Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍ମୃତି ଖଳା
ସ୍ମୃତି ଖଳା
★★★★★

© Lopamudra Mishra

Others

13 Minutes   515    14


Content Ranking

ଲୋପାମୁଦ୍ରା ମିଶ୍ର

ଶୁଭେନ୍ଦୁଙ୍କ ସ୍ୱଚ୍ଛ, ନିର୍ମଳ, ସୁନ୍ଦର ଗାଁଟି ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ଅପୂର୍ବ ଶୋଭାର ସମ୍ଭାରରେ ଖୁବ ମନୋରମ ଦିଶେ । ସେ ଖରା ହେଉ ଅବା ବର୍ଷା ହେଉ କିମ୍ବା ଶୀତ, ତାଙ୍କ ଗାଁରେ ସବୁ ଋତୁ ଖୁବ ଆକର୍ଷଣୀୟ, ଏକଥା ସେ ସେହି ଦିନମାନଙ୍କରେ ନୁହେଁ ବରଂ ଏବେ ଗାଁ ଠୁ ମାଇଲ ମାଇଲ ଦୂରରେ ରହି, ଏକା ଏକା ବାଲକୋନୀ ରେ ଠିଆ ହୋଇ ଅନେକ ସମୟରେ ଚିନ୍ତା କରନ୍ତି । ଏବେ ତାଙ୍କର ବହୁତ ବେଶୀ ମନେପଡେ ଛୋଟ ସେହି ଗାଁ ଦେଇ ବୋହି ଯାଇଥିବା ଅଣ ଓସାରିଆ ଅଙ୍କା ବଙ୍କା ଯୁଣେଇ ନଦୀର କଥା, ଆମ୍ବତୋଟା ଓ ଠକିରି ବାଡ଼ି କଥା, ଗାଁର ମାଟି ରାସ୍ତା ଓ ଦୁଇ ଧାଡ଼ି ଚାଳ ଘର କଥା, ଠାକୁରାଣୀ ମନ୍ଦିର ଓ ତା ସାମ୍ନା ଚାରିକୋଣିଆ ପକ୍କା ଚାନ୍ଦିନୀର କଥା, ଗାଁ ପଡ଼ିଆ ଓ ବିଶାଳ କାୟ ସେହି ଦୁଇ ବରଗଛଙ୍କ କଥା, ତାଙ୍କ ପିଢା ଉପରେ ଲାଉ, କଖାରୁ ଓ ପୋଇ ଲତାଙ୍କ ସବୁଜିମା ସାଙ୍ଗକୁ ଅଗଣାରେ ଧାଡ଼ି ଧାଡ଼ି ଶୀତଦିନିଆଁ ଗେଣ୍ଡୁ ଫୁଲଙ୍କ କଥା । ଆଉ ଏହି ଶୀତ ଦିନର କଥା ମନକୁ ଆସିଲେ ଶୁଭେନ୍ଦୁ ଙ୍କର ସ୍ମୃତି ପଟଳକୁ ସ୍ୱତଃ ସ୍ଫୁର୍ତ୍ତ ଭାସିଆସେ ତାଙ୍କ ବାଡ଼ିର ବିସ୍ତୀର୍ଣ୍ଣ ଖଳା ଓ ଖଳା ଉପରେ ବିଚ୍ଛୁରିତ ସୂର୍ଯ୍ୟଙ୍କ କଅଁଳ ସୁନେଲି କିରଣର କଥା । ଶୁଭେନ୍ଦୁଙ୍କ ପାଇଁ ସେହିଟି ଖାଲି ଖଳା ତ ନୁହେଁ ବରଂ ତାଙ୍କ ପିଲାଦିନ ସ୍ମୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ।

ଶୁଭେନ୍ଦୁଙ୍କ ପାଖରେ ସବୁବେଳେ ସମୟର ଘୋର ଅଭାବ । ଜନ୍ମରୁ ଦଶ ପନ୍ଦର ବର୍ଷ ଯାଏଁ ଯାହା ଯେତିକି ଗାଁ ପଡିଆରେ, ସ୍କୁଲ ରାସ୍ତାରେ, ନଈପଠା ରେ, ଆମ୍ବ ତୋଟାରେ, ଘର ଅଗଣାରେ ଓ ବାଡ଼ି ଖଳାରେ କିଛି ଦିନ ପ୍ରାଣଭରି ଜୀବନ କୁ ଜୀବିତ ପରି ଜିଇଁ ଆନନ୍ଦରେ ଅନାୟାସ ରେ ସମୟ କଟେଇବାର ସୁଯୋଗ ପାଇଛନ୍ତି । ତାହା ପରେ ପରେ ସେ ଆଉ ନବସି କେଵଳ ଧାଇଁଛନ୍ତି । ସମୟ ପାଇନାହାଁନ୍ତି ବାପା,ବୋଉଙ୍କୁ ବର୍ଷରେ ଥରେ ଯାଇ ଦେଖାକରିଆସିବାକୁ,ଭଉଣୀ ବାହାଘରର ସବୁ ଦାୟିତ୍ୱ ନେବାକୁ,ଭାଇର ସୁଖ ଦୁଃଖରେ ଠିଆ ହେବାକୁ, ପୁତୁରା ଝିଆରୀଙ୍କୁ କୋଳକୁ ନେବାକୁ ଏବଂ ନିଜ ପାଇଁ ଓ ନିଜର ବାହାଘର ପାଇଁ ସମୟ ଟିକେ ବାହାର କରିବାକୁ । ଏହି ଚାଳିଶ ବର୍ଷ ଭିତରେ ତାଙ୍କୁ ଆଉ କୌଣସି ଦିନ ସମୟ ଟିକେ ମିଳିନି ନିଜ ଅତି ପ୍ରିୟ ଗାଁଟିକୁ ଆସି ଅତିପାଖରୁ ଥରେ ଦେଖିଯିବାକୁ । ଗାଁରେ ଵି ଆଉ ଏବେ ଅଛି କିଏ ? ନିରୋଳା କିଛି ନିରୀହ ଦିନଗୁଡ଼ିକର ଅଭୂଲା ସ୍ମୃତି ବ୍ୟତୀତ ବାକି ଆଉ ସେଠି କଣ ଥାଇପାରେ ଭାବି ଶୁଭେନ୍ଦୁ ଅନେକ ସମୟରେ ଅନ୍ୟମନସ୍କ ହୋଇପଡନ୍ତି ।

