କବି ର ଲେଖନୀ
କବି ର ଲେଖନୀ
ବୀଣାପାଣି କୃପା ଆଶିଷେ ଚାଲୁ ଲେଖନୀ ମୁନ
ମଧୂର ମୂର୍ଚ୍ଛନା ସଙ୍ଗୀତ ବୋଲୁ ବିରହି ସ୍ୱନ ।
ସମାଧିସ୍ଥ ଦିବ୍ୟ ଚେତନା ନେଇ ଗର୍ଭ ଗହ୍ବରେ
ପ୍ରସ୍ଫୁଟିତ କର ବାରତା ବିଶ୍ୱ ଜନହିତରେ ।
ମାନସ କଷଟି ପଥରେ ଘଷି ସୁପ୍ତ ଭାବନା
ପରିବ୍ୟାପ୍ତ କର ଜଗତେ ଦେଇ ମଧୂ ବାସନା ।
ଝଙ୍କୃତ ଜୀବନ ଦର୍ଶନ ହସୁ ଶବଦ ବାଣେ
କବଳିତ ମାୟା ଜଞ୍ଜାଳ ଖେଳୁ ପଂକ୍ତି ତୋରଣେ ।
ପ୍ରଜାପତି ପ୍ରେମ କାହାଣୀ ଲେଖୁ ଶ୍ୱେତ ପତରେ
ଇନ୍ଦ୍ରଧନୁ ମିଛ ସମ୍ପର୍କ ଭାଙ୍ଗୁ ସୂର୍ଯ୍ୟ ମନ୍ଦିରେ ।
ବେଳାଭୂମି ବାଲି ତୋଳୁଛି କେତେ ବାଇଆ ବସା
ସାରୁ ପତରରେ ଆୟୁଷ ଆଙ୍କେ ଆଶା ଭରଷା ।
ବଉଳ ପାଟର ଯୌବନ ଝରେ ମୃଦୁ ମଳୟେ
ଗାଆଁ ଦାଣ୍ଡ ସଞ୍ଜ ଗୋ-ଧୂଳି ଡାକେ ମାଟି ନିଳୟେ ।
ମିତ୍ରୋଦୟ ସୃଜେ ଲେଖନୀ ଟାଣି ରେଶମୀ ଡୋରୀ
ଶଶାଙ୍କ ପିରତି ପିୟୁଷ ପିଏ ରାତ୍ରେ ଚକୋରୀ ।
କଲ୍ଲୋଳ ନାଦିନୀ ନିର୍ଝର ପିନ୍ଧେ ପାଦେ ପଇରି
ଶୁଷ୍କ ଗୁଳ୍ମ ଲତା ପଲ୍ଲବୀ ବୋଲେ ଶାନ୍ତି ଶାୟରୀ ।
ନବାନ୍ଧେ ବନ୍ଧନ ଶିକୁଳି ମୁକ୍ତ ଲେଖନୀ ସ୍ୱର
ଚାପ ରାଜଶକ୍ତି ରୋଦନ ଅବା ପ୍ରିତି କାହାର ।
ସମାଜ ତର୍ପଣ ଦର୍ପଣେ ଆଙ୍କେ ଅତି ଯତନେ
ଐତିହ୍ୟ ସଂସ୍କୃତି କିରତି ଗାଏ ମେଘ ବାହନେ ।
ମହାସିଦ୍ଧି ରଚେ ଶବଦେ ଟାଣି ଧନୁ ଟଙ୍କାର
ସାହିତ୍ୟ ଦର୍ଶନ ବିଞ୍ଚିଣ ବୋଲେ ଲେଖନୀ ବୀର ।
ଐଶ୍ବର୍ଯ୍ଯ ମଣ୍ଡିତ କଲମ ମୁନ ସତ୍ୟ ଉଚାରେ
ପର୍ଯ୍ୟାସିତ କବି ବିଶେଷ ପଥେ ମଙ୍ଗ ସମ୍ଭାଳେ ।