Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଛାଡ଼ଖାଇ
ଛାଡ଼ଖାଇ
★★★★★

© Seetaram Dash

Others

4 Minutes   9.0K    15


Content Ranking

କାର୍ତିକ ମାସ ଦିନ କେତେଟା ବାକି ଅଛି। ଧରମ ମାସରେ ଆଇଁସ ନ ଖାଉଥିବା କିଛି ଲୋକଙ୍କ ପାଟି ଆମ୍ବିଳା ହୋଇଗଲାଣି। ଚାରିଟା ଦିନ କେମିତି ସରିବ ଏବଂ ପାଟିରେ ମାଛ, ମାଂସ ଟିକେ ବାଜିବ। ପୁରା ମାସଟା ଶାଗ ମୁଗରେ କଟିଲାଣି। ପଞ୍ଚୁକ ପାଞ୍ଚ ଦିନ ପରେ କେମିତି ଭଲ ଖାସି ମାଂସ ହେଉ ନ ହେଲେ ବ୍ରଏଲର କିମ୍ବା ଭାକୁର ମାଛ ରେ ଛାଡଖାଇ ପାଳିବାର ବେବସ୍ତା ସମସ୍ତେ କରିସାରିଲେଣି।

ଆମ ଗାଁର ସନିଆ ସାହୁ ଜଣେ ଛେଳି ଚାଷୀ। ତାଙ୍କ ଘରେ ଛେଳି ଭଲ ବଢନ୍ତି। ସନିଆ ସାହୁର ସ୍ତ୍ରୀ ଛୁଆ ପିଲା ସମସ୍ତେ ପୁରା ଦମରେ ଲାଗିଛନ୍ତି ଛେଳି ପଛରେ। କଅଁଳ ପତ୍ର,ଘାସ,ବିରି,କୋଲଥ ଖୁବ ଦେଉଥାନ୍ତି। କେମିତି ଟିକେ ଦୃଷ୍ଟପୃଷ୍ଟ ହୋଇଗଲେ ଛାଡ଼ଖାଇ ରେ ଭଲ ଦି ପଇସା ହେବ। ଟିକେ ଭଲ ମନ୍ଦ ଖାଇ ଖୁବ ଆନନ୍ଦରେ ଥାଆନ୍ତି ଛେଳି ଗୁଡିକ।

ସନିଆ ସାହୁର ସବୁଠୁ ସୁନ୍ଦର ଛେଳି ହେଉଛି ମଙ୍ଗୁ। ମଙ୍ଗଳ ବାରରେ ଜନ୍ମ ହୋଇଥିବାରୁ ତା ନା ମଙ୍ଗୁ। ମଙ୍ଗୁ ଦେଖିବାକୁ ଖୁବ ସୁନ୍ଦର। କଳା ଛନ୍ନ ଛନ୍ନ ଦେହକୁ ମୁଣ୍ଡରେ ଧଳା ଚାନ୍ଦ।ପଶୁ ଟିଏ ହେଲେ ବି ଖୁବ ସ୍ନେହି ଓ ବୁଦ୍ଧିମାନ। ଭାତ ହେଉ ଜଳଖିଆ ହେଉ କିମ୍ବା ଭୁଜା ମୁଢ଼ି ହେଉ ମଙ୍ଗୁ ସମସ୍ତଙ୍କ ସାଥିରେ ଖାଏ ଏବଂ ସାଥିରେ ଶୁଏ। ଶିତରୁ ରକ୍ଷା ପାଇବା ପାଇବା ପାଇଁ କମ୍ବଳ, ରେଜାଇ ବି ଘୋଡାଇ ଦିଅନ୍ତି ଘର ଲୋକେ। ସନିଆ ସାହୁର ସାନ ପୁଅ ମନୁଆ ବହୁତ ଭଲ ପାଏ ମଙ୍ଗୁକୁ।ସ୍କୁଲ ସମୟ ଛାଡିଦେଲେ ସବୁବେଳେ ମଙ୍ଗୁ ଓ ମନୁଆ ଏକାଠି ଖେଳନ୍ତି, ବୁଲନ୍ତି। ସ୍କୁଲ ରୁ ଫେରିବା ବାଟରେ ମନୁଆ ଦୁବ ଘାସ ସାଙ୍ଗକୁ ଡାଳ ପତ୍ର ଆଣି ଆସେ ମଙ୍ଗୁ ପାଇଁ।

