ଲସି
ଲସି
ବେଳେବେଳେ ଉଦ୍ଦେଶ୍ୟବିହୀନ ଭାବେ ଘଟଣା ଗୁଡିଏ ଘଟେ ଯାହା ଆମକୁ ବଡ଼ ବିରକ୍ତ କରେ । କିନ୍ତୁ ପ୍ରକୃତରେ ସେଇ ଘଟଣା ଗୁଡିକ ଭିତରେ ଗୋଟେ ବିଶେଷ ସନ୍ଦେଶ ଲୁଚିଥାଏ , ଯାହା ଡେରିରେ ବୁଝାପଡ଼େ । କିନ୍ତୁ ବୁଝାପଡିବା ପରେ , ସେ ଯେଉଁ ଆନନ୍ଦ ମିଳେ ତାହା ଶବ୍ଦରେ ବର୍ଣ୍ଣନା କରିହୁଏନାହିଁ ।
★★★★★★★
ପୁରୀ ସମୁଦ୍ର , କେବଳ ସମୁଦ୍ର ନୁହେଁ ସେଇଟା ଗୋଟେ ଆକର୍ଷଣ । ଏମିତି ଭୟଙ୍କର ଭାବରେ ମୋତେ ପ୍ରଭାବିତ କରେ ଯେ ମୁଁ ଛାଟିପିଟି ହେଇ ମାସକୁ ଥରେ ଦୁଇଥର ପୁରୀ ପଳେଇ ଯାଏ । ସଭିଏଁ ଭାବନ୍ତି ମୁଁ ଗୋଟେ ପ୍ରଚଣ୍ଡ ପ୍ରଭୁ ଭକ୍ତ ସେଥିପାଇଁ ଜଗନ୍ନାଥଙ୍କ ଡୋରୀ ମୋତେ ଏମିତି ଟାଣୁଛି । ଅଫିସରେ ଥିବା ମହିଳା ସହକର୍ମୀ ମାନେ ତ' ମୋତେ ନିରୁତା ସନ୍ୟାସୀ ବୋଲି ଭାବନ୍ତି କି କ'ଣ କେହି ଜଣେ ମଧ୍ୟ ଲାଇନ ଦିଅନ୍ତି ନାହିଁ । ଅବଶ୍ୟ ମୁଁ ଟିକେ ଚୁଡ଼ା , ମାନେ ଲାଜୁଆ ଆଉ ଅଳ୍ପ ମିଶୁଥିବା ଗାଉଁଲି । ଏ ଆଜିକାଲିକା ପିଲାଙ୍କ ପରି ଡ଼ହରା ନୁହେଁ , ଟିକେ ଅନ୍ତର୍ମୁଖୀ । ହେଁ ହେଁ ଫେଁ ଫେଁ ହେବାରେ ଅନଭ୍ୟସ୍ତ । କିନ୍ତୁ ମୁଁ ଭକ୍ତ କି ସନ୍ନ୍ୟାସୀ ନୁହେଁ ନା' ଜମା ନୁହେଁ । ମୁଁ ପୁରୀ ଯାଏ କେବଳ ସମୁଦ୍ର ପାଇଁ । ଅବଶ୍ୟ ଏତକ ମୁଁ କାହାକୁ କୁହେନି , କାରଣ ମୋତେ ସଭିଏଁ ପ୍ରଭୁ ଭକ୍ତ ଭାବରେ ଯେମିତି ସମ୍ମାନ କରନ୍ତି ସେତକ ଭଲ ଲାଗେ । ଟିକେ ଅସାଧାରଣ ଅସାଧାରଣ ବୋଧ ହୁଏ ।
ମୁଁ କିନ୍ତୁ ଝିଅ ମାନଙ୍କ ସଂକ୍ରାନ୍ତରେ ସତରେ ଟିକେ ପଛୁଆ । ଅନେକ ଗୁଡିଏ ଝିଅଙ୍କ ସହ ସଂଶ୍ଲିଷ୍ଟ ହେବାର ଆବଶ୍ୟକତା ବୁଝା ପଡେନି ମୋତେ । କେବଳ ଜଣେ ଭଲ ଲାଗେ ସେ ହେଲା ଅବନ୍ତିକା ପରିଜା । ତା' ସହ ଦେଖାହୁଏ ପୁରୀରେ । ମୁଁ ପୁରୀ ଗଲେ ରୁହେ ମୋ ବନ୍ଧୁ ନିରଞ୍ଜନ ଘରେ । ଆଉ ସେଇଠି ବନ୍ଧୁର ଭଉଣୀ ଅବନ୍ତିକା ମିଳେ ମୋତେ । ମୁଁ ସମୁଦ୍ର ପାଇଁ ଯାଏ କି ଅବନ୍ତିକା ପାଇଁ କହିବା ଟିକେ କଷ୍ଟ । କିନ୍ତୁ ଉଭୟ ମୋତେ ଆକର୍ଷିତ କରନ୍ତି ନିଶ୍ଚିତ ।
