ନିଶି ହେଉଅଛି ଶେଷ
ନିଶି ହେଉଅଛି ଶେଷ
ସେତେବେଳୁ ମୋତେ ନିରେଖି ଚାହିଁଛ
ଆଗୁଁ ନ ଦେଖିଲା ପରି ,
ସେ ପାଖରେ ତେଣେ ଚାନ୍ଦିନୀ ରାତିଟି,
ଧୀରେ ଧୀରେ ଯାଏ ସରି ।
ଫେରିଆସ ଏବେ ଭାବନା ରାଇଜୁ,
ହେ ମୋହନ ବଂଶୀ ଧାରୀ ,
ବାହୁଡ଼ିବି ମୁଁ ଯେ ନିଶି ଥାଉଁ ଥାଉଁ,
ତୁମ ଆରାଧନା ସାରି ।
ଘରେ ମୋ ଜଞ୍ଜାଳ,ଅତି ଅସମ୍ଭାଳ,
କହିହୁଏ ନାହିଁ କା'ରେ ,
ତୁଚ୍ଛା ଅପବାଦ ରଟିଯିବ କାଳେ,
ଜଗିରଖି ଦିନ ସାରେ ।
ତୁମ ଛାତି ସିନା ଭାରି ଦମ୍ଭ ବୋଲି,
କିଛି ଆସେ ଯାଏ ନାହିଁ ,
ସଖିମାନେ କିନ୍ତୁ ଛିଗୁଲାନ୍ତି ମୋତେ,
ଆଡ଼ ନୟନରେ ଚାହିଁ ।
କେବେ କୁତୁ କୁତୁ ଲାଗେ ତାଙ୍କ କଥା,
ଆଉ କେବେ ହୁଏ ବାଧା ,
କେବେ ଶରଧାରେ ଡାକନ୍ତି କୃଷ୍ଣାଙ୍ଗୀ,
କେବେ ମାନମୟୀ-ରାଧା ।
ପରିହାସ ଛଳେ ଗୁମର ଖୋଲନ୍ତି,
କାନୁ ଚାଲିଯାଏ କାନ ,
ସେଇଥିପାଇଁକି ବେଳେବେଳେ ଆସେ,
ତାଙ୍କ ଉପରେ ଅଭିମାନ ।
ତାଙ୍କରି ସକାଶେ ତୁମ ସହ ଭେଟ,
ସହଜ ହୁଅଇ ମୋର ,
ଏଇକଥା ଭାଳି ସଖୀଗଣଙ୍କୁ ମୁଁ,
ମଣେ ଅତି ଆପଣାର ।
ଛାଡି ମୋ ଅଞ୍ଚଳ,ହୁଅ ହେ ଚଞ୍ଚଳ
ନିଶି ହେଉଅଛି ଶେଷ ,
ତୁମରି ସକାଶେ ସାଜିଅଛି ପରା
ଏ ଅଭିସାରିକା ବେଶ ।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।