Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Rabinarayan Senapati

Children Stories Tragedy Action


3  

Rabinarayan Senapati

Children Stories Tragedy Action


ଯାଯାବର ଦୁନିଆ

ଯାଯାବର ଦୁନିଆ

7 mins 270 7 mins 270


ଜୀନୁ ଚୁପ ଚୁପ ବିଛଣା ଛାଡିଲା । ଉଦୁଉଦିଆ ଦ୍ୱିପ୍ରହର, ରଜପର୍ବ ଆଉ କେତେଦିନ ବାକି ଅଛି । ବାଡି ଆଡକୁ ଗଲା କେତେ ଆମ୍ବ ପାଚିଛି । ଗୁଣ୍ଡୁଚି ମୂଷାଗୁଡା ପାଚିଲା ଆମ୍ବ ଖାଉଖାଉ ଗୋଟେ ଗୋଟେ ତଳେ ପଡିବ ପବନ ବହି ଆମ୍ବ ଡାଳ ହଲିଲେ ଆମ୍ବ ପଡିବ, ସେ ନ ଜଗିଲେ ହେବ କେମିତି। ଆଗବେଳ କଥା ଥିଲା ଅଲଗା ଖରାବେଳେ ବିଛଣା ଛାଡି ପଛପଟ ବାଡି ଆଡେ ଗଲେ ବାପା ରାଗନ୍ତି କୋଳରେ ପୁରାଇ ବାବନାଭୂତ ଗପ କହି ଡରାନ୍ତି “ ଜମା ଯିବୁନାହିଁ, ଧୁଳି ବାଲି ଶୁଖିଲା ପତର ସବୁ ବାବନା ଭୂତ ଉଡାଏ, ବେଳେ ବେଳେ ଦୁଷ୍ଟ ପିଲାଙ୍କୁ ଉପରକୁ ଶୁଖିଲା ପତ୍ର ପରି ଉଡାଇ ନେଇ ଦୁଲକିନା କଚାଡି ଦିଏ ଜମା ଯିବୁନି”। ଜୀନୁ ସୁନାପିଲା ଭଳି ହଁ ମାରେ କିନ୍ତୁ ବାପା ଘୁଙ୍ଗୁଡି ମାରିଲେ ସେ ଅତି ସୁନାପିଲା ପରି ଚୁପ ଚୁପ ଖସି ଯାଏ ପ୍ରାୟ ସବୁ ଦିନ। ସେ ବାବନା ଭୂତକୁ ଡରେ କିନ୍ତୁ ସେ ଜାଣିଛି ତା ବାପା ଘରେ ଥିଲେ ବାବନା ହେଉକି ଖାବନା ହେଉ ସବୁ ଭୂତ ତା ବାପାଙ୍କୁ ଡରିବେ। ବାପାଙ୍କ ପାଇଁ ମନଟା ଡହଳ ବିକଳ ହେଲା। ଇଛା ହେଲା ଉଚ୍ଚ ସ୍ୱରରେ ଡାକିବ ବାପା ବାପା । ବାପା କହୁଥିଲେ ଛୋଟ ପିଲା ଅଳି କଲେ ଭଗବାନ ଶୁଣନ୍ତି। ଭଗବାନ ବାପାଙ୍କୁ ନେଇଗଲେ ଆଉ ଫେରାଇଲେ ନାହିଁ। ଏଇଟା କଣ ଭଲ ହେଲା ଭଗବାନ! 


