Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅପା ବାହାଘର
ଅପା ବାହାଘର
★★★★★

© Pramod Kumar Jena

Others

3 Minutes   580    18


Content Ranking


ଆମ ଘରକୁ ଜଣେ ନୂଆ କୁଣିଆ ଆସିଥିଲେ ଅପାକୁ ଦେଖିବାକୁ । ଦେଖିବାକୁ ଖୁବ୍ ହ୍ୟାଣ୍ଡସମ୍ ଥିଲେ । ଅପା ମଧ୍ୟ ଆମର ଦେଖିବାକୁ ଖୁବ୍ ସୁନ୍ଦରୀ । ସମସ୍ତଙ୍କ ମନ ପାଇଥାଏ ବୋଧହୁଏ । କାହିଁକିନା ସେଦିନ ଆମ ଘରେ ପ୍ରାୟ ସମସ୍ତେ ବହୁତ ଖୁସି ଥିଲେ । ସେତେବେଳେ ମୁଁ ବହୁତ ଛୋଟ ଥିଲି । ମୋର ଯାହା ମନେ ପଡୁଛି, ପ୍ରଥମ କିମ୍ବା ଦ୍ୱିତୀୟ ଶ୍ରେଣୀରେ ପଢୁଥିଲି । ସେତେବେଳେ ଏତେ ଗାଡି ମଟର୍ ନଥିଲା । କାଁ ଭାଁ କୋଉ ପନ୍ଦର ଖଣ୍ଡ ଗାଆଁରେ କାହା ପାଖେ ଗୋଟେ ମଟର୍ ସାଇକେଲ୍ ଥାଏ । ଆଉ ସମସ୍ତେ ତାଙ୍କୁ ଜାଣିଥାଆନ୍ତି । ହୁଏତ ସିଏ ବଡ କଣ୍ଟ୍ରାକ୍ଟର୍ ହୋଇଥିବ କିମ୍ବା ବଡ ଚାକିରିଆ । ସେତେବେଳେ ବଡ ଚାକିରିଆ ହୋଇଥିଲେ ସେମାନଙ୍କ ଚାକିରିରେ ଭଲ ଉପୁରି ଥିଲା । ତେବେ ମୋଟାମୋଟି ଭାବେ ଲୋକମାନେ ଦୂର ଜାଗାକୁ ଯାତାୟତ କରିବାକୁ ବସ୍ ଉପରେ ନିର୍ଭର କରୁଥିଲେ । ବସ୍ ବୋଲେ ଦିନରେ ବେଶି ହେଲେ ଓ.ଆର୍.ଟି.ର ଗୋଟେ/ଦୁଇଟା ବସ୍ । ଆଉ ଓ.ଆର୍.ଟି.ର ଲଙ୍ଗ୍ ରୁଟ୍ ବସ୍ ଗୁଡାକ ରାତିରେ ଯାଆନ୍ତି । ତାଙ୍କର ରହଣୀ ମଧ୍ୟ ଖୁବ୍ ସୀମିତ ଜାଗାରେ ହୁଏ । ଦୁର୍ଭାଗ୍ୟକୁ ସେ ଦିନ ଆମ ଘରକୁ ଆସିଥିବା କୁଣିଆଙ୍କୁ ଯିବା ପାଇଁ ବସ୍ ମିଳିଲାନି । ବାଧ୍ୟ ହୋଇ ଆମ ଘରେ ରହିଲେ । ରାତିରେ ଖାଇବା ପୂର୍ବରୁ ଆମ ବାଟ ଘରେ ଗୋଟେ ଖଟିଆ ଉପରେ ସେମାନେ ଆରାମ କରୁଥାନ୍ତି ।

ନୂଆ କୁଣିଆଙ୍କୁ ଦେଖି ମୋତେ ବି ଭାରି ଖୁସି ଲାଗୁଥାଏ । ଗୋଟେ କୁଦା ମାରି ତାଙ୍କ ପାଖରେ ହାଜର ହୋଇଗଲି । ସେତେବେଳକୁ ଆମ ଘରର ସ୍ତ୍ରୀ ଲୋକ ଆଉ କିଛି ପଡିଶା ଘରର ଝିଅମାନେ କଣେଇ କଣେଇ ଦେଖୁଥାନ୍ତି । ହଠାତ୍ ମୋ ନଜର ପଡିଲା କୁଣିଆଙ୍କ ଲୁଙ୍ଗି ଉପରେ । ଆରେ ଏଇଟା କ’ଣ ? ଆମର ତ ଲୁଙ୍ଗି ହିଁ ନାହିଁ । ବାପା ତ ଧଳା ଫରଫର ଧୋତି ପିନ୍ଧନ୍ତି । ଭାଇମାନଙ୍କର ତ ହାଫ୍ ପ୍ୟାଣ୍ଟ୍ । ଏ ଲୁଙ୍ଗିଟା କୋଉଠୁ ଆସିଲା ? ସିଏ କ’ଣ ଆଣିକରି

ଆସିଥିଲେ ? ନା’ତ । ସିଏ କିଛି ବ୍ୟାଗ୍ ପତ୍ର ଆଣି ନଥିଲେ । ଆରେ ହଁ । ମୋର ମନେ ପଡିଲା, ଏଇଟା ତ ଆଣ ପଡିଶା ଘର ଦାଦାଙ୍କର । ତାଙ୍କଠୁ ତା’ହେଲେ ମାଗି କରି ଆଣିଛନ୍ତି କୁଣିଆଙ୍କ ପାଇଁ । ପାଟି ମୋର ଖଲଖଲ ହେଲା । ଏତେ ଆପଣାର ନୂଆ କୁଣିଆ । ପୁଣି ମୋର ଭିଣେଇ ହେବେ ନା କ’ଣ । କହିଲି ହେଇଟି ଜାଣିଛ ?

