Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Others

2  

Kulamani Sarangi

Others

ଦୁଇ କୁକୁରଙ୍କ କାହାଣୀ

ଦୁଇ କୁକୁରଙ୍କ କାହାଣୀ

2 mins
7.2K


ଅଳସ ମଧ୍ୟାହ୍ନ କହିଲେ ଠିକ୍ ହେବ । ମାହାନ୍ତି ସାହି ମୁଣ୍ଡିଆ ଆଡୁ ଖଣ୍ଡେ କଳା ମେଘ ଉଠେଇ ଆସି ସୂର୍ଯ୍ୟଙ୍କୁ ଘୋଡେଇ ଦେଲା ପରେ ରୌଦ୍ର ତାପ ବହୁତ କମିଯାଇଥିଲା । ମଧ୍ୟାହ୍ନ ଭୋଜନ ପରେ ଆଖିପତା ଆପେଆପେ ନଇଁ ଆସୁଥିଲା । ମୁଖ ପୁସ୍ତକରେ ଡଃ ନାରାୟଣ ପ୍ରଧାନଙ୍କର, ମୋ କବିତା'ପ୍ରେମମୟୀ ରାଧା' ଉପରେ ମଧୁର ବିଶ୍ଳେଷଣ ପଢୁପଢୁ ସ୍ନାୟୁ ମାନେ ଆହୁରି ଟିକିଏ ନରମ ହୋଇଗଲେ । ଦିବା ନିଦ୍ରା ଏଡାଇବା ପାଇଁ ଅଗତ୍ୟା,ବାଡିପଟେ ବହିଯାଉଥିବା କୁସୁମୀ ନଦୀବନ୍ଧ ଉପରକୁ ଉଠିଲି । ଗାଁରେ ଏତେ ଦିନ ରହଣି ଭିତରେ କୁସୁମୀକୁ ମୁଁ କେମିତି ଭୁଲିଯାଇଥିଲି,ଭାବି ଆଶ୍ଚର୍ଯ୍ୟ ଲାଗିଲା । ବହୁ ଦିନ ଧରି ଆସିନଥିଲି । ସେଥିପାଇଁ କୁସୁମୀ ମତେ ଟିକିଏ ଅଚିହ୍ନା ଅଚିହ୍ନା ହେଇ ଚାହିଁଲା । କେତେ ପରିବର୍ତ୍ତନ ହୋଇଯାଇଛି ଏ ଭିତରେ!

ବିଶାଳ ନଦୀବନ୍ଧ ଉପରୁ କ୍ଷୀଣଶ୍ରୋତା କୁସୁମୀ ପାଣି ଗାରଟିଏ ପରି ଦେଖାଯାଉଛି । ଗତ କିଛି ବର୍ଷ ଧରି କୁସୁମୀରେ ବନ୍ୟା ଆସିନାହିଁ । ତଥାପି ଏତେ ବିଶାଳ ନଦୀବନ୍ଧ ଏବକୁ ନିର୍ମାଣ କାହିଁକି ? ହସ ଲାଗିଲା ସରକାରଙ୍କ ଯୋଜନା ଉପରେ । ମହାନଦୀର ଉପରମୁଣ୍ଡରେ ଛତିଶଗଡ ସରକାର ବ୍ୟାରେଜ ନିର୍ମାଣ କରି ,ମହାନଦୀକୁ ଓଡିଶାରେ କୃଶକଟିନୀ,କ୍ଷୀଣ ତଟିନୀ କରି ଦେଇଛନ୍ତି । ମହାନଦୀରେ ବନ୍ୟା ଆସିଲେ ସିନା ତାର ପାଳିତା କନ୍ୟା(ଉପନଦୀ) କୁସୁମୀ ଫୁଲିବ! ବନ୍ୟା ନହେଲେ କୁସୁମୀରେ ଏତେ ବଡ ନଦୀବନ୍ଧ ନିର୍ମାଣ 'ବହୁ ଆଡମ୍ବରେ  ଲଘୁକ୍ରୀୟା' ନୁହେଁ ତ ଆଉ କଣ?