ପୁରୀ ଗଲେ ମୁଁ ସମୁଦ୍ର ସହ ଏକାକାର ହେଇଯାଏ ଆଉ ସେଇଠି ଘଣ୍ଟା ଘଣ୍ଟା ଧରି ବସିରୁହେ । ନୀଳ ଢେଉ ଭିତରେ ନିଜକୁ ହଜେଇ ଦେଇ ଅପୂର୍ବ ସୁଖରେ ବୁଡିଯାଏ। ସମୁଦ୍ର ଯେମିତି ଗୋଟେ ରୂପସୀ ସୁନ୍ଦରୀ, ଯାହାର ଦେହର ଭୂଗୋଳ ମୋତେ ପାଗଳ କରେ ଆଉ ମୁଁ ମାର୍କେଟିଂ ଏକ୍ଜିକ୍ୟୁଟିଭ୍ ରୁ ହଠାତ୍ କବି ହେଇଯାଏ । ଅସ୍ତାଚଳ ସୂର୍ଯ୍ୟ ସହ ସମୁଦ୍ର ସବୁଠାରୁ ଅଧିକ ଆକର୍ଷଣୀୟ ଦିଶେ ମୋତେ ତେଣୁ ମୁଁ ସନ୍ଧ୍ୟାର ସମୁଦ୍ରକୁ ଭାରି ଭଲପାଏ । ସେଇ ଭାବ ଟିକକ ପାଇଁ ମୋର ସାନ୍ଧ୍ୟଭ୍ରମଣ ପର୍ବ । ବାସ ସନ୍ଧ୍ୟାର ସମୁଦ୍ର ନିକଟରେ ପହଞ୍ଚିବା ପରେ ଶବ୍ଦ ସବୁ ଚିତ୍ରିତ କବିତା ହେଇ ମୋ ଡାଏରି
ଭରିଯାଏ । ମୁଁ ସାନ୍ଧ୍ୟଭ୍ରମଣରେ ରୋଜ ବହାରିବା ସମୟରେ ଅବନ୍ତିକାକୁ ସାଥିରେ ଧରି ଯିବାର ଇଚ୍ଛା ହୁଏ ବହୁତ କିନ୍ତୁ ସାହସ ହୁଏନାହିଁ । ନିରଞ୍ଜନ କେବେ କେମିତି ଆସେ ସାଥିରେ ନଚେତ ମୁଁ ଯାଏ ଏକା ।
କିନ୍ତୁ କବିତା ଲେଖିବା ସମୟରେ ଅବନ୍ତିକାର ଛବି ସ୍ୱତପ୍ରବୃତ୍ତ ଭାବେ ମୋ ଆଖିରେ ନାଚିଯାଏ ଆଉ କେଉଁଠି କେମିତି ସବୁ ଶବ୍ଦ ତାରି ପାଇଁ ସଜେଇ ହେଇଯାଏ କବିତା ଦେହରେ ।
ଅବନ୍ତିକା ରୁହେ ସେଇ ଶବ୍ଦ ସମ୍ଭାର ଭିତରେ । ପ୍ରକୃତରେ ସେ ମୋ କବିତାର ପ୍ରେମରେ ଥିଲା ଆଉ ମୋତେ ଦେଖିବା କ୍ଷଣି ଖାଲି କବିତା କବିତା ହେଉଥିଲା । ଅବନ୍ତିକା ପୁରୀ ଏସସି.ଏସ୍ କଲେଜରେ ଓଡିଆ ଅନର୍ସ ନେଇ ପଢୁଥିଲା ଆଉ ଭଞ୍ଜ ସାହିତ୍ୟ ଉପରେ ରିସର୍ଚ୍ଚ କରିବାକୁ ଇଛୁକ ଥିଲା । ତେଣୁ କବି ଆଉ କବିତା ତା' ସବୁଠାରୁ ଅଧିକ ପସନ୍ଦ । ମୁଁ ବୁଝି ପାରୁନଥିଲି ସେ ମୋ ପ୍ରେମରେ ନା ମୋ କବିତା !.......
