାଙ୍କୁ ଚାହିଁଲେ ଅରୁଣ। ଏତେ ବେଳ ଯାଏଁ ଆଖିରେ ଢଳ ଢଳ ହେଉଥିବା ଲୁହ ଦୁଇ ଧାର ଗଡି ପଡିଲା ସବିତାଙ୍କ ଆଖିରୁ।
ସେଦିନ ପାପା ମାମା ବଜାର ଯାଇ ଆସିଲା ପରଠୁ ମାମା କାହିଁକି ଆଉ ଜମା କଥା ହଉନି।ଯାହା ପଚାରିଲେ ବି କିଛି କହୁନି। ପାପା ବି ଆଉ ଆଗ ଭଳି ଖେଳୁନାହାଁନ୍ତି ତା ସହ।ଆଉ ଜେଜି ସବୁବେଳେ ଠାକୁର ଘରେ।ତା ପୁଅ କଣ୍ଢେଇକୁ ଶୁଆଉ ଶୁଆଉ ମନେ ପଡିଗଲା ଲିଜାର।କଣ୍ଢେଇ ଖେଳ ସେତିକି ଛାଡି ମାମା ମାମା ଡାକି ରୋଷେଇ ଘରକୁ ଧାଇଁ ଗଲା ଲିଜା।"ମାମା ଏ ମାମା.. ଆମ ଲକ୍ଷ୍ମୀ କେବେ ଆସିବ। କେବେ ତୁମେ ତାକୁ ହସ୍ପିଟାଲରୁ ଆଣିବ।" କିଛି ଦିନ ଧରି ଲକ୍ଷ୍ମୀ କେବେ ଆସିବ, ଲକ୍ଷ୍ମୀ କେବେ ଆସିବ ରାହା ଧରିଥିବା ଲିଜାକୁ ଚୁପ କରେଇବା ପାଇଁ ଚାହା ଛାଣୁ ଛାଣୁ ସବିତା ନିର୍ଲିପ୍ତ ହୋଇ ଉତ୍ତର ଦେଲେ,"ଆଉ କେବେ ଆସିବନି ସେ। ଜେଜେବାପାଙ୍କ ପାଖକୁ ଚାଲି ଗଲା।"ଥମ କରି ରହିଗଲା ଲିଜା। ଆଶ୍ଚର୍ଯ୍ୟ ହୋଇ ପଚାରିଲା"କାହିଁକି କଣ ହେଇଥିଲା କି ତାର।""ଏଇଠି ଲୋକେ ଲକ୍ଷ୍ମୀ ବ୍ୟାଙ୍କ ଆକାଉଣ୍ଟକୁ ଆସିଲେ ଖୁସି ହୁଅନ୍ତି, ମାଆ ପେଟକୁ ଆସିଲେ ନୁହେଁ।"ଅନ୍ୟମନସ୍କ ହୋଇ ଉତ୍ତର ଦେଲେ ସବିତା, ସତେ ଯେପରି ସେ ତାଙ୍କ ସାତ ବର୍ଷର କୁନି ଝିଅକୁ ନୁହେଁ ନିଜକୁ ହିଁ ଉତ୍ତର ଦେଉଛନ୍ତି। "ୟାର ମାନେ କଣ ଯେ ମାମା ..କୁହ" ମାମାର ପଣତ କାନି ଟାଣି ବ୍ୟସ୍ତ ହୋଇ ପଚାରିଲା ଲିଜା।"ମୋତେ ଆଉ ବିରକ୍ତ କରନା। ସବୁବେଳେ ଖାଲି ପ୍ରଶ୍ନ ଆଉ ପ୍ରଶ୍ନ। ଯା ଆର୍ଟ ସାର ଡ୍ରଇଂରୁମରେ ଅପେକ୍ଷା କରିଛନ୍ତି।"ବିରକ୍ତ ହୋଇ ଉତ୍ତର ଦେଲେ ସବିତା।ମାଆଠାରୁ ଏଭଳି ବ୍ୟବହାରର ଆଶା କରିନଥିବା ଲିଜା ଥମ ହୋଇ କିଛି ସମୟ ରହିଗଲା।ତା ପରେ ଧୀରେ ଧୀରେ ବାହାରି ଆସିଲା ରୋଷେଇ ଘରୁ।ପୁଣି କଣ ଭାବିଲା କେଜାଣି ରୋଷେଇ ଘର ଦୁଆର ମୁହଁରେ ଅଟକି ଯାଇ ପଛକୁ ଫେରି ଚାହିଁ ଦେଖିଲା ଶାଢ଼ୀ ପଣତରେ ଆଖି ପୋଛୁଛନ୍ତି ମାମା।ଲିଜାର କୁନି ମନ ପାଇଁ ଏହି ପରିବେଶଟା ଅପ୍ରତ୍ୟାଶିତ ଆଉ ବହୁତ ଭାରି ଭାରି ଥିଲା। କଣ କରିବ କିଛି ବୁଝି ନପାରି ଧୀର ପାଦରେ ଡ୍ରଇଂ ରୁମ ଆଡ଼କୁ ଚାଲିଗଲା ସେ।