ଛାଡ଼ଖାଇର ଦୁଇ ଦିନ ପୂର୍ବରୁ କାଲୁ ମିଆଁ ଛେଳି ପାଇଁ ଆସିଲା ସନିଆ ସାହୁ ଘରକୁ। ଅନେକ ମୂଳ ଚାଲ ପରେ ନେଇଗଲା ମନୁଆ ଘରୁ ମଙ୍ଗୁ ସହିତ ଆଉ ଦଶଟି ଛେଳି। ବିଡାଏ ନୋଟ ପାଇଁ ସମସ୍ତଙ୍କ ମନ ବହୁତ ଖୁସି। ହେଲେ ମଙ୍ଗୁକୁ ଭିଡି ଧରିଥାଏ ମନୁଆ। ଆଖିରେ ଆଖିଏ ଲୁହ। କାନ୍ଦି ବୋବାଇ ତଳେ ଗଡ଼ିଲାଣି। ଏକା ଜିଦ ମଙ୍ଗୁ କୁଆଡେ ଯିବନି। ବାପା ମନୁଆକୁ ଦୁଇଟି ପଚାଶ ଟଙ୍କା ଦେଇ କହିଲେ ମଙ୍ଗୁର ଦେହ ଖରାପ। ଡାକ୍ତରଖାନା ଯାଉଛି କିଛିଦିନ ରହି ପୁଣି ଆମ ଘରକୁ ଫେରିବ। ବୋଉ ବି ବୁଝାସୁଝା କରି ମନୁଆକୁ ସ୍କୁଲ ପଠାଇ ଦେଲେ। କାଲୁ ମିଆଁ ଛେଳି ମାନଙ୍କ ଚାରି ଗୋଡ଼କୁ ବାନ୍ଧି ବଡ଼ ବଡ଼ ବ୍ୟାଗରେ ଅତି ନୃଶଂସ ଭାବରେ ଭର୍ତି କରି ନେଇଗଲା। ସେ ଦୃଶ୍ୟ ଅତି କରୁଣ ଏବଂ ହୃଦୟ ବିଦାରକ।