ପିଲାବେଳୁ ପାଠରେ ବେଶ୍ ଆଗୁଆ ଶୁଭେନ୍ଦୁ । ଗାଁ ସ୍କୁଲରୁ ମାଟ୍ରିକ ପାସ୍ କଲେ ଖୁବ ଭଲ ନମ୍ବର ରଖି । ନିଜ ଜିଲ୍ଲାରେ ପ୍ରଥମ ଓ ପୁରା ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେଇଠୁ ଗାଁ ସହିତ ତାଙ୍କର ସମ୍ପର୍କଟା ଧୀରେ ଧୀରେ ଢ଼ିଲା ହୋଇଆସିଲା । ଗାଁରୁ କଲେଜ ପଢ଼ିବା ପାଇଁ ଆସିଲେ କଟକ । କଟକ ରେଭେନ୍ସା ରୁ କେମିଷ୍ଟ୍ରି ରେ ସ୍ନାତକ ଶିକ୍ଷା ସମାପ୍ତ କରି ଦିଲ୍ଲୀ ଜବାହରଲାଲ ନେହେରୁ ୟୁନିଭର୍ସିଟି ଗଲେ ସ୍ନାତୋକୋତ୍ତର ପାଇଁ । ସେଠୁ ପୁଣି ପି.ଏଚ୍.ଡି ପାଇଁ ଲଣ୍ଡନ ର କେମ୍ବ୍ରିଜ ବିଶ୍ଵବିଦ୍ୟାଳୟ ରେ ପ୍ରଥମ କରି ପାଦଦେଲେ । ପୋଷ୍ଟ ଡକ୍ଟରାଲ ସକାଶେ ୟୁ.ଏସ୍.ଏ ରେ କିଛି ବର୍ଷ ରହି ପୁନଶ୍ଚ କେମ୍ବ୍ରିଜ କୁ ତାଙ୍କର ପ୍ରତ୍ୟାବର୍ତ୍ତନ ହେଲା । ଗବେଷଣା ଓ ଅଧ୍ୟାପନା ରେ ସେ ନିଜକୁ ଏପରି ନିମଜ୍ଜିତ କରିଦେଇଥିଲେ, ଯେ କେମିଷ୍ଟ୍ରି ଭିନ୍ନ ଅନ୍ୟ କିଛି ଚିନ୍ତା ତାଙ୍କ ମନ ମସ୍ତିଷ୍କର ପରିଧି ଡେଇଁ ଭିତରକୁ ପ୍ରବେଶ କରିପାରୁନଥିଲା । ଅବଶ୍ୟ କିଛି ଦିନ ପାଇଁ ସେ ଦିଲ୍ଲୀ ଆଇ.ଆଇ.ଟି ରେ କାର୍ଯ୍ୟ କରିଥିଲେ । କିନ୍ତୁ ଭାରତରେ ସେହି ସମୟତକର ରହଣି ଭିତରେ ମଧ୍ୟ ଗାଁକୁ ଆସି ବୁଲିଯିବାର ସୁଯୋଗ ପାଇପାରିନଥିଲେ ।

ଆଜି ସକାଳୁ ଉଠି ଲାପଟପ ଖୋଲିଛନ୍ତି କି ନାହିଁ ଶୁଭେନ୍ଦୁଙ୍କୁ ଗୋଟେ ମେଲ୍ ଆସିଲା । ଜେ.ଏନ୍.ୟୁ ସମୟର ଜଣେ ଓଡ଼ିଆ ବନ୍ଧୁ ଗତିକୃଷ୍ଣ ଲଣ୍ଡନ ଆସୁଛନ୍ତି ଏଠାରେ ଆଇ.ଟି ଇଞ୍ଜିନିଅର ଭାବେ କାର୍ଯ୍ୟକରୁଥିବା ତାଙ୍କ ପୁଅ ସୌରଭ ପାଖକୁ । ମୋବାଇଲ ନମ୍ବର ଟି ମଧ୍ୟ ଦେଇଛନ୍ତି । "ଫୋନ କରି ପଚାରିଦେଲେ ହୁଅନ୍ତା ତା ପୁଅର ଠିକଣା । ଅନେକ ଦିନ ହେବ କୌଣସି ବନ୍ଧୁଙ୍କ ସହ ଭେଟ ହୋଇନାହିଁ ",ମନରେ ଏମିତି ଚିନ୍ତା କରି ଫୋନ ଲଗେଇଲେ । ଲଣ୍ଡନରେ ନିର୍ଦ୍ଧିଷ୍ଟ ଠିକଣାରେ ତାଙ୍କର ଗତିକୃଷ୍ଣଙ୍କ ସହ ଦେଖା ମଧ୍ୟ ହେଲା ।

ପୁଅ, ବୋହୂ, ନାତି ନାତୁଣୀରେ ଭରପୁର ସୁନ୍ଦର ପରିବାର ଟିଏ ଗତିଙ୍କର ।

ପ୍ରାୟ ତିରିଶ ବର୍ଷ ପରେ ଦେଖା ସାକ୍ଷାତ । ଦୁଇବନ୍ଧୁ ବସି କଲେଜ ସମୟର ସ୍ମୃତି ଚାରଣ କରୁଛନ୍ତି ।

--ଶୁଭ ! ଜାଣୁ ତୋ ଗବେଷଣା ସମ୍ବନ୍ଧର ଶୁଣେ ଆଉ ମୋ ସ୍ଟୁଡେଣ୍ଟସଙ୍କୁ ତୋ ବିଷୟରେ କହେ । ଆରେ ସେ ଯେଉଁ ବଙ୍ଗାଳୀ ପିଲାଟା ତୋ ରୁମ୍ ପାଖରେ ରହୁଥିଲା, ଆମ ଜୁନିଅର ବ୍ୟାଚ ର ମ, ତା ସହ ଭୁବନେଶ୍ୱର ର ଥରେ ଦେଖା ହେଇଥିଲା ।

--ଓହଃ ଆଚ୍ଛା ଆଚ୍ଛା । ସେ ଯେଉଁ ଆଦିତ୍ୟ ମୁଖାର୍ଜୀ ?

--ହଁ ସେହି । ମୋତେ ବଙ୍ଗଳା ଭାଷା ଶିଖାଉନଥିଲା ? ତୋର ମନେ ଅଛି ନା ନାହିଁ ?

--ମୁଁ କଣ ସହଜେ ଭୁଲେ ! ଆରେ ତୁ ଯେଉଁ ଓଡ଼ିଆରେ ସବୁ କବିତା ଫବିତା ଲେଖୁଥିଲୁ, ଆଉ ଲେଖୁଛୁ ନା ପୋଥି ପୁରାଣ ସବୁ ହଜେଇ ଦେଲୁଣି?

--ଲେଖୁଛି ନା । ତୁ ତ ଫେସବୁକ ଖୋଲିବୁନି । ମୁଁ ତତେ ଫ୍ରେଣ୍ଡ ରିକ୍ୟୁଏସ୍ଟ ପଠେଇଲିଣି ଦୁଇବର୍ଷ କି ଦେଢ଼ବର୍ଷ ହେବ , ତୁ ଆକସେପ୍ଟ କରୁନୁ । ହେଇ ଦେଖ୍ ମୁଁ ପା ଏବେ ଫେସବୁକ ରେ କବିତା ଲେଖୁଛି ।

--ହେତ...ତୁ ମୋର ଆଉ ଗୋଟେ ଆକାଉଣ୍ଟ କୁ ରିକ୍ୟୁଏସ୍ଟ ସେଣ୍ଡ କରିଥିବୁ । ମୁଁ ସେଟା ୟୁଜ କରେନି । ହଉ ଦେଖେଇଲୁ କଣ ଲେଖିଛୁ ? ଚିତ୍ରଟେ ଵି ବଢିଆ ଯୋଖିଛୁ ନାଁ କଣ !