ଖରା ଓ ଏତେ ଖରା! ମାଟି ତାତିଛି ଖାଲିପାଦରେ ଚାଲି ହେଉ ନାହିଁ। ଜୀନୁର ଛିଣ୍ଡା ଚପଲ ହଜି ଯାଇଛି। କିଏ ଆଣି ଦେବ ସେ ବୁଝି ସାରିଛି ମା ପାଖରେ ଅଳିକଲେ ମା ଖାଲି କାନ୍ଦିବ। ଆରେ ଏ କଣ, ସେ କେତେବେଳୁ କାନ୍ଦିଲାଣି ତା’ବି ସେ ନିଜେ ବୁଝି ନାହିଁ। ସେ ଏହା ଭିତରେ ବୁଝିଗଲାଣି ଛୋଟ ପିଲାବି ବିନା ରାହାରେ କାନ୍ଦି ପାରନ୍ତି । ଏଇ ସେ ଯେମିତି କାନ୍ଦୁଛି, ବାପା ବାପା... ବିକଳ ହେଉଛି। କାହାକୁ ବା ଦୋଶ ଦେବ ତାରି ପାଇଁ ଗତବର୍ଷ ରଜ ଡ୍ରେସ ଫେରା ବଦଳା କରିବାକୁ ଗଲେ ଭାଇ ଯିଦି କରି ସାଥିରେ ଗଲା, ଜୀନୁ ଏବେ ଜୋରରେ କାନ୍ଦିଲା। ଟ୍ରକ ଗାଡି ଗୁଡା କି’ କାରଣେ ରାସ୍ତାରେ ଚାଲୁଛନ୍ତି କେଜାଣି ମଦୁଆ ମାନେ କାହିଁକି ଟ୍ରକ ଚଲାନ୍ତି ? ବାପା ଆଣିଥିଲେ ଫ୍ରକ । ତା’ର ଏକା ଜିଦ ସେ ଭାଇ ଭଳି ଜୀନ୍ ପ୍ୟାଣ୍ଟ ପିନ୍ଧିବ ଅଝଟ ଅସମ୍ଭାଳ ହେଲା । ବାପା ଭାଇ ଗଲେ ବଜାରକୁ । ମଦୁଆ ଡ୍ରାଇଭର ଟ୍ରକ ଧକ୍କାଦେଲା ଦୁହେଁ ଆଉ ବଞ୍ଚିନଥିଲେ ଘରକୁ ବୁହା ହୋଇ ଆସିଲା ବେଳକୁ।


 ଜୀନୁ ସେଦିନୁ ଜିଦି କରିବା ଛ।ଡି ଦେଇଛି।


ତା ଆଗଦିନର କଥା କି ସୁନ୍ଦର ଫ୍ରକଟିଏ ବାପା ଆଣିଥିଲେ । କିସ ଦରକାର ଥିଲା ଅଝଟ କରିବାରେ ? ଜୀନୁ କାନ୍ଦିଲା, କାନ୍ଦି କାନ୍ଦି ଘର ଫଟାଇଲା । ଏକ ଜିଦ ସେ ଭାଇ ଭଳି ଜୀନ ପ୍ୟାଣ୍ଟ ପିନ୍ଧିବ। ଅତି ହେଲାରୁ ବାପା ଚଟକାଣିଏ ଦେଲେ। ବିଛଣାରେ ମୁହଁ ମାଡି ଶୋଇ ଠାକୁରଙ୍କୁ ଡାକିଲା ମନେ ମନେ, “ ହେ ପ୍ରଭୁ ମୋତେ ମାଡ ଦେଇଥିବା ବାପା ମରୁ ଜୀବନରୁ ମରୁ”। ଆଜି ଆଉ କାନ୍ଦି ଲାଭ କଣ। କିନ୍ତୁ ପରଦିନ ବାପା ଗେଲ୍ହା କରି ବୁଝାଇ କହିଲେ ଠିକ ଅଛି ତୋ ପ୍ୟାଣ୍ଟ ଆସିବ । ଜୀନୁ ଅବଶ୍ୟ ତା ପୁର୍ବରୁ ଠାକୁରଙ୍କୁ ଜଣାଇ ସାରିଥିଲା,  ”ପ୍ରଭୁ ମୋ ବାପା ଭାରି ଭଲ ମୁଁ ରାଗରେ କାଲି କହିଥିବା 'ବାପା ମରୁ' କଥାଟା ଫେରାଇ ନେଉଛି”। ତା ଛଡା ଏମିତିତ ସେ ଆଗରୁ ବହୁଥର ବାପାଙ୍କୁ ଗାଳିଦେଇଛି କେବେ ତ ଏପରି ହୋଇ ନଥିଲା। 


