ରଙ୍ଗ ରସିକ
ରଙ୍ଗ ରସିକ
ପ୍ରେମ ରଙ୍ଗେ ରଙ୍ଗାଅ ହେ' ରଙ୍ଗ ରସିକ
ଭାବ ସଙ୍ଗେ ସଙ୍ଗ ଦିଅ ଭାବ ବଣିକ
ମୋ ଜୀବନ କାହାଣୀର ତୁହି ନାୟକ
ରଙ୍ଗ ହୀନ ଚରିତ୍ରରେ ଅଲିଭା ସୁଖ ।
ବାଙ୍କ ଚୂଡାମଣି ବାଗେ ବାନ୍ଧ ମୋ ପ୍ରାଣ
ତୁମ୍ଭ ନାମ ଗାଉ ସଦା ମୋ ତନୁ-ମନ
ନେତ୍ର କରୁଥାଉ ନିତି ତୁମ୍ଭ ଦର୍ଶନ
କେଳିକୁଞ୍ଜେ ଝରିଯାଉ ଶ୍ରଦ୍ଧା ସୁମନ ।
ଠୁମକ ଠୁମକ ଚାଲି ବାଙ୍କ ଚାହାଣୀ
ସେ ଚାହାଣୀ ତଳେ ଲେଖା କେତେ କାହାଣୀ
ତୋ ପ୍ରିତି ଯମୁନା କୂଳେ ହୋଇ ବାୟାଣୀ
ଅହନିଶି ଖୋଜେ ହେଲେ କାହିଁ ପାଏନି ।
ସପ୍ତ ରନ୍ଧ୍ରେ ସପ୍ତ କଥା ମହୁଆ ଧ୍ୱନୀ
ଭାବ ବିହ୍ଵଳ ରେ ଡାକେ ମୁରଲୀ ପାଣି
ସେଇ ସାତ ସୁରେ ବନ୍ଧା ଜଗତ ପୁଣି
ବଇଁଶୀ ଟେ କରି ମୋତେ କରିଦେ ଋଣି ।
ସ୍ପନ୍ଦନ ର ଅଣୁ ସମ ଫୁଙ୍କିଦେ ମୋତେ
ଗର୍ବ ଅହଂକାର କ୍ରୋଧ ଫିଙ୍ଗିଦେ ଯେତେ
ବାଜିବି ମୁଁ ସୁମଧୁର ହୋଇ ତୋ ପ୍ରିତେ
ସାରା ଜୀବନ ର ସୁଖ ମଣିଛି ତୋତେ ।
ଛନ୍ଦା ପୟର ଯୁଗଳେ ଏହି ପ୍ରଣତି
ଶୂନ୍ୟେ ଥାଇ ପରଂବ୍ରହ୍ମ ରଚହେ' ପ୍ରିତି
ତୋ ଆଶିଷ ବାରି ସ୍ପର୍ଶେ ଗଜୁରୁ ଭକ୍ତି
ଭାବମୟ ହୋଇଉଠୁ ମିଳୁ ମୁକତି ।