ନିର୍ବିକାର ଶବ୍ଦ
ନିର୍ବିକାର ଶବ୍ଦ
ବର୍ଷକ ଯାକର ଅନ୍ନ ଓ ବିହନ
ଯୋଗାଡି ଯା' ଦିନ ଚଳେ
ଜୀଇଁ ରହିବାର ଏତକ ସାଧନ
ଲହୁଲୁହ ମିଶି ଫଳେ ,
ନିଦାଘ ଗ୍ରୀଷ୍ମରେ ଯେବେ ତା'ର ଘରେ
ହୁତୁହୁତୁ ନିଆଁ ଜଳେ
ଚାଷୀ ମାଆ ଛାତି ଫାଟି ଅଶ୍ରୁ ଝରେ
ବୋବାଳି ଛାଡି ସେ ଟଳେ ।
ସୀମାନ୍ତରେ ଗୁଳି ଫୁଟେ ଅତର୍କିତ
ଯବାନକୁ ଭେଦି ରୋଳେ
ସଦ୍ୟ ଶହୀଦର ଶେଷ ପଥେ ସ୍ଥିତ
ଜନତାଙ୍କ ଭାବ ଭୋଳେ ,
ପିତାମାତା ସଖା ସହୋଦର ତ୍ରସ୍ତ
ଶବ ପାଇ ନିଜ କୋଳେ
ବୋହିଯିବା ପାଇଁ ତଟସ୍ଥ ଉଦ୍ୟତ
ଲୁହ କି ଦେଖିଛ ଡୋଳେ ?
ନିରାଶ୍ରା ନିରନ୍ନ ପେଟକୁ ଅଶନ
ଦେଖ ଦେଇ ଥରେ ଥାଳେ
ଶୀତେ ଥରଥର ଦେହକୁ ବସନ
ଯୋଗାଇ ଦିଅ ହେ ଫାଳେ ,
ଆସନ୍ନ ମୃତ୍ୟୁରୁ ଫେରି ଆସିଥିବା
ପ୍ରାଣୀର ସ୍ପନ୍ଦନ ତାଳେ
ଅଜଣା ଜୀବନ ମୂଲ୍ୟକୁ କିଅବା
କଳନା କରିଛ କାଳେ ?
ଯଦି ହଁ, ଆସ ହେ ସଖା ଆସ ଆସ
ବସିଯାଅ ମୋର ପାଶ
ଦେଖିବା ନିଶ୍ଚୟ ରଖ ହେ ବିଶ୍ଵାସ
ଏକାକାର କରି ଶ୍ଵାସ ,
କ୍ଷୀରରେ ଖୋଜିବା ନୀର ଅଛି ପରା
ଫେଡିଦିଅ ଯେତେ ପ୍ରାସ
ଉତ୍ତରା ପବନେ ସଞ୍ଜୀବନ ଭରା
ଗନ୍ଧମାର୍ଦ୍ଦନର ବାସ !
ଭାସି ଯାଉଥିବା ଶବଠାରୁ ଭାରୀ
ବୁଡିବା ଜୀବର ଭେକ
ବୃକ୍ଷ ଲତାର ଏ ଜୀବନେ ତାହାରି
ଆତ୍ମାକୁ ଆତ୍ମାରେ ଦେଖ ,
ଆକାଶର ରଙ୍ଗ ଯେତେ ଏବେ ପାର
ନିରେଖି ସେ ରୂପରେଖ
ନିର୍ଗୁଣ ଆତ୍ମାର ଏହି ନିର୍ବିକାର
ଶବ୍ଦ ଖଞ୍ଜି ଚିତ୍ର ଲେଖ ।
ପ୍ରସନ୍ନ କୁମାର ମାଦଳା