ବର୍ଷା
ବର୍ଷା
ବର୍ଷା
===
ଘର୍ମାକ୍ତ ଏ ବସୁମତୀ ଅଙ୍ଗେ,
ଟିପି ଟିପି ପଦ ଛନ୍ଦେ,
ତୁମେ ଆସ ଆଦ୍ୟ ଆଷାଢରେ,
ମୋହିନିଅ ଭିଜାମାଟି ଗନ୍ଧେ॥୧॥
ଗ୍ରୀଷ୍ମର ରୁକ୍ଷ କର୍କଶ ଉତ୍ତାପେ
ଶୀର୍ଣ୍ଣ ନଦୀ ପୁଷ୍କରିଣୀ,
ପୁରି ଉଠେ ଆଷାଢ ବର୍ଷାରେ
ଉଛୁଳି ଉଠଇ ପାଣି॥୨॥
ଉତ୍ତପ୍ତ ଏ ଧରା ଶୀତଳ ହୁଅଇ
ପରିବେଶ ହୁଏ ଶାନ୍ତ।
ସୁଷମା ମଣ୍ଡିତ ହୁଏ ଏ ପ୍ରକୃତି
ସବୁଜ ହୁଅଇ କ୍ଷେତ॥୩॥
ଗଛଲତା ଭରା ଏ ବଣ ପାହାଡେ
ସବୁଜିମା ଯାଏ ଛାଇ।
କେଦାରେ ସବୁଜ ଶସ୍ୟ ଲହରୀ
ଦେଖି ଚାଷୀ ହସୁଥାଇ॥୪॥
କମ୍ର ସବୁଜ ଘାସ ଗାଲିଚାରେ
ଟାଣି ତା ନାଲି ଓଢଣି।
ଧୀରେ ଧୀରେ ଚାଲେ ସାଧବ ବୋହୂଟି
ଦେଖାଇ ସୁନ୍ଦର ଠାଣି॥୫॥
ବେଙ୍ଗୁଲୀ ରାଣୀଟି ହୁଳହୁଳି ଦିଏ
ସାରୁବୁଦା ମୂଳେ ବସି।
ସ୍ୱାଗତ କରଇ ତୁମ ଆଗମନେ
ଯିବାକୁ ଜଳ ବରଷି॥୬॥
ବିଦାୟ ନିଅଇ ଆଷାଢ ଧରାରୁ
ଶ୍ରାବଣର କାନେ କହି।
ବରଷି ଯିବାକୁ ରିମ୍ ଝିମ୍ ତାନେ
ନଈନାଳ ଉଛୁଳାଇ॥୭॥
ମୃତ ପ୍ରାୟ ନଦୀ ଜୀବନ୍ତ ହୁଅନ୍ତି
ବହନ୍ତି ପ୍ରଖର ବେଗେ।
ଜୀବନର ସ୍ୱପ୍ନ ସାକାର କରନ୍ତି
ମିଳି ସାଗର ର ସଙ୍ଗେ॥୮॥
କିଆ ଓ କେତକୀ ଫୁଟି ଚହଟନ୍ତି
ମହକାଇ ପରିବେଶ।
କାଉଡିଆ ଭାଇ ଜଳଭାର ଧରି
ଚାଲେ ଭୋଳାବାବା ପାଶ॥୯॥
ସଙ୍ଗେ ଧରି ଆସ ଚିତାଲାଗି ଓଷା
ରାକ୍ଷୀ ଓ ଗହ୍ମା ଝୁଲଣ।
ଗହ୍ମା ପୂର୍ଣ୍ଣମୀରେ ଝୁଲଣେ ଝୁଲନ୍ତି
ରାଧାଙ୍କ ସହ ମୋହନ॥୧୦॥
ଲଙ୍ଘି ନଦୀ କୂଳ ବହିଯାଏ ଜଳ
ଉଜାଡି ଦିଏ ଫସଲ।
ଭାସି ଯାଏ ଘର ପଶୁ ପକ୍ଷୀ ନର
ଦୁଃଖେ ହୋଇ କଲବଲ॥୧୧॥
ତୁମ ଦୃତ ପଦ ଧୀର ହୋଇଯାଏ
ଭୋଦୁଆ ଖରା ପଡିଲେ।
ମେଘ ଖଣ୍ଡ ହୋଇ ଭାସୁଥାଅ ନଭେ
ଝରିପଡ ଇଚ୍ଛା ହେଲେ॥୧୨॥
ଆଗମନେ ତୁମ ଭରିଦିଅ ଅଙ୍ଗେ
ମୃଦୁ ମନ୍ଦ ଶିହରଣ।
ବିରହୀ ପ୍ରିୟାର ମନ ଖୋଜେ ପୁଣି
ପ୍ରିୟର ବାହୁ ବନ୍ଧନ॥୧୩॥
ଅପସରି ଯାଅ ଧୀରେ ତୁମେ ଦେଖି
ଶିଶିର ଧରା ପୃଷ୍ଠରେ।
ଚାହିଁ ରହୁ ତୁମ ଆସିବା ପଥକୁ
ପୁଣି ଆଦ୍ୟ ଆଷାଢରେ॥୧୪॥
*******