ଶୁଭେନ୍ଦୁ ଗତିବାବୁଙ୍କ ମୋବାଇଲ ଆଣି କବିତା ଟି ପଢ଼ିଲେ । ଗାଁ ଓ ପିଲାଦିନ ସମ୍ବନ୍ଧରେ ଲେଖାହୋଇଥିବା ଛୋଟିଆ ସେହି ଲେଖାଟି କାହିଁକି କେଜାଣି ଶୁଭଙ୍କ ହୃଦୟକୁ ଭେଦ କରି ଅନ୍ତରରେ ଅଦ୍ଭୁତ ଏକ ଉଦ୍ବେଳନ ସୃଷ୍ଟି କଲା । କବିତା ଶେଷରେ ଥିବା ଫୋଟୋ ଟିକୁ ଦେଖି ତାଙ୍କୁ ମନେ ହେଲା, ଏହିଟି ଯେମିତି ତାଙ୍କ ନିଜ ଗାଁର ଏକ ଦୃଶ୍ୟ ।

ଗତିକୃଷ୍ଣ ଙ୍କ ଠୁ ବିଦାୟ ନେଇ ଶୁଭେନ୍ଦୁ ଫେରିଲେ । ସେଠୁ ଆସିଲା ପରଠୁ ସେହି ଗାଁର ଦୃଶ୍ୟଟି ସେ ବାରମ୍ବାର ଦେଖୁଛନ୍ତି । ନେଟ ସର୍ଚ୍ଚ କରି ଆହୁରି ସବୁ ଓଡ଼ିଆ ଭିଲେଜ୍ ର ଫୋଟୋ ଡାଉନଲୋଡ଼ କରି ଦେଖୁଛନ୍ତି । ଜନ୍ମମାଟି ର ମୋହ ତାଙ୍କୁ ଆଜି ଅସ୍ତବ୍ୟସ୍ତ କରୁଛି । ପୁରୁଣା ଦିନଗୁଡ଼ାକ ତାଙ୍କୁ ପଛକୁ ଭିଡ଼ିନେବାକୁ ଚାହୁଁଛନ୍ତି ।

ଲଣ୍ଡନ ରେ ଶୀତ ଋତୁ । ନଭେମ୍ବର ରୁ ମାର୍ଚ୍ଚ ଯାଏଁ ହାଡ଼ଥରା ଶୀତ । ଡିସେମ୍ବର ରେ ଟେମ୍ପରେଚର ଆହୁରି ତଳକୁ ଖସିଆସେ । ସର୍ବାଧିକ ଆଠ ରୁ ନଅ ଡିଗ୍ରୀ କୁ ସର୍ବନିମ୍ନ ଚାରି ରୁ ପାଞ୍ଚ ଡିଗ୍ରୀ ସେଲ୍ସିୟସ । ସୂର୍ଯ୍ୟଙ୍କ ସଫେଦ କିରଣ କ୍ୱଚିତ ଦୃଶ୍ୟମାନ ହୁଏ । କେବେ କେବେ ସାମାନ୍ୟ ରୁ ମଧ୍ୟମ ଧରଣର ବର୍ଷା ତ ପୁଣି କେବେ ଶୁଭ୍ର ତୁଷାର ପାତ । ଅବଶ୍ୟ ସେତେବେଳେ ସମଗ୍ର ୟୁ.କେ.ର ପାରିପାର୍ଶ୍ଵିକ ଦୃଶ୍ୟ ବେଶ୍ ଆକର୍ଷଣୀୟ ଥାଏ, କିନ୍ତୁ ଶୁଭେନ୍ଦୁ ଙ୍କୁ ମନେହୁଏ ସେ ଯେପରି ଏମିତି ଏକ ଶୀତଋତୁ ଆଉ ଚାହାଁନ୍ତିନି । ତାଙ୍କୁ ଏବେ ନିହାତି ଦରକାର ତାଙ୍କ ଗାଁର ଶୀତ । ଗାଁର ସେହି ଶୀତୁଆ ସକାଳେ ମାଟିର ଚିକମିକ ଖଳାରେ ସପ ପକେଇ ବସି କଅଁଳ ଖରାକୁ ଉପଭୋଗ କରିବାକୁ ମନ ତାଙ୍କର ଛଟପଟ ହୁଏ । ସେ ତ ଭାବିନେଲେଣି ଲଣ୍ଡନ ରେ ଏ ଯେଉଁ ଶୀତ ବାଘପରି ମାଡି ଆସି ଦେହ ତାଙ୍କର ଥରେଇ ଦେଉଛି, ତାଙ୍କ ଗାଁର ବାଡ଼ି ଖଳା ଯଦି ଏଠି ଥାନ୍ତା ନିଶ୍ଚୟ ଏ ଶୀତକୁ ଉଡ଼େଇ ନିଅନ୍ତା ।

ବାଡ଼ିଖଳା ଓ ଶୀତଦିନିଆଁ ସକାଳ ଗୁଡ଼ିକର ଦୃଶ୍ୟ ଗୋଟି ଗୋଟି ହୋଇ ଶୁଭେନ୍ଦୁଙ୍କ ସ୍ମୃତିରେ ଉକୁଟି ଉଠୁଛି । ଜେଜେମାଆ ଧାନ ଉଁଷୋଉଛି, ସାନଭଉଣୀ ରେଖା ଚଦର ଟେ ଘୋଡ଼ି ହୋଇ ସେଇଠି ଚୁଲି ପାଖେ ବସିଛି । ବାପା ଦାଣ୍ଡ ପିଣ୍ଡାରେ ବସି ଚା' ପିଉଛନ୍ତି ଆଉ ମଦନା କକାଙ୍କ ସହ ଗପୁଛନ୍ତି । ବୋଉ ରୋଷେଇ ଘରେ ଚକୁଳି ଗଢୁଛି । ଚକୁଳିରୁ ବାସ୍ନା ସିଇଁ ସିଇଁ ହେଇ ବାହାରିଆସି ଖଳା ସାରା ଖେଳେଇ ହେଇଯାଉଛି । ଭାଈ ଖଳାରେ ସପଟେ ପାରିଦେଇ ବହି ଖାତା ସବୁ ତା ଉପରେ ଠିଆ ହୋଇ କଚାଡ଼ି ଦେଉଛି ଆଉ ଜେଜେମାଆ ପାଖକୁ ଉଠି ଯାଉଛି ।