ଜୀନୁ ଗୋଡ ତାତି ଯାଉଛି, ଓଃ ତାତି ନ ଗଲେ ନଚଳେ। ଡେରି କଲେ ଆମ୍ବ ତକ କିଏ ନେଇ ପଳାଇବ । ସେଦିନ ତ ଆଉ ନାହିଁ ଯେ ବାପା ଲୋକଙ୍କୁ ଆମ୍ବ ବାଣ୍ଟିବେ । ତା ଟିକି ବୟସରୁ ସେ ଜାଣି ଗଲାଣି କେବଳ ଆମ୍ବ ନୁହେଁ ବାଡି ଘରୁ ମିଳୁଥିବା ପ୍ରତିଟି ଜିନିଷ ତାଙ୍କ ପାଇଁ ହୋଇଛି ବହୁତ ଜରୁରୀ। ଏତେ ଖରା ସେ କେବେ ଦେଖି ନଥିଲା । ଝାଞ୍ଜି ପବନ ଦେହରେ ଫୋଡି ହୋଇ ଯାଉଛି ଦେହ ସାରା ଘିମିରି ସାଲୁବାଲୁ, ପାଉଡର କେବେଠୁ ସରି ଗଲାଣି।

କିନ୍ତୁ ସେ ତ ପ୍ରଭୁଙ୍କ ପାଖରେ ଶପଥ କରିଛି ଆଉ କୌଣସି ଚିଜ ପାଇଁ କେବେ ବି ଅଳି କରିବ ନାହିଁ। ସେ ଟିକେ ଆକାଶକୁ ଚାହିଁଲା । ସବୁ ତାତିକୁ ସୂର୍ଯ୍ୟ ଯେପରି ଏକ ପିଚକାରୀରେ ତା’ରି ଉପରକୁ ସ୍ପ୍ରେ କରୁଛନ୍ତି । ଏ ଦେବତା ଫେବତା ଗୁଡା ଯମା ଭଲ ନୁହନ୍ତି ନହେଲେ ତା ବାପାଙ୍କୁ କାହିଁକି ଭାଇକୁ କାହିଁକି ବଞ୍ଚାଇଲେ ନାହିଁ। ଈଛା ହେଉଥିଲା ହନୁମାନ ହୁଅନ୍ତା କି ସୂର୍ଯ୍ୟଟାକୁ ଗୋଟା ଗିଳି ପକାନ୍ତା । ତା’ର ଜାଣିବା ଉଚିତ ସେ ଛୋଟ ପିଲା ତା' ଦେହରେ ଏତେ ଘା ଏତେ ଘିମିରି, ତା'କୁ ଟିକେ ଦୟା କଲେ କଣ ଭଲ ହୁଅନ୍ତା ନାହିଁ। 


ସେ ବୁଝି ପାରିଲା ନାହିଁ ଦୌଡି ଦୌଡି ଗଲେ ପାଦରେ କମ ଫୋଟକା ହେବ ନା ପାଦ ଥାପି ଥାପି ଗଲେ କମ ଫୋଟକା ହେବ। ପୁଳାଏ କଦଳୀ ପତର ଛିଡାଇଲା ଗୋଟିଏ ପକାଇ ତା’ଉପରେ ପାଦ ରଖି ଆଗକୁ ଗଲା, ପୁଣି ପଛଟିକୁ ଆଗକୁ ଆଣି ଏକ ଖେଳ ପ୍ରାୟ ଏକ ଦୁଇ ତିନ , ଏକ ଦୁଇ ତିନ କରି ଆଗକୁ ଆଗକୁ ଚାଲିଲା। ଆବଶ୍ୟକତା ମଣିଷ ମୁଣ୍ଡରେ ନୂଆ ବୁଦ୍ଧି ପୁରାଏ। ଛୋଟ ପିଲାଙ୍କ କେତେ.. ନା.. ଏତେ... ଖେଳ।


