ଆସିଛି ବରଷା ଦିନ
ଆସିଛି ବରଷା ଦିନ
ବରଷା ଆସିଛି ଅବଗୁଣ୍ଠନରେ
ନେଇ ମାଟିର ମହ ମହ ବାସ୍ନା
ନବ ପଲ୍ଲବିତ ସବୁଜ ପତରେ
ବର୍ଷା ବିନ୍ଦୁ ସବୁ ଦେଖା ଯାଉଛନ୍ତି
ସତେ ଅବା ଶାମୁକା ଗର୍ଭରୁ ମୁକ୍ତା ।
ଭସା ବାଦଲର କଲ୍ଲୋଳିତ ପୃୃଷ୍ଠେ
ବିଜୁଳିର ହସଧାର
ଚମକାଇ ଦିଏ ଏ ମହୀ ମଣ୍ଡଳ
ସତେ ଅବା ଆସୁଛି
ରୋଷଣୀର ପଟୁଆର ।
ଚାଷୀଭାଇ ମନ ହେଉଛି ଉତ୍ଫୁଲ
ମତୁଆଲା ହୁଏ ମାଟି
ଦୂର ଆକାଶରୁ ପବନର ତାଳେ
କଳା ମେଘ ଆସେ ଘୋଟି ।
ସଦ୍ୟ ବିବାହିତ ବଧୂର ଗଭାରେ
ପ୍ରୀତିର କଦମ୍ବ ଫୁଟେ
ସବୁଜ ଗାଲିଚା ଧରଣୀ ଉପରେ
ଲାଲ୍ ଟୁକୁ ଟୁକୁ ସାଧବ ବୋହୁଟି
ମଖମଲ୍ଲୀ ପାଟେ ଲୋଟେ ।
ତଟିନୀରେ ପୂର୍ଣ୍ଣ ଅଳସୀ ଜଳରେ
ଖେଳଇ ଛୋଟିଆ ମୀନ
ଆଦ୍ୟ ଆଷାଢର ଜଳବିନ୍ଦୁ ନେଇ
ଆସିଛି ବରଷା ଦିନ ।
****ମମତା ମଞ୍ଜରୀ ଦାସ ,କଟକ****