--ଭାଈ ! ପଳାଉଛୁ କଣ ? ବାପା ଦେଖିଲେ ରାଗିବେ ।

--ରେଖା ଵି ତ ଆସିନି । ମୁଁ ଚୁଲି ପାଖରେ ଅଛି । ଖଳାରେ ଖରା ପଡ଼ିଲେ ଆସିଵି । ତୁ ବସିଥା ।

ଶୁଭେନ୍ଦୁଙ୍କୁ ଲାଗିଲା ଏଇଯେମିତି ଦୁଇ ଭାଈ କଥା ହେଉଛନ୍ତି ଆଉ ରେଖା ବାଇଗଣ ଟେ ଆଣି ଧାନଉଁଷା ଚୁଲିରେ ପୋଡୁଛି ।

ଶୁଭ ଆଖି ଖୋଲି ଦେଖିଲେ କେହି ନାହିଁ । ସେ ସମ୍ପୂର୍ଣ୍ଣ ଭିନ୍ନ ଆଉ ଗୋଟେ ଦେଶରେ ଗାଁ ଠୁ ଅନେକ ଦୂରରେ ଶୀତରେ କୁଙ୍କୁରି କାଙ୍କୁରି ହୋଇ ସୋଫା ଉପରେ ବସିଛନ୍ତି ସିନା ମନଟା କିନ୍ତୁ ଅଟକି ଯାଇଛି ନିଜ ଦେଶ, ନିଜ ମାଟି ପାଖରେ ।

ଖ୍ରୀଷ୍ଟମାସ ପାଇଁ ଲଣ୍ଡନ ପ୍ରସ୍ତୁତ ହେଉଥିଲା ବେଳେ ଶୁଭେନ୍ଦୁଙ୍କୁ ତାଙ୍କ ବାଡ଼ି ଖଳା କଅଁଳେଇ ଡାକୁଛି, "ଆ ! ଏଇଠି ଖରାକୁ ପିଠି କରି ବସିବୁ ଆ । ଏଠି ସକାଳୁ ପଖାଳ ଆଉ ଗାଧୁଆବେଳରେ ରେ ତତଲା ଭାତ ପରସାହେବ । ଦେଖ୍ ଛଣ ଗଦା ଦିଆଗଲାଣି । କେତେ ବଡ଼ ବଡ଼ ଗଦା । ସାଙ୍ଗମାନଙ୍କୁ ଡାକିଦେ ଲୁଚକାଳି ଖେଳିବାକୁ । "

ସବୁକାମ ସାରି ଶୁଭେନ୍ଦୁ ନିଜ ଦେଶ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ଭୁବନେଶ୍ୱର ରେ ପହଞ୍ଚି ପ୍ରଥମେ ଭାଈ ପାଖକୁ ଗଲେ । ଭାଇ ସପରିବାରେ ଏବେ ଭୁବନେଶ୍ୱରରେ ରହୁଛନ୍ତି । ବାପାବୋଉ ମଧ୍ୟ ତାଙ୍କ ଜୀବନର ଶେଷ କେଇଟି ବର୍ଷ ଭାଈ ପାଖରେ କଟେଇଥିଲେ । ଭାଇ ସିଭିଲ ଇଞ୍ଜିନିୟର ଭାବେ ସୁଦୀର୍ଘ ସରକାରୀ କାର୍ଯ୍ୟକାଳକୁ ସମାପ୍ତ କରି ଏବେ ଅବସର ସମୟତକ ଘରେ ବସି ଟିଭି ଦେଖି, ଖବରକାଗଜ ପଢ଼ି ବିତାଉଛନ୍ତି ।

ଅର୍ଦ୍ଧେନ୍ଦୁବାବୁ ସାନଭାଇର ଏପରି ଅଚାନକ ଆଗମନର ସଠିକ କାରଣ ବୁଝିପାରିଲେନି ।

--ଶୁଭ ! ତୁ ଗାଁ କୁ ଯିବୁ ?

--ହଁ ଭାଇ ।

--ସେଠି ଆଉ କିଏ ଅଛି ଯେ ଯାଇ ଦେଖା କରିବୁ ? ଉପର ଘରଟା ଜଣେ ସ୍କୁଲ ମାଷ୍ଟର ଭଡ଼ାରେ ନେଇଛନ୍ତି । ତଳ ଘରଟାର ଚାବି ମଦନା କକାଙ୍କ ପାଖେ ଅଛି । ସେ ତ ବହୁତ ବୁଢ଼ା ହେଇଗଲେଣି । ତାଙ୍କ ପୁଅ ଗୋଲଖ ଏବେ ସବୁ ବୁଝା ବୁଝି କରୁଛି । ବାପାବୋଉ ଗଲା ପରେ ମୁଁ ଆଉ ସେଠିକି ଏତେଟା ଯାଏନି । ସେହି ଯା ଫୋନ ରେ ଗୋଲଖ ସହ କେବେ କେମିତି କଥା ହୁଏ ।

--ଭାଇ ମୁଁ ଏବେ ସେହିଠି କିଛିଦିନ ପାଇଁ ରହିବି ।

--ଆରେ ସେଠି କାହିଁକି ରହିବୁ ? ବଡ଼ ଅସୁବିଧା ହେବ । ଘରଟା ଅରମା ହେଇ ପଡ଼ିଥିବ । ଏତେଦିନ ପରେ ଇଣ୍ଡିଆ ଆସିଛୁ, ଏଠି ରହ । ବୁଲାବୁଲି କରିଯିବୁ ।

--ନାଇଁ ଭାଇ ମୁଁ କାଲି ସକାଳୁ ଗାଁକୁ ବାହାରିଯିବି ।

--ସକାଳୁ?? ମୁଁ ରେଖା କୁ ତୋ ଆସିବା ଖବର ଦେଇଥିଲି । ସେ ଆସୁଛି କାଲି ସକାଳୁ । ତୋ ଉପରେ ଭୀଷଣ ରାଗିଛି ।

