Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମନେପଡେ ସେହି ପିଲାଦିନ
ମନେପଡେ ସେହି ପିଲାଦିନ
★★★★★

© Kulamani Sarangi

Others

3 Minutes   4.0K    10


Content Ranking

ପଛକୁ ଫେରି ଚାହିଁଲେ ଆଖି ପାଉନି।ଦୀର୍ଘପଥ ଅତିକ୍ରମ କରି ଆସିଲିଣି।ଆଜି ଜୀବନର ସାୟାହ୍ନ।ପିଲାଦିନର ଅନେକ ସ୍ମୃତି ଆଜି ହୃଦଫଳକରେ ପ୍ରତିବିମ୍ବିତ ହୋଇଯାଏ।

ସେତେବେଳର ଗାଁ ଆଜିକାର ଗାଁଠାରୁ ଅନେକ ଭିନ୍ନଥିଲା। ସେତେବେଳର ଖଣ୍ଡପଡା ନାମକ ଗଡଜାତଟି ଆଜି ଛୋଟ ସହରରେ ପରିଣତ ହୋଇଛି।

ଶୀତଦିନେ ଥିଲା ହାଡଭଙ୍ଗା ଶୀତ ଆଉ ଖରାଦିନେ ସୂର୍ଯ୍ୟ ଜଳୁଥିଲେ କୋଇଲା ରେଳ ଇଂଜିନ୍ ପରି,ଏହି ପାହାଡୀ ଗଡଜାତରେ।

ରାସ୍ତାରେ ଜଳୁଥିଲା ଦିକ୍ ଦିକ୍ ବିଜୁଳି ଆଲୁଅ, ଯାହା ବହୁକଷ୍ଟରେ ବିଜୁଳି ଖୁଣ୍ଟିତଳର ଭୁଇଁକୁ ଆଲୋକିତ କରୁଥିଲା।ଆଜିକାଲି ଭଳି ପିଚୁ ରାସ୍ତା ନଥିଲା ସେ ସମୟରେ। ଯୁଆଡେ ଦେଖ ଚାଳଘର,କୋଠାଘର କ୍ୱଚିତ୍ ଥିଲା। ସଂଧ୍ୟା ନଇଁ ଆସିଲେ ଚାରିଆଡେ ଛାଇଯାଏ ହୀମଶୀତଳ ନିରବତା।ଖୁବ୍ ଶୀଘ୍ର ଶୋଇପଡେ ଏହି କ୍ଷୁଦ୍ର ପାହାଡୀ ସହରଟି।

ଜନପଦର ପୂର୍ବ ଦିଗରେ କଳ କଳ ଛଳଛଳ ହୋଇ ବହିଯାଉଥିଲା 'କୁସୁମି' ନଈ।ନଦୀ ସେପାରିରେ ନିଘଞ୍ଚ ବନାନୀ। ସେହି ବନାନୀରେ ପୁରିରହିଥିଲା ଆମ୍ବ,ଜାମୁ,କୋଚିଲା,ଶାଳ,ପିଆଶାଳ,ସାଗୁଆନ ଇତ୍ୟାଦି ନାନାପ୍ରକାର ବୃକ୍ଷଲତା ଏବଂ ସେଠାରେ ବାସକରୁଥିଲେ କଲରାପତରିଆ,ଶାଳିଆପତନୀ,ବଣଭୂଆ,ଓଧ,ଶିଆଳ,ବଳିଆ ,କୁକୁର,ଠେକୁଆ,ଗୋଧି,କୁଟୁରା,ବଜ୍ରକାପ୍ତା,ଝିଙ୍କ,ବାରହା ଇତ୍ୟାଦି ନାନା ପ୍ରକାର ପଶୁ।ବିରାଟ ଅଜଗର ସାପ ମଧ୍ୟ ସେହି ଜଙ୍ଗଲରେ ଗଛରେ ଗୁଡେଇ ହୋଇ ରହୁଥିଲେ।ବେଳେ ବେଳେ ସାତକୋଶିଆ ଜଙ୍ଗଲରୁ ମହାବଳ ବାଘ ଚାଲିଆସେ ଏହି ପାହାଡୀ ସହରର ଚାରିପାଖରେ ଥିବା ଜଙ୍ଗଲକୁ।ସେତେବେଳେ ବାଘର ହେଣ୍ଟାଳ ଶବ୍ଦ ଶୁଣି ସଂଜବେଳୁ ତାଟିକବାଟ ପଡିଯାଏ।