*****************
ଖରାଦିନ ଛୁଟିରେ ନିରଞ୍ଜନ ଆସୁଥିଲା ମୋ ସହରରକୁ ସାଥିରେ ଅବନ୍ତିକାକୁ ଧରି । ଖବରଟା ବେଶ ସୁଖଦ ଆଉ ରୋମାଞ୍ଚକର ଲାଗୁଥାଏ ମୋତେ। କାରଣ ପୁରୀରେ ସିନା ଭିଡ଼ , ଘର ଭର୍ତ୍ତି ଲୋକ । କିନ୍ତୁ ଏଠି ମୁଁ ଏକା , ତେଣୁ ହୁଏତ ଅବନ୍ତିକା ଏଇ ନିରୋଳା ପରିବେଶରେ ନିଜ ମନ କଥା କହିପାରେ ବା କିଛି ଅନ୍ୟ ସୁଘଟଣା ଘଟିପାରେ । କାରଣ ଏପର୍ଯ୍ୟନ୍ତ ଅବନ୍ତିକା ମନରେ ମୋ ପାଇଁ କି ଭାବ ଅଛି ସଠିକ ବୁଝା ପଡୁନଥାଏ । ହୁଏତ ସେ ମଧ୍ୟ ବା ହୁଏତ ନୁହେଁ !
ନିରଞ୍ଜନ ଆସୁଥାଏ ତା'ର ଅଫିସର ଗୋଟେ କନ୍ଫରେନ୍ସରେ ଯୋଗ ଦେବାକୁ , ଆଉ ଅବନ୍ତିକା ତା' ଗବେଷଣା ପାଇଁ କିଛି ତଥ୍ୟ ସଂଗ୍ରହ କରିବାକୁ । ତେଣୁ ସପ୍ତାହେ ଖଣ୍ଡେ ରହିବାର କାର୍ଯ୍ୟକ୍ରମ ଥିଲା । ଏସବୁ ପାଇଁ ମୋ ଘରେ ରହିବାଠୁ ଆଉ ଭଲ ବ୍ୟବସ୍ଥା କିଛି ହେଇପାରିନଥାନ୍ତା । ସେଥିପାଇଁ ମୁଁ ସେ ଦୁହିଁଙ୍କୁ ସାଦରେ ନିମନ୍ତ୍ରଣ କରିଦେଲି ।
ମୋର କିନ୍ତୁ ବ୍ୟାଚେଲର୍ ଘର , ଟିକେ ଅସଜଡ଼ା ଆଉ ଛୋଟିଆ । ମୁଁ ଯଦିଓ ଅବନ୍ତିକା ଲୋଭରେ ସେ ଦୁହିଁଙ୍କୁ ମୋ ସହ ରହିବା ପାଇଁ କହିଦେଇଥିଲି କିନ୍ତୁ ଏଇ ଘରଟି କୌଣସି ବନ୍ଧୁବାନ୍ଧବ ରହିବା ଉପଯୋଗୀ ନଥିଲା । ଘରଟିକୁ ମୋତେ ବଗେଇବା ବଡ଼ ଜରୁରୀ ଥିଲା , ହେଲେ ମୋ ପାଖରେ ସମୟର ବଡ଼ ଅଭାବ ଏଇ କାମଟି ଠିକ ଭାବେ କରିବାକୁ ଦେଲାନାହିଁ । ମୁଁ ଯାଇ ତାଇ ଭାବେ ଗୋଟେ ବଡ଼ ଫୋଲ୍ଡିଂ ଖଟ , ପ୍ରେସର କୁକର୍ , ଆଉ ରୋଷେଇ ସାଜ ସରଞ୍ଜାମ ଧରି ଆସିଥିଲି । ମୁଁ ତ ହୋଟେଲରେ ଖାଉଥିଲି ତେଣୁ କିଛି ବନ୍ଦୋବସ୍ତ ନଥିଲା । ଯାହା ହେଉ ରୋଷେଇ ଘରଟେ କିନ୍ତୁ ଥିଲା ସେଇ ଫ୍ଲାଟରେ ।