ସବୁଠୁ ମିଠା ଗଛ ପାଖକୁ ଆଗେ ଯିବା ତାହାର ସବୁ ଦିନିଆ ଅଭ୍ୟାସ ଆଉ ଦିଓଟି ଗଛ କଥା ପଛ। ଇସ ଆଜି କଅଣ ଏତେ ଆମ୍ବ ବିଛାଇ ହୋଇ ପଡିଛି। ପବନ କେତେବେଳେ ହେଲାକି ନିଜକୁ ପ୍ରଶ୍ନ କଲା। ନାଇଁ ତ । ଛାଡ ଯେମିତି ପଡୁ କଣ ଯାଏ ଆସେ, ଆମ୍ବତକ ଗୋଟାଇ ଘରକୁ ନେଲେ ଯାଏ। 


ସେ ଗୋଟି ଗୋଟି କରି କନା ମୂଣାରେ ଭର୍ତ୍ତି କଲା। ହଟାତ ଗଛ ଉପରୁ କିଏ ଜଣେ କହିଲା, ଏ ପିଲା! ସେଗୁଡା ମୋର ତୁ କାହିଁକି ମୁଣିରେ ପୂରାଉଛୁ।


ଜୀନୁ ଚମକି ପଡିଲା, ହାଉଳି ଖାଇଥାନ୍ତା ! ବାପାଙ୍କ କଥା ମନେ ପଡିଗଲା ଯେଉଁ ପିଲା ବାବନା ଭୂତକୁ ଜମା ନଡରେ ଭୂତ ତାର କିଛି କରି ପାରେ ନାହିଁ। 

ଉପରକୁ ସନ୍ତର୍ପଣରେ ଚାହିଁଲା, ଗଛର କେତେ ଅଗରେ ଅଙ୍ଗୁଳି ସରୁ ଡାଳରେ ଫୁଙ୍ଗୁଳା ଦେହରେ କିଏ ଗୋଟାଏ ବେପରୁଆ ହୋଇ ବସି ଆମ୍ବ ଟିଏ ହାତରେ ଧରି ଖାଉଛି। ଜୀନୁ ଗଛ ଚଢେ କିନ୍ତୁ ଏତେ ଉଚ୍ଚକୁ ! ନା ତାଙ୍କ ଗାଁ’ଟା ସାରାରେ କେହି ଜଣେ ବି ଏମିତି ସରୁ ଡାଳକୁ ଯାଇପାରିବେ ନାହିଁ। ଏଇଟା ନିଶ୍ଚେ ବାବନା, ତା ଛଡା ତାଙ୍କ ଗାଆଁ ଛୁଆ ଇଏତ ନୁହେଁ। 


ଆଉଟିକେ ନିରିଖେଇକି ଅନାଇଲା, ଭୟ କମିଗଲା ସେଦିନ ଯେଉଁ ବାଉଁଶ ରାଣୀ ଖେଳ ହାଟ ପଡିଆରେ ଦେଖିଥିଲା ସେହି ଖେଳରେ ଏଇ ପିଲାଟା ଗୋଟେ ଦୋଉଡି ଉପରେ ଚାଲୁଥିଲା କେତେ ଚିକିମିକିଆ ଫ୍ରକଟିଏ ପିନ୍ଧି। ଆଜି ଫୁଙ୍ଗୁଳା ଦେହରେ ଚିହ୍ନି ହେଲାନାହିଁ । 


ଏଗୁଡାଙ୍କର ସାହାସ ଭୂତ ଠୁ ବି ଅଧିକ।


ତୁ କାହିଁକି ଆମ ଆମ୍ବ ଗଛରେ ଚଢିଛୁ?


