Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Misra

Others

3  

Santosh Kumar Misra

Others

ଅନୁଭୂତି ୯ – ଆମ ବ୍ୟବସ୍ଥା

ଅନୁଭୂତି ୯ – ଆମ ବ୍ୟବସ୍ଥା

9 mins
426


ଅନୁଭୂତି ୯ – ଆମ ବ୍ୟବସ୍ଥା

ଜିଲ୍ଲାପାଳ ଖଣ୍ଡିଏ ଟେଲିଗ୍ରାମ ପାଇଲେ ଟେଲିଗ୍ରାମଟି ଇଁରାଜୀ ଭାଷାରେ ଲେଖାଥିଲା| ଯାହାର ଓଡିଆ ରୂପାନ୍ତର ବା ଅନୁବାଦ ଏପରି ହେଇପାରେ : “‌ଜିଲ୍ଲାପାଳ ଜାଣିବେ ଆମେ ସମସ୍ତେ ଜଙ୍ଗଲଗାଁ ମୌଜାର ଆଦିବାସୀ ଲୋକ । ଆମେ ଅନାହାର ଓ ଜ୍ବର ଦ୍ବାରା ପ୍ରବଳ ଭାବରେ ଆକ୍ରାନ୍ତ । ଗତ ଦୁଇ ଦିନ ତଳେ ଦୁଇଜଣ ଛୋଟ ପିଲା ମୃତ୍ୟୁ ବରଣ କରିଛନ୍ତି । ଅନ୍ୟୁନ ଦଶ ଜଣ ଏବେବି ପ୍ରବଳ ଜ୍ବରରେ ପଡିଛନ୍ତି। ଏ.ଏନ.ଏମ କି ଆଙ୍ଗନବାଡି ଦିଦି ନାହାନ୍ତି କିମ୍ବା କୌଣସି ଔଷଧ ନାହିଁ । ଆମକୁ ବଞ୍ଚାଅ....”

ଚିଠିଟି ପଢିସାରିବା ପରେ ଚିଠିର ସତ୍ୟାସତ୍ୟତା ଉପରେ ଅନେକ ଖୋଳତାଡ ଚାଲିଲା କିନ୍ତୁ ତୁରନ୍ତ କିଛି ସିଦ୍ଧାନ୍ତରେ ଉପନୀତ ହେଇହେଲାନି....। ଜିଲ୍ଲାପାଳଙ୍କଠାରୁ ଡାକରା ପାଇ ଜିଲ୍ଲା ଅଫିସ୍‌ ର ସମସ୍ତ ବରିଷ୍ଠ ଅଧିକାରୀମାନେ ଏକାଠି ହେଇସାରିଥାଆନ୍ତି ସମ୍ମିଳନୀ କକ୍ଷରେ । ଜିଲ୍ଲାପାଳ ନିର୍ଦ୍ଦେଶ ଦେଲେ ଏକ ଅଧିକାରୀମାନଙ୍କ ଦଳ ତୁରନ୍ତ ସେହି ଗାଁ କୁ ଯିବେ। ଜିଲ୍ଲାପାଳ ଜଣେ ଯୁବକ ଥିଲେ ବୟସ ହୁଏତ ତିରିଶ ଭିତରେ ହେଇପାରିଥାଏ । ତାଙ୍କୁ ଛାଡିଦେଲେ ବାକି ସବୁ ବରିଷ୍ଠ ଅଧିକାରୀମାନେ ତୁଳନାତ୍ମକ ଭାବରେ ବୟସ୍କ। ସ୍ଥାନୀୟ ତହସିଲ ଅଫିସ୍‌ରୁ ଜଣାଗଲା ଯେ ଜଙ୍ଗଲଗାଁ ଜିଲ୍ଲା ସଦରମହକୁମାଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ। କୋଡିଏ କି ପଚିଶ କିଲୋମିଟର ଗଲା ପରେ ଏକ ବଡ ନାଳ ପଡୁଥିବାରୁ ନାଳ ପୂର୍ବରୁ ଗାଡିମଟର ସବୁ ରଖି ଗାଁ ଯାଏଁ ବାକି ବାଟ ଚାଲିକରି ଯିବାକୁ ହେବ। ଏକଥା ଶୁଣିଲାପରେ କିଛି ଅଧିକାରୀ ଜିଲ୍ଲା ଅଫିସରେ ଦିଶିଲେ ନାହିଁ, ବାକି ଯିଏ ରହିଥାଆନ୍ତି ସେମାନେ ଜିଲ୍ଲାପାଳଙ୍କୁ ଡରି କିଛି କହିଲେ ନାହିଁ। ଯେଉଁ ଡାକ୍ତର ଜଣକ ଅଧିକାରୀ ଦଳରେ ସାମିଲଥିଲେ ସେ ଜଣେ ଥିଲେ ଜଣେ ମହିଳା। ସେ ଜିଲ୍ଲାପାଳଙ୍କୁ ସେହି ମୁହୂର୍ତ୍ତରେ ଯିବାପାଇଁ ତାଙ୍କର ଅନିଚ୍ଛା ପ୍ରକାଶ କଲେ ଓ ପରାମର୍ଶ ଦେଲେ ପରଦିନ ସକାଳୁ ସେ ଗାଁ କୁ ଯିବାକୁ ଜିଲ୍ଲାପାଳ କିନ୍ତୁ ନଛୋଡବନ୍ଧା। ନା ଶୁଣିବାକୁ ସେ ଯେମିତି ପ୍ରସ୍ତୁତ ନଥିଲେ, ମହିଳା ଡକ୍ତରଙ୍କ ସହିତ ଜଣେ ମହିଳା ଅଧିକାରୀ, ଜଣେ ମହିଳା ଏ.ଏନ.ଏମ ଏବଂ ଜଣେ ମହିଳା ଆଙ୍ଗନବାଡି କର୍ମୀ ଯିବାପାଇଁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଲେ, ସମସ୍ତେ ଡକାହକା ହେଇ ଏକାଠି ହେଲା ବେଳକୁ ଦିନ ପ୍ରାୟ ଦୁଇଟା, ଅଧିକାରୀ ଦଳର ନେତୃତ୍ବ ନେଉଥାଆନ୍ତି ସ୍ଥାନୀୟ ଉପଜିଲ୍ଲାପାଳ। ଗାଁକୁ ବାଟ ଦେଖେଇବାର ଦାୟୀତ୍ବ ରହିଥାଏ ସେ ଅଞ୍ଚଳର ଥାନାବାବୁ ଓ ରେଭିନ୍ୟୁ ଇନସ୍‌ପେକ୍ଟରଙ୍କ ଉପରେ/। କାରଣ ଆଦିବାସୀ ଅଞ୍ଚଳରେ ଲୋକମାନେ ସେତେବେଳେ ଏହି ଦୁଇଜଣ ସରକାରୀ ଅଧିକାରୀଙ୍କୁ ବହୁତ ମାନନ୍ତି। ସେମାନେ ବୁଝୁନଥିଲେ ଅନ୍ୟାନ୍ୟ ପଦବୀର ମର୍ଯ୍ୟଦା।