ଅବନ୍ତିକା ଆସିବା ପରେ କିନ୍ତୁ ଗୋଟେ ଦିନରେ ସେ ଘରଟିକୁ ଏତେ ସୁନ୍ଦର ଭାବରେ ବ୍ୟବସ୍ଥିତ କରିଦେଲା ଯେ କହିବାର ନୁହେଁ । ମୁଁ ଅଫିସରୁ ଫେରି ଘରଟାକୁ ଚିହ୍ନି ପାରିଲି ନାହିଁ ।
ସବୁଠାରୁ ସୁନ୍ଦର ଥିଲା ସେଇ ଘନ ନୀଳ ରଙ୍ଗ ଉପରେ ସଫେଦ ସୁତାର କାରୁକାର୍ଯ୍ୟ ହେଇଥିବା ଚାନ୍ଦୁଆଟି । ଯେଉଁଟା ନିରଞ୍ଜନ ଆଣିଥିଲା ପିପିଲିରୁ ମୋ ପାଇଁ । ଦାଣ୍ଡଘର କାନ୍ଥରେ ବଡ଼ ମନୋହର ଲାଗୁଥିଲା
ସେଇଟି । ଆଉ ରୋଷେଇ ଘରୁ ମହ ମହ ଘିଅ ଛୁଙ୍କ ବାଡ଼ିଆ ଡାଲମାର ବାସ୍ନା ଆସୁଥିଲା ମନକୁ ଖୁସି କରିଦେଇ । ଭାରି ଇଚ୍ଛା ହେଲା ନିରଞ୍ଜନକୁ କହିବି ଭାଇ ଦେଇଦେ ମୋତେ ଏଇ ଭଉଣୀଟିକୁ , ମୁଁ ସାରା ଜୀବନ ତୋ ପାଖରେ ଋଣୀ ରହିବି ।
କିନ୍ତୁ ଏଯାବତ ସେପରି କହିବାର ସୁଯୋଗ ବା ସଂଯୋଗ ଜୁଟି ନଥିଲା ।
ସନ୍ଧ୍ୟାରେ ନିରଞ୍ଜନ ବାହାରିଗଲା ତା' ଅଫିସ କମରେ । ଘରେ ରହିଗଲୁ ଆମେ ଦୁହେଁ । ପୁରୀରେ ସିନା ସମୁଦ୍ର କୂଳକୁ ସାନ୍ଧ୍ୟ ଭ୍ରମଣରେ ଯିବାକୁ ମୁଁ ଛାଟି ପିଟି ହୁଏ କିନ୍ତୁ ଏଠି ସେମିତି ଇଚ୍ଛା ନଥାଏ । ହେଲେ ଅବନ୍ତିକାର ବଡ଼ ମନଥାଏ ସାନ୍ଧ୍ୟଭ୍ରମଣ ପାଇଁ ହୁଏତ ନୂଆ ଜାଗା ବୁଲିଦେଖିବାର ଇଚ୍ଛା ହେଉଥାଏ ତା'ର ବା ହୁଏତ ମୋ ସହ !......
-- '' ଆଜି କ'ଣ ସନ୍ଧ୍ୟାରେ ବୁଲିଯିବେ ନାହିଁ କି ? ପୁରୀରେ ତ ରୋଜ ଯାଆନ୍ତି ?''
--'' ହଁ ଯିବି ଯିବି ଟିକେ ଡେରିରେ , ଏଠି ଭାରି ଗରମ ପଡିଛି ଟିକେ ଥଣ୍ଡା ହେଇଯାଉ ଯିବି । ଆଛା ତୁମେ ଚାଲୁନ ମୋ ସହ !''
--'' ହଁ ଚାଲନ୍ତୁ ଯିବା ଆପଣଙ୍କ ସହରକୁ ଟିକେ ଦେଖିଆସିବା । ଆଛା ଏଠି କିଛି ସ୍ପେଶାଲ୍ ଜିନିଷ ଅଛିକି ଯେଉଁଟା ମୋତେ ପସନ୍ଦ ଆସିବ ?''
