ଭିନ୍ନ ଏକ ସମ୍ପର୍କ
ଭିନ୍ନ ଏକ ସମ୍ପର୍କ
ଆସିଥିଲା ବର୍ଷା,
ହସୁଥିଲା ଆକାଶ,
ଛୁଉଁଥିଲା ମାଟି,
ଟୁପ୍ ଟାପ୍ ମେଘର ଗଜରା,
ତା'ର ସେ ଗଜରାରେ
ମତେ ସେ ଗୁଡେଇ ତୁଡେଇ
ଜଡ ସଡ କରି ଚାଲିଗଲା ।
ଏବେ ଆସିଛି ଶରତ
କାଚ କେନ୍ଦୁ ପରି ଆକାଶ,
ପାର୍ବଣର ଋତୁ ,
ନଦୀ ପଠା କାଶତଣ୍ଡୀ ଫୁଲରେ ଭରା,
ଗହୀର ରେ ଗର୍ଭିଣୀ ଧାନକେଣ୍ଡା ର
ଲହ ଲହ ସ୍ୱର ।
ସେ ବି ତ ଦିନେ ଚାଲିଯିବ,
ଏମିତି ତ ଲାଗିରହିବ ଯିବା ଓ ଆସିବା,
କିଏ ଭିଜାଇ ଦେବ ତ,
କିଏ ମନ ମୋହି ନେବ,
କିଏ ପୁଣି ଡହ ଡହ ଖରାରେ
ତତାଇ ଦେବ ତ,
ପୁଣି କିଏ ହାଡଭଙ୍ଗା ଶୀତରେ
ଥରାଇ ଚାଲିଯିବ ।
କିନ୍ତୁ, ବିଡମ୍ବନା,
ଯିଏ ଆସୁ
ଯିଏ ବି ଯାଉ ,
ମାଟି ରୁ ଆକାଶ ଆଉ ଆକାଶରୁ ମାଟି -
ସେମାନଙ୍କର ସମ୍ପର୍କ ତ ଅଭିନ୍ନ,
ସେମାନେ ତ ସବୁଦିନ ସବୁବେଳେ
ଏମିତି ଦୁହେଁ ଦୁହିଁଙ୍କ ସହିତ
ପାଦ ମିଳାଇ ଚାଲିଥିବେ ଆଉ
ଭିନ୍ନ ଏକ ସମ୍ପର୍କରେ ବାନ୍ଧି ହୋଇ
ରହିଥିବେ ଯୁଗ ଯୁଗ ପାଇଁ ....।
##ମମତା ମଞ୍ଜରୀ ଦାସ ,କଟକ##