ସରକାରୀ ଅଧିକାରୀ ଦଳ ବାହାରିଲା ବେଳକୁ ଦୁଇଟା ବାଜି ସାରିଥିଲା। ଚଣ୍ଡିଚାମୁଣ୍ଡାଙ୍କୁ ମିଶାଇ ଦଳରେ ପ୍ରାୟ ବାଇଶ କି ତେଇଶ ଜଣ ଲୋକ ଥିଲେ ବାଟ ଦେଖେଇବାକୁ ପ୍ରଥମ ଗାଡିରେ ଥାନାବାବୁ ଓ ତାଙ୍କର ଷ୍ଟାଫ ଗଲେ, ଦ୍ବିତୀୟ ଗାଡିରେ ଗଲେ ଉପଜିଲ୍ଲାପାଳ ଓ ବରିଷ୍ଠ ମହିଳା ଡାକ୍ତର ଙ୍କ ସହିତ ଅନ୍ୟାନ୍ୟ ମହିଳା ଅଧିକାରୀ ମାନେ ଏବଂ ଆଉ ଦୁଇଟି ଗାଡିରେ ଖୁନ୍ଦାଖୁନ୍ଦି ହୋଇ ବସିଲେ ବାକି ଅଧିକାରୀ ମାନେ ନାଳ ପାଖରେ ପହଞ୍ଚିଲା ବେଳକୁ ପ୍ରାୟ ଚାରିଟା ବାଜିବାକୁ ବସିଥାଏ । ନାଳ ପୂର୍ବ ଗ୍ରାମରେ ଥିବା ଅଙ୍ଗନବାଡି କର୍ମୀ ଙ୍କ ହେପାଜତରେ ଗାଡି ସବୁ ରଖିଦେବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଲେ । ତାପରେ ଆମ ପଟୁଆର ବହାରିଲା ଜଙ୍ଗଲଗାଁ ଅଭିମୁଖେ ନାଳରେ ଛାତିଏ ପାଣି ଚାଲୁଥାଏ । ପାହାଡିଆ ନାଳ, କିଏ ବା କହିବ ତାର କେତେବେଳେ କେମିତିକା ସୁଅ ଚିନ୍ତା ପଡିଲା କେମିତି ପାର ହେବା ଏହି ନାଳ ସେତେବେଳକୁ ମୁହଁ ସନ୍ଧ୍ୟା ହେଲାଣି । ରେଭିନ୍ୟୁ ଇନ୍ସ୍‌ପେକ୍ଟର ବାବୁ ଗାଁରୁ କିଛି କୂଅ ଦଉଡି ସହିତ କିଛି ବଡ ବଡ ଠେଙ୍ଗା ଆଣିଲେ, ସ୍ଥାନୀୟ ଲୋକଙ୍କ ସହାୟତାରେ ଦଉଡି ବନ୍ଧା ହେଲା ବାଉଁଶରାଣୀ ଖେଳ ଖେଳିବା ପରିକା ସମସ୍ତେ ଦଉଡି ଉପରେ ଚାଲିଲେ ଅନ୍ୟ ଦଉଡି ସହାୟତାରେ ଓ ଗ୍ରାମବାସୀ ମାନେ ପାଣିରେ ରହି ସମସ୍ତଙ୍କୁ ନାଳ ପାରି ହେବାରେ ସହାୟତା କଲେ । ଯାହାହେଉ ସମସ୍ତେ ଆମେ ଗ୍ରାମବାସୀଙ୍କ ସହାୟତାରେ ନାଳ ପାରି ହେଲୁ । ସମୟ ହେଲାଣି ସେତେବେଳକୁ ସନ୍ଧ୍ୟା ସାତଟା, ଆଗକୁ ଆହୁରି ନିଚ୍ଛାଟିଆ ଜଙ୍ଗଲ ରାସ୍ତାରେ ପନ୍ଦର ଷୋହଳ କିଲୋମିଟର ଚାଲି ଚାଲି ଯିବାକୁ ଅଛି । ତେଣୁ ସମସ୍ତେ ଖୁବ୍‌ ତରବର ହେଉଥାଆନ୍ତି । ଆମ ଅସହାୟତା କିନ୍ତୁ ଜଣେ ସ୍ଥାନୀୟ ମଧ୍ୟ ବୟସ୍କ ବ୍ୟକ୍ତି ଯିଏ କି ଆମକୁ ନାଳ ପାରି କରେଇବାରେ ସହାୟତା କରିଥିଲେ , ଅନୁମାନ କରିନେଲେ ସେ ତାଙ୍କ ଗ୍ରାମର ଦୁଇଚାରିଜଣ ଯୁବକଙ୍କୁ ଆମ ସହିତ ନିଆଁ ହୁଳା ଧରି ଯିବାକୁ କହିଲେ । ଚାଲିବା ଆରମ୍ଭ ହେଲା....