କୁସୁମ କୂଳେ ବୁଲୁବୁଲୁ ପିଲା ଦିନ କଥା ମନେ ପଡିଲା । କୁସୁମୀର ଶୁଭ୍ର ସିକତା ଏବଂ ସବୁଜ ବନାନୀ ଯେକୌଣସି ସମୟରେ ମନକୁ ମନ୍ତ୍ରମୁଗ୍ଧ କରେ । ପ୍ରକୃତିର ପ୍ରାଣ ପ୍ରାଚୁର୍ଯ୍ୟରେ ପ୍ରଫୁଲ୍ଲିତ ମୋ ମନର ଜୁଆରରେ ହଠାତ୍ ଭଟ୍ଟା ପଡିଗଲା। ପ୍ରକୃତି ଡାକରାରେ(ପୁରୀଷ ଉତ୍ସର୍ଗ ପାଇଁ)ନଦୀବନ୍ଧକୁ ଆସିଥିବା ତଁଳା ସାହିର ଶ୍ରୀମାନ୍ ଲୋଚନ ନାୟକଙ୍କ ଚାରୋଟି ପ୍ରଭୁଭକ୍ତ ଶ୍ଵାନଙ୍କର କର୍କଷ ତିରସ୍କାରରେ ଚମକି ପଡିଲି । କିଛି ଅଘଟଣ ଆଶା କରି ପାଖରେ ପଡିଥିବା ବାଡିଟିଏ ଉଠାଇଲି । ମୋର ଏପରି ପ୍ରତିରୋଧ ମୂଳକ କାର୍ଯ୍ୟକଳାପ କୁକୁର ଲିଡରକୁ ବିରକ୍ତ କଲା । ଭୋ ଭୋ ଶବ୍ଦରେ ପରିବେଶ କମ୍ପମାନ । ନେତା ସହିତ କୁଜି ନେତା,ଉପନେତା,ଗୋଡାଣିଆଁ ସମସ୍ତେ ଏକତ୍ରିତ ହୋଇ ଆକ୍ରମଣ କରିବାକୁ ମାଡି ଆସିଲେ । ଗୋଟାକୁ ତଡିବାକୁ ଚେଷ୍ଟା କଲାବେଳେ,ଅନ୍ୟ ଗୋଟିଏ ପଛ ଆଡୁ ଆକ୍ରମଣ କରିବାକୁ ପ୍ରସ୍ତୁତ । ସେମାନଙ୍କ ଶଣ୍ଡୁଆଶି ଆକ୍ରମଣରେ ପରିସ୍ଥିତି ଭୟାବହ । କ’ଣ କରିବି ଜାଣି ପାରୁନଥାଏ । ସ୍ନାୟୁରେ ବିଦ୍ୟୁତ୍ ର ତଡିତ ପ୍ରବାହିତ । ଅସହାୟ ବୋଧ ଏବଂ ଭୟରେ ଦେହ ମୁଣ୍ଡ ଥରିବାକୁ ଲାଗିଲା । ବହିରେ ପଢିଥିବା ଶିକାରୀ ବଳିଆ କୁକୁରଦଳ କଥା ମନେ ପଡିଲା । ବାଘ ମଧ୍ୟ ସେମାନଙ୍କୁ ଡରେ । ଡରରେ ମୋର ବି ପ୍ରକୃତି ଡାକରା ଆସିଗଲା। ଏ ସମୟରେ ଲୋଚନ 'ଦୁଇ' କାର୍ଯ୍ୟଟି ଶେଷ କରି ମୋ ସହାୟତା ପାଇଁ ଦଉଡି ଆସିଲା । ତା’ର ପଦେ କଥାରେ, ଶ୍ଵାନଦଳ ସାପ ମୁହଁରେ ଗଦ ଦେଲା ପରି ରହିଲେ।

ତଥାପି ଦେହ ମୋର ଥରୁଥାଏ । କେମିତି ଘରେ ପହଞ୍ଚିଲି ମନେ ନାହିଁ ।ସେ ଭୟାବହ ପରିସ୍ଥିତିର ପରିଣାମ କଥା ଚିନ୍ତା କରୁକରୁ ଅପରାହ୍ନ ଯାଇ ରାତି ହେଲା । ଅର୍ଦ୍ଧାଙ୍ଗିନୀ କହିଲେ "ଆହେ,ଗରମରେ ଚୁଲି ପାଖକୁ ଯିବାକୁ ଇଚ୍ଛା ହଉନି । ଆଜି ବଜାରରୁ ରୁଟି,ତଡକା କିଣି ଆଣନ୍ତନି?"ଏପରି ଆଦେଶ କିଛି ଅସ୍ଵାଭାବିକ ନୁହେଁ । ମାମୁଁ,ମାଇଁ ଦୁଇ ପ୍ରାଣୀ ଆମେ ଆଜିକାଲି ପ୍ରାୟତଃ ଏପରି କରୁ । ପିଲାମାନେ ତ ବାହାରେ । ରୋଷେଇ କିମର୍ଥେ?