ଛାଡ଼ଖାଇ ଦିନ ସକାଳ। କାଲୁ ମିଆଁ ଦୋକାନ ଆଗରେ ମାଂସ ପାଇଁ ବହୁତ ଭିଡ। ଅନେକ ଛେଳି ବନ୍ଧା ହୋଇଛନ୍ତି କଟା ହେବାକୁ। କାଲୁ ମିଆଁ ସବା ଶେଷକୁ ରଖିଛି ମଙ୍ଗୁକୁ। ମଙ୍ଗୁର ଆଖି ଆଗରେ ତା ପରିବାରର ସଦସ୍ୟ ଗୋଟିଏ ପରେ ଗୋଟିଏ ହଣା ହେଉଛନ୍ତି। କାଲୁ ମିଆଁ ଛେଳି ମାନକୁ ତଳେ ପକାଇ ଏକ ଧାରୁଆ ଛୁରୀରେ ଶରୀରରୁ ମୁଣ୍ଡ ସବୁ ଅଲଗା କରିଦେଉଥାଏ। ରକ୍ତର ସୁଅ ଛୁଟୁ ଥାଏ, ମୁଣ୍ଡ ରୁ ଆଲଗା ହୋଇଥିବା ଶରୀର ଟା ଅନେକ ସମୟ ପ୍ରଯ୍ୟନ୍ତ ଛଟପଟ ହୋଇ ନିସ୍ତେଜ ହୋଇଯାଏ। ତାପରେ ଦୁଇଜଣ ଯୁବକ ଶରୀରରୁ ସମସ୍ତ ଚମଡା କାଢ଼ିନେଇ ଏକ ଧାରୁଆ କଟୁରିରେ ଟୁକଡା ଟୁକଡା କରିଦେଉଥାନ୍ତି। ଏସବୁ ଦୃଶ୍ୟ ଅତ୍ୟନ୍ତ ଦୃଦୟ ବିଦାରକ। ମଙ୍ଗୁର ସାରା ଶରୀର ଭୟରେ ଥରହର। ମରିବା ଠୁ ମରିବାର ଭୟ ବେଶୀ କଷ୍ଟ ଦେଉଥାଏ ମଙ୍ଗୁକୁ। ଖସି ପଳାଇବାକୁ ଶତ ଚେଷ୍ଟାରେ ବି ବିଫଳ ହେଉଥାଏ ମଙ୍ଗୁ। କେବଳ ବିକଳ ହୋଇ ମେ ମେ ରଡି ଛାଡି କାନ୍ଦୁଥାଏ। ମନେ ମନେ ମନୁଆ ଆଉ ସନିଆ ଭାଇ କୁ ବହୁତ ଖୋଜୁଥାଏ। ମଙ୍ଗୁର କରୁଣ ଚିତ୍କାର ଗଗନ ପବନ ପ୍ରକମ୍ପିତ କରୁଥାଏ କିନ୍ତୁ କିଏ ଶୁଣିବ? ସମସ୍ତେ ଭଲ ମାଂସ ଟିକେ କେମିତି ପାଇବେ ଚାହିଁ ବସିଥାନ୍ତି। କିଏ କଳିଜା ମାଗିଲାଣି ତ କିଏ ବେକ ପାଖ ମାଂସ ମାଗିଲାଣି। କାହାର ପଞ୍ଜରା ଦରକାର ତ କାହାର ଗୋଡ।

ଏପଟେ ମନୁଆ କିଛି ବୟସ୍କ ଵେକ୍ତି ଏବଂ ବଡ ପିଲାମାନଙ୍କ ପାଖରୁ ଜାଣିବାକୁ ପାଇଛି, ମଙ୍ଗୁ କାଲୁ ମିଆଁ ସାଥିରେ ଯିବାର ପ୍ରକୃତ ରହସ୍ୟ। ମଙ୍ଗୁ ସାଥିରେ କଣ କଣ ହେବ ଜାଣିବା ପରେ ମନୁଆର ପାଦତଳୁ ମାଟି ଖସି ଯାଇଛି। ମାନସିକ ସ୍ତରରେ ଗଭୀର ଆଘାତ ପାଇଛି ମନୁଆ। ନିରବ ନିଃସ୍ତବ୍ଧ ହୋଇ ଯାଇଛି ଶରୀରର ପ୍ରତ୍ୟେକ ଅଙ୍ଗ। ନା ଖେଳ ବୁଲ,ନା ଖିଆପିଆ ନା କଥାବାର୍ତ୍ତା ସବୁ ବନ୍ଧ, କେବଳ ମଙ୍ଗୁ ଚିନ୍ତା ମନୁଆର। ଘର ଲୋକ ବହୁତ ବେସ୍ତ।