ଝିଅ ମାନଙ୍କର ଏଇ କଥା ମୋତେ ବଡ଼ ଅସହଜ ଲାଗେ । ସେମାନେ ସବୁବେଳେ ସ୍ପେଶାଲ୍ ଜିନିଷ ଖୋଜନ୍ତି କାହିଁକି , ବୁଝାପଡ଼େନି ମୋତେ । ସାଧାରଣ ଜିନିଷଗୁଡିକୁ ନେଇହିଁ ଜୀବନ ବିତେ , ଯଦି ଆମେ ସ୍ପେସିଆଲ ଖୋଜିବା ତେବେ ନିରାଶାହିଁ ମିଳିବ । ପୁଣି ଆହୁରି ବିଚିତ୍ର କଥା ହେଲା ଯଦିବି କୌଣସି ସ୍ପେଶାଲ୍ ଜିନିଷ ମିଳିଯାଏ ଝିଅ ମାନେ ତାକୁ ଆଉ ପସନ୍ଦ କରନ୍ତି ନାହିଁ । କୁହନ୍ତି ଏଇଟା ଜମାରୁ ସାଧାରଣ ଲାଗୁନି । କେମିତି ଅଲଗା ଅଲଗା ବୋଧ ହେଉଛି । ଖାପଛଡ଼ା ଖାପଛଡ଼ା ଲାଗୁଛି । ମୋତେ ସରଳ ସହଜ ଜିନିଷ ପସନ୍ଦ । ଓଃ ! ନିଜେତ ଖୋଜିଲ ଅସାଧାରଣ କିଛି ଯାହାକୁ କହିଲ ସ୍ପେଶାଲ୍ , ତେବେ ତାହା ନିଶ୍ଚିତ ସବୁଠାରୁ ଭିନ୍ନ ହେଇଥିବ ନା' !!
ଝିଅ ଗୁଡିକ ଏଇ ପ୍ରସଙ୍ଗ ରେ ମୋତେ ବଡ଼ କିତିମିଟିଆ ଲାଗନ୍ତି । ଯେମିତି ମୋ ଭଉଣୀ ଗୋଟେ ସ୍ପେଶାଲ୍ ଜୋଇଁ ଖୋଜି ଖୋଜି ସାଇଣ୍ଟିଷ୍ଟ ବାହା ହେଲା ଆଉ ଏବେ ଖାଲି ବିରକ୍ତ ହେଉଛି କ'ଣ ନା' ଲୋକଟା ନିତ୍ୟାନ୍ତ ଅମଣିଷ , ସଂସାର କରିବାକୁ ଅନୁପଯୁକ୍ତ । ସବୁବେଳେ ଖାଲି କାମ କାମ , ସ୍ତ୍ରୀ ପିଲାଙ୍କୁ ଭୁଲି ଯାଉଛି। ଆରେ ସାଧାରଣ ଲୋକ ସିନା ସ୍ତ୍ରୀ ପିଲା କଥାରେ ଘଣ୍ଟି ହେବେ ସାଇଣ୍ଟିଷ୍ଟ କ'ଣ ସେଇଆ କରିବ କି ? ସେ ପରା ସ୍ପେଶାଲ୍ ! ଛାଡ଼ ବୁଝରିବା ଅସମ୍ଭବ । କିନ୍ତୁ ଏମିତିହିଁ ସବୁ ଝିଅ ।
ମୁଁ ଏବେ ସେଇ ସ୍ପେଶାଲ୍ ଜିନିଷ ସନ୍ଧାନରେ ମୁଣ୍ଡ ପୁରେଇଲି । କି ଜିନିଷ ହେଇଥିବ ସେଇଟି ଯାହା ଅବନ୍ତିକାକୁ ଏଇ ସନ୍ଧ୍ୟଭ୍ରମଣ ସମୟରେ ଗୋଟେ ବିଶେଷ ଅନୁଭୂତି ଦେଇପାରିବ । ମୋ ସହରରେ ତ ସମୁଦ୍ର ନାହିଁ । ସେତକ ଥିଲେ ମୋତେ ଅଧିକ ଭାବିବାକୁ ହେଇନଥାନ୍ତା । କିନ୍ତୁ ଏବେ ଭାବିବାକୁ ହେବ । କିଛି ଖାସ ଏଇ ସନ୍ଧ୍ୟାରେ !! ଏଇ ଭାବନା ଭିତରେ ମୋ ମନର କୋମଳ ଅନୁଭବ ଗୁଡା କୁଆଡେ ପଳେଇ ଗଲେ କେବଳ ସ୍ପେଶାଲ ଜିନିଷଟି ମୁଣ୍ଡଭିତରେ ଘୁରିବୁଲିଲା ।