ନିଛାଟିଆ ଅନ୍ଧାର ରାତିରେ ନିଆଁହୁଳାରେ ପୋଲାଙ୍ଗ ତେଲ ପକେଇ ହୁଳାକୁ ତେଜେଇ ତେଜେଇ ଜଙ୍ଗଲ ରାସ୍ତାରେ ଚାଲିବାର ଅଭିଜ୍ଞତା ମୋର ନଥିଲା ଆଗରୁ ଏଠି ଯେହେତୁ ଦଳେ ଲୋକଙ୍କ ମେଳରେ ଚାଲିବାକୁ ହେଉଥିଲା ତେଣୁ ବିଶେଷ ଭାବରେ କିଛି ଆତଙ୍କ ରହିନଥିଲା କାହାରି ମନରେ। ଦୁଇ ତିନିଜଣ ହୁଳାଧାରି ଆଗରେ ଚାଲୁଥାଆନ୍ତି, ଦୁଇ ତିନିଜଣ ପଛରେ ରହିଥାଆନ୍ତି ଓ ଅନ୍ୟ ଦୁଇଜଣ ଆମ ଭିତରେ ରହି ଆମ ସହିତ ଚାଲୁଥାଆନ୍ତି । ଆମ ମନରେ କେବଳ ସାପ ଭୟ ବେଳେ ଆସୁଥାଏ ଅନ୍ୟ ପ୍ରକାର ଭୟ କିଛି ପ୍ରାୟ ନଥିଲା କହିଲେ ଚଳେ କିଛିବାଟ ଗଲାପରେ ଖୁବ୍‌ ଯୋର ପବନ ହେଲା ଏବଂ ବାଟରେ ପଡିଥିବା ଶୁଖିଲା ପତ୍ର ସବୁ ଭଉଁରୀ ପରି ଉପରକୁ ଉଠିଲା ।ଏକେତ ରାତି ଘନେଇ ଆସୁଥାଏ, ଏଣେ ଏପରି ଏକ ପରିସ୍ଥିତି ଆମକୁ ସବୁ କିଛି ସମୟ ପାଇଁ ସ୍ତବ୍ଧ କରିଦେଲା । ଆମ ଗହଣରେ ଥିବା ମହିଳା ଡାକ୍ତର ଜଣଙ୍କ ଜିଲ୍ଲାପାଳଙ୍କର ଜିଦ୍‌ ଉପରେ କଟୁ ମନ୍ତବ୍ୟ ଦେଇ ଚଲିଥାଆନ୍ତି । କେହି କେହି ପ୍ରସ୍ତାବ କଲେ ନିକଟସ୍ଥ ଗାଁକୁ ଫେରିଯାଇ ରତ୍ରିଯାପନ କରିବାକୁ । କିନ୍ତୁ ଆମ ଗହଣରେ ଥିଲେ ଜଣେ ଜିଲ୍ଲା ସ୍ତରୀୟ ସମାଜ କଲ୍ୟାଣ ଅଧିକାରୀ ଯିଏ ଜିଲ୍ଲାପାଳଙ୍କର ଖୁବ୍‌ ପିୟ ବୋଲି ଜଣାଶୁଣା,କାଳେ ସେ ଆମ କାର୍ଯ୍ୟ ଓ କଥାବାର୍ତ୍ତା ସବୁ ଜିଲ୍ଲାପାଳଙ୍କୁ ସେ ଫୋଡିଦେବେ ସେହି ଭୟରେ ସମସ୍ତେ ଅନିଚ୍ଛା ସତ୍ବେ ଚାଲୁଥାଆନ୍ତି । କିଛି ସମୟ ପାଇଁ ଆମ ଭିତରେ ଖୁବ୍‌ ନିରବତା ଛାଇଗଲା । କିଛିବାଟ ଗଲାପରେ ଦେଖାଗଲା ଆମ ସହିତ ଦଳରେ ସାମିଲ ହୋଇ ଆସିଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ଆମ ଗହଣରେ ନାହାନ୍ତି । ଖୋଜା ଚାଲିଲା, ହୁଳାଧାରି ପିଲାଙ୍କ ଭିତରୁ ଜଣେ ଦୁଇଜଣ ପଛକୁ ଗଲେ ଖୋଜିବା ପାଇଁ ଆମେ ସବୁ ଠିଆ ହୋଇ ରହିଲୁ ବାକି ହୁଳାଧାରି ପିଲାଙ୍କ ସହିତ ସେମାନେ ଫେରିବା ଯାଏଁ ଘଣ୍ଟା ଦେଖିଲା ବେଳକୁ ରାତି ନଅଟା ବଜିବ ପ୍ରାୟ । ଜଣେ ହୁଳାଧାରି ପିଲା କହିଲା ଯିଏ ରହିଗଲେ ପଛରେ ତାଙ୍କୁ ହୁଏତ ଡୁମା ଖାଇଦେଇଥିବ । ଡୁମା ଏକ ସ୍ଥାନୀୟ ଶବ୍ଦ, ଆମେ ଯେ ସେ ଶବ୍ଦଟିର ଅର୍ଥ ବୁଝିଲୁନାହିଁ ତାହା ହୁଳାଧାରି ପିଲାମାନେ ଅନୁମାନ କରିନେଲେ । ତାଙ୍କ ଭିତରେ ରହିଥିବା ଜଣେ ଦର ପାଠୁଆ ପିଲା କହିଲା ଯେଉଁ ଲୋକକୁ ବାଘ ଓଟାରି ଓଟାରି ଖାଇଥିବ ତାର ଆତ୍ମାକୁ ସ୍ଥାନୀୟ ଭାଷାରେ ଡୁମା କୁହନ୍ତି । ଡୁମା ଶବ୍ଦର ଅର୍ଥ ବୁଝିଗଲାପରେ ବସ୍ତୁତଃ ସମସ୍ତଙ୍କ ଆଖିରେ ଲୁହ ଆସିଗଲା ।ସମସ୍ତଙ୍କର ଆଖିରେ ଗୋଟିଏ ପ୍ରଶ୍ନଥିଲା ସତରେ କଅଣ ମଙ୍ଗଳ ଅଧିକାରୀଙ୍କୁ ଡୁମା ଖାଇଗଲା। ହୁଳାଧାରି ପିଲାମାନେ କହିଚାଲିଥାଆନ୍ତି ଟିକିଏ ଆଗରୁ ଯେଉଁ ପବନ ହେଲା ତାହା ଡୁମା ଆସିବାର ସୂଚନାଥିଲା । ପବନ ପରଠାରୁ ଅଧିକାରୀ ଜଣଙ୍କ ଦିଶୁ ନଥାଆନ୍ତି ଆମ ମେଳରେ ତାହା ପରୋକ୍ଷରେ ସୂଚୀତ କରୁଥିଲାକି ଅଧିକାରୀ ଜଣଙ୍କ ଅବଶ୍ୟ ଡୁମାର ଶୀକାର ହେଇଛନ୍ତି। ଆମ ସହିତ ଥିବା ଜଣେ ପୋଲିସ ହାବିଲଦାର କିନ୍ତୁ ସମସ୍ତଙ୍କୁ ସାହାସ ଦେଉଥାଆନ୍ତି। ଏସ୍ବୁ ଡୁମାଫୁମା କିଛି ନୁହେଁ , ଡରିବାର ନାହିଁ ଆମେ ଡ୍ୟୁଟିରେ ସବୁବେଳେ ଏପଟେ ଆସୁଛୁ । ଭୟ ପରିତ୍ୟାଗ କରିଦିଅନ୍ତୁ ସମସ୍ତେ । ସେ ପରେ ପରେ ବାହାରିଲେ ମଙ୍ଗଳ ଅଧିକାରୀଙ୍କୁ ଖୋଜିବା ପାଇଁ ।

