ପୁରୁଣା ଜିନିଷ ନୂଆ ଘରେ
ପୁରୁଣା ଜିନିଷ ନୂଆ ଘରେ
ପୁରୁଣା ଜିନିଷ ନୂଆ ଘରେ
ଚାକିରି ଜୀବନ ଭିତରେ ଅନେକ ଥର ବଦଳି ହୋଇଛି l ଏ ବସା ଘରକୁ ଛାଡି, ସେ ବସା ଘରକୁ ଜିନିଷ ବୋହିବା ଦେହସୁହା ହୋଇଯାଇଥିଲା l ନୂଆ ଜାଗାକୁ ଯିବାର ଉତ୍କଣ୍ଠା ପୁରୁଣା ଜାଗା ଛାଡିବାର ଅବଶୋଷ ଭିତରେ କିଛି ବନ୍ଧୁବାନ୍ଧବ, ପାଖ ପଡିଶା ଆଉ ସାଙ୍ଗ ସାଥୀଙ୍କ ସହାୟତାରେ ସେ କାମଟି ସୁରୁଖୁରୁରେ ହୋଇ ଯାଉଥିଲା l ଏବେ ବଳ ବି ନାହିଁ, ବୟସ ବି
ନାହିଁ l ଏଇଟା ବୋଧେ ଜୀବନର ଶେଷ ବଦଳି l ଭଡା ଘରକୁ ଛାଡି ନିଜ ଘରକୁ ଯିବେ l ନିଜ ପସନ୍ଦର ଜାଗା ଉପରେ ମନମୁତାବକ ଘରଟିଏ କରିବା ଆଜିକା ସମୟରେ କାଠିକର ପାଠ l ଯା’ ହେଉ ଅବସରକାଳୀନ ପାଉଣାରେ ଘରଟିଏ କିଣିଛନ୍ତି l ସୁବିଧା-ଅସୁବିଧା ଅନୁସାରେ ଚାକିରି ଜୀବନ କାଳରେ ବହୁତ କିଛି ଜିନିଷ ଠୁଳ ହୋଇ ଯାଇଛି l ସବୁ ଜିନିଷ କ’ଣ ନୂଆ ଘରେ ରଖି ହେବ ? ତେଣୁ ପ୍ରତି ଦିନ ଝଗଡାଝାଟି ଭିତରେ ସେ ଜିନିଷକୁ ଅଲଗା କରାଯାଉଛି l ଏ ଦାୟିତ୍ୱଟା ଶ୍ରୀମତିଙ୍କର l ସେ ଦିନ ଖଟ ଉପରେ ପସରା ମେଲେଇ ବସିଥିଲେ ଶ୍ରୀମତି l ଆଜି ବୋଧେ ପୁରୁଣା ବାକ୍ସର ପାଳି l ପଲଙ୍କ ସାରା ଖୋଲା ପଡିଛି ଥାକ ଥାକ ହୋଇ ପୁରୁଣା ପୋଷାକ l
: କାହିଁକି ଏ ଗୁଡା ରଖିଛ ଆଜି ଯାଏ ? ପୁଅ ତ କେବେ ଠାରୁ ଚାକିରି କରି ଗଲାଣି l ଏ ଗୁଡା କ’ଣ ହେବ ? କେଉଁଠି ରଖିବ ?
ଶ୍ରୀମତିଙ୍କ ମୁହଁରୁ କଥା ନ ସରୁଣୁ ପ୍ରଭାତ ବାବୁ କହିଲେ, କାହିଁକି ? ମୋ ପୁଅ ପାଇଁ ମାଷ୍ଟର୍ ବେଡରୁମରେ ଯେଉଁ ୱାର୍ଡରୋବ୍ ହେଉଛି, ସେ ଗୁଡା କ’ଣ ହେବ ? ତା’ ଭିତରେ
ରଖିବି l ତା’ ପାଖକୁ ମୋ ପୁଅର ଗୋଟେ ବଡ ଫୋଟ କରି ଲଗେଇଦେବି, ଆଉ ପଚାରିବି କୋଉ ଡ୍ରେସ୍ ପିନ୍ଧିବୁ ? ହଠାତ୍ ମାନୁ ବୋଉ ଗୋଟିଏ ଛୋଟ ଛୋଟ ଡ୍ରେସକୁ ଧରି କଇଁ କଇଁ ହୋଇ କାନ୍ଦି ଉଠିଲେ l ଆଉ ବେଶି ସମୟ ଠିଆ ହୋଇ ପାରିଲେନି ପ୍ରଭାତ ବାବୁ l ବାହାରକୁ ଚାଲି ଆସିଲେ l ଇଚ୍ଛା ହେଲା କାନ୍ଦିବାକୁ l ଲୁହକୁ ଅଟକେଇ ପାରିଲେନି l ହଠାତ୍ ଲାଗିଲା, ପଛରୁ କୁନି ସ୍ୱରରେ କିଏ ଯେମିତି ଡାକୁଛି, ବାବା ! ବାବା ! ଗଛ ମୂଳେ କ’ଣ କରୁଛ ? ପଛକୁ ଅନେଇଲେ l ଲୁହ ଭରା ଆଖିକୁ କିଛି ଦେଖା ଗଲାନି l ମନର ଆଇନାରେ ଖାଲି ଜଳଜଳ ହୋଇ ଦିଶୁଥିଲା, ଅପାସୋରା ଅତୀତର ଛବିଗୁଡିକ l
ପ୍ରମୋଦ କୁମାର ଜେନା ©