ଝିଅ ଗୁଡିକ ଖାଦ୍ୟପେୟ ବିଷୟରେ ଅଧିକ ଆଗ୍ରହୀ ଲାଗନ୍ତି ମୋତେ । ସେମିତି କିଛି ସନ୍ଧ୍ୟାରେ ବନ୍ଦୋବସ୍ତ କରିବାର ଯୋଜନା ନିଶ୍ଚିତ ସଫଳ ହେବ ବୋଲି ଭାବି ମୁଁ ତାକୁ ଧରି ଚାଲିଲି । ବାଟରେ ସୁଲୁସୁଲିଆ ପବନ ତାକୁ ଭଲ ଲାଗିଲା ନିଶ୍ଚିତ କାରଣ ସେ ଗୁଣୁଗୁଣୁ ହେଇ ଗୀତ ବୋଲିବାକୁ ଲାଗିଲା । ମୁଁ ନୀରବରେ ତା' ସହ ଚାଲି ଚାଲି ବିରକ୍ତ ହେଇଗଲି । ମାନେ ସେ ପଦେ ଅଧେ କଥା ହେଉ ବୋଲି ଇଚ୍ଛା କରୁଥିଲି , କିନ୍ତୁ ସେ ଚୁପ ଥିଲା । ଅବଶ୍ୟ ପୁରୀରେ ମଧ୍ୟ ସେ ଅନେକ ସମୟରେ ଚୁପ ରହୁଥିଲା । ମୋ ସହ ସେମିତି ବିଶେଷ କିଛି କଥା ହେଉନଥିଲା । କିନ୍ତୁ ଆଜି ଭିନ୍ନ ସୁଯୋଗ ଥିଲା ତେଣୁ ମୋତେ ଟିକେ ଅଧିକ ଭବପ୍ରବଣ ଲାଗୁଥିଲା ।
ମୁଁ ନିଜ ଆଡୁ କଥା ଯୋଡିଲି ,
'' ଗରମ ଯେମିତି ହେଉଛି ଥଣ୍ଡା ଲସୀ ପିଇବାକୁ ମନ ହେଉଚି । ତୁମର କ'ଣ ଲସୀ ପସନ୍ଦ । ଏଠି ଗୋଟେ ସ୍ପେଶାଲ୍ ଲସୀ ମିଳେ , ପିଇବ କି ?''
-- " ସତେ ନା' କ'ଣ ? ମୋର ଭାରି
ପସନ୍ଦ ।''
--'' କିନ୍ତୁ ଟିକେ କଷ୍ଟ କରିବାକୁ ହେବ । ସେଇଟା କୌଣସି ସୁଦୃଶ୍ୟ ଦୋକାନ ନୁହେଁ , ଗୋଟେ ରାସ୍ତା କଡର ଚାଲୁ ଦୋକାନ । କିନ୍ତୁ ସ୍ୱାଦ ଅପୂର୍ବ ।''
ସେ ହସିକି ସମ୍ମତି ଦେଲା ଆଉ ମୁଁ ଯେମିତି ଗଡ ଜିଣିଗଲି । ସେଇ ସ୍ପେଶାଲ୍ ଲସୀ ଗିଲାସ ଭିତରେ ମୋ ଭବିଷ୍ୟତ ଦେଖିବାକୁ ଲାଗିଲି । ଯଦି ସେତକ ଅବନ୍ତିକାକୁ ଇମ୍ପ୍ରେସ କରିବାକୁ ସମର୍ଥ ହେଲା ତେବେ ମୋର ନିଶ୍ଚିତ ପ୍ରେମ ପ୍ରସଙ୍ଗର ଗତି ଦ୍ରୁତ ହେବ । ଏମିତି ଗୋଟେ ଭାବନା ମନ ଭିତରେ ଆସିଲା । ସେ ଯେଉଁ ଲସୀ ବାପରେ , ସେମିତି ସାରା ସହରରେ ଆଉ କେଉଁଠି ମିଳିବାର ନୁହେଁ । ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପରିସରକୁ ଲାଗି ସେଇ ଦୋକାନ । ତେଣୁ ସବୁବେଳେ ଲସୀଟା ଅମୃତ ଭଳି ଲାଗେ , ବୋଧେ ପ୍ରଭୁଙ୍କ କୃପା ରହିଥାଏ ସେଇ ସ୍ୱାଦ ଭିତରେ । ଭିଡ଼ ମଧ୍ୟ ସେମିତି ପ୍ରବଳ ହୁଏ । ଗିଲାସେ ଲସୀ ପାଇଁ ଅଧ ଘଣ୍ଟାଏରୁ କମ ସମୟ ଲାଗେନି । କିନ୍ତୁ ଯେତେବେଳେ ହାତରେ ଆସେ ଲସୀ ଗିଲାସ ସେ ଯେଉଁ ସୁଖ ଆହା ଆହା, ଚମତ୍କାର ।