କିଛିବାଟ ଗଲାପରେ ହାବିଲଦାର ବାବୁ ନିଆଁହୁଳାଧାରି ପିଲାମାନଙ୍କୁ ଠାବ କଲେ । ତାଙ୍କ ପାଖକୁ ଯାଇ ସେ ଯାହା ଦେଖିଲେ ସେଥିରେ ତାଙ୍କ ଆଖି ଖୋସି ହେଇଗଲା । ଲୋକଜଣେ ଭୂଇଁରେ ପଡିଥିଲା। ତାକୁ ଘେରି ନିଆଁହୁଳାଧାରି ପିଲାମାନେ ଛିଡା ହେଇଥିଲେ । ଲୋକଟି ମରିଯାଇଛି ବା ବେହୋସ ଅବସ୍ଥାରେ ପଡି ରହିଛି ସେ କଥା ଜାଣିବାକୁ ସେ ପିଲାମାନେ ସାହାସ କରୁନଥିଲେ। କାରଣ ସେମାନଙ୍କ ମନରେ ଥିଲା ଯେ ନିଶ୍ଚୟ ଲୋକଟି ଡୁମା ଆକ୍ରମଣ ରେ ଘାଇଲା ହୋଇ ପଡିଛି । ଏମାନେ ଆହୁରି ମଧ୍ୟ ବିଶ୍ବାସ କରୁଥିଲେ କି ଯଦି ସେମାନେ ଲୋକଟିକୁ ଛୁଇଁଦିଅନ୍ତି ତେବେ ପାଖଆଖରେ ଥିବା ଡୁମା ନିଶ୍ଚୟ ତାଙ୍କୁ ମାରିଦେବ । ହାବିଲଦାର ବାବୁ ଲୋକଟିକୁ ଉଠେଇବାକୁ ଚେଷ୍ଟାକଲେ । ଦେଖିଲେ ଲୋକଟି ହିଁ କିଛି ସମୟ ତଳେ ନିଖୋଜ ହେଇଥିବା ଆମର ସହଯାତ୍ରୀ ମଙ୍ଗଳ ଅଧିକାରୀ ହାବିଲଦାର ବାବୁ ତାଙ୍କ ଶରୀରକୁ ପ୍ରାରମ୍ଭିକ ପରୀକ୍ଷା କରି ଦେଖିଲେ ଯେ ମଙ୍ଗଳ ଅଧିକାରୀ ବେହୋସ୍ ହେଇ ପଡିଛନ୍ତି । ସେ ତାଙ୍କ ହ୍ୟାଣ୍ଡ ବ୍ୟାଗରୁ ପାଣି ବୋତଲଟି କାଢି କିଛି ପାଣି ତାଙ୍କ ମୁହଁରେ ଛାଟିଲେ ଅଳ୍ପ ସମୟ ପରେ ମଙ୍ଗଳ ଅଧିକାରୀଙ୍କର ଚେତା ଫେରିଲା , ଚେତା ଫେରି ପାଇଲାପରେ ମଙ୍ଗଳ ଅଧିକାରୀ କହିଲେ ସେ ବାଟରେ ପରିସ୍ରା କରିବାକୁ କିଛି ସମୟ ଅଟକି ରହିଥିଲେ ଓ ତାପରେ ଖୁବ୍‌ ଏକ ଘୂର୍ଣ୍ଣିବଳୟ ଆସିଲା, ତାପରେ ସେ ସାଥୀ ସହଯାତ୍ରୀ ମାନଙ୍କୁ ପାଖରେ ଦେଖିନପାରି ବହୁତ ଭୟ କରିଗଲେ । ସେ କେତେବେଳେ ଯେ ତଳେ ପଡିଗଲେ ଓ କିପରି ପଡିଗଲେ ତାହା ଜାଣି ନାହାନ୍ତି । ଯଦିଚ ମଙ୍ଗଳ ଅଧିକାରି ଏକ ବିଶ୍ବାସ ଯୋଗ୍ୟ ବୟାନ ଦେଲେ ତଥାପି ହାବିଲଦାର ବାବୁଙ୍କ ପୋଲିସିଆ ଆଖିରୁ ତାଙ୍କ ପାଟିରୁ ବାହାରୁଥିବା ଭଣ ଭଣ ମଦ ଗନ୍ଧ ବଞ୍ଚି ପାରିନଥିଲା। ସେ ତାଙ୍କୁ ଗୁଡେଇତୁଡେଇ ପ୍ରଶ୍ନ କରି କରି ଜାଣିଲେ କି ନାଳ ପାରିହେବା ସମୟରେ ସେ କିଛି ସଲପ ରସ ପିଇ ଦେଇଥିଲେ । ତାଙ୍କୁ ଏତେ ନିଶା ହେଇଗଲା ଯେ ସେ ଆଉ ଆସିବା ଅବସ୍ଥାରେ ନଥିଲେ ଯାହା ହେଉ ତାଙ୍କୁ ଟେକା ଟେକି କରି ହାବିଲଦାର ବାବୁ ଆସି ପହଞ୍ଚିଲେ ଆମ ପାଖରେ ସେତେବେଳକୁ ରାତି ବେଶ୍‌ ବଢି ଆସୁଥାଏ । ଆମକୁ ଆହୁରି ଚାରି କି ପାଞ୍ଚ କିଲୋମିଟର ଚାଲିବାକୁ ବାକିଥିବାପରି ଲାଗୁଥାଏ । ଆମ ଭିତରୁ ଅନେକ ବ୍ୟସ୍ତ ହେଇ ପଡିଥାଆନ୍ତି । ଏପରିକି ଜିଲ୍ଲାପାଳଙ୍କର ଖାସ ଲୋକ ଭାବେ ଜଣାଶୁଣା ସମାଜ କଲ୍ୟାଣ ଅଧିକାରୀ ମଧ୍ୟ ଜିଲ୍ଲାପାଳଙ୍କର ଏତାଦୃଶ ନିର୍ଦ୍ଦେଶର ତୀବ୍ର ସମାଲୋଚନା କରୁଥାଆନ୍ତି । ମଙ୍ଗଳ ଅଧିକାରୀଙ୍କର ଅବସ୍ଥା ଆମର ଗତି କମେଇ ଦେଇଥାଏ । ଆମ ନେତୃତ୍ବ ନେଉଥିବା ଉପଜିଲ୍ଲାପାଳ କିନ୍ତୁ ଏସବୁଥିରେ ଆଦୌ ବିଚଳିତ ନହୋଇ ହସଖୁସିରେ ମସଗୁଲ ରହି ଚାଲିଥାଆନ୍ତି । ଶେଷରେ ଆମେ ରାତି ପ୍ରାୟ ବାରଟା ବେଳକୁ ଜଙ୍ଗଲଗାଁ ସରହଦରେ ପହଞ୍ଚିଲୁ