ସୂର୍ଯ୍ୟଦେବଙ୍କ ଆଲୋକ ରଶ୍ମି ଧାରା ପୃଷ୍ଟରୁ ବିଦାୟ ନେଇସାରିଥାଏ। କାର୍ତିକ ପୂର୍ଣ୍ଣିମା ଚାନ୍ଦର ଶୀତଳ କିରଣ ଏବଂ ହେମନ୍ତର ଶିଶିର ବିନ୍ଦୁ ଦେହ ମନକୁ ଶୀତରେ ମତୁଆଲା କରୁଥାଏ। କିନ୍ତୁ ମନୁଆ ଦେହ ତାତିରେ ଖଇ ଫୁଟୁଥାଏ। ରାତିର ଗତି ସହିତ ମନୁଆର ଦେହ ବେଶି ବେଶି ଖରାପ ହେଉଥାଏ। ଘରେ ସମସ୍ତେ ଭୋକ ଉପାସରେ ଜଗି ବସିଥାନ୍ତି। ଅର୍ଧରାତ୍ରୀରେ ମନୁଆ ମଙ୍ଗୁ ମଙ୍ଗୁ ବୋଲି ଅସ୍ପଷ୍ଟ ଭାବରେ କହୁଥାଏ। ଏବେ ପରିବାରର ସମସ୍ତେ ନିଷ୍ପତ୍ତି ନେଲେ ଯାହାବି ହେଉ କିଛି ଅଘଟଣ ଘଟିବା ପୂର୍ବରୁ ନିରାପଦରେ ମଙ୍ଗକୁ ଘରକୁ ଫେରାଇ ଆଣିବାକୁ ପଡ଼ିବ। ସମସ୍ତେ ମନୁଆକୁ ଆଶ୍ୱାସନା ଦେଉଥାନ୍ତି " ବେସ୍ତ ହୁଅନା, ଯେମିତି ହେଲେ ମଙ୍ଗୁ କୁ ଘରକୁ ଅଣାଯିବ"।

ବଡି ଭୋରୁ ସନିଆ ସାହୁ ଧାଇଁଲେ କାଲୁ ମିଆଁ ଘରକୁ। ମନୁଆ ବି ସମସ୍ତଙ୍କ ବାରଣ ସ୍ୱତ୍ତ୍ୱେ ବାହାରିଲା ସାଙ୍ଗରେ ଯିବା ପାଇଁ। ତାର ଦୁର୍ବଳ, ଅବଶ ଶରୀରରେ ଟିକେ ଚମକ ଜଣାଗଲା। କାଲୁ ମିଆଁ ଘରେ ପହଞ୍ଚି ସମସ୍ତେ ଜାଣିଲେ ଛେଳି ମାନକୁ ନେଇ କାଲୁ ମିଆଁ ଯାଇଛି ଅଡଶପୁର ବଜାରକୁ ମାଂସ ବିକ୍ରି ଉଦ୍ୟଶରେ। ସମସ୍ତଙ୍କ ମନରେ ହତାଶ ଆଉ ଆଶଙ୍କା।ଈଶ୍ୱରଙ୍କ ସ୍ମରଣ କରିବା ଛଡା କିଛି ଉପାୟ ନ ଥାଏ କାହା ପାଖରେ। ବେସ୍ତ ଆଉ ବିବ୍ରତ ହୋଇ ସମସ୍ତେ ଧାଇଁଥାନ୍ତି କାଲୁ ମିଆଁ ପାଖରେ ଜଲଦି ପହଂଚିବା ଉଦ୍ୟଶରେ।

କାଲୁ ମିଆଁ ପାଖରେ ମାଂସ ପାଇଁ ବହୁତ ଭିଡ। ଗୋଟେ ଖାସି କଟା ହେଉଥାଏ ଦଶ ପନ୍ଦର ମିନିଟ ଭିତରେ ଶେଷ। କିଛି ଗ୍ରାହକ ଅପେକ୍ଷା କରିଥାନ୍ତି ମଙ୍ଗୁ କେତେବେଳେ କଟାହେବ। ଶେଷେରେ ମଙ୍ଗୁ ପାଳି, ମଙ୍ଗୁ କୁ ଧରି କାଲୁ ମିଆଁ ଯାଉଛି ହାଣିବା ପାଇଁ। କରୁଣାମୟ ଭଗବାନଙ୍କର କି ଅପୁର୍ବ ସଂଯୋଗ, ହଟାତ ସନିଆ ଭାଇ ଏବଂ ମନୁଆ ପହଁଚିଲେ। ମଙ୍ଗୁ କୁ ଦେଖି ମନୁଆର ଦେହ ଅଧା ଭଲ। କେହି କିଛି ବୁଝିବା ଆଗରୁ ମନୁଆ ମଙ୍ଗୁକୁ କୁଣ୍ଡେଇ ଭେଁ ଭେଁ ହୋଇ କାନ୍ଦିଲା।ମଙ୍ଗୁ ଆଖିରେ ବି ଲୁହ। ମେ ମେ ହୋଇ ବହୁତ ଖୁସି ହେଉଥାଏ ମଙ୍ଗୁ। ମନୁଆ କାନ୍ଦି କାନ୍ଦି କହିଲା କାଲୁ କାକା ହାଣିବ ଯଦି ମତେ ହାଣ ହେଲେ ମଙ୍ଗୁ ଛାଡି ଦିଅ। ନ ହେଲେ ତାକୁ ଛାଡି ମତେ ହାଣ।