--ହୋଉ ସେ ଆସୁ ତାକୁ ଦେଖା କରିସାରି ସନ୍ଧ୍ୟାରେ ବାହାରିବି ।

ଶୁଭେନ୍ଦୁ ଗାଁରେ ପହଞ୍ଚିବା ପୂର୍ବରୁ ରୁ ତାଙ୍କ ଆସିବା ଖବରଟା କିନ୍ତୁ ସେଠି ପହଞ୍ଚି ସାରିଥିଲା । ଗୋଲଖ ଘରଟା ସଫା ସୁତୁରା କରେଇଦେଇଥିଲା । ଶୁଭେନ୍ଦୁ ଙ୍କର ଖାଇବା ପିଇବାର ସୁବନ୍ଦୋବସ୍ଥ ହେଇଥିଲା ତାଙ୍କ ବଡ଼ଜେଜେଙ୍କ ଘରେ । ବଡ଼ଜେଜେ ଙ୍କ ଏକମାତ୍ର ପୁଅ ବିନୋଦ ବଡ଼ବାପା କେବେଠୁ ଚାଲିଗଲେଣି । ବଡ଼ବୋଉଙ୍କୁ ନବେ ବର୍ଷ ପାଖା ପାଖି ହେଲାଣି । ଆଖିକି ଆଉ ଦିଶୁନି । ବଞ୍ଚିଛନ୍ତି । ନାତି ଅଣନାତି ଦେଖିଲେଣି । ଶୁଭଙ୍କୁ ଲକ୍ଷ କରି ଥୁରୁ ଥୁରୁ ହେଇ କହିଲେ, "ଏତେ ଦିନକେ ଆଇଲୁ ବାପା ! ବିଲାତ ରେ ରହିଲେ ଆଉ ଗାଁ କଥା କାହିଁ ମନେ ପଡ଼ିବ ? ବଡ଼ ଭାଇ ତୋର ଭୋବନେସୋର ରେ ରହିଲା, ଏଠିକା କଥା ବୁଝୁଛି କିଏ ? ଏ ଜାଗାଟା କଣ ବିକି ଦେବାକୁ ଆସିଛୁ କି ? "

--ନାଇଁ ବଡ଼ବୋଉ ଜାଗା ବିକ୍ରି ହେବନି ।

--ଏଠି ରହିବ କିଏ ? ତୁ ତ ବାହାଚୋରା ହେଲୁନି, ତୁ କଣ ଏମିତି ଏକା ଏକା ବିଲାତ ରେ ସବୁଦିନ ରହିବୁ ? ଭଲରେ ମନ୍ଦରେ ସାହା କିଏ ହେବ ?

ଶୁଭେନ୍ଦୁ ବଡ଼ବୋଉ ପ୍ରଶ୍ନର ଉତ୍ତର କିଛି ଦେଲେନି । ଶୀତ ରାତି, ବୁଢୀ ଵି ଥରି ଥରି ଶୋଇବାକୁ ପଳେଇଲା । ରାତିରେ ଆସି ଏଠି ପହଞ୍ଚି ଥିବାରୁ ଶୁଭେନ୍ଦୁ ନିଜ ଅତି ଆପଣାର ଗାଁ ଟିକୁ ଭଲକି ଟିକେ ଦେଖି ପାରିନଥିଲେ । ସକାଳୁ ଉଠି ବୁଲିଯିବେ ଭାବି ପୁତୁରା ବିକାଶ କୁ କହିଲେ ଭୋରୁ ଟିକେ ତାଙ୍କୁ ଡାକିଦେବା ପାଇଁ ।

--କକା ଭୋରୁ ଭାରି ଶୀତ ।

--କି ଶୀତ ଏଠି ମୁଁ ଆଉ ଜାଣିନି ! ହଉ ତୁ ଭୋରୁ ଶୋଇବୁ ଯଦି ଶୋ । ମୁଁ ଆଲାର୍ମ ଲଗେଇ ଶୋଉଛି । ସକାଳୁ ଏକା ଏକା ଗାଁବୁଲି ବାହାରିଯିବି । ମୋ ଗାଁ, ମୋତେ ଡର କଣ !

ଆଲାର୍ମ ବାଜିବା ଆଗରୁ ଶୁଭେନ୍ଦୁ ଙ୍କ ନିଦ ଭାଙ୍ଗିଗଲା । ମୁହଁ ଧୋଇ ସିଧା ଦାଣ୍ଡ ଆଡ଼େ ଚାଲିଲେ । ଅନ୍ଧାର ଆହୁରି କଟିନି । ପିଲାଦିନେ ବଡି ଭୋରୁ ବୋଉଙ୍କ ଡାକରେ ଉଠି ପାଠପଢ଼ିଲା ବେଳେ ତାଙ୍କ ଗାଁର ସ୍ନିଗ୍ଧତା ଯେପରି ଦୃଶ୍ୟମାନ ହୁଏ, ଆଜି ଏତେଦିନ ପରେ ଵି ଭୋର ସମୟର ଗାଁ ଟା ସେହିପରି ଶାନ୍ତ,ସ୍ନିଗ୍ଧ ଓ ମୌନ । ସମଗ୍ର ଗାଁ କୁ ଆବୃତ୍ତ କରିରଖିଛି ଘନ କୁହୁଡିର ଆସ୍ତରଣ । ଦୂରକୁ ଗାଁ ରାସ୍ତା ଝାପ୍ସା ଦିଶୁଛି । ସେହି ଧୂମାଭ ବଳୟ ଭିତରେ ପ୍ରବେଶ କରି ଆଗକୁ ଅଗ୍ରସର ହେଲେ ଶୁଭେନ୍ଦୁ । ଗାଁ ଆରମ୍ଭରେ ଜାଗୁଳାଇ ମନ୍ଦିର । ମନ୍ଦିର ସାମ୍ନାରେ କ୍ଷଣଟେ ଠିଆ ହୋଇପଡ଼ିଲେ । ମନ୍ଦିର ଟିର ନବକଳେବର ଖୁବ ସୁନ୍ଦର ହୋଇଛି । କାହିଁ କେଉଁ କାଳରୁ ସେହି ଜାଗୁଳାଇ ଦେବୀ ସମାନ ଏକ ମୁଦ୍ରା ରେ ଠିଆ ହୋଇ ରହିଛନ୍ତି, କିନ୍ତୁ ସଞ୍ଜ ସକାଳେ ସେଠି ଦୀପ ଜାଳି ମୁଣ୍ଡିଆ ମାରୁଥିବା ଶୁଭେନ୍ଦୁଙ୍କ ବୋଉ ଆଉ ଏ ଦୁନିଆଁରେ ନାହାଁନ୍ତି । ତାଙ୍କ ଦୁଇ ଆଖିର ଦୁଇ କୋଣରୁ ଲୁହ ବୁନ୍ଦା ବୁନ୍ଦା ହୋଇ ଗାଲ ଉପରକୁ ଗଡି ଆସିବା ପୂର୍ବରୁ ଡାହାଣ ହାତଟି ସେତକ ପୋଛିନେଲା ।

ପୁରା ଗାଁ ଟା ବୁଲିଆସିଲେ । ଆଗପରି ଆଉ ଧାଡ଼ି ଧାଡ଼ି ଚାଳଘର ନାହିଁ । ସୁନ୍ଦର ସୁନ୍ଦର କୋଠାଟି ମାନ ସେହି ସ୍ଥାନ ସବୁ ଅକ୍ତିଆର କରିନେଇଛନ୍ତି । ଧୂଳି ରାସ୍ତା କଂକ୍ରିଟ ରୋଡ୍ ରେ ପରିଣତ ହୋଇଯାଇଛି । ଗାଁରେ ଅନେକ ପରିବର୍ତ୍ତନ । ଗାଁର ଉନ୍ନତି ଦେଖି ଶୁଭେନ୍ଦୁ ଖୁବ ଖୁସି ହେଲେ । "ଯାହେଉ ବର୍ଷା ଦିନେ ଗାଁଲୋକ ଆଉ ଏତେଟା ହଇରାଣ ହେଉନଥିବେ । ନଈବଢି କୁ ଆଉ ଆଗପରି ଡର ନଥିବ ।", ଚାଲୁ ଚାଲୁ ମନେ ମନେ କହୁଥିଲେ ।