****************
ଲସି ଦୋକାନରେ ପହଞ୍ଚି ଭିଡ଼ ଦେଖି ମୁଁ ଡରିଗଲି ଟିକେ । ଘଣ୍ଟାଏରୁ ଅଧିକ ଲାଗିବ ନିଶ୍ଚିତ । ଯେମିତି ଲୋକାରଣ୍ୟ ହେଇଛି ସେଠି । ସଭିଏଁ ଚାତକ ଭଳିଆ ଅନେଇଛନ୍ତି । ମୁଁ ଟିକେ ଅବନ୍ତିକାକୁ ଅନେଇଲି । ସେ ବିରକ୍ତି ବୋଧ କରୁଛି କି ଜାଣିବାକୁ ଚେଷ୍ଟା କଲି ! କିନ୍ତୁ କିଛି ସଠିକ ବୁଝା ପଡିଲା ନାହିଁ । ସେ ନିଜ ମୋବାଇଲ ସହ ଖେଳୁଥିଲା । ମୋତେ ଲାଗିଲା ସେ ଟିକିଏ ମଧ୍ୟ ପ୍ରେମରେ ନାହିଁ ମୁଁ ଯାହା
ତୁଚ୍ଛାକୁ ଏତେ ଭାବୁଛି । କାରଣ ଏତେ ସମୟ ଭିତରେ ସେ ପଦୁଟିଏ ଭାବପୂର୍ଣ୍ଣ କଥା କହିନଥିଲା । ଏମିତିକି କବିତା ସଂକ୍ରାନ୍ତରେ ମଧ୍ୟ କିଛି ପଚାରୁ ନଥିଲା । ମୋତେ ଲାଗିଲା ସେ ବୋଧେ ଅନ୍ୟ କାହା ସହ ସମ୍ପର୍କରେ । ଓଃ ! ଏତକ ଭାବିଲା ବେଳକୁ ମୋ ମୁଣ୍ଡ ଝାଇଁ ଝାଇଁ ମାରିଗଲା । ଛାତି ଭିତରଟା କୋରି ହେଇଗଲା । କିନ୍ତୁ ବର୍ତ୍ତମାନ ମୁଁ ସ୍ପେଶାଲ ଲସୀ ସଂଗ୍ରହରେ ବ୍ୟସ୍ତ ଥିଲି । ତେଣୁ ସେତକ ହାତେଇବା ପାଇଁ ଲାଇନ୍ ଲଗେଇଲି ।
ଏଇ ସମୟରେ ଘଟିଲା ଅଘଟଣ ଯଦିଓ ସେମିତି ଘଟିବାର ନଜିର ନଥିଲା । ଜନୈକ ଭଦ୍ରବ୍ୟକ୍ତି ( ନିତ୍ୟାନ୍ତ ଅଭଦ୍ର , ମଦୁଆ ) ଟିକେ ନିଜ ନିୟନ୍ତ୍ରଣ ହରେଇ ସେଇଠି ଲସୀ ପାଇଁ ଅପେକ୍ଷା କରୁଥିବା ଗୋଟେ ମାଉସୀ ଉପରେ ପଡିଗଲେ । ମାଉସୀ ଚିରାଚରିତ ଢଙ୍ଗରେ ଭାଷା ଅଭାଷା କହିଲା । ଆଉ ସେଠିକାର ପରିବେଶ ଛୋଟ ଯୁଦ୍ଧ କ୍ଷେତ୍ରରେ
ପରିଣତ ହେଇଗଲା । ମାଉସୀ ଗୋଟେ ସାହିର ଆଉ ଭଦ୍ରବ୍ୟକ୍ତି ଅନ୍ୟ ସାହିର । ତେଣୁ ବିବାଦଟା ବ୍ୟକ୍ତିଗତ ସ୍ତରରୁ ଯାଇ ସାହି ଗଣ୍ଡଗୋଳ ରୂପ ନେଲା । ପରିସ୍ଥିତି ଅସମ୍ଭାଳ ହେବା ପୂର୍ବରୁ ଲସୀ ଗିଲାସଟିକୁ ହାତେଇ ନେବାକୁ କିଛି ଲୋକ ଅପେକ୍ଷାରେ ଥିଲେ। ସେମାନଙ୍କ ଭିତରେ ମୁଁ ମଧ୍ୟ ଥିଲି ।