ଏହା ବ୍ୟତୀତ ନାନା ପ୍ରକାର ସୁଦୃଶ୍ୟ ପକ୍ଷୀ ମଧ୍ୟ ସେହି ବଣରେ ରହୁଥିଲେ ପକ୍ଷୀଗୁଡିକ ମଧ୍ୟରେ ଶୁଆ,ସାରୀ,ବଗ,ପାରା,ଶଙ୍ଗଚିଲ,ମାଟିଆଚିଲ,କାଉ,କୋଇଲି,ଭଦଭଦଳିଆ,ମାଛରଙ୍କା,ଛଞ୍ଚାଣ,କୁମ୍ଭାଟୁଆ,ବାଲିଶୁଆ,ଫୁଲଚୁଇଁ,ହଳଦୀବସନ୍ତ,ହରଡ ଚଢେଇ,କୋଚିଲାଖାଇ,କାବେତି,ଗୃଧ୍ର ଇତ୍ୟାଦି ପ୍ରମୁଖ ଥିଲେ।

ନଈ ସେପାରିର ଜଙ୍ଗଲଟି ଅତିକ୍ରମକଲେ ଆମର ବଗିଚା ପଡେ।ବାର ଏକର ପରିମିତ ସେହି ବଗିଚାରେ ନାନା ପ୍ରକାର ଫସଲ ହୋଇଥାଏ।ମତେ ସେତେବେଳେ ବୟସ ସାତ ବା ଆଠ। ବଡ ଭାଇଙ୍କ ସହିତ ନଦୀ ଏବଂ ଜଙ୍ଗଲ ପାରହୋଇ ମୁଁ ବେଳେବେଳ ବଗିଚାକୁ ଯାଏ।ବଡଭାଇ ନଈ ପହଁରାରେ ପାରଙ୍ଗମ କିନ୍ତୁ ମୁଁ ସେ ବିଦ୍ୟାରେ ଅନଭିଜ୍ଞ।ମୁଣ୍ଡରେ ତିନୋଟି ଭଉଁରୀ ଥିବାରୁ ପାଣିପାଖକୁ ଯିବାପାଇଁ ମତେ ଆକଟ,କାଳେ ବୁଡିଯିବି।ଏହି ଅନଭିଜ୍ଞତା ଥରେ ମତେ ବଡ ଅସୁବିଧାରେ ପକାଇଥିଲା।

ସେଦିନଟି ମୋପାଇଁ ବଡ ଅଶୁଭ ଥିଲା।ବଡଭାଇଙ୍କ ସହିତ କୁସୁମୀ ପାରହୋଇ ବଗିଚା ଦିଗରେ ଆଗେଇ ଯାଉଥିଲି।ଜଙ୍ଗଲର କିଛି ଅଂଶ ଅତିକ୍ରମ କରିବାପରେ ମୁଣ୍ଡଉପରେ ଥିବା ଗୋଟିଏ କୋଚିଲା ଗଛରୁ ଭୟଙ୍କର ହିସ୍ ହିସ୍ ଶବ୍ଦଶୁଣି ଉପରକୁ ଚାହିଁଲା ବେଳକୁ ଏକ ବିରାଟ ଅଜଗର ସାପ ପାଟିମେଲାଇ ତଳକୁ ଓହଳି ଆସୁଛି।ପ୍ରାଣ ବିକଳରେ ଚିତ୍କାର କରି ଆମେ ଜୀବନ ବଂଚାଇବାପାଇଁ ଦଉଡିଲୁ।ବଗିଚାରେ ପହଞ୍ଚିଲା ବେଳକୁ ଦେହମୁଣ୍ଡ ଥରୁଥାଏ।ବଗିଚା କାମ ଶେଷକରି ଦୁଇଟି ଲୋକଙ୍କୁ ସାଙ୍ଗରେ ନେଇ ଆମେ ଫେରିଲୁ।ସାପ ଅବଶ୍ୟ ଚାଲିଯାଇଥିଲା।ଆମେ ନଈକୂଳରେ ପହଞ୍ଚିଲା ବେଳକୁ ମୋପାଇଁ ଆଉ ଏକ ଦୁର୍ଯୋଗ ଅପେକ୍ଷା କରି ରହିଥିଲା।ଗଲାବେଳେ ନଈରେ ବିଶେଷ ପାଣି ନଥିଲା କିନ୍ତୁ ଫେରିବା ବେଳକୁ ନଈରେ ସାତ-ଆଠଫୁଟ ପାଣି ଆସିଯାଇଥିଲା।ବର୍ଷାଦିନ।ଉପର ମୁଣ୍ଡରେ ବର୍ଷାଯୋଗୁଁ ହଠାତ୍ ନଈରେ ପାଣି ଆସିଯାଇଛି।ମୋର ବଡଭାଇ ସାହସ କଲେନାହିଁ ମୋର ହାତଧରି ପାର କରାଇବାପାଇଁ।କାରଣ ସେତେବେଳେ ମୁଁ ସାଢେ ଚାରିଫୁଟିଆ ପିଲା।ସାଙ୍ଗରେ ଆସିଥିବା ଜଣେ ଲୋକ ମତେ ଧରି ନଈ ପାର କରିବାପାଇଁ ଆଗଭର ହେଲେ ।ମତେ ପିଠିରେ ଧରି ନଈ ପାରହେବା ସମୟରେ ମୁଁ ତାଙ୍କ ପିଠିରୁ ମଝିନଈରେ ଖସିପଡିଲି।ପାଣିରେ ବୁଡି,ଆକ୍ତାମାକ୍ତା ହୋଇ କିଛିବାଟ ଭାସିଗଲି।ଭାବିଲି ମୁଁ ଗଲି।କିନ୍ତୁ ମୋ ବଡଭାଇ ଏବଂ ସାଙ୍ଗରେ ଥିବା ବ୍ୟକ୍ତି ବହୁକଷ୍ଟରେ ମତେ କୂଳକୁ ନେଇ ଆସିଲେ।ସେଦିନ ଭାବିଲି ମୋର ପୁନର୍ଜନ୍ମ ହେଲା।ସନ୍ତରଣ ନ ଶିଖିଥିବା ଯୋଗୁଁ ମୋ ନିଜ ଉପରେ ମୋର ପ୍ରଚଣ୍ଡ ଦୟା ହେଲା।କିନ୍ତୁ ମୁଁ ଶିଖିପାରିଲି ନାହିଁ କାରଣ ଏ ଘଟଣା ପରଠାରୁ ମତେ ନଦୀ ପାଖକୁ ଯିବା ସମ୍ପୂର୍ଣ୍ଣ ମନା ହୋଇଗଲା।