ତାପରେ ମନୁଆ ମଙ୍ଗୁର ମୁହଁ, ଆଖି, କପାଳ, ପିଠିକୁ ଚୁମା ଦେଲା ଅନେକ ଥର ଗୋଟେ ଅଦ୍ଭୂତ ପାଗଳପଣରେ। ତାପରେ ମନୁଆ କହିଲା "ମଙ୍ଗୁ ତୁ ମତେ ଖରାପ ଭାବୁନୁତ? ତୁ ଏତେ କଷ୍ଟରେ କେମିତି ଏକଲା ରହୁଛୁ। ତୋ ବିନା ମୁଁ ମରିଯିବିରେ"।ମଙ୍ଗୁ ବି ସବୁ ବୁଝୁଥିଲା ଆଉ ମନୁଆର ଆଖିରୁ ଝରୁଥିବା ଲୁହ ଧାରାକୁ ଚାଟି ଛୁଟି ସଫା କରିବାରେ ଲାଗିଥିଲା।


ସମସ୍ତଙ୍କ ଆଖିରେ ଲୁହ। ଏକ ଶୋକାକୁଳ ପରିବେଶ ଭିତରେ ନୀରବତା ରାଜୁତି କରୁଥିଲା। ମାଂସ ପାଇଁ ଚାହିଁ ରହିଥିବା ଲୋକମାନେ ଗୌତମ ବୁଦ୍ଧ ଙ୍କ ଅହିଂସା ମନ୍ତ୍ର ରେ ଅନୁପ୍ରାଣିତ ହୋଇଯାଇଥିଲେ ଆପେ ଆପେ। କାଲୁ ମିଆଁ ର ରକ୍ତ ଲଗା ଛୁରି ଟା ହାତରୁ ଖସି ପଡ଼ିଥିଲା ତା ଅଜାଣତରେ। ସନିଆ ଭାଇ କଣ କହିବାକୁ କାଲୁ ମିଆଁ କାନ ପାଖକୁ ଝୁଙ୍କି ପଡୁଥିଲେ, ହେଲେ କାଲୁ ମିଆଁ ତର ତର ହୋଇ କହିଲା ସନିଆ ଭାଇ ଛେଳି ନେଇ ଘରକୁ ଯାଅ, ପରେ କଥା ହେବା।

ଏବେ କାଲୁ ମିଆଁ ମାଂସ ବିକ୍ରି ଛାଡି ଲୁଗାପଟା ବ୍ୟବସାୟ କରୁଛି, ବହୁତ ଭଲରେ ବି ଅଛି। ମଙ୍ଗୁ ବହୁତ ବଡ଼ ହୋଇ ଗଲାଣି। ପୂର୍ବର ସୁନ୍ଦରତା କି କୋମଳତା ନାହିଁ କିନ୍ତୁ ମନୁଆ ଆଉ ମଙ୍ଗୁ ସବୁବେଳେ ଏକାଠି।

ଛାଡ଼ଖାଇ ଛେଳି ଆଲୋକ

Rate the content


Originality
Flow
Language
Cover design

Comments

Post

Some text some message..