ସ୍ମୃତି,ସତ୍ୟ ପ୍ରଜାପତି
ସ୍ମୃତି,ସତ୍ୟ ପ୍ରଜାପତି
1 min
397
ସ୍ମୃତି ତ ସୁନ୍ଦର ଭିଜେଇ ଭିଜେଇ
ହୃଦୟ ମଧୁର କରେ ।
ମରୁ ମରୀଚିକା ମନର ବେଳାରେ
ପ୍ରୀତିର ପୁଲକେ ଭରେ ।
କିଛି ସ୍ମୃତି ଆସେ,ଆସି ଚାଲିଯାଏ
ଅନ୍ତରକୁ ଚହଲାଇ ।
କିଛି ସ୍ମୃତି କିନ୍ତୁ ଚିରନ୍ତନୀ ସୌମ୍ୟା,
ମନ ଦିଏ ଦୋହଲାଇ ।
କିଛିଟା ଭାବନା ବ୍ୟଥାରେ ବ୍ୟଥାରେ
ଲୁଚିଯାଏ,ହଜିଯାଏ ।
ଅବ୍ୟକ୍ତ ଅବ୍ୟକ୍ତ ସୁରଭି ସଂଚାରି
ଉଇଁ, ଅପସରି ଯାଏ ।
ଅପସରେ ସିନା ଲୁଚି ଝୁମି ଝୁମି
ଅଙ୍କେ ଉଙ୍କି ମାରୁଥାଏ ।
ମଉଳି ଯାଇ ବି କଅଁଳି କଅଁଳି
ଦିଗ୍ ବଳୟେ ଦିଶୁଥାଏ ।
ମଣିଷର ସିନା ମରଣ ରହିଛି
ସ୍ମୃତି ତ ଚିର ଅମର ।
ଯେତେଦୂରେ ଯାଏ ସେତେ ଜିଉଁ ଥାଏ
ନେଇ ଅଙ୍କୁର ମଧୁର ।
ସୁମଧୁର ସ୍ମୃତି ସଦା ସୁଲଳିତ
ମୃଣ୍ମୟୀ ଦିବ୍ୟ ଲଳନା ।
ନାଚି ନାଚୁଥାଏ ତରଙ୍ଗେ ତରଙ୍ଗେ
ରୂପ ଗୁଣେ ଦିବ୍ୟାଙ୍ଗନା ।
ମଣିଷ ଜୀବନ ମଧୁର ସ୍ମୃତିରେ
ସୁରଭିତ,ସୁଶୋଭିତ ।
ସ୍ମୃତି ତା'ର ସାଥି ଜୀବନେ ସଂଘତି
ଦେଇ କରେ ପୁଲକିତ ।
ସ୍ମୃତି ଲୋ,ତୁ ସତ୍ୟ,ସଦ୍ୟ ପ୍ରଜାପତି
ବିବର୍ଣ୍ଣା କେବେ ହେବୁନି ।
ଚିରନ୍ତନୀ ହୋଇ ଥିବୁ ମୋ' ସାଥିରେ
ସୌଦାମିନୀ ହେବୁ ନାହିଁ ।
ତୋ'ରି କଳ୍ପନାରେ ଝରିବ, ମୋ' ତୁଳୀ
ରଚିବ ରମ୍ୟ କବିତା ।
କବିତା କୋଳରେ ଅଙ୍କଶାୟୀ ହେବୁ
ହେବୁ ଲୋ ଜଗତ ଜିତା ।