ସେହି ପିଲାବେଳର ଆଉ ଥରକର କଥା।ଗାଁ'ର ଶେଷ ମୁଣ୍ଡରେ ଆମ ଘର।ଆମ ଘର ପରେ ବୁଦୁବୁଦିଆ ଜଙ୍ଗଲ ଆରମ୍ଭ।ସେତେବେଳେ ଘରଭିତରେ ପାଇଖାନା ତିଆରି କରାଯାଉନଥିଲା କାରଣ ତାହା ଥିଲା ଗ୍ରାମ୍ୟ ସଂସ୍କୃତିର ପରିପନ୍ଥି।ବରପାଲି ପାଇଖାନା ବାଡିପଟେ ଅନେକ ଦୂରରେ ବସା ଯାଉଥିଲା।ରାତିରେ ଗୁରୁଶଙ୍କା ପାଇଁ ଦୀର୍ଘପଥ ଅତିକ୍ରମ କରି ବରପାଲି ପାଇଖାନାକୁ ଯିବାପାଇଁ ପଡେ।ମୋର ପଞ୍ଚମ ବା ଷଷ୍ଠ ଶ୍ରେଣୀରେ ପଢିବା ସମୟ।ରାତିରେ ପାଇଖାନାଯିବା ବଦଭ୍ୟାସଟି ଥିବାରୁ ଅଧିକାଂଶ ସମୟରେ ବୋଉ ମୋ ଉପରେ ବିରକ୍ତ ହେଉଥିଲା।

ସେଦିନ ଗୁରୁଶଙ୍କା ଲାଘବ କରିବାକୁ ଯିବା ସମୟରେ ବୋଉକୁ ଡାକିଲି ସାଙ୍ଗରେ ଯିବାପାଇଁ,କାରଣ ଏକା ଯିବାପାଇଁ ଡର ଲାଗୁଥିଲା।ବରପାଲି ପାଇଖାନା ପାଖରେ ପହଞ୍ଚିବାବେଳେ ସ୍ୱଳ୍ପାଲୋକିତ ଲଣ୍ଠଣ ଆଲୁଅରେ ଦେଖିଲି ଏକ ବିରାଟ କୁକୁର ଭଳି ଦେଖାଯାଉଥିବା ଜନ୍ତୁ।ଦେହ ମୋର ଶୀତେଇ ଉଠିଲା।ବଡପାଟିରେ ଚିତ୍କାର କଲି "ବୋଉ ! ଦେଖ୍ କେତେବଡ କୁକୁର ମୋ ଆଡକୁ ଚାହିଁଛି।"ବୋଉ ମୋ ଉପରେ ବିରକ୍ତ ହୋଇ କହିଲା " ଆରେ ନାଇଁମଁ,କୁକୁର କୁଆଡୁ ଆସିବ?"

