ବିଷକନ୍ୟା - ୨
ବିଷକନ୍ୟା - ୨
ଓଠ ତଳେ ବିଷତ୍ୱର ହସ ଧରି ,
ଆଖିରେ ମାଦକତା ଭରି ସେ ଡାକେ ,
ତା ପାଖକୁ ନିବିଡ଼ ହେଇ ମିଶିଯିବାକୁ !
ବିଷର ପିଆଲା ଧରି ହାତ ଠାରି ସେ -
ତା ଗୁମ୍ଫାକୁ ନିମନ୍ତ୍ରଣ କରେ !
ରଙ୍ଗଶାଳାରେ ଶକ୍ତ ଯୁବକ ମାନଙ୍କୁ ଦେଖି ସେ ହସେ ।
ତା ଆଖିରେ ମାଦକତା ଥାଏ କି କ'ଣ !
ତା ପାଇଁ ରଙ୍ଗଶାଳା ଭର୍ତ୍ତି ହେଇଯାଏ ।
ସିଏ ବି ତା ଗର୍ଭରେ ଭୃଣ ଧରେ ,
ଜନ୍ମ ଦିଏ ଏକ ଅବାଧ ସନ୍ତାନକୁ ।
ସେ ଭଦ୍ରତ୍ୱର ଅଦ୍ଭୁତ ମୁଖା ତଳୁ ସାଉଁଟି ଆଣେ -
ଝଲମଲ କରୁଥିବା ପଶୁତ୍ଵର ସନ୍ତକ ।
କାମନାର ତରୁଡାଳେ ଖୋଜିନିଏ ମନୁଷ୍ୟର ଶେଷ ସନ୍ତକ ।
କାହାକୁ ରାତି ରାତି ଜଳାଇ ମାରେ ,
କାହା ପାଇଁ ସମାଜକୁ ହତ୍ୟା କରେ ,
ଅବା କାହା ସହ ରାତି ରାତି ସ୍ଵପ୍ନ ଦେଖେ !
ବିଷକନ୍ୟା ଜାଣେ ଚାଦର ଢାଙ୍କି ବିଷତ୍ଵରେ ,
ରାତିସାରା ମିଛ ସ୍ଵପ୍ନ ପରଷିବାରେ ଆନନ୍ଦ ଥାଏ ,
ସୂକ୍ଷ୍ମ ଆଲିଙ୍ଗନକୁ ଅର୍ଥରେ ମୂଲଚାଲ କରି -
ଦରଦାମ କରି କାହାକୁ କ୍ଷଣିକ ଆନନ୍ଦ ଦେବାରେ ସୁଖ ଥାଏ ।
ବିଷକନ୍ୟା ଯେତେ ଚାହିଁଲେ ବି ଅମୃତ ଚାଖି ପାରେନା ,
ତା ଦେହରେ ବିଷ ଚରିଯାଇଥାଏ !
ସେ ତ ଭାବି ନେଇଥାଏ -
"କ୍ଷୁଧାକୁ ମେଣ୍ଟାଇବାର ଆନନ୍ଦ କେଉଁଥିରେ ନଥାଏ !"
୦-୦-୦