ବୁଲିବୁଲି ସେ ଗାଁ ମୁଣ୍ଡ ଶ୍ମାଶନ ପାଖରେ ଆସି ପହଞ୍ଚିଗଲେ । ମାଟି ହାଣ୍ଡି ଗୁଡ଼ାଏ ଗଡୁଛି । ଅଧାପୋଡ଼ା କାଠ ଓ ଛିଣ୍ଡା ଲୁଗା କପଡ଼ା ସବୁ ବିକ୍ଷିପ୍ତ ହୋଇ ପଡିଛି । ଶୁଭେନ୍ଦୁ ଦେଖିଲେ, ଭିତରୁ ଉଙ୍କି ମାରି ବାହାରିଆସୁଛନ୍ତି ଚିହ୍ନା ଅଚିହ୍ନା ମୁହଁଟିମାନ । ଲାଗିଲା ଯେମିତି ଦୁଇଟି ଆପଣାର ଲୋକଙ୍କ ଚ୍ଛାୟା ଭାସି ଭାସି ଆସୁଛି ତାଙ୍କରି ଆଡ଼କୁ । ସେ ଅନୁଭବ କଲେ ବାପା ଓ ବୋଉ ହସି ହସି ତାଙ୍କୁ ହାତଠାରି ଡାକୁଛନ୍ତି । ଶୁଭେନ୍ଦୁ ଅବାକ ହୋଇ ଠିଆ ହୋଇଗଲେ କିଛି ସମୟ । ପୂର୍ବ ଦିଗରେ ସୂର୍ଯ୍ୟ ଉଇଁବାର ସମୟ । ଚ୍ଛାୟାଦୁଇଟି ଅପସରି ଗଲେ ସୁଭେନ୍ଦୁଙ୍କ କଳ୍ପନାର ଚକ୍ଷୁ ସାମ୍ନାରୁ । ସେ ଘର ମୁହାଁ ହେଲେ । କିଛି ସମୟପରେ ଖଳାରେ ଖରା ପଡ଼ିବ । ସେଇଠି ସୂର୍ଯ୍ୟକୁ ପିଠି କରି ବସିବେ ଚିନ୍ତା କରି ତରତର ହୋଇ ଫେରିଆସିଲେ ।

ଗୋଲଖ ଚା' ଧରି ଆସିଲା । ଶୁଭେନ୍ଦୁ ତାକୁ ଉଦେଶ୍ୟ କରି କହିଲେ, "ମୁଁ ବାଡ଼ି ଖଳା ଆଡ଼େ ଯାଉଛି । ଗୋଟେ ଚେୟାର ନେଇ ଆସିଲୁ "।

ବାଡ଼ି ଆଡ଼େ ଯାଇ ଦେଖିଲେ ସାରାଟା ଖଳା ଅନାବନା ବଣୁଆ ଗଛରେ ଭର୍ତ୍ତି । ଯେତେସବୁ ଅଳିଆ ଆବର୍ଜନାରେ ବାଡ଼ି ଭରପୁର । ମନଟା ତାଙ୍କର କ୍ଷୋଭରେ ଭରିଗଲା । ଗୋଲଖ ପଛରେ ଠିଆ ହୋଇ କହୁଛି, "ବାବୁ ମୁଁ ମନା କରିବା ଆଗରୁ ଆପଣ ଏଠିକି ଚାଲିଆସିଲେ ।"

--ଖଳା ଟା ସଫା କରେଇବାର ବ୍ୟବସ୍ଥା କର ଗୋଲଖ । ଆଜିରେ ସଫା ହେଇଗଲେ ଭଲ ।

ଏତକ କହି ଶୁଭେନ୍ଦୁ ବଣୁଆ ଗଛ ସବୁକୁ ଡେଇଁ ବାଡ଼ି ଭିତରକୁ ଗଲେ । ଖଳା ପଛକୁ ତାଳ ଓ ନଡ଼ିଆ ଗଛର ବଣ । ତା ପଛକୁ ଆହୁରି ଏକ ପ୍ରସସ୍ଥ ବାଡ଼ି । ଜେଜେ ଆଉ ଜେଜେମାଆଙ୍କ ସମାଧି ଅଛି ସେଇଠି । ପାଖକୁ ଯାଇ ଦେଖିଲେ ଶିଉଳି ଲାଗି ସମାଧି ଦୁଇଟି ଦୁଃସ୍ଥ ଅବସ୍ଥାରେ ପଡ଼ି ରହିଛି ।

ମଧ୍ୟାହ୍ନ ସମୟ । ଶୁଭେନ୍ଦୁ ଦାଣ୍ଡ ପିଣ୍ଡାରେ ବସିଛନ୍ତି । କେତେ ଲୋକ ଯାଉଛନ୍ତି ଆସୁଛନ୍ତି । ସେ ସମସ୍ତଙ୍କ ସହ ପଦେ ଅଧେ କଥା ମଧ୍ୟ ହେଉଛନ୍ତି । ନାଲି ଓ ହଳଦୀ ରଙ୍ଗର ଶାଢ଼ୀ ପିନ୍ଧା ବୟସ୍କା ମହିଳା ଜଣେ ଜାଗୁଳାଇ ମନ୍ଦିର ପାଖରେ ମଥା ନଇଁ ନମସ୍କାର କରି ଶୁଭ ଙ୍କ ଘର ଆଗ ଦେଇ ଚାଲିଯାଉଥିଲେ । ଶୁଭେନ୍ଦୁ ସ୍ତ୍ରୀଲୋକ ଜଣଙ୍କୁ ଟିକେ ନିରିଖେଇ ଦେଖିଲେ ଓ ପରମୁହୂର୍ତ୍ତ ରେ ଲଜ୍ଜାରେ ସେଆଡ଼ୁ ମୁହଁ ବୁଲେଇ ଆଣୁଥିଲେ ହଠାତ ତାଙ୍କ ନାଁ ଧରି ପରିଚିତ ସ୍ୱର ଟେ ଡାକି କହିଲା , "ହଁ ଆଉ କାହିଁକି ଆମକୁ ଚିହ୍ନିବ? ବିଲାତ ଫେରନ୍ତା କଣ ମଳିମୁଣ୍ଡିଆଙ୍କୁ ମନେ ରଖନ୍ତି ? "

