ହେ ବୃକ୍ଷ , ତୁ ବ୍ରହ୍ମଦାରୁ
ହେ ବୃକ୍ଷ , ତୁ ବ୍ରହ୍ମଦାରୁ
ଗଢ଼ିଛି ତ ଧାତା ଅନ୍ନ ପ୍ରାଣଦାତା
ଖରା ବର୍ଷା ଯେତେ ବାଧୁ
ଛାଡ଼ି ସୁଖ ଭୋଗ କହ କେଉଁ ଯୋଗ
ନୀରବ ନିଶ୍ଚଳେ ସାଧୁ ?
ନାହିଁ ତ ବିକାର ପର ଉପକାର
ପାଇଁ ବ୍ୟସ୍ତ ଥାଉ ସଦା
ତଥାପି ବିକାଶ ପାଇଁ କେ ନିକାଶ
କରି କରୁଥାଏ ପଦା ।
ପ୍ରାଣୀଙ୍କ ରକ୍ଷଣ ମାତ୍ର ତୋ ଲକ୍ଷଣ
ସହୁ ଆତପର ତାପ
ନିଜେ କରୁ ସ୍ବାହା ଜୀବକୁଳେ ଯାହା
ଅପକାର କରେ ବାଷ୍ପ ।
ପ୍ରାଣେ କରି ପୁଷ୍ଟି କରୁଥାଉ ସୃଷ୍ଟି
ନିୟମିତ ଅମ୍ଳଜାନ
ଅହର୍ନିଶ ଘୋର ସାଧନା ଏ ତୋର
ଦେଉ କେଡ଼େ ମହାଦାନ ।
ନବିଚାରି ଦୋଷୀ ସମସ୍ତଙ୍କୁ ତୋଷି
ସ୍ଥାନ ଦେଉ ନିଜ ମୂଳେ
ବିସ୍ତାରି ତୋ କାୟା ନିରପେକ୍ଷ ଛାୟା
ଯୋଗାଇଛୁ ଜୀବକୁଳେ।
ମଧ୍ୟାହ୍ନରେ ରବି ତାପ ଅନୁଭବି
ନିଜ ମସ୍ତକରେ ଧରି
ଛାୟାବୃତ ତଳ ରଖୁ ସୁଶୀତଳ
ପ୍ରାଣୀହିତ ମନେ ଭରି ।
ଶୀତଦିନେ ଛାଇ ଦୂରକୁ ଲମ୍ବାଇ
ଅର୍ଦ୍ଧେକରେ ରଖୁ ଖରା
ତୋର ସ୍ଥିତି ପାଇଁ ସବୁଜିମା ପାଇ
ଶୋଭା ପାଉଥାଏ ଧରା ।
ତୋର ପୁଷ୍ପବାସ ଖେଳି ଚଉପାଶ
ସୁଗନ୍ଧିତ କରେ ଦେଶ
ଋତୁମତେ ପର୍ଣ୍ଣ ଧରେ ବହୁବର୍ଣ୍ଣ
ମନ ମୋହେ ପରିବେଶ ।
ଫଳପୁଷ୍ପେ ଭରା ଥିଲେ ଏହି ଧରା
ଜୀବ ସନ୍ତୁଳନ ରଖେ
ବନ ହେଲେ ସୃଷ୍ଟି ଆବଶ୍ୟକ ବୃଷ୍ଟି
ହୋଇଥାଏ ଧରା ବକ୍ଷେ ।
ବର୍ଜ୍ୟବସ୍ତୁ ସାର କରନ୍ତେ ଆହାର
ପରଷୁ ସ୍ବାଦିଷ୍ଟ ଫଳ
ସେହି ଫଳଶସ୍ୟ ଖାଇଲେ ଅବଶ୍ୟ
ପ୍ରାଣୀଏ ପାଆନ୍ତି ବଳ ।
କେତେ ପଶୁପକ୍ଷୀ ସରୀସୃପ ରଖି
ଆଦରେ ପାଳନ କରୁ
ନାନାଦି କଷଣ ସହି ତୁ ଅଶନ
ପ୍ରାଣୀଙ୍କ ଉଦରେ ଭରୁ ।
ତୁ ଥିଲେ କି ଭୟ ମାଟି ଅବକ୍ଷୟ
ହୁଏନି ସହଜେ ବେଶି
ଭୂଗର୍ଭର ଜଳ ଉଠି ଛୁଏଁ ଥଳ
ଊର୍ଦ୍ଧ୍ବେ ଆକର୍ଷଣ ପେଶି ।
ରୋଗ ଉପଶମ ନିମନ୍ତେ ସୁଷମ
ତୋ ଦେହର ପ୍ରତି ଅଙ୍ଗ
କିବା ତିଷ୍ଠି ରହି ପାରନ୍ତା ଏ ମହୀ
ନପାଇ ତୋହର ସଙ୍ଗ ?
ମୁକ ବୋଲି ସିନା ପ୍ରତିବାଦ ବିନା
ସହିଯାଉ ସବୁ ଜାଣି
ବିଷୟାର ବିଷ ସଞ୍ଚଇ ମଣିଷ
ଅଜ୍ଞାନତା ବଳେ ହାଣି ।
ଆହେ ବ୍ରହ୍ମଦାରୁ କିଏ ସେ ତୋଠାରୁ
ବୋଲାଏ ମହାନ ଜାତି
ତୁ ହିଁ କଳ୍ପବଟ ସେବା ଧର୍ମ ମଠ
ଜୀବ ପାଇଁ ପ୍ରାଣଧାତ୍ରୀ ।
ପ୍ରସନ୍ନ କୁମାର ମାଦଳା