ଘର ଘର ବୁଲି ସମସ୍ତଙ୍କୁ ନିଦରୁ ଉଠାହେଲା । ଗାଁ ଦାଣ୍ଡରେ ରାତି ଅଧରେ ଏତେ ଲୋକଙ୍କୁ ଦେଖି ଗ୍ରାମବାସୀ ବହୁତ ଡରି ଯାଇଥିଲେ ।ତାଙ୍କର ଯିଏ ମୁଖିଆ ସେ ସାହାସ କରି ଆମର ପରିଚୟ ମାଗିବା ଆଗରୁ ଥାନାବାବୁ ଓ ରେଭିନ୍ୟୁ ଇନ୍ସ୍‌ପେକ୍ଟରଙ୍କୁ ଚିହ୍ନିନେଲେ । ପରେ ପରେ ତାଙ୍କୁ ସବୁ ଘଟଣା ଜଣେଇବା ପରେ ସେ ହସି ହସି ଗଡିଗଲେ । ସେ ଯାହା ବୟାନ କଲେ ସେଥିରୁ ଆମେ ଜାଣିଲୁ ସେହି ଗାଁ ର ଜଣେ ଅଧା ପାଠୁଆ ଆଦିବାସୀ ଯୁବକ ସେହି ଡିମିରି ପଞ୍ଚାୟତର ସରପଞ୍ଚ ହୋଇଥାଏ। ସେହି ପଞ୍ଚାୟତରେ କାର୍ଯ୍ୟ କରୁଥିବା ଉପ ଡାକଘରେ ଯିଏ ସବ୍‌ ପୋଷ୍ଟ ମାଷ୍ଟର ଥିଲେ ତାଙ୍କର ମଧ୍ୟ ବେଶି ଯୋଗ୍ୟତା ନଥାଏ । ସରପଞ୍ଚ ଓ ସବ୍‌ ପୋଷ୍ଟ ମାଷ୍ଟର ସେ ଅଞ୍ଚଳର ଅନାହାର ମୃତ୍ୟୁ ଖବର ସହିତ ପରିଚିତ ଥିଲେ । ସେମାନେ ଉଭୟ ଏକା ଗାଁର ଲୋକ ଏବଂ ଗାଁ ର କିଛି ସମସ୍ୟା ଆଲୋଚନା କରୁ କରୁ ସେମାନେ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ଉପନୀତ ହେଲେ କି ତାଙ୍କ ଗାଁକୁ କୌଣସି ସରକାରୀ ଯୋଜନା ପହଞ୍ଚି ପାରୁନି ଅନ୍ୟାନ୍ୟ ପାଖ ପଡୋଶୀ ରାସ୍ତାକଡ ଗ୍ରାମ ପାଖରେ ସବୁ ସରକାରୀ ଯୋଜନା ଅଟକି ଯାଉଛି । ଏପରି ଆଲୋଚନା ମଧ୍ୟରେ ତାଙ୍କ ଭିତରେ ପ୍ରତିଯୋଗିତା ହେଇଛି ଯେ କିଏ ତାଙ୍କ ଗାଁକୁ ସରକାରୀ ଯୋଜନା ଆଣିବାରେ ସକ୍ଷମ ହେବ ।ଏହି ପ୍ରତିଯୋଗିତା ଭିତରେ ସବ୍‌ ପୋଷ୍ଟ ମାଷ୍ଟର ନିଜର ପାରଦର୍ଶିତା ଜାହିର କରିବାକୁ ଦରଖଣ୍ଡି ଇଂରାଜୀରେ ଟେଲିଗ୍ରାମ୍‌ଟିଏ ପଠେଇ ଦେଇଥିଲେ। ମୁଖିଆର କଥା ଶୁଣି ସମସ୍ତେ ବିରକ୍ତ ହେଉଥିଲୁ ଯେହେତୁ ଉକ୍ତ ଟେଲିଗ୍ରାମ ଉପରେ ଅହେତୁକ ଗୁରୁତ୍ବ ଦେଇ ଆମେ ଖୁବ୍‌ ତରବରିଆ ଭାବରେ ଚାଲି ଚାଲି ସେ ଗାଁକୁ ଯାଇଥିଲୁ । କିନ୍ତୁ ପରୋକ୍ଷରେ ଦୁଇ ଅଧାପାଠୁଆ ଲୋକଙ୍କର ଏତାଦୃଶ ଫେଚକାମି ଯେ ଆମକୁ ସେହି ଗାଁର ଏକ ବାସ୍ତବ ଚିତ୍ର ସହିତ ପରିଚିତ କରାଇଲା ସେଥିରେ ସନ୍ଦେହ ନଥିଲା । ଟେଲିଗ୍ରାମର ଲେଖା ଶୈଳୀରେ ସଂଭ୍ରମତାର ଅଭାବ ଥିଲେ ମଧ୍ୟ ଆମେ ଅନୁଭବ କଲୁ କି ସେଥିରେ ଦର୍ଶାଯଇଥିବା ସମସ୍ୟା ସତ୍ୟ ଥିଲା । ଗାଁ ରେ ଥିବା ଆକ୍ରାନ୍ତ ଲୋକଙ୍କର ଚିକିତ୍ସା କରାଗଲା ଓ ଯେଉଁ ମାନଙ୍କ ପାଇଁ ଅଧିକା ଚିକିତ୍ସାର ଆବଶ୍ୟକତା ରହିଥିଲା ସେମାନଙ୍କୁ ଖଟିଆରେ ବୋହି ବୋହି ଅନ୍ତତଃ ନାଳ ପର୍ଯ୍ୟନ୍ତ ଆଣିବାକୁ ପଡିଲା ।