--ଆରେ ଟିକିଲି ! ଆ ଆ । କୁଆଡ଼େ ଯାଉଥିଲୁ ? କିଏ କହିଲା ଚିହ୍ନିପାରୁନି ? ତୁ କାଳେ ଚିହ୍ନିବୁନି, ସେଥିପାଇଁ ଡ଼ାକୁନଥିଲି ।

ଟିକିଲି ନାମକ ମହିଳା ଜଣଙ୍କ ଶୁଭେନ୍ଦୁଙ୍କ ପାଖରେ ଅନ୍ୟ ଏକ ଚୌକି ରେ ଆସି ବସିଲେ । ସେ କେମିତି ତାଙ୍କ ବାପାଙ୍କ ଦେହ ଖରାପ କଥା ଶୁଣି ସ୍କୁଲ ରୁ ଛୁଟି ନେଇ ଚାଲିଆସିଛନ୍ତି,ଶାଶୂଘର ପାଖ ସ୍କୁଲ ରେ ଶିକ୍ଷୟିତ୍ରୀ ଅଛନ୍ତି, ଆଉ ଚାକିରୀ ଅଳ୍ପ କିଛି ବର୍ଷ ରହିଲା, ତାଙ୍କର ପିଲାପିଲି ଓ ଘର ସଂସାର ସବୁ କଥା ନପଚାରି ମଧ୍ୟ କହିଗଲେ । ଶୁଭେନ୍ଦୁ ଙ୍କୁ ଲାଗୁଥିଲା ତାଙ୍କ ପିଲାବେଳର ଏକମାତ୍ର ଝିଅ ସାଙ୍ଗ ଗପୁଡ଼ି ଟିକିଲି, ଏବେ ଵି ସେତିକି ବୟସରେ ଅଟକି କି ରହିଛି । ତାଙ୍କର ତଳ ଦାନ୍ତ ଦୁଇଟା ଭାଙ୍ଗି ଫାଙ୍କା ହେଇଗଲାଣି ତଥାପି ଶୁଭେନ୍ଦୁଙ୍କୁ ସେ ସେହି ଆଗର କୁନି ଝିଅ ଟିକିଲି ପରି ବେଶ୍ ଆକର୍ଷଣୀୟା ମନେହେଲେ । ମନେ ମନେ ଭାବିଲେ, "ଏତେ ଦେଶ ବିଦେଶ ବୁଲିଆସିଲି, କାହିଁ ଟିକିଲି ପରି ଝିଅଟେ ତ କୋଉଠି ଦେଖିଲିନି ? ଦେଖିଥିଲେ ବୋଧେ ସାରା ଜୀବନ ଏମିତି ଅବିବାହିତ ରହିବାକୁ ପଡ଼ିନଥାନ୍ତା ! "

କଥା ବାର୍ତ୍ତା ଭିତରେ ସମୟ ଜଣାପଡ଼ିଲାନି । ଟିକିଲି ବିଦାୟ ନେବାକୁ ଉଠିଲା ।

--ଶୁଭ ମୁଁ ଆସୁଛି । ତୁ ସୁବିଧା ଦେଖି ଆସିବୁ ଆମ ଘର ଆଡ଼େ । ମୁଁ ଏବେ ଘରେ ଅଛି । ବାପା ତତେ ଦେଖିଲେ ଖୁବ ଖୁସି ହେବେ ।

--ଆରେ ତୋର ସେ ଯେଉଁ ସାନ ଭାଇଟା, କଣ ଯେ ତା ନାଁ ଟା.. ମନେ ପଡୁନି । ଆରେ ସେ ଯେଉଁ ଆମ ଚୋର ପୁଲିସ ଖେଳରେ ସବୁବେଳେ ଚୋର ହେଉଥିଲା । ସେ ଏବେ କଣ କରୁଛି ?

--ଓହ ମଣ୍ଟୁ ! ସେ ପା ଓଡିଶା ପୁଲିସ ରେ ଚାକିରୀ କରୁଛି । ଭୁବନେଶ୍ୱର ରେ ରହୁଛି ଏବେ ।

--ବାଃ ! ବଢିଆ । ଚୋର କୁ ଭଲ ଧରୁଥିବ ।

ଦୁହେଁ ହସିଲେ । ଟିକିଲି ଖିଲ ଖିଲ ହେଇ ହସି ହସି ଗେଟ ପାର ହେଇ ଚାଲିଗଲା, ଠିକ ଯେମିତି ପିଲାବେଳେ ନାଲି, ହଳଦିଆ ଫ୍ରକଟେ ପିନ୍ଧି ଗୋଡ଼ କଚାଡ଼ି କଚାଡ଼ି ଧଡ଼ା ପାରିହେଇ ଚାଲିଯାଏ ।

ଗାଁ ନଈନାଳ, ଛକ ବଜାର ସବୁ ବୁଲିବାଲି ନିଜକୁ ଗାଁ ମାଟିରେ ଏକ କରିଦେବା ପରେ ଶୁଭେନ୍ଦୁ ଫେରିଆସି ବାଡ଼ି ଖଳାରେ ଠିଆ ହେଲେ । ଖଳା ସଫା ହୋଇ ଆଗପରି ସୁନ୍ଦର ହୋଇଯାଇଛି । କିନ୍ତୁ ପୂର୍ବ ଦିନମାନଙ୍କ ଭଳି ସେଠି ଧାନ ଗଦା ବସିନାହିଁ, ତା ଉପରେ ମଶିଣା ପାରି ଶୋଇବାକୁ ଜେଜେ କିମ୍ବା ଜେଜେମାଆ ଆଉ ନାହାଁନ୍ତି, ଛଣ ଗଦା ସନ୍ଧିରେ ଲୁଚକାଳୀ ଖେଳିବା ପାଇଁ ସାଙ୍ଗସାଥୀଙ୍କ ବୟସ ଆଉ ନାହିଁ,ଖଳା ମଝିରେ ନିଜ ଝିଅ ସାଙ୍ଗମାନ

ଙ୍କୁ ମେଳି କରି ଆମ୍ବୁଲ ଖଟା ଚକଟି ଖାଉଥିବା କୁନି ଭଉଣୀ ରେଖା ଵି ଗାଁ ଠୁ ଏବେ ଅନେକ ଦୂରରେ । ଶୁଭେନ୍ଦୁ ଚଦରଟିଏ ଘୋଡ଼ି ହୋଇ ଖରା ଆଡ଼କୁ ମୁହଁ କରି ଠିଆ ହୋଇଛନ୍ତି । ତାଳ ଗଛର ଛନ୍ଦା ଛନ୍ଦି ବରଡା ପତ୍ର ଗହଳ ଭିତରୁ ସୂର୍ଯ୍ୟ ଙ୍କ କିରଣ ଖସି ଆସି ଖଳାରେ ଖେଳେଇ ହେଇ ପଡ଼ୁଛି । ଲଣ୍ଡନ ସହ ନିଜ ଗାଁର ତୁଳନାତ୍ମକ ଚିତ୍ର ଟେ ଶୁଭେନ୍ଦୁ ଙ୍କ ମନରେ ଆଙ୍କି ହେଇଯାଉଛି । ସତରେ ସାତ ଦରିଆ ସେପଟେ ଯେତେ ଐଶ୍ଵର୍ଯ୍ୟ, ପ୍ରାଚୁର୍ଯ୍ୟ ଥିଲେ ମଧ୍ୟ ନିଜ ଜନ୍ମସ୍ଥାନ ର ନିଆରା ସୌନ୍ଦର୍ଯ୍ୟ ଆଗରେ ସବୁ ଫିକା ।