ଆମ ଦୁଇଜଣଙ୍କ ପାଟିଶୁଣି ମୋ ଉପରକୁ ଡେଇଁବାକୁ ଉଦ୍ୟତ ହେଉଥିବା ଯନ୍ତୁଟି ପଛକୁ ଅଳ୍ପ ଘୂଂଚିଗଲା।ମତେ ଭୟ ଲାଗିଲା।ମୁଁ ଆଉ ପାଇଖାନାକୁ ନଯାଇ ବୋଉ ସହିତ ଫେରି ଆସିଲି।ସେହି ସମୟରେ ଘରଭିତରୁ ପୋଶା କୁକୁରଟି ବାହାରି ଆସିଲା।ତା'ପାଇଁ କାଳ ଅପେକ୍ଷା କରି ରହିଥିଲା।ଜନ୍ତୁଟି ତା ଉପରକୁ ଡେଇଁପଡି ତାର ବେକକୁ ଧରି ଆଖିପିଛୁଳାକେ ଉଭେଇ ଗଲା।ତାହା ଥିଲା ଏକ ହେଟାବାଘ !

ସମୟର ପରିବର୍ତ୍ତନ ସହିତ ତାଳଦେଇ ଅନେକ ପରିବର୍ତ୍ତନ ଆସିଛି ଗ୍ରାମ୍ଯ ଜୀବନରେ।କିନ୍ତୁ ପଚାଶ ଷାଠିଏ ବର୍ଷ ତଳର ଗ୍ରାମ୍ୟ ଜୀବନର ଅନୁଭୂତି ଏବେ ମଧ୍ୟ ସ୍ମୃତିଫଳକରୁ ଲିଭିପାରିନାହିଁ।ସଂଜ ଗଡିଗଲେ ଗହୀର ଭିତରୁ ଶୁଭେ ହେଟାବାଘର ଡାକ ଏବଂ ବିଲୁଆର ହୁକେ ହୋ ଶବ୍ଦ।ରାତି ଗଭୀର ହେଲେ ଚନ୍ଦ୍ରାଲୋକିତ ରାତିରେ ଶୁଣାଯାଏ ଟିଟ୍ଟିଭର ଡାକ।ନଦୀ ସେପାରିରୁ ଭାସିଆସେ ଚକୁଆ ଚକୋଇର କରୁଣ ସ୍ୱର।ଅମାବାସ୍ୟାର ନିଶାର୍ଦ୍ଧରେ ଯେତେବେଳେ ହୁଁହାଁ ଚଢେଇ କହେ 'ହୁଁ' ଆଉ ତାପରେ ପରେ 'ହାଆଁ' ସେତେବେଳେ କଲିଜା ଥରିଉଠେ।'ପିଲାଖାଇ'ନାମକ ଏକ ପକ୍ଷୀ ସେ ସମୟରେ ଥିଲ।।ରାତିରେ ପିଲା କାନ୍ଦିଲାପରି 'କୁଆଁ କୁଆଁ'ହୋଇ ସେ ଚଢେଇ ବୋବାଏ।ଶୁଣିଲେ ଦେହ ଶିତେଇ ଯାଏ।ପିଲାବେଳେ

ଭୂତପ୍ରେତର କାହାଣୀ ଜେଜେମାଆଠାରୁ ଶୁଣୁଶୁଣୁ ଡରଲାଗେ ଆଉ ମାଆ କୋଳରେ ମୁଣ୍ଡଗୁଂଜି ଶୋଉଁ ଶୋଉଁ ନିଦ ଆସିଯାଏ।

ସେତେବେଳେ ଥିଲା ଅଭାବ,କିନ୍ତୁ ତାଭିତରେ ଥିଲା ସନ୍ତୋଷ।ବାପା, ଗାଁ ବିଦ୍ୟାଳୟରେ ଶିକ୍ଷକ ଥାଇ ସ୍ୱଳ୍ପ ବେତନରେ ସବୁ ଚାହିଦା ପୁରଣ କରିପାରୁନଥିଲେ।ପାଂଚ ହଳ ଯୋତା ବା ଡ୍ରେସ୍ ନଥିଲା,କିନ୍ତୁ ସେ ଅଭାବ ଭିତରେ ମଧ୍ୟ ଶାନ୍ତି ଥିଲା।ପରିବାରର ସ୍ନେହର ବଳୟ ଭିତରେ ଜୀବନ ସୁରକ୍ଷିତ ଓ ସଂସ୍କାର ପୂର୍ଣ୍ଣ ଥିଲା।

ଖଣ୍ଡପଡା ନଈ ହେଟାବାଘ

Rate the content


Originality
Flow
Language
Cover design

Comments

Post

Some text some message..