ରାତି ଦୁଇଟା ବାଜି ସାରିଥାଏ । ସମସ୍ତେ ଭୋକରେ ଆଉଟୁପାଉଟୁ, ଗାଁ ରେ କିଛି ନଥାଏ ଖାଇବାକୁ । ମୁଖିଆ ତାଙ୍କ ଘରୁ କିଛି ମାଣ୍ଡିଆ ଚୂନା ସହିତ ଗୋଟିଏ ବଡ କଖାରୁ ଆଣିଦେଲେ । ତାକୁ ଆମ ସହିତ ଥିବା ଜଣେ ମହିଳା ସହଯୋଗୀ କେବଳ ସାଦା ପାଣିରେ ଘାଣ୍ଟିଦେଲେ,ଲୁଣ ପଡିଥିଲା କି ନାହିଁ ମନେ ପଡୁନି ଠିକ୍‌ସେ । ଆମେ ସେଥିରୁ ଗୁଳାଏ ଲେଖେ ଖାଇ ଭୋକ ମାରିଲୁ । ରାତି ପ୍ରାୟ ତିନିଟା ବେଳକୁ ଆମେ ସେ ଗାଁ ଛାଡିଲୁ । ଆସିଲାବେଳେ ମୁଖିଆ ଅନେକ ନେହୁରା ହୋଇ କହୁଥିଲେ କିଛି ସରକାରୀ ସାହାଯ୍ୟ ପାଇଁ, ଆମର ନେତୃତ୍ବ ନେଉଥିବା ଉପଜିଲ୍ଲାପାଳ ତାଙ୍କୁ ପ୍ରତିଶୃତି ଦେଲେ ଯଥା ସମ୍ଭବ ସାହାଯ୍ୟ ପହଞ୍ଚେଇବା ପାଇଁ । ପୁଣି ଆରମ୍ଭ ହେଲା ଆମର ଫେରନ୍ତା ପଦଯାତ୍ରା ସେହି ଡୁମା ବହୁଳ ଅନ୍ଧାର ରାସ୍ତାରେ । କିଛି ପୋଲାଙ୍ଗ ତେଲ ମୁଖିଆ ମଧ୍ୟ ଦେଇଥିଲେ ତେଣୁ ନିଆଁ ହୁଳା ଖୁବ୍‌ ଯୋରରେ ଜଳୁଥାଏ । ଆସିଲାବେଳେ ଆମଭିତରେ କିଏ କେତେପ୍ରକାର ମନ୍ତବ୍ୟ ଦେଉଥାଆନ୍ତି ସମଗ୍ର ଘଟାଣା ଉପରେ । କିନ୍ତୁ ସମସ୍ତେ ଏକମତ ହେଉଥିଲେ ଯେ ସ୍ବାଧିନତାର ପଚଶ କି ଷାଠିଏ ବର୍ଷ ପରେ ମଧ୍ୟ ଜଙ୍ଗଲଗାଁ କୁ ବିକାଶ ଛୁଇଁ ପାରିଲାନି । ସରକାରୀ ଯୋଜନା ସେଠି ପହଞ୍ଚି ନପାରିବାର ଏକ ପ୍ରମୁଖ କାରଣ ହେଲା ଆମ କର୍ମଚାରୀ ଭାଇ ମାନଙ୍କର ଚରମ ଉଦାସୀନତା ତା ସାଙ୍ଗକୁ ସେହି ଗ୍ରାମରେ ରହୁଥିବା ଗ୍ରାମବାସୀଙ୍କର ଦାବୀ ଉପସ୍ଥାପନ କରିବା ପ୍ରଣାଳୀ ଉପରେ ଅଜ୍ଞତା କିନ୍ତୁ ନିଜର ଗାରିମା ଦେଖେଇବାକୁ ହେଉ କିମ୍ବା କିଛି ଦୁଷ୍ଟାମି ଉଦ୍ଦେଶ୍ୟରେ ହେଉ ବିଚରା ପୋଷ୍ଟ ମାଷ୍ଟର ଓ ସରପଞ୍ଚ ଯେଉଁ ସାହାସ କରି ସିଧା ଜିଲ୍ଲାପାଳଙ୍କୁ ଏକ ଟେଲିଗ୍ରାମ ପଠେଇଲେ ତାହାରି ଫଳରେ ସେହି ଅଗମ୍ୟ ଗ୍ରାମକୁ ଏକା ସାଙ୍ଗରେ ଜିଲ୍ଲାର ସମସ୍ତ ମୁଣ୍ଡି ହାକିମ ମାନଙ୍କୁ ଆସିବାକୁ ତର ସହିଲାନି । ଯିବା ସମୟରେ ରାସ୍ତା ଯେତେ କଷ୍ଟ ଜଣାପଡୁଥିଲା ଫେରିବା ସମୟରେ ଅବଶ୍ୟ ସେତେ ଜଣାପଡୁନଥିଲା । ହେଇପାରେ ସମସ୍ତେ ସେତେବେଳେ ଘରମୁହାଁ ଥିଲେ ଓ ତା ସହିତ ରାତି ଅନିଦ୍ରା ସାଙ୍ଗକୁ ଭୋକିଲା ଥିଲେ ତେଣୁ ହୁଏତ ସେହି କଷ୍ଟ ତୁଳନାରେ ଫେରିବା ବେଳର କଷ୍ଟ ବିଶେଷ ଭାବରେ ଅନୁଭବ କରିପାରୁନଥିଲେ ।

