Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସାଙ୍ଗିଆ
ସାଙ୍ଗିଆ
★★★★★

© Jyotiranjan Sahu

Others

6 Minutes   186    5


Content Ranking

ସେଦିନ ରବି ବାବୁଙ୍କର ବାପା ରବି ବାବୁଙ୍କୁ ଡାକି କହିଲେ " ଆରେ ବାବା ! ଘର ପାଚେରୀରେ ତୋର ନାମ ଫଳକଟା ଲଗାଇବୁନି କି ? ସାତ ଦିନ ଉପରେ ହେଲାଣି ଅର୍ଡରଟା ଦେବାର । ଆଜି ଅଫିସରୁ ଆସିଲାବେଳେ ମନେକରି ଦୋକାନରୁ ନେଇଆସିବୁ " । ବାପାଙ୍କର କଥା ଶୁଣି ରବି ବାବୁ କହିଲେ " ହଁ ଆଣିବିତ ନିଶ୍ଚୟ କିନ୍ତୁ ଫଳକଟାରେ ମୋ ନାଁ ନାହିଁ ; ଅଛି ତୁମ ନାଁ । ତା ଉପରକୁ ଆମ ଘରର ନାଁ 'ଆଶ୍ରୟ' । ଗତକାଲି ଦେଖିଆସିଥିଲି । ଆଜି ଅଫିସରୁ ଫେରିଲାବେଳେ ଆଣିଆସିବି । ଆଉ ହଁ ! ଆଜି ଦୁଇଜଣ ଲୋକ ଆସିବେ ଘରସଫା କରି ରଙ୍ଗ ଦେବାକୁ । ତାଙ୍କୁ ଟିକିଏ ଜଗିଥିବ ; ନହେଲେ ଠକଗୁଡା କାମରେ ଠକିଦେବେ " । ଏତିକି କହି ରବି ବାବୁ ବାହାରିଗଲେ ଅଫିସ୍ । ରବି ବାବୁ କ୍ୟାପିଟାଲରେ ବିଜୁଳି ବିଭାଗର ଜଣେ ଉଚ୍ଚ ପଦସ୍ଥ ଅଫିସର । ଖୁବ୍ ଭଲ ନହେଲେବି କିଛି ଖରାପ ଲୋକ ନୁହନ୍ତି ରବି ବାବୁ ।

ଦିନ ଦଶଟା ପାଖାପାଖି ଦୁଇଜଣ ଯୁବକ ରଙ୍ଗ କାମ ପାଇଁ ରବି ବାବୁଙ୍କ ଘରକୁ ଆସିଲେ । ରବି ବାବୁଙ୍କର ବାପା ସବୁକିଛି ବୁଝାଇଦେଲେ ଦୁଇ ଯୁବକଙ୍କୁ । ଏହାପରେ ଯୁବକ ଦୁଇଜଣ ଲାଗିଗଲେ ନିଜନିଜ କାମରେ । ଦିନ ୧୨ଟା ପାଖାପାଖି ରବି ବାବୁ ଘରକୁ ଆସିଲେ ମଧ୍ୟାହ୍ନ ଭୋଜନ ପାଇଁ । ଦେଖିଲେ ଘର ପଛପାଖ ବରଣ୍ଡାରେ ରଙ୍ଗଦେବା ପିଲା ଦୁଇଜଣ ଖାଇବାକୁ ପ୍ରସ୍ତୁତ ହେଉଛନ୍ତି । ଆଗରେ ଥୁଆହୋଇଥାଏ ଟିଫିନ୍ ଭର୍ତ୍ତି ପଖାଳ ଆଉ ଆଳୁଭଜା । ହଠାତ୍ ରବି ବାବୁଙ୍କୁ ଦେଖିଦେଇ ଦୁଇଜଣ ଉଠି ଛିଡାହୋଇଗଲେ । ଏଥର ରବି ବାବୁ ଟିକିଏ ଗମ୍ଭୀର ଗଳାରେ କହିଲେ " ଆରେ ଦୁଇ ଘଣ୍ଟାରେ ଏତିକି ମାତ୍ର ସଫା ହୋଇଛି । ଟିକିଏ କାମ କଲ କି ନାହିଁ ଖାଇବାକୁ ବସିଗଲଣି । ତୁମ୍ଭମାନଙ୍କ ଦେଇ କାମ କରି ହେବନି । ମୁଁ ଦୁଇଦିନରେ ତଳ ଘରଟା ରଙ୍ଗ କରିବାକୁ କହିଥିଲି । ଏହିଭଳି କାମ କଲେ କଣ ଦୁଇଦିନରେ ରଙ୍ଗ ହୋଇପାରିବ ! କାମ କରିବାକୁ ଇଚ୍ଛା ଯଦି ଅଛି କାମକର ନଚେତ୍ ମୁଁ ଆଉ କାହାକୁ କାମରେ ଲଗେଇବି । ଏହିଭଳି ଠକ କାମ ମୋର ଦରକାର ନାହିଁ । ଟଙ୍କା ନେଲାବେଳକୁତ ଠିକ୍ ଗଣିନେବ । ଟଙ୍କା କଣ ଗଛରେ ଫଳୁଛି ? ମନେରଖ ଠିକ୍ ସମୟରେ କାମ ନସରିଲେ ସିଧାସିଧା ଅଧା ଟଙ୍କା କାଟିଦେବି "। ଏକଥା ଶୁଣି ସେହି ଦୁଇ ଯୁବକଙ୍କ ମଧ୍ୟରୁ ଜଣେ କହିଲା " ସାର୍ ! ଆପଣଙ୍କ କାମ ଠିକ୍ ସମୟରେ ସରିଯିବ । ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁନାହିଁ । କହିଁକିନା ଟଙ୍କାଟା ମୋର ନିହାତି ଆବଶ୍ୟକ " । ଏହାପରେ ଦୁହେଁ ଲାଗିପଡିଲେ କାମରେ । ରାତି ଆଠଟା ପର୍ଯ୍ୟନ୍ତ ସେଦିନ କାମକରିଥିଲେ ଦୁହେଁ ।