ଗଛଟା କେମିତି କାହାର ହେବ ମ । ଆମେ ତ କେତେ ମୂଲକ ବୁଲୁଛୁ କେତେ ଗଛ ମୂଳେ ମାସ ମାସ ଧରି ଡେରା କରିଛୁ କେଉଁଠି ହେଲେ କୌଣସି ଗଛ ତ ଆମର ନୁହନ୍ତି ବୋଲି ଅଭିଯୋଗ କରିନାହାନ୍ତି କିମ୍ବା କୌଣସି ମଣିଷ ବି ଆସି ଦାବି କରିନାହାନ୍ତି । ଉଠ.... ହଟୋ.... ଭାଗୋ ! ବଡ ବିଚଳିତ ଏବଂ ଚମତ୍କୃତ ହେଲାଭଳି କହିଲା ପିଲାଟି। କହିଲା ବେଳେ ସେ ଏପରି ବେପରୁଆ ହୋଇ ଦୁଇ ହାତ ଛାଡି ଦେଲା ଯେ ଜୀନୁ ଡରିଗଲା ଆଉ କହିଲା ପଡି ପୁଡା ଯିବୁ ମତେ ଡର ଲାଗୁଛି। 


ପିଲାଟା ହୋ ହୋ ହସିଲା ସେ ପୁଣି ପଡିବ ଯିଏ ସରୁ ତାର ଆଉ ଦଉଡି ଉପରେ ଚାଲୁଛି ଅଧିକ ବେପରୁଆ ଭାବେ କହିଲା।

ଜୀନୁ ଏଥର ଚିତ୍କାର କଲା, ତଳକୁ ଓହ୍ଲା କହୁଛି, ଆମ୍ବ ଫାମ୍ବ ଯାହା ନେବୁ ନେ ତଳକୁ ଆ ଡର ଲାଗୁଛି ପିଲାଟିର ଜୀନୁ ଉପରେ ଦୟାହେଲା କିମ୍ବା ସେ ବି ଭାବୁଥିଲା କାଳେ ଆମ୍ବ ତକ ହରାଇବ ଏଣୁ କ୍ଷୀପ୍ର ଗତିରେ ଓଲ୍ହାଇ ଆସିଲା ଏତେ ଜୋରରେ ଯେ ଜୀନୁର ଆଖି ଖୋସି ହୋଇଗଲା।


ତୁ ଆଗେ ପ୍ରଥମେ କହ ଗଛଟା କେମିତି ତମର ହୋଇପାରିବ ତୁମେ କ’ଣ ଏହାକୁ କୁଆଡେ ସାଥିରେ ନେଇ ପାରିବ? ଆମେ ଗୋଟେ ଦୁନିଆରୁ ଖେଳ ସାରି ଆଉ ଦୁନିଆକୁ ଗଲେ ଆମ ମାଷ୍ଟର ସାଙ୍ଗରେ ସବୁ କଳାକାର ମାନେ ମଣିଷ, ଛୁଆ ଓ ବଡ, ଆମ କୁକୁର, ମାଙ୍କଡ଼, ବିଲାତି ମୂଷା, ଛେଳି, ଜିନିଷ ପତ୍ର ଆମ ଭ୍ୟାନ ଗାଡି ଓ ଡାଲା ଗାଡିରେ ବୋହିନିଏ ଏଗୁଡା ସବୁ ତା’ର ବା ଆମର। ଆଉ ଗୋଟିଏ ଦୁନିଆରେ ଖେଳ ସାରିଲେ ପୁଣି ସେଇଆ କରେ । କାହିଁ କେବେ ଗଛ’ତ ବୋହି ନିଏ ନାହିଁ। ତୁମେ କଣ ଗଛକୁ ନୂଆ ଦୁନିଆକୁ ବୋହି ନିଅ!


ଜୀନୁକୁ ପ୍ରଥମେ ହସ ତାପରେ କାନ୍ଦ ଲାଗିଲା କିନ୍ତୁ ସେ ପ୍ରସଙ୍ଗକୁ ନଯାଇ ପ୍ରଥମେ ପ୍ରଶ୍ନ କଲା -ମୋ ନାମ ଯେମିତି ଜୀନୁ ତୋ ନାମ କଣ?

