କାଳ ବୈଶାଖୀରେ ମୁଁ
କାଳ ବୈଶାଖୀରେ ମୁଁ
【 ହଁ' ମ କଟକରେ 】
ସନ୍ଧ୍ୟା ପ୍ରକରଣେ ଅଚାନକ ଆଜି ପବନ ପାଗଳ ହେଲା
ସାହି ଗୁଣ୍ଡା ପରି ବଉଳ ଛକରେ ବହୁ ହନ୍ତସନ୍ତ କଲା
ଆଜିକା ହୋଲିର ଖେଳାଳୀଙ୍କ ପରି ଶୁଣିଲାନି କା'ର କଥା
କେମିତି ଶୁଣିବ ନିଶା ଆବେଶରେ ଥୟ ହୁଏ ନାହିଁ ମଥା
ହଉ ହେଲା ହେଲା ସେ ମାନୁ ନ ମାନୁ ମୁଁ ମୋ ଇଜ୍ଜତ ରଖି
ରାଜାରାଣୀ ଜଳଖିଆ ଦୋକାନରେ ପଶିଗଲି ଆଗ ଦେଖି
ପବନର ବଳ ହଟିଲା ରଟିଲା ବରଷା ତା ମନାମନି
ବିଜିକିଟିଆଟା ଲାଗିଲେ ବି ମୁଁ ବାଧ୍ୟେ ରହୁଥିଲି ତୁନି
ଧେତ୍ ବରଷାଟା ଶିଖିଗଲା କିବା ପବନଠୁଁ ଖେଳ ମଜ୍ଜା
ହେଲେ ଏ ସନ୍ଧ୍ୟାଟା ବିକଳାଇବାରୁ ମୋତେ ଲାଗୁଥିଲା ସଜା
ତା ଉପରେ ରାତି ଡିୟୁଟିରେ ଥିବା ବିଜୁଳି ବାଲାଙ୍କୁ ଦେଖ
ବିଚାର ବିହୁନେ ଅପସରାଇଲେ ବିଜୁଳିର ରୂପରେଖ
କଟା ଘା'ରେ ସତେ ବୋଳିଦେଲେ ଅବା ବାଛି ବାଛି ଚୁନ ଲୁଣ
ସେ କାହୁଁ ବିଚାରି ବୁଝିବେ ବିତୁଛି କି' ଭାବ ମନ ଗହନ
ବହୁମୂତ୍ର ରୋଗୀ ଲାଗିଲାଣି ମୋତେ ମୁତ୍ରୋଚ୍ଛ୍ବାସ ତନାଘନା
ସେଥିଲାଗି କିହେ ମନୁଆ ବରଷା ବନ୍ଦହେବ ମାନି ମନା ?
ଶାସକ ଦଳଙ୍କ ପରି ପରା ସିଏ କରିଚାଲେ ମନ ମାନି
ଅଥୟତା ଚାପି ସବୁରି ସାଥିରେ ଛିଡା ହୋଇଥିଲି ତୁନି
ପୁଉଣି ପବନ ବରଷା ସାଥିରେ ସଙ୍ଗାତ ବସିଲା ପରି
ମିଶିଗଲା ହେଲେ ଅଧା ଭିଜା ଦେହ ସହସା ଉଠିଲା ଥରି
ଶେଷରେ କାଶ୍ମୀର ପଣ୍ଡିତଙ୍କ ପରି ହାରି ଶେଷେ ଥୟ କଲି
ଯାହା ହେବ ଦେଖାଯିବ ଭାବି ବାଧ୍ୟେ ଘରକୁ ଆସିଲି ଚାଲି
ହନ୍ତସନ୍ତେ ବେଳ କାଟିଲି ବିଜୁଳି ଆସିଲା ସୁବିଧା ଦେଖି
ଟିଭି ସମାଚାରୁ ବୁଝିଲି ଚାଲିଛି ଏଇଟା କାଳବୈଶାଖୀ ।