ଜିଲ୍ଲାପାଳଙ୍କର ନିର୍ଦ୍ଦେଶ ଆମ ନେତାଙ୍କ ପାଖରେ ପହଞ୍ଚି ସାରିଥିଲା । ସମସ୍ତେ ସଦର ମହକୁମା ପହଞ୍ଚିବାପରେ ନିତ୍ୟକର୍ମ ସାରି ତୁରନ୍ତ ଦିନ ଏଗାରଟା ବେଳକୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକାଠି ହେବେ ତାହାହିଁ ହେଲା ।ରାତି ଅନିଦ୍ରା ଯୋଗୁଁ ଆଖି ମାଡି ମାଡି ପଡୁଥିଲେ ମଧ୍ୟ ସମସ୍ତେ ନିର୍ଦ୍ଦେଶ ମତେ ସମ୍ମିଳନୀ କକ୍ଷରେ ଏକାଠି ହେଲେ, କେହି କେହି ଜିଲ୍ଲାପାଳଙ୍କୁ ସୁପାରିଶ କଲେ ଯେ ସେହି ସରପଞ୍ଚ ଓ ପୋଷ୍ଟ ମାଷ୍ଟର ଉଭୟ ନାଟର ଗୋବର୍ଦ୍ଧନ ହୋଇଥିବାରୁ ତାଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ଆଉ କେତେ ଜଣ ମତ ଦେଲେ ଯେ ଘଟଣା ର ସତ୍ୟାସତ୍ୟତା ରହିଛି ତେଣୁ ତୁରନ୍ତ ଆବଶ୍ୟକ ମତେ ପ୍ରତିଶେଧାତ୍ମକ ପଦକ୍ଷେପ ନିଆଯାଉ । ଅନ୍ୟ କେତେଜଣ ସେହି ଗ୍ରାମକୁ ଯିବା ବାଟରେ ପଡୁଥିବା ନାଳ ଉପରେ ପୋଲ ସହିତ ଏକ ସବୁ ଦିନିଆ ରାସ୍ତାର ଏକାନ୍ତ ଆବଶ୍ୟକତା ରହିଥିବାରୁ ସେ ଦିଗରେ ପଦକ୍ଷେପ ନେବାକୁ ମତ ଦେଲେ । ଜିଲ୍ଲାପାଳ ପ୍ରତ୍ୟେକ ସୁପାରିଶକୁ ଟିପି ରଖିଲେ ଓ ଜିଲ୍ଲାର ପରବର୍ତ୍ତି ଅଭିଯୋଗ ଶୁଣାଣି ଶିବିର ସେହି ଗ୍ରାମରେ କରିବାକୁ ନିର୍ଦ୍ଦେଶ ଦେଲେ । ସେହି ଅନୁସାରେ ବିଡିଓ, ତହସିଲଦାର, ଥାନାବାବୁ, ସମସ୍ତ ସରକାରୀ ବିଭାଗୀୟ ମୁଖ୍ୟ ଓ ପ୍ରସାଶନ ସହିତ ଜଡିତ ଥିବା ସମସ୍ତ ସ୍ବେତ୍ସାସେବୀ ଅନୁଷ୍ଠାନ ଆଦିଙ୍କୁ ଜିଲ୍ଲା କାର୍ଯ୍ୟାଳୟ ତରଫରୁ ଅବଗତ କରେଇଦିଆଗଲା ।