ଶୀଘ୍ର କାମ ସାରବା ପାଇଁ ପରଦିନ ସକାଳ ଆଠଟାରୁ ଆସି ଦୁହେଁ ପହଞ୍ଚିଗଲେ । କାମରେ ଲାଗିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଗୋରା ପିଲାଟି ରବି ବାବୁଙ୍କ ଶୁଖିଲା ମୁହଁକୁ ଦେଖି ପଚାରିବସିଲା " ଆଜ୍ଞା ସାର୍ ! କଣ ହୋଇଛି ? ମୁହଁଟା ଶୁଖିଲା ଦିଶୁଛି ଆପଣଙ୍କର "? ଦୀର୍ଘ ନିଶ୍ବାସଟେ ଛାଡି ରବି ବାବୁ କହିଲେ " ଆରେ ଗତକାଲି ରାତିରେ ତୁମ୍ଭେମାନେ ଗଲାପରେ ହଠାତ୍ ଘର ଇଲେକ୍ଟ୍ରି ଲାଇନରେ ସର୍ଟ ସର୍କିଟ୍ ହୋଇଗଲା । ଆଉ ସେଥିରେ ମୋ ଝିଅକୁ ଜୋରଦାର୍ ଇଲେକ୍ଟ୍ରିକ୍ ସକ୍ ଲାଗିଲା । ସଂଜ୍ଞାହୀନ ହୋଇପଡିଥିଲା ସିଏ । ଯାହାହେଉ ହସ୍ପିଟାଲରେ ଟ୍ରିଟମେଣ୍ଟ ପରେ ଟିକିଏ ସୁସ୍ଥହେବାରୁ ଆଜି ସକାଳୁ ସେଠାରୁ ଡିସ୍ଚାର୍ଜ କରି ଘରକୁ ଆଣିଛୁ " । ଏହାପରେ ସେହି ଗୋରାପିଲାଟି କହିଲା" ଆଜ୍ଞା ମୋତେଟିକିଏ ଘରର ୱାରିଂଟା ଦେଖିବାକୁ ଦେବେ "? " ତୁମେ କଣ କରିପାରିବ " ? ବୋଲି ପ୍ରଶ୍ନକଲେ ରବି ବାବୁ । ମୁଣ୍ଡ ହଲାଇ ସମ୍ମତି ଦେବାପରେ ସେହି ପିଲାଟି ସମ୍ପୂର୍ଣ୍ଣ ଘରଟାର ୱାରିଂ ଚେକ୍ କରି ସର୍ଟସର୍କିଟର ପ୍ରକୃତ କାରଣଟିକୁ ଖୋଜିପାଇଗଲା ଆଉ ରବି ବାବୁଙ୍କ ଉପସ୍ଥିତିରେ ତାହାକୁ ଠିକ୍ ମଧ୍ୟ କରିଦେଲା । ପିଲାଟିର କାର୍ଯ୍ୟକୁଶଳତା ଦେଖି ଖୁବ୍ ଖୁସିହୋଇଗଲେ ରବି ବାବୁ । ପଚାରିଲେ " ଆରେ ତୋତେତ ଇଲେକ୍ଟ୍ରି କାମବି ଭଲ ଜଣା । ଆଗରୁ କଣ କେଉଁଠି ଏକାମ କରୁଥିଲୁ କି " ?