: କ’ଣ ?

: ଏ ଲୁଙ୍ଗିଟା ତମେ ଯୋ ପିନ୍ଧିନ...।

: ହଁ... କ’ଣ ହେଲା ?

: ସେଇଟା ଆମର ନୁହେଁ ।

: ଆଉ କାହାର ?

ସେତେବେଳକୁ ମୋ ଅପା, ବୋଉ ଏଡେ ବଡ ଆଖି କରି ଇସାରା କରି ଡାକୁଥାନ୍ତି, ପଳେଇ ଆ... ପଳେଇ ଆ...

ମନେମନେ ବିରକ୍ତ ହୋଇ ମୁଁ ଭାବୁଥାଏ ଏମାନଙ୍କର ମୋ ପାଖରେ ସଦାବେଳେ କାମ । ଟିକିଏ ନୂଆ କୁଣିଆଙ୍କ ସାଥିରେ କଥା ହେଲା ବେଳକୁ ଡାକିବା ଆରମ୍ଭ କରିଦେଲେଣି । ଯାଃ... ମୁଁ ଯିବିନି । ମନେ ମନେ ଭାବି ପୁଣି କଥାର ଖିଅ ଟାଣି ନେଲି ।

: ହେଇଟି ଜାଣିଛ ?

: ହଁ... କ’ଣ... ?

: ସେଇ ଲୁଙ୍ଗିଟା... ଯୋଉଟା ତମେ ପିନ୍ଧିଛ...। ସେଇଟା ଆମର ନୁହେଁ ।

: ହଁ... ଏବେ ତ କହିଲୁ ।

: ତମେ ଜାଣିପାରିଲନି କି ?

: କ’ଣ... ?

: ସେଇଟା ପରା ଆମର ନୁହେଁ ।

ଏପଟକୁ ଚାହିଁ ଦେଖେ ଅପା କଟମଟ କରି ଦାନ୍ତ ଚୋବେଇ ପୁଣି ଇସାରା କରି କ’ଣ କହୁଛି ।

ଭାବିଲି, ଆରେ କଥା ହେଉଛି ପରା ...

: ହଁ ତମେ ଶୁଣି ପାରିଲନି କି ? ସେଇଟା ଆମର ନୁହେଁ । ପଡିଶା ଘର ଦାଦାଙ୍କର । ଯିଏ ମଝିରେ ଆସି ନଥିଲେ ? ଝୁଲିଆ ଦାଦା... ତାଙ୍କର...

ମତେ ଲାଗିଲା ଏଥର ବୋଧହୁଏ ସେ ବୁଝିଗଲେ । ମୁଁ ଟିକିଏ ଖୁସି ହୋଇ ଆଉ କିଛି କହିବାକୁ ଗଲାବେଳେ ଘର ଭିତରକୁ ମୋ ଅପାର ସାଙ୍ଗଟେ ପଶି ଆସିଲା । କହିଲା,

: ଆ... ବାପା ଡାକୁଛନ୍ତି ।

ଏତିକି କହି ମୋ ଡେଣାଟା ଟାଣି ନେଇ ଆସିଲା ବାହାରକୁ । ଦୁଆରବନ୍ଧ ଡେଇଁଛି କି ନାହିଁ ମୋ ଅପା କୋଉଠି ଥିଲା କେଜାଣି ମୋ ଚୁଟିଟାକୁ ଧରି ସିଧା ବାଡି ପଟକୁ ଘୋଷାରି

ନେଇଗଲା । ମୁଁ କିଛି କହିବା ଆଗରୁ ଚୁଟିକୁ ଚାରି ଘେରା ବୁଲାଇ ଦେଲା ଦେ... ଦନା... ଦନ୍... ଖୋବି ଦେଇଗଲା ଗୋଟା ପରେ ଗୋଟେ । ମଉକା ମିଳିଲାନି ପଚାରିବାକୁ ।

*** *** *** *** ***

ସେ ଦିନ ସିନା ଅପା ମୋତେ ପିଟିଥିଲା, ହେଲେ ତା’ ବାହାଘର ସେଠି ହେଲାନି... ଏବେ ମନେ ପଡିଲେ ମୁଁ ଭାବେ ବାହାଘରଟା ଭାଙ୍ଗିଲା କାହିଁକି ? ସେ ଲୁଙ୍ଗି ପାଇଁ ନା ଅପା ମୋତେ ପିଟିଥିଲା ବୋଲି ?

ପ୍ରମୋଦ କୁମାର ଜେନା

ଠିକଣା : ଏ/2, 404, ଅନନ୍ତ ଭିଲ୍ଲା,

ରେତଙ୍ଗ ଷ୍ଟେସନ୍ ରୋଡ୍,

ନଅଁପୁଟ୍

ଭୁବନେଶ୍ୱର – 752054

ଫୋନ୍ ନଂ 6371145473

କୁଣିଆ ଓ.ଆର୍.ଟି. ଲୁଙ୍ଗି

Rate the content


Originality
Flow
Language
Cover design

Comments

Post

Some text some message..