-ମୋଗୁଲି, ମତେ ମାଷ୍ଟର ଡାକେ ମୋଗୁଲି।


ତୁ କ’ଣ ଜଙ୍ଗଲ ଜଙ୍ଗଲ ପତା ଚଲାହେ ବାଲା ମୋଗୁଲି, ଓ.... ସେଇଥିପାଇଁ ଏତେ ଉପରକୁ ଚଢିବାକୁ ଡର ଲାଗୁ ନାହିଁ। ଜୀନୁ ଜୋରରେ ହସିଲା ଆଉ କହିଲା ତୁ ଦୁନିଆ ଛାଡିବା ମାନେ ବୁଝୁଛୁ ଯାଯାବର ପରି ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବା ଆମେ ସେମିତି କରୁନା। ଗୋଟିଏ ଜାଗାରେ ରହୁ ଏଇଟା ଆମ ଘର, ଏଇ ଆମ୍ବଗଛ ଗୁଡା ଆମ ବାଡିରେ ଥିବାରୁ ଏହା ଆମ୍ଭର ତେଣୁ ଏ ଗଛରୁ ତୁ ଆମ୍ବ ଖାଇଛୁ ମାନେ ଚୋରି କରିଛୁ।


 ଚୋରି କରିବା ମହାପାପ ଗୋଡାଇ ଖାଇବ ତମ୍ପ ସାପ।


ମୋଗୁଲି ବଡ ଆଶ୍ଚର୍ଯ୍ୟ ହେଲା । ଜୀନୁ କଣ ସବୁ ଅଜବ କଥା କହୁଛି ଗୋଟିଏ ଜାଗାରେ କଣ ଭଲ ଲାଗୁଛି ଲୋକେ ତୁମ୍ଭ ଖେଳ ଦେଖି ବୋର ହେଉ ନାହାନ୍ତି! ଘର ବାଡି ଏ ସବୁ କଣ କହୁଛୁ ଜୀନୁ ମୋ ମୁଣ୍ଡରେ ପଶୁନାହିଁ। ଗୋଟେ ଦୁନିଆରେ ବେଶି ଦିନ ରହିବା ଭଲ ନୁହେଁ। ରୋଜଗାର ହେବନାହିଁ ଖାଇବାକୁ ମିଳିବ ନାହିଁ।


ଦୁନିଆ ଛ।ଡିବା କାହାକୁ କହନ୍ତି ତାହା ତୁ ଜାଣିନୁ ମୋଗୁଲି ! ଏ ମୁଲକରୁ ସେ ମୁଲକ ଯିବା ଦୁନିଆ ଛାଡିବା ନୁହେଁ ମୃତ୍ୟୂରେ ଜଣେ ଦୁନିଆ ଛାଡେ। ମୋ ବାପା ମଲାବେଳେ ଲୋକେ ଏ କଥା କହୁଥିଲେ, ସେ ଯେଉଁ ଦୁନିଆକୁ ଯାଇଛନ୍ତି ସେଠାକୁ କିଛି ନେଇଯାଇ ପାରିବା ସମ୍ଭବ ନୁହେଁ।


 କେବଳ ତୁମ ଧର୍ମ ତୁମ ସାଙ୍ଗରେ ଯିବ ଅବଶ୍ୟ ଧର୍ମ ମାନେ ଭଲ କାମ କରିବା ତାହା କେମିତି ମୋ ବାପାଙ୍କ ସାଙ୍ଗରେ ଗଲା ସେକଥା ଛୋଟ ପିଲା ବୁଝି ପାରିବେ ନାହିଁ । ଏ କଥା ବି ସେମାନେ ମୁଁ ପଚାରିଲେ କହୁଥିଲେ।


ତୋ ବାପା କଣ କରନ୍ତି ମୋଗୁଲି?