ସେଦିନ କିନ୍ତୁ ଅଭିଯୋଗ ଶୁଣାଣି ଶିବିରକୁ ଗଲାବେଳେ ନାଳ ପାଖରେ ଦଉଡିର ଆବଶ୍ୟକତା ପଡିଲାନି କାରଣ ସେଠାରେ ଏକ ଅସ୍ଥାୟୀ ପୋଲ ଗ୍ରାମ୍ୟଉନ୍ନୟନ ବିଭାଗ ତରଫରୁ କରା ସରିଥାଏ । ଗ୍ରାମରେ ଜଙ୍ଗଲ ବିଭାଗ ତରଫରୁ ସୌରଶକ୍ତି ପରିଚାଳିତ ଏକ ଗ୍ରୀଡର ସ୍ଥାପନା କରାଯାଇ ଗ୍ରାମକୁ ଆଲୋକିତ କରାଯିବାର ବନ୍ଦୋବସ୍ତ କରା ସରିଥାଏ। ବ୍ଲକ କର୍ମଚାରୀ ମାନେ ଯାଇ ପଲ୍ଲିସଭା କରି ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ ଚୟନ କରି ସାରିଥାଆନ୍ତି । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଅନେକ ଦିନରୁ ମଞ୍ଜୁରୀପ୍ରାପ୍ତ ହୋଇ କର୍ମଚାରୀଙ୍କର ଉଦାସୀନତାରୁ ପଡିରହିଥିବା ଏକ ଆଙ୍ଗନବାଡି କେନ୍ଦ୍ର ଏକ ଅସ୍ଥାୟୀ ଘରେ କାମ କରିବା ଆରମ୍ଭ କରିଥାଏ । ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇ ସେଠାକୁ ଦିନେ କାଳେ ଯାଉନଥିବା ମାଷ୍ଟ୍ର ହପ୍ତାଏ ପୂର୍ବରୁ ଗାଁ ରେ ରହିଯାଇଛି। ଏହି ପ୍ରକାର ଅକସ୍ମାତ୍‌ ପରିବର୍ତ୍ତନ ଗ୍ରାମବାସୀଙ୍କୁ ଅବଶ୍ୟ ଚକିତ କରିଥିଲା । ସେମାନେ ଗାଉଁଲୀ ଭାଷାରେ କୁହା କୁହି ହେଉଥିଲେ ଆଙ୍ଗୁଠି ବଙ୍କା ନକଲେ ଘିଅ ବାହାରେନି ସହଜରେ । ସେମାନେ ଏସ୍ବୁର ଶ୍ରେୟ ଅଧାପାଠୁଆ ସରପଞ୍ଚ ଓ ପୋଷ୍ଟ ମାଷ୍ଟରଙ୍କୁ ଦେବାକୁ କୁଣ୍ଠିତ ନଥିଲେ ।

ନିର୍ଦ୍ଦିଷ୍ଟ ସମୟରେ ଜିଲ୍ଲାପାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଗହଣରେ ଅଭିଯୋଗ ଶୁଣାଣି ଶିବିର ରେ ପହଞ୍ଚିଗଲେ । ସେ ମଧ୍ୟ ନିଜେ ବିଶ୍ବାସ କରି ପାରିନଥିବେ ଯେ ଏ ହେଉଛି ସେହି ଜଙ୍ଗଲଗାଁ ଯେଉଁଠିକୁ ତାଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ମାତ୍ର ଅଳ୍ପଦିନ ତଳେ ନିଆଁହୁଳା ଧରି ଡୁମା ମନଙ୍କ ଗହଣରେ ଚାଲି ଚାଲି ଆସିଥିଲେ । ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ଆରମ୍ଭ ହେଲା ଶିବିର । ଗ୍ରାମବାସୀ କହୁଥାଆନ୍ତି ସେମାନଙ୍କର କୌଣସି ଅଭିଯୋଗ ନାହିଁ । ସେମାନେ ଧନ୍ୟ ଯେ ସ୍ବୟଂ ଜିଲ୍ଲାପାଳ ତାଙ୍କ ଗ୍ରାମକୁ ଆସିଛନ୍ତି । ବିଭାଗୀୟ ଅଧିକାରୀ ମାନେ ଜଣକ ପରେ ଜଣେ କାନ୍ଧଟେକି ବଖାଣି ଚାଲିଲେ ତାଙ୍କ ବିଭାଗ ତରଫରୁ ଆସନ୍ତା ମାସକ ମଧ୍ୟରେ କିଏ କିପରି ଜଙ୍ଗଲଗାଁର ମାନଚିତ୍ର ପରିବର୍ତ୍ତନ କରିଦେବେ । ଶିବିର କାମ ସାରି ଜିଲ୍ଲାପାଳ ବାହାରିଲେ ଫେରିବାକୁ ସଦର ମହକୁମାକୁ । ମୁଖିଆ ଆସି ପଚାରିଲେ ଜିଲ୍ଲାପାଳଙ୍କୁ “ ସାହେବ ଆଉ କେବେ ଆସିବୁ?” ଜିଲ୍ଲାପାଳ ଅଳ୍ପହସି ଆସିବାର ପ୍ରତିଶୃତି ଦେଇ ଫେରିଲେ । ସଦର ମହକୁମାକୁ ଆସି ପହଞ୍ଚିଲାବେଳକୁ ଅନ୍ୟ ଜଣେ ଯୁବ ଆଇ ଏ ଏସ୍‌ ଅଧିକାରୀ ପହଞ୍ଚି ସାରିଥିଲେ ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିବା ପାଇଁ ।

( ସମାପ୍ତ )



Rate this content
Log in