ଏତିକିବେଳେ ରବି ବାବୁଙ୍କର ଘର ଗେଟ୍ ଖୋଲି ଭିତରକୁ ଆସୁଥିଲେ ଜଣେ ମହିଳା । ବୟସ ପଚାଶ ଉପରେ ହେବ । ଅଚିହ୍ନା ମୁହଁଟା ବୋଧହୁଏ ଚିହ୍ନିଲା ଚିହ୍ନିଲା ପରି ଲାଗଲା ରବି ବାବୁଙ୍କୁ । ତେଣୁ ତାକୁ ଦେଖିଦେଇ ହଠାତ୍ ଚିତ୍କାର କରିଉଠିଲେ ସିଏ । ପାଟିକରି କହିଲେ " ହୋଇରେ ତୋତେ ଏଇଠି ଆସିବାକୁ କିଏ କହିଲା । ମୋ ଘର ଠିକଣାଟା ପାଇଲୁ କେଉଁଠୁ ?ଅଫିସକୁ ଆସିବାକୁ କହିଥିଲି ପରା " । ସମ୍ମୁଖରେ ରବି ବାବୁଙ୍କୁ ଦେଖିଦେଇ ଅପ୍ରସ୍ତୁତ ହୋଇଉଠିଲେ ସେହି ଅଚିହ୍ନା ମହିଳା ଜଣକ । କିଛି ସମୟର ନୀରବତା ପରେ କହିଲେ " ବାବୁ ! ସାର୍ ! ମୁଁ ସେଇ ଟଙ୍କା ପାଇଁ ଆସିଥିଲି ପରା "। ଟଙ୍କା କଥା ଶୁଣି ଏଥର ରବି ବାବୁ ଅପ୍ରସ୍ତୁତ ହୋଇଗଲା ପରି ଜଣାଗଲେ । ତଥାପି କହିଲେ " ହୋଇରେ ଟଙ୍କା କଣ ଘରକୁ ଆଣିବାକୁ କହିଥିଲି । ଚୁପ୍ଚାପ୍ ଏହିଠାରୁ ପଳା "। ଏଥର ମହିଳା ଜଣକ କହିଲେ " ଯିବି କୁଆଡେ ଆଉ ବାବୁ ? ମୋ ପୁଅ ପାଖକୁ ଆସିଥିଲି । ଟଙ୍କା ନେବାକୁ । ସେଇ ଟଙ୍କାଟା ନଦେଲେ ଆମଘରେ ବିଜୁଳି ଜଳିବ କେମିତି ? ମୁଁ ଜାଣିନଥିଲି ସିଏ ଆପଣଙ୍କ ଘରେ କାମ କରୁଛି ବୋଲି " ? ଟିକିଏ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ରବି ବାବୁ । ସେତିକିବେଳେ ସେହି ଗୋରାପିଲାଟି କହିଲା " ସାର୍ ! ଇଏ ମୋ ମା' " । " ଆରେ ଇଏ ବୁଢୀତ ଆଚାର୍ଯ୍ୟ... ମାନେ ବାବୁ ତୁମେ କଣ ବ୍ରାହ୍ମଣ । ଆଉ ଏଇଠି ଏଘର ସଫା... ରଂଗକାମ..." ! ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନକଲେ ରବି ବାବୁ । "ଆଜ୍ଞା ହଁ " ଧୀରଭାବରେ ଉତ୍ତରଦେଲା ପିଲାଟି । ଆଉ କହିଲା " ସାର୍ ! ମୋର ଏହି ଆଚାର୍ଯ୍ୟ ସାଙ୍ଗିଆଟିକୁ ଛାଡିଦେଲେ ମୋଠାରେ ବ୍ରାହ୍ମଣର କେଉଁ ବିଶେଷତ୍ବଟା ଆଉ ବଞ୍ଚିଛି ଯେ ମୁଁ ନିଜକୁ ବ୍ରାହ୍ମଣର ପରିଚୟଦେବି । ନା ବେଦ ମନ୍ତ୍ର ନା ବ୍ରହ୍ମତତ୍ତ୍ବ ନା ଜଣେ ବ୍ରାହ୍ମଣର ଚରିତ୍ର ; ଏଥିରୁ କୌଣସି ଗୋଟିଏ ହେଲେ ମୋଠାରେ ଉପସ୍ଥିତ ଥିବାପରି କଣ ଜଣାପଡୁଛି ? ଜନ୍ମ ହେଉହେଉ ବାପାଙ୍କ ପ୍ରଦତ୍ତ ସାଙ୍ଗିଆଟି ସିନା ମିଳିଗଲା କିନ୍ତୁ କର୍ମଟା ବାରମ୍ବାର ଦେହରେ ପଡିଥିବା ଏଇ କେଇଖିଅ ସୂତାକୁ ଦେଖି ଉପହାସ କରିଚାଲିଛି । ମୋତେ ଯେତେବେଳେ ପାଞ୍ଚବର୍ଷ ବୟସ ସେତେବେଳେ ହଠାତ୍ ବାପା ମୋର ପାରାଲିସିସ୍ ର ଶିକାର ହୋଇ ଶାରୀରିକ ଅକ୍ଷମ ହୋଇପଡିଲେ । ଆଠବର୍ଷ ବୟସରୁ ପରିବାରର ବୋଝ ବହିବା