ପଛରୁ ଆସି କେହି ଜଣେ ଡାକିଲା । ଆଲୁଅ ରୁ ମୁହଁ କାଢିଆଣି ତା ଆଡ଼େ ଚାହିଁଲାରୁ ସବୁ ଅନ୍ଧାରୁଆ ଦିଶୁଛି । ବିନୋଦ ବଡ଼ବାପାଙ୍କ ନାତି ବିକାଶ କେତେବେଳୁ ଆସି ଡ଼ାକିଲାଣି ।

--କକା ! ମୁଁ ଆପଣଙ୍କୁ କେତେ ଖୋଜିଲିଣି । ଆପଣଙ୍କ ମୋବଇଲ ଟା ରିଙ୍ଗ ହେଇ ହେଇ ରହିଲା । ମୋ ପାଖରେ ଛାଡ଼ି ଦେଇ ସକାଳୁ କୁଆଡ଼େ ଯାଇଥିଲେ ?

--ଏହି ଟିକେ ୱାକିଙ୍ଗ ରେ ଚାଲିଯାଇଥିଲି ।

--କକା ମୋର ସେ କିଶୋର ପରିଡାଙ୍କ ସହ ଦେଖା ହେଲା । ସଞ୍ଜକୁ ଏଠିକି ଆସିବେ କହିଛନ୍ତି । ଆପଣ କଣ ତାଙ୍କ ଦଳରୁ ନିର୍ବାଚନ ଲଢ଼ିବେ?

--ନିର୍ବାଚନ??

--ଆପଣ କାଲି ସନ୍ଧ୍ୟାରେ ବଜାର ଉପରେ ଇଲେକ୍ସନ କଥା କହୁଥିଲେ ବୋଲି ଶୁଣିଲି ?

--ହଁ କିଛି ଚିହ୍ନା ଲୋକଙ୍କ ସହ ଦେଖା ହେଇଗଲା । ଆଉ ସବୁଆଡେ ତ ସେହି ରାଜନୀତିର ଚର୍ଚ୍ଚା । ମୁଁ ଵି ଟିକେ ସେହି ଚର୍ଚ୍ଚାରେ ସାମିଲ ହେଇଗଲି ।

--କିଶୋର ପରିଡା କହୁଥିଲେ ଆପଣ ଲଣ୍ଡନରୁ ଫେରିଛନ୍ତି, ଟଙ୍କା ଖୁବ ସଞ୍ଚିତ ଥିବ, ତା ଉପରକୁ ଅବିବାହିତ । ଯୋଉ ଦଳରୁ ଠିଆ ହେଲେ ଵି ଜିତିବା ସୁନିଶ୍ଚିତ ।

--ହେତ..କଣ ସବୁ ହାରଜିତ କହୁଛୁ ?

--ଆପଣ ଓଡିଶା ଫେରିନାହାଁନ୍ତି ରାଜନୀତି ରେ ମିଶିବା ପାଇଁ?

--ବାୟା ଟା ନାଁ କଣ !

--ଆଉ ତାହେଲେ କାହିଁକି କହୁଥିଲେ ଏଇଠି ସବୁଦିନ ରହିବେ ?

ଶୁଭେନ୍ଦୁ ପୁତୁରା ବିକାଶ କୁ ପାଖକୁ ଡାକି ବାଡ଼ି ଆଡକୁ ଆଙ୍ଗୁଠି ଦେଖେଇ କହିଲେ, "ହେଇ ଦେଖ୍ ସେ ଯେଉଁ ଆମ ବାଡ଼ି ଦେଖୁଛୁ ସେହି ଜାଗାରୁ ଅଳ୍ପ ମାନେ ଆଠ ଫୁଟ ଲମ୍ବ ଆଉ ପାଞ୍ଚ ରୁ ଛଅ ଫୁଟ ଗହୀର ହେଲେ ଵି ଚଳିବ, ସେତିକି ମୋର ଦରକାର । ଏହି ଖଳା ଆଉ ଖଳା ପଛ ପାଖ ସେତିକି ଜାଗାର ମୋହ ରେ ଖାଲି ସିନା ମୁଁ ଫେରି ଆସିଲି, ଏତକ ବ୍ୟତୀତ ମୁଁ କିନ୍ତୁ ଅନ୍ୟ କିଛି ଚାହେଁନି । "

ତାଙ୍କ କଥାରୁ ବିକାଶ କଣ ବୁଝିଲା ବା ନବୁଝିଲା ଶୁଭେନ୍ଦୁ ଆଉ ଜାଣିବାକୁ ଇଚ୍ଛା ନକରି ପିଜୁଳି ଗଛରେ ଡେରା ହୋଇଥିବା ମାଟିଆ ସପଟା କୁ ଦୁଇ ହାତରେ ଝାଡ଼ି ଦେଇ ଖଳା ମଝିରେ ବିଛେଇ ଦେଲେ । ସ୍ୱପ୍ନର ଏହି ସୁନେଲି ଖଳା, ତାଙ୍କ ସ୍ମୃତିର ଖଳାରୁ ବାକି ସ୍ମୃତି ସବୁ ଉଖାରି ସାଉଁଟି ପକେଇବା ପାଇଁ ଶୁଭେନ୍ଦୁ ତାରି ଉପରେ ଆତ୍ମବିଭୋର ହୋଇ ଆଖି ବୁଜି ଲୋଟି ପଡ଼ିଲେ । ତାଙ୍କ ମୁହଁ ଉପରେ ମେଞ୍ଚା ମେଞ୍ଚା ହେଇ ଅଜାଡ଼ି ହୋଇ ପଡୁଥିଲା ସୂର୍ଯ୍ୟଙ୍କ ଶୀତଦିନିଆଁ କଅଁଳ ଖରା ।

ଲୋପାମୁଦ୍ରା ମିଶ୍ର

ନନ୍ଦିପୁର, ଦଶରଥପୁର, ଯାଜପ

ଖଳା ଯୁଣେଇ ନଦୀ ସ୍ମୃତି ପଟଳ

Rate the content


Originality
Flow
Language
Cover design

Comments

Post

Some text some message..