ମାଷ୍ଟର କହେ ମୋ ବାପା ମା କିଏ ତାହା ସିଏ ଜାଣି ନାହିଁ। ସେମାନେ କେଉଁ ଏକ ଦୁନିଆରେ ଡେରା ପକାଇଥିଲେ ତହିଁ ଲାଗିଲା କଣ ବଡ ମାଡ ଫୌଜଦାରି, ଦଙ୍ଗାଗୋଳ, ଗାଡି ମଟର ବନ୍ଦ ରହିଲା, ସେମାନେ ବିନା ରୋଜଗାରରେ ପଡି ରହିଲେ। ଦିନକର ଘଟଣା ଜଣେ ଲୋକ ଧଇଁ ସଇଁ ହୋଇ ତାକୁ ଆଣି ମାଷ୍ଟରକୁ ଦେଲା ଏବଂ କହିଗଲା ମୁଁ କୁଆଡେ ତା ବହୁ ଧନୀ ମାଲିକଙ୍କ ଅଲିଅଳି ଝିଅ ମୋ ଜୀବନ ବଞ୍ଚାଇବା ଦାଇତ୍ୱ ତା’ର। ସମୟ ନଥିଲା ଅଧିକ କଥା ହେବାକୁ। ତେବେ ଏହାକୁ ପାଠ ପଢାଇ ମଣିଷ କରିବ ଏକଥା ବି ଦାୟିତ୍ୱ ଦେଇଥିଲା।


ମାଷ୍ଟର କହେ ତାଙ୍କ ଭଳି ବାଉଁଶ ରାଣୀ ଖେଳ ଦେଖାଉ ଥିବା ଲୋକଙ୍କ ପାଖକୁ କେହି ଦଙ୍ଗାକାରୀ ଆସିବେ ନାହିଁ ଏଣୁ ଯିଏ ତାକୁ ସେଠାରେ ଛାଡିଲା ସେ ବୁଦ୍ଧିଆ କିନ୍ତୁ ପାଠ କେମିତି ସେ ପଢି ପାରିବ ମାଷ୍ଟର ତ ମୂର୍ଖ।


ଆଛା ଜୀନୁ କହି ପାରିବୁକି ଦଙ୍ଗାକାରୀ ମାନେ କ’ଣ। 


ଜୀନୁ ସେକଥା ଜାଣି ନଥିଲା ଅନୁମାନ କରି କହିଲା ଅସୁର ହୋଇଥିବେ! ସେ ଯେଉଁ ଗପ ସବୁ ଶୁଣିଥିଲା ତା ମଧ୍ୟରୁ ଅସୁର ମାନେ ଯାଇଥିଲେ ଶିଶୁ କୃଷ୍ଣ ମାରିବା ପାଇଁ।


ତୁ କଣ ସତରେ ପାଠ ପଢିବାକୁ ଚାହୁଁ? ତାହେଲେ ସଂଧ୍ୟାବେଳେ ଆମ ଘରକୁ ଆସୁନୁ ମୋ ମା’ ତ ଏବେ କେତେ ଛୁଆଙ୍କୁ ଟିଉସନ କରୁଛି ଆମ ଘରେ। ମୋ ବାପା ମଲାପରେ ଆମେ ଭାରି ଗରିବ ହୋଇଯାଇଛୁ ସେଇଥିପାଇଁ ମା ଟିଉସନ କରୁଛି। ତୁ ଆସିବୁ କି ମୋ ସାଙ୍ଗରେ ପଢିବୁ, ମୁଁ ମାକୁ କହିବି ମୋଗୁଲି ବି ମୋ ଭଳି ହୀନିମାନୀ ଛୁଆଟିଏ ତା’ଠୁ ପଇସା ନେବୁନାହିଁ।


ମୋ ଭାଇବି ମରିଗଲା ମୁଁ ଖେଳିବାକୁ ସାଙ୍ଗ ପାଉନାହିଁ। 


ତୁ ମତେ ଦଉଡି ଉପରେ ଚାଲିବା ଶିଖାଇ ଦେବୁ। 


ମୋଗୁଲି କହିଲା ମାଷ୍ଟରକୁ ପଚାରି ଏକଥା କହି ପାରିବ।


ଆମ୍ବ କଥା ଦୁହେଁ ଭୁଲି ଯାଇଥିଲେ। 


ମୋଗୁଲିର ମାଷ୍ଟର ଓ ଜୀନୁର ମା ବୋଧେ କେତେବେଳୁ ଏକଥା ସେମାନଙ୍କର ଅଲକ୍ଷ୍ୟରେ ଶୁଣୁଥିଲେ । ଉଭୟ ଠୋ ଠୋ ହସିବାରୁ କଥା ବନ୍ଦ କରି ଦୁହେଁ ଦୁହିଁକର ଗାର୍ଜନ ମାନଙ୍କ ପାଖକୁ ଆଉଜି ଆସିଲେ।