କ୍ଷୀପ୍ରଯାନଟି ଧରି ରଥ ଗଢା ଛକ ସ୍ଥିତ 'ଭୋଜନ ପ୍ରସ୍ତୁତ' ଢାବାରେ ପହଞ୍ଚିଲି । ମୋ ଠାରୁ ଆଦେଶ ନେଇ ରୋଷେୟା ରୁଟି,ତଡକା ପ୍ରସ୍ତୁତ କରିବାରେ ଲାଗିପଡିଲା । ଶୀଘ୍ର ଆସିଥିବାରୁ ଢାବାଟି ଗ୍ରାହକ ଶୂନ୍ୟ ଥିଲା । ହଠାତ୍ ସୋମ ରସ ପ୍ରଭାବରେ ଉତ୍ତେଜିତ ଜଣେ ଯୁବକ ଢଳି,ଢଳି ସେଠାରେ ପହଞ୍ଚିଲେ । ମତେ କର୍କଶ କଣ୍ଠରେ ଆଦେଶ ଦେଲେ "ଆବେ,ଚାହିଁଛୁ କ’ଣ?ପାଣି ଗ୍ଲାସଟା ଦେ।" ମୁଁ ନିଜ ବେଶ ପୋଷାକ ଅବୟବକୁ ଚାହିଁ ଭାବିଲି "ସତେ କ’ଣ ମୁଁ ଅର୍ଡରଲୀ ଭଳି ଦେଖାଯାଉଛି?ନାଁ ତ।"

ସେ ମଣିଷ କୁକୁରର ଆଉ ଧର୍ଯ୍ୟ ନଥିଲା । ମୋ ନିରବତା ତା’କୁ ବିରକ୍ତ କଲା । ଅଶ୍ରାବ୍ୟ ଭାଷାରେ ମତେ ଗାଳିଦେବାକୁ ଲାଗିଲା । ପୁଣି ଆଉଥରେ ସେହି କୁତ୍ସିତ ଭୁକା" ଆବେ ମା’...ତତେ ଶୁଣାଯାଉନି କି କାଲା?ମା’ କେ ତତେ କହୁଛିବେ ମା..."

ଚାହିଁଲି ବାହାରକୁ ।ଏହି ନର କୁକୁରର ଦୁଇ ଚାରୋଟି ସାଥି ବାହାରେ ଭଡ,ଭଡ ହେଉଛନ୍ତି । ପରିସ୍ଥିତିର ଭୟାବହତା ବୁଝିପାରି ଶିହରୀ ଉଠିଲି । ଢାବା ମାଲିକର ନିରବତାର କାରଣ ସହଜରେ ଅନୁମେୟ । ଇଜ୍ଜତ ବଞ୍ଚେଇ ,ସନ୍ତର୍ପଣରେ ବାହାରକୁ ଆସି କ୍ଷୀପ୍ରଯାନରେ ପଳାୟନ କଲି । ବାଟରେ ମହାମହିମ ରାଜ୍ୟ ସରକାରଙ୍କର ମଦ ନୀତିର ତାରିଫ୍ କରୁକରୁ ଘରେ ପହଞ୍ଚିଲି ଏବଂ ରୁଟି ସନ୍ତୁଳା ପ୍ରସ୍ତୁତ କରିବାରେ ପତ୍ନୀଙ୍କୁ ସାହାଯ୍ୟ କଲି।

ସେଦିନ ମଧ୍ୟାହ୍ନ ଓ ସଂଧ୍ୟାର ଦୁଇଟି କୁକୁରଙ୍କ ଆକ୍ରମଣ କଥା ମୁଁ ଏବେ ବି ଭୁଲିନି । କାହାକୁ କହିନି । ଆପଣ ବି କହିବେନି।' ଆଲୋ ସଖୀ ଆପଣା ମହତ ଆପେ ରଖି।'


Rate this content
Log in