ଶିଖିଗଲି । ଜାଣନ୍ତି ସାର୍ ! ଏ କଠୋର ଦୁନିଆଁର ନିଷ୍ଠୁର ସତ୍ୟଟା କଣ ! ଏହି ପାପି ପେଟଟା ସାର୍ । ଏପେଟ ବୁଝେନାହିଁ ଜାତି ବୁଝେନାହିଁ ନାଁ କଡର ସାଙ୍ଗିଆ । ଭୋକଟାର କୌଣସି ପରିଚୟ ନଥାଏ ସାର୍ । ଭୋକତ ବାସ୍... ଭୋକ । ଆଉ ସେଇଥିପାଇଁ ଜୀବନରେ ସବୁ କାମ କରିଛି । ଏହି ଇଲେକ୍ଟ୍ରି କାମଟା ! ଏଇଟାବି ଏ ଭୋକଟା ମୋତେ ଶିଖାଇଛି । ମ୍ୟାଟ୍ରିକ୍ ପରୀକ୍ଷାରେ ୬୨% ନମ୍ବର ରଖି ପାସ୍ କଲାପରେ ଆଉ ଆଗକୁ ପଢିପାରିଲିନି ସାର୍ । କଣ କରିବି ! ବାହାରକୁ ସହଜ ଦିଶୁଥିବା ଜୀବନଟା ସବୁବେଳେ ପରିସ୍ଥିତି ର ଦାସ, ସାର୍ । ଦୀର୍ଘ ବର୍ଷ ହେଲାଣି ବାପା ମୋର ବିଛଣାରେ । ଆଠ ମାସ ହେବ ଇଲେକ୍ଟ୍ରି ବିଲ୍ ଦେଇପାରିନାହିଁ ବୋଲି ଘରେ ଲାଇନ୍ କାଟିଦିଆଯାଇଛି । କେମିତି ବିଲ୍ ଦେଇଥାଆନ୍ତି ; ମାଁର ଅପରେସନରେ ଅନେକ ଟଙ୍କା ଖର୍ଚ୍ଚ କରିଦେଲି । ଆଉ ଏବେ ଏ ଗରମରେ ବାପା ମୋର ବହୁତ କଷ୍ଟ ପାଉଛନ୍ତି । ମାଁ ମାସଟିଏ ହେଲାଣି ଇଲେକ୍ଟ୍ରି ଅଫିସକୁ ଦୌଡୁଛି । ଗତକାଲି କେହିଜଣେ ବାବୁ କହିଛନ୍ତି କିଛି ହାତଗୁଞା ନେଇଯାଇ ଘରକୁ ଲାଇନ୍ କନେକସନ ବ୍ୟବସ୍ଥାଟା କରିଦେବେ । ଦରିଦ୍ର ଲୋକଟା ସାର୍ ମୁଁ । ଏ ଦାରଦ୍ର୍ୟଟା ଜାତି ଧର୍ମ ବର୍ଣ୍ଣ ସମୟ ପରିଚୟ ଆଉ ପରିସ୍ଥିତି ପଚାରି କାହାରିକୁ ଗ୍ରାସକରେ ନାହିଁ । କ୍ଷମା କରିବେ ସାର୍ ! କହୁକହୁ ବହୁତକିଛି କହିଗଲି । ଯଦି କିଛି ଟଙ୍କା ଏବେ ଦିଅନ୍ତେ ତେବେ ଭଲ ହୁଅନ୍ତା"। ପିଲାଟି ମୁହଁରୁ ଏକଥା ଶୁଣି ରବି ବାବୁ ଆଉ କୌଣସି ପ୍ରଶ୍ନ ନକରି ଅବିଳମ୍ବେ ଟଂକା ଆଣି ତା ହାତକୁ ବଢାଇଦେଲେ । ଟଙ୍କା ଗଣିସାରି ଉଦାସ ମନରେ ପିଲାଟି କହିଲା " ସାର୍ ! କ୍ଷମାକରିବେ । ମୋ ସାଙ୍ଗିଆଟା ଆବଶ୍ୟ ବ୍ରାହ୍ମଣ କିନ୍ତୁ ପରିଚୟଟା ବ୍ରାହ୍ମଣ ନୁହେଁ ଯାହାକୁ ଦାନ ଦକ୍ଷିଣା ଦେବେ । ମୋ ଯୋଗ୍ୟତାଟା ହିଁ ମୋର ପରିଚୟ ଆଉ ପାଉଣା । ପରିସ୍ଥିତିଦତ୍ତ ଏ ଦାରିଦ୍ୟ୍ରତା ରୂପି ଉପହାରକୁ ଏଟଙ୍କା ଦେଇ ଆଉ ଲଜ୍ଜିତ କରନ୍ତୁ ନାହିଁ । ମୋ ପରିଶ୍ରମିକଟା ହିଁ ମୋପାଇଁ ଯଥେଷ୍ଟ " । ଏତିକି କହି ପିଲାଟି ରବି ବାବୁ ତା ପାରିଶ୍ରମିକ ଠାରୁ ଦେଇଥିବା ଅଧିକ ଦୁଇହଜାର ଟଙ୍କା ତାଙ୍କ ହାତକୁ ପୁଣି ଫେରାଇଦେଲା । କିଛିସମୟ ପର୍ଯ୍ୟନ୍ତ ରବି ବାବୁ ଅନ୍ୟମନସ୍କ ଭାବେ ଚାହିଁରହିଥାନ୍ତି ଅନତିଦୂରରେ ଥାଇ ପରସ୍ପର ଭିତରେ କଥାବାର୍ତ୍ତା କରୁଥିବା ବୁଢୀ ଆଉ ତାର ସେହି ସ୍ବାଭିମାନୀ ପୁଅଟିକୁ ।