ସେତେବେଳକୁ କିନ୍ତୁ ଅବନ୍ତିକା ଡ଼ରିବାକୁ ଆରମ୍ଭ କରିଥିଲା ଆଉ ଭୟରେ ମୋ ହାତକୁ ଜାବୁଡି ଧରିଥିଲା । ବାହାର ପରିବେଶ ଗଣ୍ଡଗୋଳିଆ ହେଲାବେଳକୁ ମୋ ଭିତର ପରିବେଶ ତା' ସ୍ପର୍ଶ ପାଇ ବଡ଼ ପଲ୍ଲବିତ ହେବାକୁ ଲାଗିଥିଲା । ମୁରବି ଶ୍ରେଣୀୟ ଲୋକେ ଅବଶ୍ୟ ସମସ୍ୟାଟିର ସମାଧାନ ପାଇଁ ଖୁବ୍ ଶୀଘ୍ର ପହଞ୍ଚିଲେ ଆଉ ଗଣ୍ଡଗୋଳ ରୋକି ନେଲେ । ହେଲେ ଅବନ୍ତିକାର ହାତ ମୋ ହାତରେ ସେମିତି ଛନ୍ଦା ହେଇ ରହିଲା । ସେ ଗୁଣୁଗୁଣୁ ହେଇ ସେଠୁ ପଳେଇ ଯିବାକୁ କହୁଥିଲା ଆଉ ମୁଁ ଅନାଦି କାଳ ଯାଏଁ ସେଇଠି ଠିଆ ହେଇ ରହିବାକୁ ଭାବୁଥିଲି ।
ଶେଷରେ ଲସୀ ଗ୍ଲାସ ମିଳିଲା କିନ୍ତୁ ଗୋଟାଏ । ଭିଡ଼ ଆଉ ଗଣ୍ଡଗୋଳ ହେତୁ ଟିକେ ଅବ୍ୟବସ୍ଥା ହେଇଯାଇଥିଲା । ମୁଁ ବିକଳ ଦିଶିଲି , କିନ୍ତୁ ଅବନ୍ତିକା ଉଜ୍ଜ୍ବଳ ଲାଗିଲା । ବଡ଼ କଅଁଳ ସ୍ୱରରେ କହିଲା ,
'' ଦୁହେଁ ସେଇଥିରେ ଚଳେଇ ନେବା ।''
ତା'ର ଏଇ କଥା ପଦକ ମୋତେ କିନ୍ତୁ ଭିନ୍ନ ଶୁଭିଲା ଯେମିତି ସେ କହୁଛି , '' ଦୁହେଁ ସାଥିରେ ଚଳି ଯିବା ।''
ମୁଁ ଅନେଇଲି ଆଉ ଭାବିଲି , ମୋ କବିତାକୁ ନୁହେଁ ମୋତେ ପ୍ରେମ କରେ ଅବନ୍ତିକା । ଆଉ ଯଦି ଏଯାଏଁ କରିନି ତେବେ କରିବ ଖୁବ୍ ଶୀଘ୍ର କରିବ । ମୁଁ ତାକୁ ଗ୍ଲାସ ଧରେଇ ଦେଲି , ସେ କିନ୍ତୁ କହିଲା , '' ତୁମେ ଆଗ ନିଅ , ପୁଅ ମାନେ ଆଗରେ ରୁହନ୍ତି ପା' ।''
ମୋତେ ସ୍ୱାମୀ ସ୍ୱାମୀ ଲାଗିଲା ଜବରଦସ୍ତ । ମୁଁ ଢୋକେ ପିଇ ତାକୁ ଧରେଇ ଦେଲି । ସେଇ ସ୍ପେଶାଲ ଲସି ପିଇ ସେ ଖୁସି ହେଇଗଲା ବୋଧେ ଟିକେ ମିଠା ସ୍ୱରରେ କହିଲା , '' ଆଉ କବିତା ଲେଖୁଛ ନା' ନାହିଁ ?''
ମୁଁ ହସିକି କହିଲି, '' ତୁମେ ଶୁଣିବାକୁ ମିଳିଲେ ହିଁ କବିତା ଲେଖା ହୁଏ । ନହେଲେ ନାହିଁ ।''
--'' ଆଜି ଲେଖିବ ମୁଁ ଅଛି ଶୁଣିବାକୁ ।"
ମୁଁ ମୁଣ୍ଡ ଟୁଙ୍ଗାରି ଦେଇ ଭାବିଲି ଲୋକଟା ଭାରି ଭଦ୍ର ଏମିତି ପଡିଲା ବୋଲି ସିନା !........
ସୌମ୍ୟା ଶୁଭଦର୍ଶିନୀ