ମାତାଜୀ ! ଏ ମୋଗୁଲି କିଛି ଭୁଲ କଥା କହିନାହିଁ, ଟଙ୍କାର ବି ଅଭାବ ନାହିଁ। ଏ ଛୁଆ ସାଙ୍ଗରେେ ସେ ଯେଉଁ ମୂଣାଟିଏ ପଠାଇଥିଲେ ତହିଁରେ ଶହେ ସତର ଭରିକିଆ ପୂରୁଣା କାଳିଆ ସୂନା ମୋହର ଥିଲା। ଲୋକଟା ପଛରେ ଦଳେ ଶସ୍ତ୍ରଧାରୀ ଦଙ୍ଗାକାରୀ ଆସି ପଚରା ଉଚୁୁରା କଲେ। ଯେତେଦୂର ସମ୍ଭବ ମୋଗୁଲି ମୁସଲମାନ ଘରର ଛୁଆ ଯାହାକୁ ହିନ୍ଦୁ ଲୋକଜଣେ ଜୀବନକୁ ବାଜି ଲଗାଇ ଉଦ୍ଧାର କରି ବଞ୍ଚିବାର ବ୍ୟବସ୍ଥା କଲେ। 


ଝିଅ ଛୁଆଟିକୁ କେଉଁଠି ଛାଡିବି, ପୁଣି ଏତେ ଗୁଡା ସୂନା ମୋହର ଲାଳସାରେ ଯେ କେହିବି ତା’ର ହତ୍ୟା କରିପାରେ। ଏସବୁ ଭାବି ଭାବି ଆଜି ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନେଇ ପାରୁନଥିଲି, ଭାବୁଛି ମୁଁ ସହି ଦୁନିଆରେ ପହଞ୍ଚିଛିି। 


 ଏହି ‘ଦୁନିଆ’ ଶବ୍ଦକୁ ନେଇ ଏଥର ଜୀନୁ ଆଉ ଜୀନୁ ମାଆ ଜୋରରେ ହସୁଥିଲେ। 


 ଏ ପିଲାର ବହୁତ ବୁଦ୍ଧି ଏ ପଢିବା ଦରକାର୍, ଏହାଥିଲା ଜୀନୁ ମାଆଙ୍କର ମନ୍ତବ୍ୟ।


ଏବେ ଉଭୟ ସପ୍ତମ ଶ୍ରେଣୀର ମେଧାବିନୀ ଛାତ୍ରୀ। 


ମାଷ୍ଟର ଆସି ଦେଖି ଯାଏ, ଭାରି ଖୁସି ହୁଏ ତା’କୁ ଲାଗେ ଭଗବାନ ଏହି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ତାକୁ ଏମିତି ଯାଯାବର କରିଥିଲେ ଏବଂ ତା ଜୀବନ ଧନ୍ୟ ହୋଇଛି। 


ଜୀନୁ'ମା ଏପର୍ଯ୍ୟନ୍ତ ସେ ସୂନା ମୋହର ଗୋଟିଏ ମଧ୍ୟ ଖର୍ଚ୍ଚ କରିନାହାନ୍ତି । ସବୁବେଳେ କୁହନ୍ତି ମୋଗୁଲିକୁ ଡାକ୍ତର କରିବେ ଏବଂ ସେହି ଧନରେ ହସ୍ପିଟାଲଟିଏ କରିବେ। ଆଉ ଜୀନୁ ସେ ଚାହେଁ ଅଧ୍ୟାପିକା ହେବାପାଇଁ।


(ବ୍ୟବହୃତ ଚିତ୍ର ସବୁ ବନ୍ଧୁ ଚିତ୍ରକର ଡା ସୁବ୍ରତ ମିଶ୍ରଙ୍କ ସୌଜନ୍ୟରୁ ପ୍ରାପ୍ତ)


Rate this content
Log in

More oriya story from Rabinarayan Senapati

Similar oriya story from Children Stories