ଏତିକିବେଳେ ପଛପଟୁ ରବି ବାବୁଙ୍କ ବାପା ତାଙ୍କୁ ଗେଟ୍ ଆଗକୁ ଡାକି କହୁଥାନ୍ତି " ବୁଝିଲୁ ବାବା ! ଏନାମ ଫଳକଟାରେ ତୋ ନାଁଟା ଲେଖାକରାଇଥିଲେ ଭଲ ହୋଇଥା'ନ୍ତା । ଲେଖିଥାନ୍ତୁ ' (ଏଗ୍ଜିକ୍ୟୁଟିଭ୍ ଇଞିନିୟର ରବିନ୍ଦ୍ର ### ### ; *ସୁ; ଓଡିଶା ) " । ଏକଥା ଶୁଣି ରବି ବାବୁ କେବଳ ଏତିକି କହିଲେ " ବାପା ! ତୁମ ନାଁଟା ଥାଉ "। ଆଉ ମନେମନେ ଭାବୁଥାନ୍ତି ' ବାହାରକୁ ଖୁବ୍ ଭାରୀ ଜଣାପଡୁଥିବା ପରିଚୟ ଟା ମଧ୍ୟ ନିଜର କୃତ କର୍ମ ପାଇଁ ଭିତରେ ଭିତରେ ଖୁବ୍ ହାଲୁକା ମନେହୁଏ । ସତରେ ମଣିଷର ପରିଚୟ ନା ତା ନାମ ପୂର୍ବର ପଦବୀ/ ଡେଜିନେସନ ହୋଇପାରେ ନା ତା ନାମ ପରେ ଯୋଡାଥିବା ପିତୃଦତ୍ତ ସାଙ୍ଗିଆଟି ହୋଇପାରେ ! ମଣିଷର ପରିଚୟତ କେବଳ ତାର କୃତକର୍ମ ଆଉ ଯୋଗ୍ୟତା ହିଁ ହୋଇପାରେ ' ।

॥ ଜ୍ୟୋତିରଞନ ସାହୁ ॥

ରବି ବାବୁ ଫଳକ କୃତକର୍ମ

Rate the content


Originality
Flow
Language
Cover design

Comments

Post

Some text some message..